Unknown

 

 

 

 

 

 

 

 

 

 

 

ସେଇ ନଈ ସେଇ ଧାର

ଜେନାମଣି ନରେନ୍ଦ୍ର କୁମାର

 

ଅଲେଖ ଖୁବ୍‌ ସକାଳୁ ମୁହଁ ଧୋଇ ପୁଣି ବିଛଣାରେ ଗଡ଼ି ପଡ଼ିଲେ ଏବଂ ରେଜେଇ ଭିତରେ ରହିଯାଇଥିବା ରାତିର ଉଷୁମ ଭିତରକୁ ଉଦ୍ୟମ କରି ଫେରିଗଲେ ଯେମିତି ।

 

ଉପର ମହଲାରେ ଏକମାତ୍ର ସେ ରହନ୍ତି । ମାତ୍ର ଗୋଟିଏ କୋଠରୀ । ଶୀତ ସକାଳରେ ତେଣୁ ଚାରିକାନ୍ଥ ଥଣ୍ଡା । ଉପର ମହଲାରେ ଯେଉଁ ଗାଧୁଆ ଘର ଅଛି, ତାହା ଟିକିଏ ଦୂରକୁ, ସିଡ଼ିଘର ପାଖକୁ ଲାଗି, ତିଆରି ହୋଇଛି । ବର୍ଷାଦିନେ ଗାଧୁଆ ଘରକୁ ଯିବାରେ ସେଇଥିପାଇଁ ଅସୁବିଧା । ଶୀତଦିନେ ମଧ୍ୟ ବଡ଼ିସକାଳର ନିରୋଳା ବା କୁହୁଡ଼ିମିଶା ଥଣ୍ଡା ବାତାବରଣରେ ଗାଧୁଆ ଘରକୁ ଯିବାକୁ ହଠାତ୍‌ ମନ ଚାଲେ ନାହିଁ ।

 

ତେଣୁ ଅଲେଖବାବୁଙ୍କ ପୁଣି ବିଛଣାକୁ ଫେରି ଯିବାଟା, କେତେକାଂଶରେ ଇଚ୍ଛାକୃତ ଏବଂ ବହୁ ଅଂଶରେ ଅଣାୟତ୍ତ ଅଭ୍ୟାସ ଯୋଗୁ ।

 

ତଳମହଲାରେ ଗୃହସ୍ୱାମୀ ରହନ୍ତି । ତାଙ୍କର ପନ୍ଦର ବର୍ଷରୁ କମ୍‌ ଚାରିଟି ପୁଅ ଏବଂ ତିନି ଝିଅ । ଶୀତଦିନରେ ରାତି ବଡ଼ । ତେଣୁ ଭୋରୁ ଭୋରୁ ଭୋକରେ ସାନପିଲାଗୁଡ଼ିକ ଉଠିପଡ଼ି କେଁ-କଟର ଆରମ୍ଭ କରିଦିଅନ୍ତି । ଗୃହିଣୀ ଉଠିବାକୁ ବାଧ୍ୟ ହୁଅନ୍ତି । ତା’ପରେ ପ୍ରଥମ କାର୍ଯ୍ୟ ବାସନ ଧୂଆ, ପରେ ଘର ସଫା । ଏହି କାର୍ଯ୍ୟକ୍ରମଗୁଡ଼ିକ ଚାଲିଥିଳାବେଳେ ଗୃହସ୍ୱାମୀ ନିଦରେ ଶୋଇଥାନ୍ତି । ସେ ମାଲଗୋଦାମରେ ବ୍ୟବସାୟ କରନ୍ତି । ତେଣୁ ରାତିରେ ବହୁତ ବିଳମ୍ବରେ ଫେରନ୍ତି । ତା’ଛଡ଼ା, ବେଳାବେଳି ଉଠିଲେ ତାଙ୍କର ଗାଧୋଇବା ଇତ୍ୟାଦି ନିତ୍ୟକର୍ମରେ ଅସୁବିଧା ହୁଏ । ପିଲାମାନେ ଖାଇବସିବା ପୂର୍ବରୁ ଏଭଳି ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥାଏ ଯେ ତାଙ୍କ ଦାନ୍ତଘଷା ବ୍ରଶ୍‍ ମିଳେନାହିଁ, କ୍ଷୌର ହେବା ସାବୁନ ଖଟତଳେ ବା ଆଲମୀରା ତଳେ ଗଡ଼ୁଥାଏ, ଏହିଭଳି । ପିଲାମାନେ ଖାଇ ବସିବାପରେ ଗୃହିଣୀ ସେ ସବୁ ସଜାଡ଼ି ରଖିଦିଅନ୍ତି, ଯାହାଫଳରେ ଗୃହସ୍ୱାମୀଙ୍କୁ ତାଙ୍କର ନିତ୍ୟକର୍ମ ଶୀଘ୍ର ସାରିବାରେ ସୁବିଧା ହୁଏ । ଏହାବ୍ୟତୀତ ଘରସବୁ ଆଳିଆମାଳିଆ ହୋଇ ପଡ଼ିଲେ ଗୋଧୋଇ ଆସି ପୂଜାପୂଜି ହେଲେ ମନ ଉପରେ ସେଭଳି ପବିତ୍ର ପ୍ରଭାବ ପଡ଼େ ନାହିଁ ।

 

ତେଣୁ ଗୃହସ୍ୱାମୀ ନୃସିଂହବାବୁ ଶୋଇଛନ୍ତି । ପ୍ରଥମେ କିଛିଦିନ ସେ ଇଚ୍ଛାକୃତଭାବେ ଶୋଇଥିବେ, ଏବେ ତାହା ଅଭ୍ୟାସରେ ପଡ଼ିଗଲାଣି । ଇଂରାଜୀରେ ସେ ପଢ଼ିଥିଲେ, ବେଳାବେଳି ଶୋଇବାକୁ ଗଲେ ଏବଂ ବେଳାବେଳି ନିଦରୁ ଉଠିଲେ ଲୋକ ସ୍ୱାସ୍ଥ୍ୟ, ଧନ ଏବଂ ବୁଦ୍ଧି ଲାଭ କରିଥାଏ । କିନ୍ତୁ ଧନ ଯେଉଁଠି ଉପାର୍ଜନ କରାଯାଏ, ସେଇ ମାଲଗୋଦାମରେ ରାତି ଏଗାରଟା ପୂର୍ବରୁ କାର୍ଯ୍ୟ ସରେ ନାହିଁ । ଧନ ଥିଲେ ସ୍ୱାସ୍ଥ୍ୟ ଏବଂ ବୁଦ୍ଧି ବେଳେବେଳେ ଆସେ ବୋଲି ନୃସିଂହଙ୍କର ବହୁ କ୍ଷେତ୍ରରେ ଅଭିଜ୍ଞତା ରହିଛି । ତେଣୁ ଏହି ଇଂରାଜୀ ପଢ଼ା ତାଙ୍କ ଉପରେ ପ୍ରଭାବ ପକେଇ ପାରିନାହିଁ । ସେ ନିଶ୍ଚିନ୍ତରେ ଶୋଇଛନ୍ତି ।

 

ସହରରେ ଧନୀଲୋକଙ୍କ ତାଲିକାରେ ନୃସିଂହବାବୁଙ୍କ ନାମ ଅଛି । ସକାଳ ନଅଟା ବେଳକୁ ସେ ଗାଧୋଇ ପାଧୋଇ ପୂଜାପୂଜିସାରି ଜଳଯୋଗ ପରେ ତାଙ୍କ ବାହାର ଘରକୁ ଆସନ୍ତି-। ସେତେବେଳକୁ ବ୍ୟବସାୟ କାର୍ଯ୍ୟ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚାନ୍ଦା ଏବଂ ନିଜର ଦୈନ୍ୟ ପ୍ରଦର୍ଶନ କରି ସାହାଯ୍ୟ ପାଇଁ ବହୁ ଲୋକ ତାଙ୍କ ବାହାର ଘରେ ଅପେକ୍ଷା କରି ଥାଆନ୍ତି । ନୃସିଂହ ସକାଳ ବେଳା ପ୍ରାୟତଃ ଖୁବ୍‌ ସରୁ ଧୋତି ପିନ୍ଧି ବାହାରନ୍ତି । ସେ ଅଣ୍ଡରଓୟାର ପିନ୍ଧନ୍ତି ନାହିଁ । ଏହା ଧନୀଲୋକମାନେ ପ୍ରାୟ ପିନ୍ଧନ୍ତି ନାହିଁ ବୋଲି ତାଙ୍କର ଧାରଣା । ଖାଲି ଦେହରେ ସେ ବାହାରନ୍ତି ତାଙ୍କ ଡାହାଣ କାନ୍ଧରେ ଏକ ବହୁ ମୂଲ୍ୟର ହାତ ତନ୍ତ ତିଆରି ଗାମୁଛା ପଡ଼ିଥାଏ ।

 

ନୃସିଂହବାବୁ ଖୁବ୍‌ ପାନ ଖାଆନ୍ତି ଏବଂ ତାଙ୍କ ଦାନ୍ତଗୁଡ଼ିକ ପ୍ରାୟ ଲାଲ ଦେଖାଯାଉଥାଏ ଏହି ଅବସ୍ଥାରେ ସେ ବାହାରନ୍ତି ଏବଂ ହସିହସି ଧୀର ଅଥଚ ମିଠାକଥା କହି ସେ ସମସ୍ତଙ୍କୁ ସନ୍ତୁଷ୍ଟ କରି ବିଦାକରନ୍ତି । ନୃସିଂହବାବୁ ଖୁବ୍‍ ଗୋରା, ବପୁବନ୍ତ, ଏବଂ ହଳେ ବେଶ୍‌ ଦିଶୁଥିବା ନିଶ ରଖିଛନ୍ତି । ତାଙ୍କଠାରୁ ମିଠାକଥା ଶୁଣିଲେ ଯେ କେହି ଲୋକକୁ ଖୁବ୍‌ ଭଲ ଲାଗିବ । ସହରରେ ଯେତେ ଧନୀ ଲୋକ ଅଛନ୍ତି, ତାଙ୍କ ଭିତରେ ନୃସିଂହବାବୁ ଖୁବ୍‌ ଲୋକପ୍ରିୟ ।

 

ଲେଖକ ଭାବୁଥିଲେ, ଏତେବଡ଼ ଧନୀଲୋକ ଏଭଳି ଗୋଟିଏ କୋଠାରୀ ଉପର ମହାଲାବୋଲି ତିଆରି କଲେ ଯାହା ସାଙ୍ଗକୁ ଗାଧୁଆଘର ଏକାଠି ଲାଗିନାହିଁ । ବସ୍ତୁତଃ ନୃସିଂହବାବୁଙ୍କ ଘରର ତଳମହଲାରେ ଅନ୍ୟୁନ ବାରଟି ରହିବା ଘର ଥିଲେ ସୁଦ୍ଧା କୌଣସି ଗୋଟିଏ ରହିବା ଘରକୁ ଗାଧୁଆଘର ଲାଗିରହିବା ସୁବିଧା ଦିଆଯାଇ ନାହିଁ । ଏହା ବୋଧହୁଏ ସହରି ଆଭିଜାତ୍ୟ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ଅଲେଖ ଭାବିଲେ, ଏତେବଡ଼ ଘର, ଅଥଚ ଉପର ମହଲାରେ ମାତ୍ର ଗୋଟିଏ କୋଠରୀ ତିଆରି କରାଯିବାର ତାତ୍ପର୍ଯ୍ୟ କ’ଣ ଥାଇପାରେ ? ତଳେ ତ ଠାକୁରଘର ଅଛି, ଅତିଥିମାନଙ୍କପାଇଁ ଦୁଇଟି କୋଠରୀ ସୁସଜ୍ଜିତ ହୋଇଅଛି । ଏତେଗୁଡ଼ିଏ ପ୍ରକୋଷ୍ଠ ତଳେ ଅଛି । ହୁଏତ କିଛି ଇଟା ସିମେଣ୍ଟ ବଳିପଡ଼ିଲା । ତେଣୁ ଉପର ମହଲାରେ ଏ ଘର-

 

ଅଲେଖ ଏହି ବଳକା ଘରେ ରହୁଛନ୍ତି । ସେ ଘରଟିକୁ ଭଡ଼ାରେ ନେଇଛନ୍ତି । ନୃସିଂହଙ୍କ ଭଳି ଧନୀଲୋକ ଯେ ଘର ଭଡ଼ା ଦେବେ, ଏ କଥା ଯେ ଶୁଣିବ ସେ ଅବିଶ୍ୱାସ କରିବ । କିନ୍ତୁ ନୃସିଂହ ଏ ଘରଟି ଭଡ଼ା ଦେଇଛନ୍ତି ଏବଂ ପ୍ରତିମାସ ୫ ତାରିଖ ଭିତରେ ଘରଭଡ଼ା ନ ପାଇଲେ ସେ ଖୁବ୍‍ ବିରକ୍ତ ହୁଅନ୍ତି । ଏଭଳି ଘଟଣା ଅତୀତରେ ମାତ୍ର ଦୁଇଥର ଘଟିଛି । ସେତେବେଳେ ନୃସିଂହ ଏଭଳି ବିରକ୍ତ ହୋଇଥିଲେ ଯେ ଅଲେଖ ସେହିଦିନଠାରୁ ଚଳିତ ମାସ ଭଡ଼ା ଦେଇସାରି ଆଗାମୀ ମାସ ପାଇଁ ଘରଭଡ଼ା ମଧ୍ୟ ରଖି ଦେଉଛନ୍ତି । ମାତ୍ର ପଚାଶ ଟଙ୍କା ଘରଭଡ଼ା ସେଥିରେ ନୃସିଂହ ବିରକ୍ତ ହେବାର କିଛି କାରଣ ନାହିଁ । କିନ୍ତୁ ବ୍ୟବସାୟ ହିଁ ବ୍ୟବସାୟ । ଏହା କେତେକ ନୀତିନିୟମ ଅନୁସାରେ ଅବଶ୍ୟ ଚାଲିବ ।

 

ଅଲେଖ ରେଜେଇ ଭିତରର ଉଷୁମରେ ଆନନ୍ଦ ଅନୁଭବ କରୁଥିଲେ । ସେ ଅପେକ୍ଷା କରୁଥିଲେ ସକାଳର ସୂର୍ଯ୍ୟ ଅଧଘଣ୍ଟା ପରିଶ୍ରମ କଲେ ଛାତଉପରୁ ଗତ ରାତିର ଥଣ୍ଡା ଆବଶ୍ୟକ ମୁତାବକ ଦୂରୀଭୁତ ହୋଇଯିବ ଏବଂ ସେ ରେଜେଇ ଭିତରୁ ବାହାରି ତଉଲିଆ ଏବଂ ଲୁଗାପଟା ଧରି ସିଡ଼ିଘର ପାଖରେ ଥିବା ଗାଧୁଆ ଘରକୁ ଯିବେ ।

 

ଅଲେଖଙ୍କ ପାଇଁ ଯେଉଁ ସିଡ଼ିଟି ନିର୍ଦ୍ଦିଷ୍ଟ ଅଛି ସେହି ସିଡ଼ିରେ ଓହ୍ଲେଇ ଗଲେ ସେ ଏକ ପ୍ରକାର ନୃସିଂହଙ୍କ ଘର ବାହାରେ ପହଞ୍ଚିବେ କାରଣ, ସେ ସିଡ଼ିଟି ଘର ବାହାର ପଟ ବାରଣ୍ଡାରୁ ଉଠିଛି । ଏବଂ, ବାରଣ୍ଡାର ଏଭଳି ଏକ କୋଣରୁ ସେ ସିଡ଼ି ଉଠିଛି ଯେଉଁ କୋଣରେ ଲୋକବାକ କେବେ ପହଞ୍ଚିବେ ନାହିଁ ।

 

ଏତଦ୍‌ବ୍ୟତୀତ ଆଉ ଏକ ସିଡ଼ି ମଧ୍ୟ ଉପରକୁ ଉଠିବା ପାଇଁ ଅଛି ଯାହାଘର ଭିତର ବାରଣ୍ଡାରୁ ବାହାରିଛି ଏବଂ ଛାତ ଉପରେ ବାଲକନି ଦିଆ ଏକ ଅଂଶରେ ପହଞ୍ଚିଛି । ତାକୁ ତ ବାଲକନି କୁହାଯାଇପାରିବ ନାହିଁ–ସେ ରୀତିମତ ପାଚେରୀ । କାରଣ, ଅଲେଖ ତାଙ୍କପଟ ତିନିଶହ ବର୍ଗଫୁଟ ଖୋଲା ଛାତରେ ବିଚରଣ କଲେ ଛାତର ପାଚେରୀ ଦିଆ ଅଂଶରେ କିଏ ଅଛନ୍ତି, କିଏ ନାହାନ୍ତି ତାଙ୍କୁ ଜଣାପଡ଼ିବାର କୌଣସି ଉପାୟ ନାହିଁ ।

 

ବସ୍ତୁତଃ ଅଲେଖ ଏହିଭଳି ଏକ କଠୋରୀ ଚାହୁଁଥିଲେ । ବର୍ଷେ ପର୍ଯ୍ୟନ୍ତ ଏହି ସହରରେ ଖୋଜି ଖୋଜି ଏହି କଠୋରୀକୁ ଆବିଷ୍କାର କଲାପରେ ବହୁ ଦିଗରୁ ନୃସିଂହଙ୍କ ଉପରେ ଚାପ ପକେଇ ସେ ଏ ଘରଟିକୁ ଦଖଲ କରିଛନ୍ତି ଏବଂ ଏହା ପ୍ରାୟ ତିନିବର୍ଷ ହୋଇଗଲାଣି ।

 

ନୃସିଂହ ଏତଦ୍‌ପୂର୍ବରୁ ଏହି ଘରଟି ଖାଲି ରଖିଥିଲେ ଏବଂ ଆଶ୍ଚର୍ଯ୍ୟର କଥା, ଏ ଘରଟି ନିର୍ମିତ ହେବା ଦଶବର୍ଷ ହୋଇଥିଲେ ସୁଦ୍ଧା ଏହା କୌଣସି କାର୍ଯ୍ୟରେ ଲାଗୁନଥିଲା ।

 

ଅଲେଖ ଏହି ସହରର ଏକ ଛୋଟ କାରଖାନାର ମ୍ୟାନେଜର । ସେଭଳି ବେଶି ଦରମା ପାଆନ୍ତି ନାହିଁ । ମେକାନିକାଲ୍ ଇଞ୍ଜିନିଅରିଂରେ ଡିଗ୍ରୀ ଥିବା ହେତୁ ସେ ଚାରିବର୍ଷ ହେବ ଏହି ନିଯୁକ୍ତି ପାଇଛନ୍ତି । ସେ ଯେଉଁ କାରଖାନାରେ ଅଛନ୍ତି ସେ କାରଖାନାରେ ଷ୍ଟିଲ ଆଲମିରା ତିଆରି ହୁଏ । ସରକାରଙ୍କ ମୁଦ୍ରାସଂକୋଚ ନୀତି ଫଳରେ ଏହି କାରଖାନାରେ ତିଆରି ହେଉଥିବା ଆଲମିରା ବିକ୍ରି ପରିମାଣ କମିଛି । ତେଣୁ ଅଲେଖ ଯାହା ଅଧିକ ଦରମା ପାଇଥାଆନ୍ତେ, ତାହା ସମ୍ଭବ ହୋଇପାରିନାହିଁ ।

 

ସକାଳ ଖୁବ୍‌ କୁଣ୍ଠାର ସହିତ ଆସିଲାଭଳି ଜରାପଡ଼ୁଛି । ଅଲେଖ କୋଠରୀର ପୂର୍ବଦିଗରେ ଥିବା ଝରକା ଖୋଲିଦେଲେ ଏବଂ ପୁଣି ରେଜେଇ ଭିତରେ ପଶିଗଲେ । ଏଥର ପୂର୍ବପଟର ଝରକା ଦେଇ ଚାହିଁଲେ ଦୂର ସହରର କିୟଦଂଶ ଏବଂ ଆକାଶର କେତେକାଂଶ ଦିଶିଲେ । ଏମାନେ ସବୁ ଶୀତରେ ଭିଜା ଭିଜା । ସହରର ଦିଶୁଥିବା କିୟଦଂଶରେ ଦୋମହଲା ଏବଂ ତିନି ମହଲା ଘରର ଉପରେ ଅଂଶ ଏବଂ କେତେକ ନଡ଼ିଆ ଗଛ ତଥା ଆଉ ଭିନ୍ନ ଭିନ୍ନ ପ୍ରକାରର ଉଚ୍ଚ ଗଛର ଉପରିଭାଗ କେବଳ ଦିଶୁଥିଲେ । ଶୀତଦିନେ ସକାଳେ ପବନର ସମ୍ଭାବନା ନ ଥିବାରୁ ସେମାନେ ଅତିଶୟ ସ୍ଥିର ଥିଲେ । ଗତ ରାତିରେ ଜମିଥିବା ଅଳ୍ପ କୁହୁଡ଼ି ଏପର୍ଯ୍ୟନ୍ତ ବଡ଼ବଡ଼ ଗଛ ଏବଂ କୋଠାଘରମାନଙ୍କର ଉପରି ଭାଗରେ ଲାଗି ରହିଛି । ସେହି ପାଉଁଶିଆ କୁହୁଡ଼ି ଆକାଶ ଏବଂ ଘର ତଥା ଗଛଗୁଡ଼ିକର ସନ୍ଧି ସ୍ଥଳ ଆଡ଼କୁ ଆସ୍ତେ ଫିକା ପଡ଼ି ଆସିଛି । ପୂର୍ବ ଆକାଶ ସାମାନ୍ୟ ଲାଲ ହୋଇଛି । ଖରା ଏ ଯାଏଁ ପଡ଼ିନାହିଁ ।

 

ଅଲେଖ ଅଶ୍ୱସ୍ତିରେ କଡ଼ ଲେଉଟେଇଲେ । ସେ ବିବାହିତ ନୁହନ୍ତି । ବାପ ମାଆଙ୍କର ଏକମାତ୍ର ସନ୍ତାନ ସେ । ଗାଆଁରେ ନାଳ-କୁଳିଆ ପାଞ୍ଚ ଏକରର ଦୋ ଫସଲି ଚାଷ; ତେଣୁ ବାପ ମା’ ଖୁସିରେ ଅଛନ୍ତି । ଅଲେଖ ପିଲାଦିନୁ ଧର୍ମଭୀରୁ । ତେଣୁ ସେ ପାନ ସିଗାରେଟ ପର୍ଯ୍ୟନ୍ତ ଖାଆନ୍ତି ନାହିଁ । ବାପମାଙ୍କର ଏକମାତ୍ର ପୁଅ ହୋଇଥିବା ହେତୁ ଗେଲବସରରେ ସେ ପିଲାଦିନୁ ବଢ଼ିଛନ୍ତି । ତେଣୁ ସ୍ୱଭାବତଃ ଟିକିଏ ଅଳସୁଆ ମଧ୍ୟ ହୋଇଯାଇଛନ୍ତି । ଇଞ୍ଜିନିଅରିଂ ପାଠ ସେ ବୁର୍ଲାରେ ପଢ଼ିଲେ । ସେଠିକାର ନିରୋଳା ପରିବେଶ ଅଲେଖଙ୍କୁ ଖୁବ୍‌ ଭଲ ଲାଗିଥିଲା ଏବଂ ସେ ଜଣେ ମେଧାବୀ ଛାତ୍ରରୂପେ ସେଠି ନାମ ମଧ୍ୟ କରିଥିଲେ । ସରକାରୀ ଚାକିରିରେ ବଦଳି ଅଛି । ଦୂରକୁ ଯିବାକୁ ପଡ଼ିବ ବାପ ମାଆଙ୍କର ଏକମାତ୍ର ସନ୍ତାନ ସେ । ସେମାନଙ୍କୁ ପ୍ରତି ସପ୍ତାହରେ ଦେଖିବାକୁ ଯିବା ଏକାନ୍ତ ଆବଶ୍ୟକ । ତେଣୁ ପ୍ରତି ଶନିବାର ସନ୍ଧ୍ୟାରେ ସେ ଗାଆଁକୁ ଯାଆନ୍ତି ଏବଂ ସୋମବାର ଭୋରୁ ଗାଆଁରୁ ଫେରି ଆସନ୍ତି । ବାପା ମାଆଙ୍କର ତାଙ୍କ ସାଙ୍ଗରେ ରହିବାର କୌଣସି ସମ୍ଭାବନା ଥିଲେ ଅଲେଖ ସରକାରୀ ଚାକିରିରେ ମୁକରିର ହୁଅନ୍ତେ କିମ୍ବା କୌଣସି ବଡ଼ କମ୍ପାନୀରେ ରହି ଯାଆନ୍ତେ । କିନ୍ତୁ ଚାଷବାସ ବିଷୟଟି ଅବଶ୍ୟ ବୁଝିବାକୁ ପଡ଼ିବ । ସେଥିରୁ ନିଜ ଖର୍ଚ୍ଚ, ଘରଖର୍ଚ୍ଚ ଯାଇ ବର୍ଷକୁ ପାଞ୍ଚହଜାର ଟଙ୍କା ସଞ୍ଚିତ ହେଉଛି ।

 

ଅଲେଖଙ୍କର ନିଜ ବିଦ୍ୟାରେ ଯାହା ଯୋଗ୍ୟତା ଅଛି ଓଡ଼ିଶାରେ ସେଭଳି କେହି ନାହାନ୍ତି । ସେ ମାଟ୍ରିକ ଓ ଆଇ.ଏସ.ସି.ରେ ବୃତ୍ତି ପାଇଥିଲେ । ଇଞ୍ଜିନିୟରିଂ ପାଠରେ ମଧ୍ୟ ପ୍ରତିବର୍ଷ ପ୍ରଥମସ୍ଥାନ ଅଧିକାର କରୁଥିଲେ । ଶେଷ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ପାଇଛନ୍ତି ।

 

ଇତିମଧ୍ୟରେ ସୂର୍ଯ୍ୟ ଉଠିଲେଣି । ସହରର ଦିଶୁଥିବା ଅଂଶ ଉପରେ ସୂର୍ଯ୍ୟ ଉଠିଛନ୍ତି ଏବଂ ଖରା ଆରାମଦାୟକଭାବେ ଛାତଉପରେ ବିଛାଡ଼ି ହୋଇ ପଡ଼ିଛି । ଅଲେଖଙ୍କ କୋଠରୀ ମଧ୍ୟରେ ଥଣ୍ଡା ଆସ୍ତେ ଆସ୍ତେ ଆସିଛି । ତାହା ତାଙ୍କ ରେଜେଇ ଭିତରେ ମଧ୍ୟ କିୟଦଂଶ ପ୍ରବେଶ କରିଛି । ଅଲେଖ ତେଣୁ ଶୀତ ସହିତ ସାଲିସ କରିଦେଲେଣି । ରେଜେଇ ଭିତରୁ ବାହାରି ନିତ୍ୟକର୍ମ କରିବାକୁ ଯେଉଁ କୁଣ୍ଠାଥିଲା ତାହା ଶୀତ ସହିତ ସାଲିସ, ସୂର୍ଯ୍ୟଙ୍କ ଆବିର୍ଭାବ ଏବଂ ସମୟର ଅତିକ୍ରମଣ ଫଳରେ କ୍ରମଶଃ ଦୂରୀଭୂତ ହୋଇଗଲାଣି ।

 

ସୂର୍ଯ୍ୟ ଉଠିଛନ୍ତି । ପୂର୍ବ ଆକାଶରେ ଭାସୁଥିବା ସାନସାନ ବଉଦ ଗୋଲାପୀ ଦେଖାଯାଉଛନ୍ତି । ସହରର ଦିଶୁଥିବା ଅଂଶର ଘର ଏବଂ କିସମ କିସମ ଗଛମାନଙ୍କ ଉପରେ ସୁର୍ଯ୍ୟକିରଣ ପଡ଼ି ସେଗୁଡ଼ିକ ଅଧିକ ଉଜ୍ଜ୍ୱଳ ଦେଖାଯାଉଛନ୍ତି ଏବଂ କୁହୁଡ଼ି ଅଳ୍ପ ଅଳ୍ପ ଥିଲା, ତାହା ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଗଲାଣି ।

 

ସୂର୍ଯ୍ୟ ଉଠିଛନ୍ତି । ଅଲେଖଙ୍କୁ ସୂର୍ଯ୍ୟକିରଣ ମଧ୍ୟରେ ପ୍ରେରଣା ଆସୁଛି । କ’ଣ ବା କାର୍ଯ୍ୟ ଅଛି ତାଙ୍କର ? ନିତ୍ୟକର୍ମ ଅନ୍ତେ ସେ ଅଫିସରେ ଯାଇ ପହଞ୍ଚିବେ ନଅଟାବେଳେ । ସେଇଠି ତାଙ୍କ ପ୍ରାତଃ ଭୋଜନ, ମଧ୍ୟାହ୍ନ ଭୋଜନ ଏବଂ ଅପରାହ୍ନର ଜଳଯୋଗ । ସୂର୍ଯ୍ୟ କିରଣ ଆହୁରି ପ୍ରଖର ହେଉ । ଅଲେଖ ତେଣୁ ପୁଣି ଶୋଇଯିବାକୁ ଉଦ୍ୟମ କଲେ ।

 

ମନକୁ କେହି ଜବରଦସ୍ତ ସହଜରେ ଆୟତ୍ତ କରିପାରେନା । ଅଲେଖଙ୍କର ଯୁବସୁଲଭ ଅପରିପକ୍ୱତା ଯାଇ ନାହିଁ । ଯଦିଓ ଏକ ରକ୍ଷଣଶୀଳ, ସମ୍ଭ୍ରାନ୍ତ, ଧର୍ମଭୀରୁ ପରିବାରର ପ୍ରଭାବରେ ଅଲେଖ ଏକ ସୁନାପିଲା ହିସାବରେ ଗଢ଼ି ଉଠିଛନ୍ତି, ଅଲେଖ ତାଙ୍କର ପାରିପାର୍ଶ୍ୱିକ ଅବସ୍ଥାରୁ ରକ୍ଷା ପାଇପାରୁନାହାନ୍ତି । ଅବଶ୍ୟ ଅଲେଖ ସ୍ୱଭାବତଃ ଗମ୍ଭୀର । ତେଣୁ ତାଙ୍କର ସହରରେ କୌଣସି ବନ୍ଧୁ ନାହାନ୍ତି । ତଥାପି ତାଙ୍କର ମାଲିକ ଚାହାନ୍ତି ଯେ ଉପରସ୍ତରରେ ଅଲେଖ ମିଶାମିଶି କଲେ, କ୍ଲବ ପ୍ରଭୃତିକୁ ଗଲେ ତାଙ୍କର ବ୍ୟକ୍ତିଗତ ପ୍ରଭାବରେ କମ୍ପାନୀର ବ୍ୟବସାୟ ବଢ଼ନ୍ତା । ଅଲେଖ କିନ୍ତୁ ବହୁ ଧର୍ମସଂସ୍ଥା ସହିତ ସମ୍ପୃକ୍ତ ରହିବା ହେତୁ କିଛି ବ୍ୟବସାୟ ବୃଦ୍ଧି କରାଇ ପାରୁଛନ୍ତି ଏବଂ ପ୍ରତିବର୍ଷ ବ୍ୟବସାୟ ବଢ଼ୁଛି ଏବେ ସହରରେ ଏକ ଧର୍ମର ବାୟୁମଣ୍ଡଳ ଦେଖା ଦେଇଛି ଏବଂ ଧର୍ମ ମାର୍ଗରେ ରହିଲେ ଯେ ଅବଶ୍ୟ ଉନ୍ନତି ସାଧିତ ହେବ, ସମାଜରେ ଉପରସ୍ତରର ଲୋକେ ତାହା ଆସ୍ତେ ଆସ୍ତେ ହୃଦୟଙ୍ଗମ କରୁଛନ୍ତି । ସେ ଯେଉଁ ମାର୍ଗ ହେଉନା କାହିଁକି ପୂଜା, ଭଜନ ଓ ସତ୍‌ଚିନ୍ତା ଯୋଗୁଁ ଅନେକଙ୍କର ମନର କଳୁଷ ଆସ୍ତେ ଧୋଇ ହୋଇଯିବା ସେମାନେ ଅନୁଭବ କରୁଛନ୍ତି ।

 

ଅଲେଖ ଭାବିଲେ ଓଡ଼ିଶା ଧର୍ମର ଭୂଇଁ । ଏହି ପ୍ରଦେଶର ପୁରୀ ହିନ୍ଦୁଧର୍ମର ଚାରିଧାମ ମଧ୍ୟରୁ ଅନ୍ୟତମ । ଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ ପ୍ରମୁଖ ସାଧକମାନେ ଏ ପ୍ରଦେଶକୁ ଆସିଛନ୍ତି । ଅପରପକ୍ଷେ ଜୈନଧର୍ମ ଏବଂ ବୌଦ୍ଧଧର୍ମର ଏହା ମଧ୍ୟ ଏକ ପୀଠସ୍ଥଳ । ଅଶୋକ ଏହିଠାରେ ତାଙ୍କର ଚଣ୍ଡସ୍ୱଭାବ ଛାଡ଼ି ଧର୍ମାଶୋକ ହୋଇଥିଲେ । ପରବର୍ତ୍ତୀ ସମୟରେ ସମାଜସେବୀ ଏବଂ ଜାତିର ଜନକ ମହାତ୍ମାଜୀ ମଧ୍ୟ ଏହି ପ୍ରଦେଶରୁ ଆନ୍ତରିକତାର ସୂଚନା ପାଇଥିଲେ । ସେ ଯେତେବେଳେ ହରିଜନ କଲ୍ୟାଣ ପାଣ୍ଠି ପାଇଁ କାନିପାତି ଭିକ୍ଷା ସଂଗ୍ରହ କରୁଥିଲେ ଏହି ପ୍ରଦେଶର ମଳିମୁଣ୍ଡିଆ ଭାଇ, ମା’ ଭଉଣୀମାନେ କିଭଳି ଅନ୍ତରର ସହିତ ସାହାଯ୍ୟ କରିଥିଲେ ସେ ବିଷୟରେ ମହାତ୍ମାଜୀ ହରିଜନ ପତ୍ରିକାରେ ଯାହାଲେଖି ଯାଇଛନ୍ତି ତାହା ପାଠକଲେ ଆଖିରେ ଲୁହ ଆସିଯାଏ-

 

ଓଡ଼ିଶାର ସ୍ଥାପତ୍ୟ, କଳା ଓ ଭାସ୍କର୍ଯ୍ୟର ମଧ୍ୟ ବିଶ୍ୱରେ ତୁଳନା ନାହିଁ ।

 

ଅଲେଖ ଭାବପ୍ରବଣ ହୋଇ ଏ ସବୁ ଚିନ୍ତା କରୁଥିବାବେଳେ ତାଙ୍କୁ ମନେହେଉଥିଲା ଯେଭଳି ସେ ଆସ୍ତେ ଆସ୍ତେ ହାଲୁକା ହୋଇ ଯାଉଛନ୍ତି ଏବଂ ରେଜେଇ ଓ ତନ୍ନିବିଷ୍ଟ ଉଷୁମ ସହିତ ସେ ଯେଭଳି ଆସ୍ତେ ଉର୍ଦ୍ଧ୍ୱକୁ ଉଠି ଯାଉଛନ୍ତି ।

 

ଅଧିକ ଚିନ୍ତାକରିବା ଅଶ୍ୱସ୍ତିକର ଭାବି ଅଲେଖ ଉଠିପଡ଼ିଲେ ଏବଂ ଏ ଉଠିପଡ଼ିବାପାଇଁ ତାଙ୍କୁ ଯଥେଷ୍ଟ ଚେଷ୍ଟା କରିବାକୁ ପଡ଼ିଲା ।

 

ପ୍ରାତଃ କାଳରୁ ଶଯ୍ୟା ତ୍ୟାଗକରିବା ତାଙ୍କର ଅଭ୍ୟାସ ଥିଲା । କେଜାଣି କାହିଁକି ଏ ଘରେ ରହିବା ଦିନଠାରୁ ସେ ଖୁବ୍‌ ଅଳସୁଆ ଅନୁଭବ କରୁଥିଲେ । ଆଜି ହଠାତ୍‌ ଅଳସୁଆ ନ ହେବା କଥା ସେ କାହିଁକି ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରୁଥିଲେ ଏବଂ ଏଠି କାହିଁକି ଅଳସୁଆ ହେଲେ, ଏହି ଆତ୍ମଚିନ୍ତାରେ ସେ କିଛି ସମୟ ବସି ରହିଲେ । ପ୍ରାତଃକାଳରୁ ଶଯ୍ୟାତ୍ୟାଗ କରିବାପାଇଁ ସବୁ ଧର୍ମ ସବୁ ସଂସ୍କୃତିରେ ନିର୍ଦ୍ଦେଶ ଅଛି, ପ୍ରାତଃକାଳକୁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ ସେତେବେଳେ ଚିତ୍ତ ସ୍ଥିର ଥାଏ । ମନ ମଧ୍ୟ ସ୍ଥିରଥାଏ, ଆଗାମୀ ଦିନପାଇଁ ସିଦ୍ଧାନ୍ତ ନେବାପାଇଁ ସେହି ସମୟ ତେଣୁ ଅନୁକୂଳ । ଇଂରାଜୀରେ ମଧ୍ୟ ପ୍ରଚଳନ ଅଛି ଯେ ଶୀଘ୍ର ଶଯ୍ୟା ତ୍ୟାଗ କରିବା ଧନୀ, ସ୍ୱାସ୍ଥ୍ୟବାନ ଏବଂ ବୁଦ୍ଦିମାନ ହେବାର ଉପାୟ ।

 

ଏହାସତ୍ତ୍ୱେ ଅଲେଖ ଏଇ କୋଠରୀରେ ଅଳସୁଆ ହୋଇଯାଇଛନ୍ତି । ସେ ବସ୍ତୁତଃ ଏଇ ଭଡ଼ାଘରେ ରହିବା ଦିନଠାରୁ ଅତ୍ୟନ୍ତ ଅନାସକ୍ତ ହୋଇଯାଇଛନ୍ତି । ଯେତେବେଳେ ଜଣେ ଜଡ଼ବିଜ୍ଞାନର ଛାତ୍ର ହିସାବରେ ସେ ଭାବୁଛନ୍ତି ଅନନ୍ତ ନୀହାରିକା (ଯାହା କୋଟି କୋଟି ତାରକାଙ୍କର ସମାରୋହ) ଏବଂ ଅସଂଖ୍ୟ ତାରା ମଧ୍ୟରେ କ୍ଷୁଦ୍ରାତିକ୍ଷୁଦ୍ର ସୂର୍ଯ୍ୟଙ୍କଠାରୁ ବିକ୍ଷିପ୍ତ ହୋଇ ଅତି ସାନ ପୃଥିବୀଟିଏ ନିଃସହାୟ ଭାବେ ଘୂରୁଛି ଏବଂ ସେହି ପୃଥିବୀରେ କେତେ ମହାଦଶ, କେତେ ଦେଶ, କେତେ ପ୍ରଦେଶ, କେତେ ଜିଲ୍ଲା, କେତେ ସହର ଭିତରୁ କ୍ଷୁଦ୍ରାତିକ୍ଷୁଦ୍ର ଏକ ସହରରେ ବାସ କରୁଛନ୍ତି ଓ ଏହି ସହରର ଲକ୍ଷଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ସେ ଜଣେ ମାତ୍ର, ତାଙ୍କୁ ନିଜ ସ୍ଥିତି ଖୁବ୍‌ ନଗଣ୍ୟ ଲାଗୁଛି । ତେଣୁ ଏହି ନଗଣ୍ୟ ସ୍ଥିତିଟିର କ’ଣ ବା ତାତ୍ପର୍ଯ୍ୟ ଅଛି ? ଏହିକଥା ଭାବିଭାବି ସେ ଅଳସୁଆ ହୋଇଯାଉଛନ୍ତି । ସୁଖ-ଦୁଃଖ, ଆକର୍ଷଣ-ବିକର୍ଷଣ ତାଙ୍କୁ ବିଚଳିତ କରିପାରୁନାହିଁ । ସୁଖରେ ଅସ୍ପୃହା ଏବଂ ଦୁଃଖରେ ଉଦ୍‌ବିଗ୍ନ ନ ହେବା ଏହିଭଳି ଏକ ଅଚଳଭାବ ତାଙ୍କୁ ଆସ୍ତେ ଆସ୍ତେ ଗ୍ରାସ କରୁଛି । ସେ ଚେଷ୍ଟାକରି ଯେପରି ଉଠୁଛନ୍ତି, କହୁଛନ୍ତି, ହାତ ଉଠାଉଛନ୍ତି, ଗୋଡ଼ ଆଗକୁ କରୁଛନ୍ତି । ସେ ଯେପରି ଅନ୍ୟ କେହିଜଣେ । ଅଲେଖଙ୍କ ପାଖକୁ ଆସି ସେ ତାଙ୍କ ହାତକୁ ଉଠାଉଛନ୍ତି, ଚଳାଉଛନ୍ତି, ଗୋଡ଼କୁ ଉଠାଉଛନ୍ତି, ଚଳାଉଛନ୍ତି ।

 

ଅଲେଖ ଏଇଥିପାଇଁ ଖୁବ୍‌ ଅଳସୁଆ ହୋଇଯାଇଛନ୍ତି । ଜନ୍ମ ଏବଂ ମୃତ୍ୟୁ ଯଦି ଦୁଇଟି ବିନ୍ଦୁ ହୁଏ, ଜୀବନ ଗୋଟିଏ ସରଳରେଖା, ମାତ୍ର ଯାହା ଏହି ଦୁଇଟି ବିନ୍ଦୁକୁ ଯୋଗ କରୁଛି । ଗୋଟିଏ ବିନ୍ଦୁରୁ ଅନ୍ୟ ଏକ ବିନ୍ଦୁପର୍ଯ୍ୟନ୍ତ ଜୀବନକୁ ମଲା କୁକୁରଭଳି ଘୋଷାଡ଼ି ଘୋଷାଡ଼ି ନେବା ଯେଭଳି ଅଲେଖଙ୍କର କାର୍ଯ୍ୟ । ସେଇଥିପାଇଁ ତାଙ୍କର ଏତେ ଅସ୍ପୃହା, ଏତେ ଆଳସ୍ୟ । ମଣିଷ ଅତ୍ୟନ୍ତ ଯୁକ୍ତି ପ୍ରବଣ । ସେ ଯାହା କରିବ, ତାକୁ ପରବର୍ତ୍ତୀ ସମୟରେ ଅକାଟ୍ୟ ଯୁକ୍ତିଦ୍ୱାରା ଠିକ୍‌ ବୋଲି ପ୍ରମାଣ କରିଦେବ । ଅକାଟ୍ୟ ଅର୍ଥ ଅକାଟ୍ୟ । ଅଲେଖଙ୍କର ଆଳସ୍ୟ ତାଙ୍କର ଜୀବନପ୍ରତି ଅସ୍ପୃହା ଯୋଗୁ ଘଟିଛି : ତେଣୁ ସେ ଅଳସୁଆ ।

 

ଅଲେଖ ହସିଲେ । ମନଭିତରେ ଗୁମୁରି ଉଠୁଥିବା ହସ ତାଙ୍କ ମୁହଁରେ ଫୁଟିଉଠିଲା ଏବଂ ସେ ତାହା ତାଙ୍କ ସମ୍ମୁଖରେ ଥିବା ବିରାଟ ଦର୍ପଣରେ ଦେଖିପାରିଲେ ।

 

ଅଲେଖ ସେହି ଦର୍ପଣରେ ତାଙ୍କ ସରୁ ନିଶ ହଳକ ମଧ୍ୟ ଦେଖିଲେ । ଦେଖିଲେ ରାତିର ବିଶ୍ରାମରୁ ମୁକ୍ତ ହୋଇଥିବା ପଦ୍ମପତ୍ର ଉପରେ ଢଳ ଢଳ ହେଉଥିବା ଜଳବିନ୍ଦୁ ପରି ଦୁଇଟି ଆଖିର କଳାଡୋଳା ଦୁଇଟିକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଆଖି ଦୁଇଟି ।

 

ପେଟପୋଷିବା ବୃତ୍ତିପାଇଁ ସକାଳୁ ଦାଢ଼ି କାଟିବାକୁ ହେବ, ନିତ୍ୟକର୍ମ କରିବାକୁ ହେବ ଏବଂ ଅଫିସକୁ ଯିବାକୁ ପଡ଼ିବ । ତେଣୁ ଅଲେଖ ଏଥର ଉଠିଲେ । ସକାଳ ସାତଟା ବାଜିଛି । ଆହୁରି ଦୁଇଘଣ୍ଟା ହାତରେ ଅଛି । ସକାଳ ସେଭଳି ପରିପକ୍ୱ ହୋଇନାହିଁ । ଅଲେଖ ସେଭଳି ବିଶେଷ କିଛି ଆଳସ୍ୟ ଦେଖାଇ ନାହାନ୍ତି । ସହରର ଶତକଡ଼ା ପଚାଶରୁ ଅଧିକ ବ୍ୟକ୍ତି ଶୀତଯୋଗୁଁ ସାତଟାରେ ଉଠନ୍ତି ।

 

ଅଲେଖ ତଉଲିଆ ଏବଂ ଲୁଗାପଟାଧରି ଗାଧୁଆ ଘର ଭିତରକୁ ଯିବାର ସିଦ୍ଧାନ୍ତ କଲେ-

 

ସବୁଜ ଏବଂ ଧଳାଛକିର ତୁର୍କୀୟ ତଉଲିଆ । ଦୁଇଦିନ ବ୍ୟବହାର ହୋଇଥିବା ଅଣ୍ଡରଓୟାର ଏବଂ କଳା ଟେରିକଟ୍‌ ପ୍ୟାଣ୍ଟ ସାଙ୍ଗକୁ ଧଳା ଅଧା ହାୱାଇ ସାର୍ଟ, ଏଇ ଆଜି ଚଳିବ ।

 

ଅଣ୍ଡରଓୟାରଟା ଉତାରିବାବେଳେ ଓଲଟି ଯାଇଛି ଏବଂ ସ୍ଥାନ ଅବସ୍ଥାରେ ଈଷତ୍‌ ହଳଦିଆ ଦାଗ ଦେଖା ଯାଉଛି ।

 

ଧଳା ହାୱାଇନ୍‌ ସାର୍ଟଟା ଟେରିକଟ୍‌ର ଏବଂ ଅତି ଧଳା । କିନ୍ତୁ ଗତକାଲିର ବ୍ୟବହାର ଫଳରେ କଲାର ପାଖରେ ମଳି ଧରିଛି । ଏହି ମଳି ଧରିବା ପ୍ରତି ଅଲେଖ ବିରକ୍ତ ହୁଅନ୍ତି । ସେ ସାର୍ଟ ତେଣୁ ପରିତ୍ୟକ୍ତ ହେଲା । ତା’ରି ସାଙ୍ଗରେ ଠିକ୍‌ ସେହିଭଳି ଏକ ସାର୍ଟ ତିଆରି ହୋଇଥିଲା । ଧୋବା ଘରୁ ଆସି ସୁଟକେଶରେ ଥିଲା, ତାକୁହିଁ ଅଲେଖ ନିର୍ବାଚିତ କଲେ ଏବଂ ଉଠିଯାଇ ସୁଟକେଶରୁ ସେଇଟି ବାହାର କରି କାନ୍ଧରେ ପକାଇଲେ ।

 

ବସ୍ତୁଗୁଡ଼ିକ କାନ୍ଧରେ ପକାଇ ଅଲେଖ ଗାଧୁଆ ଘର ଭିତରକୁ ଯିବାପାଇଁ ସ୍ଲିପର ପିନ୍ଧିଲେ ଏବଂ କିଛି ସମୟ ଭିତରେ ଗାଧୁଆ ଘରେ ପହଞ୍ଚି ବାହାର ଦରଜା ବନ୍ଦ କରିଦେଲେ । ଦରଜା ଉପର ଦେଇ ତା’ପରେ କଳରୁ ପାଣି ଖୋଲାହେବା ଶବ୍ଦ, ବ୍ରଶରେ ଦାନ୍ତ ଘଷା ହେବା ଶବ୍ଦ, ଟବ୍‌ ଉପରେ ଢାଳ ପଡ଼ିବା ଶବ୍ଦ...ଏହିଭଳି ଯାହା ଅନୁମାନ କରାଯାଏ । ସେଭଳି ଶବ୍ଦସବୁ ଗାଧୁଆ ଘରଭିତରୁ ବାହାରକୁ ଶୁଭୁଥାଏ ।

 

ଅଲେଖ ଗାଧୋଇବା କର୍ମ ଏବଂ ପୂଜା ପ୍ରସାଧନାଦି କର୍ମ ସେଇ ବାଥ୍‌ରୁମରେ ସାରି ସ୍ୱଚ୍ଛ ହୋଇ ବାହାରିପଡ଼ିଲେ ଏବଂ ଗାଧୁଆଘରର ତାଲାଟି ଚିପି ଦେଇ ବନ୍ଦ କରିଦେଲେ ।

 

ସକାଳ ଏତେବେଳକୁ ପାକଳ ହୋଇଗଲାଣି । ସମୟ ସାଢ଼େ ସାତଟାରୁ ଅଧିକ । ସୂର୍ଯ୍ୟ ରୀତିମତ ଉଠିଲେଣି । ଛାତ ଉପରୁ ସହରର ଅଧିକ ଅଂଶ ଦେଖାଯାଉଛି । ତଳେ ଗୃହସ୍ୱାମୀଙ୍କର ପିଲାମାନେ ଆଉ ବିଶେଷ ଗଣ୍ଡଗୋଳ କରିବା ଶୁଭାଯାଉନାହିଁ । ସେମାନଙ୍କ ମଧ୍ୟରୁ ଅନେକ ସ୍କୁଲକୁ ଚାଲିଗଲେଣି । ସକାଳ ସାଢ଼େ ସାତଟାରେ ଜଣେ ଗୃହଶିକ୍ଷକ ମଧ୍ୟ ଆସନ୍ତି ଦୁଇଘଣ୍ଟା ପଢ଼ାଇବା ପାଇଁ । ସେ ଏ ଭିତରେ ଆସି ଯାଇଥିବେ । ଅଲେଖ ଅଧିକ ଫୁର୍ତ୍ତି ଅନୁଭବ କଲେ ଏବଂ ନିଜ ପ୍ରକୋଷ୍ଠଆଡ଼େ ସିଧା ଚାଲିଗଲେ ।

 

ଅଲେଖଙ୍କର ଏକମାତ୍ର ଚୌକିରେ ଜଣେ ବୟସ୍କ ବ୍ୟକ୍ତି ବସିଥିବାର ସେ ଦେଖିଲେ । ବୟସ ଅନ୍ଦାଜ ପଚାଶ ହେବ । ଗୌରବର୍ଣ୍ଣ । ମୁଣ୍ଡଟି ସମ୍ପୂର୍ଣ୍ଣ ଚନ୍ଦାହୋଇ ଚିକ୍‌ ଚିକ୍‌ କରୁଛି । ଧଳା ଅଧା କମିଜ ଏବଂ ଧୋତି ପରିଷ୍କାରଭାବେ ଇସ୍ତ୍ରୀକରା । ହାତରେ ବ୍ୟାଣ୍ଡ ସମେତ ଘଡ଼ିଟି ବୋଧହୁଏ ସୁନା ବା ରୋଲଡ-ଗୋଲଡର । ବାହାରେ ତାଙ୍କର ଯେଉଁ ଅଧା ଯୋତା ହଳକ ରଖାଯାଇଛି ତାହା ଦାମୀ ଏବଂ କଳା ଚିକ୍‌ ଚିକ୍‌ ରଙ୍ଗର । ବିଶେଷ ମୋଟା ସେ ନୁହନ୍ତି । ତେଣୁ ବୟସ ଯୋଗୁଁ ପ୍ରାୟତଃ ଯେଉଁଭଳି ପେଟ ବାହାରେ ତାହା ତାଙ୍କର ନାହିଁ ।

 

ଅଲେଖଙ୍କ ଖଟ ଉପରେ ଜଣେ ଭଦ୍ରମହିଳା ବସିଛନ୍ତି । ବୟସ ବୋଧହୁଏ ପଚିଶ ଭିତରେ ହେବ । ସେ ମହାଶୟା କିନ୍ତୁ ପିନ୍ଧିଥିବା ସାମାନ୍ୟ ଉଚ୍ଚା ହିଲର କଳା ଚପଲଟି ଗୋଡ଼ରେ ରଖିବାକୁ ଭୁଲି ଯାଇଛନ୍ତି । ସେ ମହାଶୟା ମଧ୍ୟ ଧଳା ଶାଢ଼ି ଏବଂ ବ୍ଲାଉଜ୍‌ ପିନ୍ଧିଛନ୍ତି । ଧଳା ଶାଢ଼ିର ସରୁ ଧଡ଼ି ଏବଂ ବ୍ଲାଉଜ୍‍ଟି ଛୋଟ, ଯାହାର ପ୍ରଚଳିତ ନାମ ହାଇ ବ୍ଲାଉଜ୍‍ । ସୁଦୃଶ୍ୟା । ସକାଳୁ ପ୍ରକୃତିରେ ସମସ୍ତ ପରିପ୍ରକାଶ ଭଳି ଉଭୟ ଆଗନ୍ତୁକ ବଗିଚାର ଫୁଲ ସଦୃଶ ସ୍ୱଚ୍ଛ ଦେଖାଯାଉଛନ୍ତି-

 

ଅଲେଖ ଓଦା ତଉଲିଆଟି ଛାତ ଉପରେ ଟଣା ହୋଇଥିବା ତାରରେ ଝୁଲାଇ ଦେଇ ଘର ଭିତରେ ପ୍ରବେଶ କଲେ । ଆଶ୍ଚର୍ଯ୍ୟର କଥା ଏହି ଯେ ଅଲେଖ ଘରର ଦଖଲକାର ହେଲେ ମଧ୍ୟ ଏ ଉଭୟଙ୍କ ମଧ୍ୟରୁ କେହି ତାଙ୍କ ଉଦ୍ଦେଶ୍ୟରେ ଠିଆ ହେଲେ ନାହିଁ–ହୁଏତ ଉଭୟେ କେହି ତାଙ୍କୁ ଚିହ୍ନିପାରିଲେ ନାହିଁ । ଅଲେଖ ଘର ଭିତରକୁ ପ୍ରବେଶ କରି କ’ଣ କରିବେ ବୁଝିପାରିଲେ ନାହିଁ-। ତାଙ୍କ ପ୍ରକୋଷ୍ଠରେ ରଖା ହୋଇଥିବା ଚୌକି ଏବଂ ଖଟ ଉଭୟ ବର୍ତ୍ତମାନ ଅଧିକୃତ । ତେଣୁ ସେ ହଠାତ୍‌ ଟେବୁଲ ଉପରୁ ପୂର୍ବ ସନ୍ଧ୍ୟାର ଖବରକାଗଜ ଆଣିବା ବାହାନାରେ ଟେବୁଲ ପାଖକୁ ଚାଲିଗଲେ ।

 

ଅଲେଖ ବାଥରୁମରେହିଁ ନିଜର ପ୍ରସାଧନ ଶେଷକରି ଆସନ୍ତି । ତାଙ୍କର ମୁଣ୍ଡ ସେହିହେତୁ କୁଣ୍ଡା ହୋଇଛି । ସେ ସକାଳର ସ୍ନାନ କର୍ମାଦିପରେ ଖୁବ୍‌ ସଦ୍ୟ ଦେଖାଯାଉଛନ୍ତି ।

 

‘ଆପଣ ବୋଧହୁଏ ଅଲେଖବାବୁ ?’ ଆଗନ୍ତୁକ ପ୍ରୌଢ଼ ଭଦ୍ରବ୍ୟକ୍ତି ପ୍ରଶ୍ନକଲେ । ‘ଆଜ୍ଞା ହଁ ।’ ଅଲେଖ ଅତି ସ୍ୱାଭାବିକଭାବେ ଉତ୍ତର ଦେଲେ । ଠିକ୍‍ ଏହି ସମୟରେ ଆଗନ୍ତୁକା ଭଦ୍ରମହିଳା ଉଠି ଠିଆ ହୋଇପଡ଼ିଲେ । ‘ମୁଁ ଦୁଃଖିତ, ଏ ଘରେ ବସିବାପାଇଁ ଯଥେଷ୍ଟ ସ୍ଥାନ ନାହିଁ ।’ ଅଲେଖ ଏତିକି କହିବାର ଠିକ୍‌ ପରେ ପରେ ଆଗନ୍ତୁକ ପ୍ରୌଢ଼ ବ୍ୟକ୍ତି ଯାଇ ଖଟ ଉପରେ ବସିଲେ ଏଂ ଅଲେଖ ଚୌକିରେ ବସି ପଡ଼ନ୍ତେ ଆଗନ୍ତୁକା ଭଦ୍ରମହିଳା ଖଟ ଉପରେ ବସିଲେ ।

 

ମୁଁ ଆପଣଙ୍କ ବାପାଙ୍କର ସହପାଠୀ ଥିଲି । ସେତେବେଳେ ତ ଏତେ ହାଇସ୍କୁଲ ନ ଥିଲା-। ତେଣୁ ମୁଁ ବିଶ୍ୱନାଥପୁର ହାଇସ୍କୁଲରେ ପଢ଼ୁଥିଲି । ତୁମ ବାପା ମାଟ୍ରିକ ପାସ୍‍ କରିସାରି ଗାଆଁ ସ୍କୁଲରେ ଶିକ୍ଷକତା କଲେ । ମୁଁ କିନ୍ତୁ ସେକ୍ରେଟେରୀଏଟରେ ଚାକିରି ପାଇଲି । ବର୍ତ୍ତମାନ ମୁଁ ସେହି ସେକ୍ରେଟେରୀଏଟରେ ଅଛି । ଆଉ ଦୁଇବର୍ଷ ମାତ୍ର ମୋର ଚାକିରି ଅଛି । ମୁଁ ବର୍ତ୍ତମାନ ପୂର୍ତ୍ତବିଭାଗରେ ଡେପୁଟି ସେକ୍ରେଟେରୀ ଅଛି ।

 

ଆଗନ୍ତୁକ ଭଦ୍ରବ୍ୟକ୍ତି ସାମାନ୍ୟ ବିଶ୍ରାମ ନେବାରୁ ଏହି ଅବସରରେ ଅଲେଖ ତାଙ୍କୁ ଉଠି ନମସ୍କାର କଲେ ଏବଂ ଆଗନ୍ତୁକ ଭଦ୍ରବ୍ୟକ୍ତି ପ୍ରତି-ନମସ୍କାର ଜଣାଇବାବେଳେ ‘ବସ ବାବା’ ବୋଲି କହିଲେ ।

 

ଟିକିଏ ଚମକିଲା ଭଳି ଆଗନ୍ତୁକ ଭଦ୍ରବ୍ୟକ୍ତି କହିଲେ, ‘ଏଇଟି ମୋର ବଡ଼ ଝିଅ । ତା’ର ନାଁ ସୁକାନ୍ତି...ସୁକାନ୍ତି ମିଶ୍ର ।’

 

ସୁକାନ୍ତି ଉଠି ସାଙ୍ଗେ ସାଙ୍ଗେ ନମସ୍କାର କଲେ । ଅଲେଖ ତୁରନ୍ତ ପ୍ରତିନମସ୍କାର ଜଣେଇଲେ । ‘‘ମୁଁ ଏଇ ସହରରେ ରହେ । ଶୁଣିଲି ତୁମେ ଇଞ୍ଜିନିୟର ହୋଇ ତିନିବର୍ଷ ହେବ ପାରାମାଉଣ୍ଟ ଷ୍ଟିଲ ୱାର୍କସରେ ମ୍ୟାନେଜର ଅଛ । ଅନେକ ସମୟରେ ଆମ ଡିପାର୍ଟମେଣ୍ଟରେ ମୁଁ ତୁମ କମ୍ପାନୀର ଚିଠିପତ୍ର ଦେଖେ । ଯାହାହେଉ, ପାରାମାଉଣ୍ଟ କମ୍ପାନୀ ଏକ ପ୍ରତିଷ୍ଠିତ କମ୍ପାନୀ ।’’

 

‘‘କିନ୍ତୁ ଗତ ଦୁଇବର୍ଷଧରି ବଜାର ପରିସ୍ଥିତି ଯାହା ଥିଲା, ଏବର୍ଷ ତାହା ନ ଥିଲାଭଳି ଗତ ଛ’ମାସର ବ୍ୟବସାୟରୁ ଜଣାପଡ଼ୁଛି ।’’

 

‘‘ଅବଶ୍ୟ, ଅବଶ୍ୟ ।’’ ଆଗନ୍ତୁକ ଭଦ୍ରବ୍ୟକ୍ତି କହିଲେ । ‘‘କିନ୍ତୁ ଏ ସବୁ କମ୍ପାନୀର ଭବିଷ୍ୟତ ଅଛି । ଏ ବର୍ଷ ସରକାରୀ ବ୍ୟୟସଙ୍କୋଚ ନୀତି ଫଳରେ ବହୁ କମ୍ପାନୀ କମ୍‌ ଲାଭ ପାଇବେ । ତା’ର ଅର୍ଥ ନୁହେଁ ଯେ ଏ ସବୁ କମ୍ପାନୀ ଲାଭଜନକ ନୁହନ୍ତି ।’’

 

ଏଥରକ ଆଗନ୍ତୁକ ଭଦ୍ରବ୍ୟକ୍ତି ଅଲେଖଙ୍କ ବାପାଙ୍କ ସହପାଠୀ ଭଳି ଜଣାନପଡ଼ି ଜଣେ ପ୍ରତିଷ୍ଠିତ ସରକାରୀ କର୍ମଚାରୀଙ୍କଭଳି ଜଣାପଡ଼ୁଥିଲେ । ‘‘କ୍ଷମା କରିବେ, ମୁଁ ଆପଣଙ୍କ ନାମ ଜାଣିବାକୁ ଚାହୁଁଚି ।’’ ଅଲେଖ ଟିକିଏ ଅପ୍ରତିଭ ଭାବ ଦେଖେଇ କହିଲେ ।

 

‘‘ଅବଶ୍ୟ, ଅବଶ୍ୟ ।’’ ଆଗନ୍ତୁକ ଭଦ୍ରବ୍ୟକ୍ତି କହିଲେ ‘‘ମୁଁ ପ୍ରଶାନ୍ତ ମିଶ୍ର...ବିଷଦ୍‌ଭାବେ କହିଲେ ପ୍ରଶାନ୍ତ କୁମାର ମିଶ୍ର ।’’

 

‘‘କାରଣ, ମୁଁ ବାପାଙ୍କୁ ଚିଠି ଲେଖିବି ।’’

 

‘‘ଅବଶ୍ୟ, ଅବଶ୍ୟ ।’’ ବାପାଙ୍କଠାରୁ କ’ଣ ଉତ୍ତର ପାଇଲ ମୋତେ ଜଣାଇବ । ମୁଁ ତ ମୋ ଠିକଣା କହିଲି...

 

‘‘ଆଜ୍ଞା ।’’ ଅଲେଖ କ୍ଷିପ୍ରତାର ସହିତ ଉତ୍ତର ଦେଲେ । ‘‘ମୁଁ ଇତି ମଧ୍ୟରେ ଯାହା ଖବର ରଖିଛି, ବାପା ଆଉ ଶିକ୍ଷକତା କରୁନାହାନ୍ତି । ତୁମେ ଚାକିରି କଲାଦିନୁ ସେ ଇସ୍ତଫା ଦେଇ ଜମିବାଡ଼ି ଖବର ବୁଝାବୁଝି କରୁଛନ୍ତି । ତାଙ୍କର ତ ଆଉ ସନ୍ତାନ ସନ୍ତତି ନାହାନ୍ତି । ବାପା ମା’ ଉଭୟେ ଗାଆଁରେ ପ୍ରାୟ ସବୁବେଳେ ରହୁଛନ୍ତି ।’’

 

‘‘ପ୍ରାୟ ସବୁବେଳେ କାହିଁକି, ସବୁବେଳେ କହିଲେ ବରଂ ଠିକ୍‌ ହେବ । ମୁଁ ଯେବେଠୁଁ ଚାକିରି କଲିଣି, ତାଙ୍କୁ ସହରକୁ ଆଣିବାକୁ ବହୁତଥର ଚେଷ୍ଟା କରିଛି । ସେ କିନ୍ତୁ କୌଣସି ନା କୌଣସି କାରଣ ଦେଖାଇ ଗାଆଁରେ ରହିଯାଆନ୍ତି ।’’ ‘‘ସାଧୁ ସେହିଭଳି ପିଲାଦିନରୁ । ଗାଆଁ ପ୍ରତି ତା’ର ଅତ୍ୟଧିକ ମମତା । ବିଶ୍ୱନାଥପୁରରୁ ତୁମ ଗାଆଁ ହରିହରପୁର ପାଞ୍ଚମାଇଲ ବାଟ । ଆମେ ସେତେବେଳେ ସମସ୍ତେ ହଷ୍ଟେଲରେ ଥାଉ । ଶନିବାର ହେଲାମାତ୍ରେ ସେ ସନ୍ଧ୍ୟା ହୋଇଯାଇଥିଲେ ସୁଦ୍ଧା ଗାଆଁକୁ ବାହାରିବ । ଯାହାହେଉ । ହଁ, ତା’ର ସ୍ୱାସ୍ଥ୍ୟ ଭଲ ରହୁଛି ତ ?’’ ‘‘ପ୍ରାୟ ତାଙ୍କ ଦେହପା’ କେବେ ଖରାପ ହୁଏନାହିଁ । ‘‘ଭଲ, ଭଲ । ସାଧୁ ତ୍ରିପାଠୀ ସ୍କୁଲ ପାଠପଢ଼ାବେଳେ ଭଲ ଖେଳୁଆଡ଼ ଥିଲେ । ଯାହାହେଉ ।’’ ପ୍ରଶାନ୍ତବାବୁ ପ୍ରୀତ ହୋଇ କହିଲେ ।

 

କିଛି ସମୟ ନୀରବତାରେ କଟିଲା । ଅଲେଖ ଏହି ସମୟରେ ଟିକିଏ ଉଠୁଥାନ୍ତି ଏବଂ ଟିକିଏ ବସୁଥାନ୍ତି ।

 

ପ୍ରଶାନ୍ତ ଜାଣିଲାଭଳି କହିଲେ, ‘‘ବ୍ୟସ୍ତ ହେବାର କିଛି ନାହିଁ । ମୁଁ ଜାଣିଛି ଯେ ତୁମେ ଏଠି ଏକା ରହୁଛ । କମ୍ପାନୀରୁ ଜଣେ ପିଅନକୁ ଏଠି ଏଣିକି ମୁକରିର କରାଅ । କେତେବେଳେ କେହି ଭଦ୍ରବ୍ୟକ୍ତି ଆସିଲେ ଚର୍ଚ୍ଚା କରିବାକୁ ଅସୁବିଧା ହେଉଥିବ । ଏ ଘରେ ଆଉ କେତେଖଣ୍ଡ ଚୌକି ମଧ୍ୟ ପକାଅ । ବୁଝିଲ ?’’ ଏଥର ପ୍ରଶାନ୍ତବାବୁ ପାନ ଚୋବାଇ ଚୋବାଇ କହିଲେ, ‘‘ଠିକ୍‌ ତ୍ରିପାଠୀଏ ଯେମିତି, ତାଙ୍କ ପୁଅ ମଧ୍ୟ ସେମିତି । ଅତି ସାଧାସିଧା ଏବଂ ଦୁନିଆର ଅଗ୍ରଗତି ସହିତ ତାଳଦେଇ ଚାଲିବାକୁ ସମ୍ପୂର୍ଣ୍ଣ ନାରାଜ ।’’ ପ୍ରଶାନ୍ତବାବୁ ଏତକ କହି ହସି ଉଠିଲେ ।

 

ଅଲେଖ ଲକ୍ଷ୍ୟକଲେ ଏହି ହସି ଉଠିଲାବେଳେ ଆଗନ୍ତୁକା ସୁକାନ୍ତି ମିଶ୍ର ମଧ୍ୟ ସ୍ମିତ ହସିଲେ । ଏହି ହସିବାଟା ସକାଳର ସେହି ସ୍ୱଚ୍ଛ ପରିବେଶରେ ଅବଶ୍ୟ ସୁନ୍ଦର ଦେଖାଗଲା । ଅଲେଖ କେଉଁଠି ପଢ଼ିଥିବାର ମନେହେଲା, ଯେଉଁମାନଙ୍କର ବାହ୍ୟରୂପ ସୁନ୍ଦର, ତାଙ୍କର ଅନ୍ତଃରୂପ ଅନେକ କ୍ଷେତ୍ରରେ ଈଶ୍ୱର ସୁନ୍ଦର କରି ଗଢ଼ିଥାଆନ୍ତି । ଏହା ସତ୍ୟ...କି ଅସତ୍ୟ ଜାଣିବାର ଉଦ୍ୟମ ଅଲେଖ ମୋଟେ କେବେ କରିନାହାନ୍ତି । ବସ୍ତୁତଃ ଈଶ୍ୱରଙ୍କର କାର୍ଯ୍ୟ କ’ଣ ସେ ବିଷୟରେ ଅନୁସନ୍ଧାନ କରିବା ପାଇଁ ଅଲେଖଙ୍କର ମୂଳରୁ ସ୍ପୃହା ନ ଥିଲା, ତାହା କେତେକାଂଶରେ ପୈତୃକ ପ୍ରବୃତ୍ତି ଯୋଗୁଁ ହୋଇପାରେ ।

 

ସକାଳ ଆସ୍ତେ ଆସ୍ତେ ଆଗକୁ ଚାଲିଛି । ସମୟ ପାଖାପାଖି ନଅଟା । ଏହି ସମୟରେ ଅଲେଖ ଅଫିସ ଯାଆନ୍ତି । କାରଖାନା ସକାଳ ସାଢ଼େ ନଅଟାରେ ଖୋଲେ । ଅଲେଖ ପ୍ରାୟ ପନ୍ଦର ମିନିଟ ଆଗରୁ ଅଫିସରେ ପହଞ୍ଚି ଯାଆନ୍ତି ।

 

‘‘ସୁକାନ୍ତି ଏଇବର୍ଷ ଏମ୍‌.ଏ. ପାସ୍‍ କଲା । ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସେ ପ୍ରଥମା ହୋଇଛି । ଏଇ ମାସେ ହେବ ଫଳାଫଳ ପ୍ରକାଶ ପାଇଛି । ସେ ଏଇ ସହରରେ ଥିବା କଲେଜମାନଙ୍କ ମଧ୍ୟରୁ କୌଣସିଟିରେ ହେଲେ ମୁକରିର ହୋଇଯିବ । ହେଉ, ଆମେ ଆସୁଁ । ତୁମର ମଧ୍ୟ ଅଫିସ ଯିବା ସମୟ ହୋଇଯାଉଥିବ ।’’ ଏକ ନିଃଶ୍ୱାସରେ ଏତକ କହିଦେଇ ପ୍ରଶାନ୍ତବାବୁ ଉଠି ପଡ଼ିଲେ ଏବଂ ତାଙ୍କ ଉଠିବା ସଙ୍ଗେ ସଙ୍ଗେ ପ୍ରଶାନ୍ତ ଏବଂ ପରେ ପରେ ସୁକାନ୍ତି ମଧ୍ୟ ଉଠିପଡ଼ିଲେ ।

 

ପ୍ରଶାନ୍ତବାବୁଙ୍କୁ ସିଡ଼ି ତଳପର୍ଯ୍ୟନ୍ତ ବାଟେଇଦେଇ ଆସିଲେ ଅଲେଖ । ତାଙ୍କର ମନେହେଲା ଯେତେବେଳେ ସେ ପ୍ରଶାନ୍ତବାବୁ ଏବଂ ସୁକାନ୍ତି ଚାଲିଯାଉଥିବା ପଛରୁ ଲକ୍ଷ୍ୟ କରୁଥିଲେ, ସେତେବେଳେ ସୁକାନ୍ତି ଥରେମାତ୍ର ଦୁଇସେକେଣ୍ଡ ପାଇଁ ପଛକୁ ଚାହିଁଥିଲେ ଏବଂ ସେତିକିବେଳେ ଅଲେଖଙ୍କ ଦୃଷ୍ଟି ସହିତ ତାଙ୍କର ମେଳ ହୋଇଯାଇଥିଲା ।

 

ଅଲେଖ ଯେ ଏସବୁ କିଛି ବୁଝିପାରୁନଥିଲେ ତାହା ନୁହେଁ । ସେ ଏକ ନିରଭିମାନୀ ସଂଯତ ବ୍ୟକ୍ତି ଏବଂ ବୟସ ତୁଳନାରେ ତାଙ୍କର ଗାମ୍ଭୀର୍ଯ୍ୟ ଏବଂ ପରିପକ୍ୱତା ଅତିବେଶୀ ବୋଲି ତାଙ୍କର ମୁଷ୍ଟିମେୟ ବନ୍ଧୁ ବହୁ ସମୟରେ ପ୍ରକାଶ କରିଛନ୍ତି, ତାହା ମଧ୍ୟ ସୂଚେଇ ଦିଏ ଯେ ସେ ଆବଶ୍ୟକତାଠାରୁ ଅଧିକ ସଂଯତ ଏବଂ ଗମ୍ଭୀର । ସେ ଯାହାହେଉ ।

 

କିନ୍ତୁ ଏହି ଗାମ୍ଭୀର୍ଯ୍ୟରେ ସୁକାନ୍ତିଙ୍କ ସହିତ ତାଙ୍କର ଚାରିଚକ୍ଷୁ ହେବା ଏକ ଶକ୍ତ ଧକ୍‌କା ଦେଲା । ଏହା ମାତ୍ର ସ୍ୱାଭାବିକ । ଅଲେଖ ନିଜ ମନକୁ ଏହାର କାର୍ଯ୍ୟକରଣ ସବୁ ବୁଝେଇଦେଇ ଝାଡ଼ିଝୁଡ଼ି ହେଲାଭଳି ନିଜକୁ ଥରେ ତିଆରି କରିଦେଲେ ଏବଂ ପରେ ପରେ ପାହାଚର ସିଡ଼ିଗୁଡ଼ିକ ଅତିକ୍ରମ କରିଗଲେ । ନିଜ ପ୍ରକୋଷ୍ଠରେ ପହଞ୍ଚି ଅଲେଖ ଦର୍ପଣରେ ନିଜର ପ୍ରତିବିମ୍ବକୁ ପରୀକ୍ଷା କରିନେଲେ । ସେଭଳି କିଛି ଆସ୍ୱାଭାବିକ ତାଙ୍କୁ ଜଣାପଡ଼ିଲା ନାହିଁ । ପଛେ ପଛେ ଘରକୁ ଟିକିଏ ସଜାଡ଼ି ଦେଇ ଝରକାସବୁ ବନ୍ଦ କରିଦେଲେ । ଏତେବେଳକୁ ଖରା ଟାଣ ହୋଇ ଆସିଲାଣି । ଅଲେଖ ପେଟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କଲେ । ଏହା ଭୋକର ଆକ୍ରମଣ । ଅଲେଖ ଅଫିସରେ ପହଞ୍ଚି ସକାଳର ଜଳଯୋଗ ଅଣେଇ ନିଅନ୍ତି ।

 

ଅଲେଖ ଘଡ଼ି ଦେଖିଲେ । ସମୟ ଏ ଯାଏଁ ଅଫିସ ପାଇଁ ଘର ଛାଡ଼ିବା ସମୟ ଆହୁରି ପନ୍ଦର ମିନିଟ୍‌ ବାକି । ଅଲେଖ ଖଟ ଉପରେ ବସି ଶୀତ ରାତିର ଖବର କାଗଜ ଉପରେ ଆଖି ବୁଲେଇଲେ । ଗତ ରାତିରେ ଖବରକାଗଜ ପ୍ରାୟ ସବୁତକ ସେ ପଢ଼ି ଦେଇଥିବାରୁ ଦୁଇ ତିନି ମିନିଟ୍‌ ପରେ ସେ କାର୍ଯ୍ୟ ମଧ୍ୟ ସରିଲା । ସକାଳର ଖରାରେ ଛାତ ଉପରେ ଠିଆହେଲେ ଭଲ ଲାଗିପାରେ–ଏଥିପାଇଁ ସେ ଘରର ଦରଜା ବନ୍ଦକରି ପଦାରେ ଠିଆ ହେଲେ । ଶୀତ ଦିନ । ଖରା ବେଶ୍‌ ଆରାମଦାୟକଭାବେ ଉଷୁମ । ତଳେ ପିଲାମାନଙ୍କର ଗଣ୍ଡଗୋଳ ଶୁଭୁଛି । ଗୃହସ୍ୱାମୀଣୀଙ୍କ ଉଚ୍ଚସ୍ୱର ମଧ୍ୟ ବେଳେ ବେଳେ ଶୁଭୁଛି । ଛାତଉପରେ ଠିଆ ହୋଇ ଚାହିଁଲେ ସହରର ଏକ ସାନ ରାସ୍ତାର କିୟଦଂଶ ଦେଖାଯାଏ । ସେହି ରାସ୍ତା ଆରମ୍ଭରେ କେତୋଟି ସାନ ଚା’ ଜଳଖିଆ ଦୋକାନ, ତା’ପରେ ଫାଙ୍କା ସ୍ଥାନ ଅଳ୍ପ କିଛି, ତା’ପରେ କୋଠାଘର ସବୁ । ଏହି ଫାଙ୍କା ସ୍ଥାନକୁ ଜଣେ ଶିଳ୍ପୋଦ୍ୟୋଗୀ ଖରିଦ କରି ରଖିଛନ୍ତି, ଘର ତିଆରି କରିବାକୁ ତାଙ୍କ ପାଖରେ ଏପର୍ଯ୍ୟନ୍ତ ସମ୍ବଳ ହୋଇନାହିଁ । ଅଲେଖ ରାସ୍ତାର ସେଇ ଅଂଶକୁ ଚାହିଁ ରହିଲେ । ସେଇ ଅଂଶକୁ ଚାହିଁ ରହିଲେ ରାସ୍ତାରେ ଯାଉଥିବା ରିକ୍‌ସା, ଗାଡ଼ି, ମଟର ବା ପଦଯାତ୍ରୀମାନେ ଦେଖାଯାଉଛନ୍ତି ।

 

ଅଲେଖଙ୍କ ପେଟର ଯନ୍ତ୍ରଣା ପୁଣି ସେ ଜାଣିପାରିଲେ । ଏଥରକ ଆଉ ତିନି ମିନିଟ୍‌ ତାଙ୍କ ହାତରେ ଥିବାରୁ ସେ ଆଉ ଅପେକ୍ଷା ନ କରି ଯିବାପାଇଁ ସିଡ଼ି ତଳକୁ ଆସିଲେ ଏବଂ ସେଠାରେ ରଖାହୋଇଥିବା ସାଇକେଲଟି ବାହାରକରି ସେଇକେଲ ସିଟ୍‌ ତଳେ ଗୁଞ୍ଜା ହୋଇଥିବା ରୁମାଲରେ ସାଇକେଲକୁ ସବୁଦିନଭଳି ସଫାକରି ଦେଲେ । ସବୁଦିନଭଳି ଅଲେଖ ସାଇକେଲରେ ଅଫିସ ଦିଗରେ ମୁହାଁଇଲେ ।

 

ସେ ବର୍ତ୍ତମାନ ଅଫିସ ଯାଉଥିବାରୁ କି କ’ଣ ତାଙ୍କର ପେଟରେ ଯନ୍ତ୍ରଣା ଆଦୌ ଜଣାପଡ଼ୁନଥିଲା ଏବଂ ତାଙ୍କୁ ଖୁବ୍‌ ଫୁର୍ତ୍ତି ଲାଗୁଥିଲା । ଅଫିସରେ ଅଲେଖ ପ୍ରଥମେ ଜଳଯୋଗ ଅଣେଇ ଖାଇଦେଲେ । ତାଙ୍କୁ ଆଜି ଅଧିକ କ୍ଷୁଧା ଜଣାପଡ଼ିଲା । ସାଢ଼େ ନଅଟାବେଳକୁ ଶେଷ ପୁଙ୍ଗା ବାଜିଲା ଏବଂ ପରେ ପରେ କାରଖାନା ଭିତରେ ବିଭିନ୍ନ ଶବ୍ଦ ସୃଷ୍ଟି ହେଲା । ଅଲେଖ ଆଜି କିଭଳି ଏକ ସାମାନ୍ୟ ପରିବର୍ତ୍ତନ ଅନୁଭବ କରୁଥିଲେ । ତାଙ୍କ ମନ ଭିତରେ ଏକ ହାଲୁକା ଅଥଚ ନିଶ୍ଚିତ ପଟ୍ଟଭୂମିରେ ଏକ ନୂତନ ଭାବ ବିରାଜମାନ କରୁଥିଲା ।

 

ସେଦିନ ଡାକରେ ଆସିଥିବା ଚିଠିସବୁ ବିଭିନ୍ନ ବିଭାଗକୁ ପଠେଇ ଦେଇ ସାରିଲାପରେ ଅଲେଖଙ୍କ ହାତରେ କିଛି କାମ ନ ଥିଲା । ସେ ପ୍ରାୟ ଗୋଟାଏବେଳକୁ କାରଖାନା ପରିଦର୍ଶନରେ ଯାଆନ୍ତି । ତିନିଶହରୁ ଊର୍ଦ୍ଧ୍ୱ ଶ୍ରମିକ ଏ କାରଖାନାରେ କାର୍ଯ୍ୟ କରନ୍ତି–ଦୁଇ ସିଫ୍‌ଟରେ । ଏ କାରଖାନା ସହରର ଏକ ପ୍ରତିଷ୍ଠିତ କାରଖାନା । ସାତଜଣ କିରାନୀଙ୍କୁ ନେଇ କାରଖାନାର ଅଫିସ-। ସକାଳୁ ଷ୍ଟାଫ କାର୍‍ ବୁଲିବୁଲି କିରାନୀମାନଙ୍କୁ ଆଣେ । ସେମାନେ ସାଢ଼େ ନ’ଟାରେ ଅଫିସରେ ପହଞ୍ଚନ୍ତି । ଅଲେଖ କିନ୍ତୁ ସାଇକେଲରେ ଅଫିସ ଆସନ୍ତି । ତାଙ୍କର ଏହି ସାଧାସିଧାଭାବ କମ୍ପାନୀର ମାଲିକମାନଙ୍କ ଉପରେ ଭଲ ପ୍ରଭାବ ପକେଇଛି । ସେଥିପାଇଁ ନୁହେଁ, ଯେଉଁଠି ସରଳଭାବେ ଅଳ୍ପ ବ୍ୟୟରେ ଚଳିହେବ ସେଠି ଗୁଡ଼ାଏ ପ୍ରଦର୍ଶନକୁ ଅଲେଖ ସର୍ବଦା ପ୍ରବୃତ୍ତିଗତଭାବେ ବାଧା ଦିଅନ୍ତି ।

 

ଅଲେଖ ବର୍ତ୍ତମାନ କିଛି ସମୟ ପାଇଁ ନିରୋଳା ରହିବେ । ସହକାରୀମାନେ ଏଗାରଟାବେଳକୁ ଚିଠିପତ୍ର ଆଣିବେ । ଏହି ସମୟରେ ଅଲେଖ ବ୍ୟକ୍ତିଗତ ଚିଠିପତ୍ର ହାତରେ ଲେଖନ୍ତି ଏବଂ ଆଗନ୍ତୁକମାନଙ୍କୁ ସାକ୍ଷାତ୍‍ ଦିଅନ୍ତି ।

 

ଏହି ସମୟ ନିରୋଳା ସମୟ ! ଅଲେଖ କିଛି ନୂତନ ନୂତନ ଭାବ ଅନୁଭବ କରୁଥିଲେ-। ଏତେବଡ଼ ସହର । ଅଲେଖଙ୍କର ସ୍ଥିତି ଏ ସହରରେ ଅତିନଗଣ୍ୟ । କିନ୍ତୁ ଆଜି ସକାଳଟାରୁ ଅଲେଖ ଆଲୋଚନାର ବିଷୟବସ୍ତୁ ହୋଇଯାଇଛନ୍ତି । ବିଶେଷତଃ ସୁକାନ୍ତି ମିଶ୍ରେ ତାଙ୍କ ଦେହରେ କେଉଁଠି ଗୋଟାଏ ତା’ର ଝଙ୍କାରିତ କରିଯାଇଛନ୍ତି, ତାହା ଏପର୍ଯ୍ୟନ୍ତ ଝଙ୍କୃତ ହେଉଛି । ଅଲେଖ ନିଜ ଭିତରେ ସେ ଝଙ୍କାର ଅନୁଭବ କରୁଛନ୍ତି ସ୍ପଷ୍ଟ ଭାବରେ । ଅଲେଖଙ୍କ ପାଇଁ ନାରୀ ସେଭଳି ବଡ଼ ସମସ୍ୟା କେବେ ନ ଥିଲେ, ଆଜି ମଧ୍ୟ ନାହାନ୍ତି । କିନ୍ତୁ ସକାଳର ସ୍ୱଚ୍ଛ କଇଁ ଭଳି ଆସି ସୁକାନ୍ତି କେଉଁ ଏକ ତା’ର ସ୍ପର୍ଶ କରିଦେଇ ଯାଇଛନ୍ତି, ତାହା ରିଣି ରିଣି ଝଙ୍କୃତ ହେଉଛି ।

 

ଅଲେଖ ନିଜ କାନ ଦୁଇଟିରେ ଆଙ୍ଗୁଠିଦେଇ ବନ୍ଦ କରି ଦେଖିଲେ ସେ ଝଙ୍କାର ତଥାପି ଶୁଭୁଛି । ଅଲେଖଙ୍କର ସମ୍ମୋହନବିଦ୍ୟା ଉପରେ ବିଶ୍ୱାସ ମୋଟେ ନାହିଁ । କିନ୍ତୁ ସେ ଅନୁଭବ କଲେ ଯେ ସେ ସମ୍ମୋହିତ ହୋଇଯାଇଛନ୍ତି ।

 

କମ୍ପାନୀର ଅଫିସ ଘର ବେଶ୍‌ ସମୃଦ୍ଧିର ସୁଚକ ହୋଇ ସଜା ହୋଇଛି । ତଳେ ଦାମୀ ଗାଲିଚା । ଅଲେଖଙ୍କର ଦାମୀ ଟେବୁଲ ଏବଂ ଚୌକି । ତାଙ୍କ ସାମନାରେ ଆଠଟି ଦାମୀ ଚୌକି ପଡ଼ିଛି । ଆବଶ୍ୟକବେଳେ କମ୍ପାନୀର ଆଠଜଣ ଇଞ୍ଜିନିୟର ଆସି ସମ୍ମିଳନୀରେ ବସନ୍ତି । ପାର୍ଶ୍ୱରେ ଦୁଇ ଦୁଇଟି ଚାରିଟି ଚୌକି, ତାହା ମଧ୍ୟ ଦାମୀ । କାନ୍ଥରେ ପ୍ଲାଷ୍ଟିକ୍‌ ଇମଲଶନ୍‌ ରଙ୍ଗ ଦିଆଯାଇଛି । ଘରଟି ଶୀତତାପ ନିୟନ୍ତ୍ରିତ; କିନ୍ତୁ ଶୀତଦିନ ଆରମ୍ଭ ହେଉଥିବାରୁ ଶୀତତାପ ନିୟନ୍ତ୍ରଣକାରୀ ଯନ୍ତ୍ରକୁ ଆଉ ଚାଳନା କରାଯାଉନାହିଁ ଏବଂ ଝରକାଗୁଡ଼ିକ ଖୋଲି ଦିଆଯାଇଛି । ଝରକାରେ ଝୁଲୁଥିବା ସବୁଜ ପର୍ଦ୍ଦାସବୁ ମଧ୍ୟ ଗୋଟିଏ ପାଖକୁ କରି ଦିଆଯାଇଛି, ଯାହା ଫଳରେ ବାଁ ଏବଂ ଡାହାଣ ପାଖରେ ଅଲେଖ ବହୁଦୂର ପର୍ଯ୍ୟନ୍ତ ଦେଖିପାରୁଛନ୍ତି । ବସ୍ତୁତଃ ଅଲେଖଙ୍କର ଅଫିସ କାରଖାନାର ଦ୍ୱାରରେ । ତାଙ୍କ ପଛରେ କାରଖାନା ୱାର୍କସପ । ବାଁ ପାଖରେ ସୁନ୍ଦର ବଗିଚା । ସବୁଜ ଘାସସବୁ ମେସିନ ସାହାଯ୍ୟରେ ଈଦୃଶ ଆକାରକୁ ଅଣାଯାଇ ଏକ ଗାଲିଚା ସଦୃଶ କରାଯାଇଛି । ମଝିରେ ମଝିରେ ସବୁଜ ଗୋଲାପ ଗଛରେ ଗୋଲାପୀ, ଧଳା ଏବଂ ନାଲି ଗୋଲାପ ସଦ୍ୟ ଟୁଳୁ-ଟୁଳୁ ହେଉଛନ୍ତି । ବାଁ ପାଖରେ ପ୍ରାଚୀର ପର୍ଯ୍ୟନ୍ତ ଏହି ବଗିଚା-ଗୋଲାପ ପରେ ଗେଣ୍ଡୁ ସେହିଭଳି ବିଭିନ୍ନ ରଙ୍ଗର ଏବଂ ପରିଶେଷରେ କାରଖାନାର ସାତଫୁଟ ଉଚ୍ଚ ପାଚେରୀ ଯାହା ସିଧା ଆକାଶରେ ମିଳି ଯାଉଛି । ଧୂଆଁଳିଆ ଆକାଶ । ଦିନ ଦଶଟାର ସୂର୍ଯ୍ୟ ଆକାଶର ସ୍ୱାଭାବିକ ଆକାଶୀ ରଙ୍ଗକୁ ଧୂଆଁଳିଆ କରିଛି । କାଁ ଭାଁ ପାଉଁଶିଆ ବଉଦସବୁ ଧଳା ଦେଖାଯାଉଛନ୍ତି ବିରାଟ ଆକାଶ–ବି...ରା...ଟ... ।

 

ବାଆଁ ପାଖରେ ଥିବା ଝରକାରେ ପର୍ଦ୍ଦା ଟେକି ଦିଆଯାଇଛି । ଏ ପଟେ ମଧ୍ୟ ସେଇ ସବୁଜ ଘାସର ପଡ଼ିଆ । କିନ୍ତୁ ଏପଟେ ଅନ୍ୟଜାତିର ଫୁଲ । ସର୍ବଜୟା ଏବଂ ଜିନିଆ, ଆଉସବୁ ଫୁଲଗଛ ପରେ ମଧ୍ୟ ଏକ ପ୍ରାଚୀର, ସେଇ ସାତଫୁଟ ଉଚ୍ଚ, କିନ୍ତୁ ଏହା ଦିଗ୍‌ବଳୟରେ ମିଶିବା ପୂର୍ବରୁ ପ୍ରାଚୀରର ପଛପଟେଥିବା ଏକ ଆଜବେଷ୍ଟସ୍‌ ଧାଉଡ଼ିଘର ଆକାଶକୁ ଆଢ଼ୁଆଳ କରୁଛି ।

 

ଅଲେଖ ଅନୁଭବ କଲେ ଅଳ୍ପ ଶକ୍ତିସମ୍ପନ୍ନ ବୈଦ୍ୟୁତିକ ସ୍ରୋତ ତାଙ୍କର ମସ୍ତିଷ୍କରୁ ନିର୍ଗତ ହୋଇ ସାରା ଦେହ ସଂକ୍ରମଣ କରି ପୁଣି ସେଇ ମସ୍ତିଷ୍କକୁ ଫେରି ଆସୁଛି । ସେ ମୁହୁର୍ମୁହୁଃ ଡାହାଣ ପାଖ ଆକାଶକୁ ଚାହିଁଲେ । ଆକାଶ ଅତ୍ୟନ୍ତ ଶାନ୍ତିପ୍ରଦ ଜଣାଯାଉଛି ।

 

ଏ ଆକାଶ ପରମାତ୍ମାଙ୍କର ଅଂଶ ବିଶେଷ । ଏହାର ଶବ୍ଦ ତରଙ୍ଗ ଅଛି–ଇଥର୍‍ ତରଙ୍ଗ । ଆଉ ଏକ ପାହାଚ ତଳକୁ ଖସିଲେ ବାୟୁ ପାଖକୁ ମନ ଆସେ–ବାୟୁ ଶବ୍ଦ ଏବଂ ସ୍ପର୍ଶର ସମନ୍ୱୟ । ବାୟୁ ପରେ ଆଲୋକ ଯାହା ଶବ୍ଦ ସ୍ପର୍ଶ ଏବଂ ରୂପର ସମାହାର । ଜଳ ଏହାର ପରବର୍ତ୍ତୀ ବିକାଶ । ଜଳରେ ରସ ଅଛି, ରୂପ, ସ୍ପର୍ଶ ଏବଂ ଶବ୍ଦ ତ ନିଶ୍ଚିତ । ମାଟିଆସେ ଶେଷକୁ ଗନ୍ଧ ,ରସ, ସ୍ପର୍ଶ ଏବଂ ଶବ୍ଦର ପ୍ରତିଶ୍ରୁତି ନେଇ । ଏହାହିଁ ପଞ୍ଚଭୂତ, ଏହାହିଁ ଅଲେଖଙ୍କ ସମେତ ଏ କାରଖାନା ଏ ସହର ଏବଂ ଏ ପୃଥିବୀର ପରିପ୍ରକାଶ...ଅଲେଖ ନିଜକୁ ଏକ ଦାର୍ଶନିକ ଚିନ୍ତାଧାରା ଭିତରେ ହଜାଇ ଦେବାକୁ ଚାହୁଁଥିଲେ ।

 

ମାଟିରୁ ବୃକ୍ଷଲତା, ପ୍ରାଣୀ, ମଣିଷଙ୍କର ସୃଷ୍ଟି । ମଣିଷରୁ ଜ୍ଞାନ, ପ୍ରେମ ଏବଂ ମୋକ୍ଷର ବିକାଶ । ବୃକ୍ଷଲତା, ଜୀବନର ପ୍ରତୀକ । ପ୍ରାଣୀ ଜୀବନ ଏବଂ ଗମନର ପ୍ରତୀକ । ମଣିଷ ଜୀବନ, ଗମନ ଏବଂ ମନନର ପ୍ରତୀକ । ଜ୍ଞାନ ବୋଲି ଯେଉଁ ବିଭବ ଅଲେଖଙ୍କ ମନକୁ ଆସୁଛି ତାହା ଜୀବନ, ଗମନ, ମନନ ଏବଂ ମନ୍ଥନର ସୁରାକ ଦିଏ । ଜ୍ଞାନରୁ ଯେଉଁ ଐଶ୍ୱରିକ ପ୍ରେମ ଜାଗ୍ରତ ହୁଏ (ଅତି ମନନରୁ ହାର୍ଦ୍ଦିକତାଭଳି) ତାହା ଜୀବନ, ଗମନ, ମନନ ଏବଂ ପ୍ରେମର ସମାହାର ।

 

ଏହାର ବିକାଶରେ ମୋକ୍ଷ ହୁଏ । ବୃକ୍ଷଲତାରେ ଯେଉଁ ଅନ୍ନମୟ କୋଷ, ପ୍ରାଣୀରେ ଯେଉଁ ପ୍ରାଣମୟ କୋଷ, ଜ୍ଞାନ ଓ ପ୍ରେମମୟ କୋଷର ବିକାଶ ହୁଏ ତାହା ମୋକ୍ଷରେ ପରିସମାପ୍ତି ଘଟେ ମୋହ କ୍ଷୟରେ । ସେହିଠାରେ ହିଁ ସତ, ଚିତ୍‌, ଆନନ୍ଦଙ୍କ ପ୍ରାପ୍ତି, ପରମାତ୍ମମାରେ ଜୀବାତ୍ମାର ବିଲୟ ।

 

ଅଲେଖ ଏହି ଦର୍ଶନର ଚିନ୍ତନରେ ପୁଲକିତ ହେଉଥିଲେ ଏବଂ ତାଙ୍କ ଦେହ ପ୍ରାଣ ମନରୁ ଜଡ଼ତା ଆସ୍ତେ ଆସ୍ତେ ଦୂରୀଭୁତ ହୋଇଗଲା ଭଳି ସେ ଜାଣିପାରୁଥିଲେ ।

 

ଅଲେଖ କୁଳୀନ ବ୍ରାହ୍ମଣ ପରିବାରରୁ ସମ୍ଭୁତ ହୋଇଥିବାରୁ ଈଶ୍ୱରଦର୍ଶନ ତାଙ୍କର ଅସ୍ଥି ମଜ୍ଜାଗତ ହୋଇଯାଇ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କୁ ରକ୍ଷାକରି ଆସିଛି । ତେଣୁ ଏ କ୍ଷେତ୍ରରେ ତାଙ୍କର ଅସ୍ୱାଭାବିକତାକୁ ଅଲେଖ ହସି ଉଡ଼େଇ ଦେଲେ ।

 

ଦିନ ଠିକ୍‌ ଏଗାରଟା ବାଜିଲାମାତ୍ରେ ଅଲେଖ ଉଠିଲେ । ତାଙ୍କର ସମସ୍ତ ଜୀବନ ଦର୍ଶନରେ ଯେପରି ଏକ ମିନିଟ୍‌ କଣ୍ଟା ପୂର୍ଣ୍ଣଚ୍ଛେଦ ପକେଇଦେଲା । ସେ ପରିଦର୍ଶନରେ ଯିବା କର୍ତ୍ତବ୍ୟଟି ଏଡ଼ିପାରିଲେ ନାହିଁ । ସେ କମ୍ପାନୀର ଦାନା ଖାଉଥିବା ବ୍ୟକ୍ତି । ବହୁ ଶ୍ରମିକଙ୍କ ମୁଣ୍ଡ ଝାଳ ତୁଣ୍ଡରେ ମରୁଛି । ଅଲେଖ ସେଇଥିରୁ ଦରମା ପାଉଛନ୍ତି । ସୁନ୍ଦର ବଗିଚାର ପୃଷ୍ଠଭୂମିରେ ସେ ବସିଛନ୍ତି ଶୀତତାପ ନିୟନ୍ତ୍ରଣର ସୁବିଧାଥିବା ଘରେ । ଦାମୀ ସାଜସଜ୍ଜାରେ ତାଙ୍କ ଦପ୍ତର ଚକ୍‌ମକ୍‌ କରୁଛି । ଏ ସାଜ ଏ ସବୁ ତାଙ୍କର–ସେଇ ତିନିଶହ, ମେହନତୀ ମଣିଷଙ୍କର । ଏ ବିଷୟ ଅଲେଖ ମନେ ଭାବିଥା’ନ୍ତି । ବାହାରକୁ ସେ ପରିଚାଳନାର ବ୍ୟକ୍ତି । କିନ୍ତୁ ଅଲେଖ ତାଙ୍କର ପରିଚାଳନାଗତ କୌଶଳରେ ଏଭଳି ବ୍ୟବସ୍ଥା କରିଥାଆନ୍ତି ଯେକୌଣସି ପୁଣି ସରକାରୀ ବ୍ୟାଙ୍କରେ ସ୍ଥିର ଜମା (ଫକ୍‌ସଡ଼ି ଡିପୋଜିଟ୍‌) ରଖିଲେ ଯାହା ସୁଧ ଆସିବ, ସେଥିର ଶତକଡ଼ା ପଚିଶ ମାତ୍ର ଲାଭ ଦେଖାଯାଏ, ମାଲିକମାନଙ୍କ ଅବଶିଷ୍ଟ ଲାଭାଂଶ ପରୋକ୍ଷଭାବେ ଶ୍ରମିକମାନଙ୍କ ପାଖକୁ ଚାଲିଯାଏ, ବିଭିନ୍ନ ଶ୍ରମମଙ୍ଗଳ କାର୍ଯ୍ୟକ୍ରମ ଜରିଆରେ ଏବଂ ଅନ୍ୟ ବହୁ ଉପାୟରେ ଯାହା ଆଇନସମ୍ମତ ଏବଂ ମାଲିକମାନଙ୍କ ନଜରରେ ପଡ଼ିବା ସମ୍ଭବ ନୁହେଁ ।

ଅଲେଖ ତେଣୁ ଏକ ନୈତିକ ବିଜୟରେ ସବୁବେଳେ ଉତ୍‌ଫୁଲ୍ଲ ଥାଆନ୍ତି । ସେ ନିଜେ ସାଇକେଲରେ ଯିବାଆସିବା କରନ୍ତି । ମ୍ୟାନେଜର ଥାଇ ସୁଦ୍ଧା ହେଡ୍‍ କିରାନୀଙ୍କଠାରୁ ଦେଢ଼ଶହ ଟଙ୍କା ଅଧିକ ଦରମା ପାଆନ୍ତି ଏବଂ କୌଣସି ପିଅନଙ୍କୁ ବ୍ୟକ୍ତିଗତ କାର୍ଯ୍ୟପାଇଁ ଏପର୍ଯ୍ୟନ୍ତ ମୁକରିର କରିନାହାନ୍ତି । ସେଇଥିପାଇଁ ସେ ଶ୍ରମିକ, କର୍ମଚାରୀ ଏବଂ ମାଲିକମାନଙ୍କର ସ୍ନେହଶ୍ରଦ୍ଧା ଯୁଗପତ୍‌ ପାଇବା ପାଇଁ ସମର୍ଥ ହୋଇ ପାରିଛନ୍ତି । ଯାହାହେଉ–

ଅଲେଖ ଏଗାରଟା ବାଜିବାମାତ୍ରେ କାରଖାନା ପରିଦର୍ଶନରେ ବାହାରିଲେ । କାରଖାନା ଭିତରକୁ ଯିବାକୁ ହେଲେ ଆପ୍ରନ୍‌ ଓ ମୁହଁରେ ଏକପ୍ରକାର ମୁଖା ଦେବାକୁ ପଡ଼େ । ସବୁଜ ରଙ୍ଗର ଆପ୍ରନ୍‌ ତାଙ୍କ ପାଇଁ । ତାହାହେଲେ ଜଣାପଡ଼ିବ ମ୍ୟାନେଜର ସାହେବ ଆସୁଛନ୍ତି ।

ଆପ୍ରନ୍‌ ଓ ମୁଖା ଲଗେଇ ଅଲେଖ କାରଖାନା ଭିତରକୁ ପ୍ରବେଶ କଲେ । କାରଖାନାର ବଡ଼ ବଡ଼ ଆଜବେଷ୍ଟସ୍‌ ଘର, ତିନି ଧାଉଡ଼ି । ବିଭିନ୍ନ ପ୍ରକାରର ଯନ୍ତ୍ରପାତି ରଖା ହୋଇଛି । ପ୍ରତି ଯନ୍ତ୍ର ପାଖରେ ଦୁଇ ବା ତିନିଜଣ ଶ୍ରମିକ । ବଡ଼ ବଡ଼ ଲୁହା ଚଦର । କେଉଁଠି କେଉଁ ମେସିନରେ କଟାଯାଉଛି ତ କେଉଁଠି ଝଳାଝଳି ଚାଲିଛି । କେଉଁଠି ଝଳା ହୋଇଥିବା ଆଲ୍‌ମିରାର ଅଂଶବିଶେଷ ବା ପୂରା ଆଲ୍‌ମିରା ସଫା ହେଉଛି ଯନ୍ତ୍ର ସାହାଯ୍ୟରେ । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଷ୍ଟିଲ୍‌ ଆଲ୍‌ମିରା ତିଆରି ଚାଲିଛି । ପ୍ରତି ମେସିନ ପାଖରେ କଳା ସାଲୁବାଲୁ ହୋଇ ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ଅଲେଖଙ୍କୁ ଦେଖିଲାମାତ୍ରେ ଆଟେନସନରେ ଠିଆହୋଇ ନମସ୍କାର କରୁଛନ୍ତି ।

ଅଲେଖ ଏହି ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ମନେ ମନେ ସବୁଦିନେ ନମସ୍କାର କରିଥାଆନ୍ତି । ଏହିମାନଙ୍କ ପରିଶ୍ରମରୁ ସେ ଦରମା ପାଉଛନ୍ତି । ଏହିମାନଙ୍କ ପରିଶ୍ରମରୁ କମ୍ପାନୀର ଲାଭ । ଅଥଚ ଅଲେଖଙ୍କ ପ୍ରତି ଏମାନଙ୍କର କେତେ ସମ୍ମାନ ! ଏହା ଯେ ସମ୍ପୂର୍ଣ୍ଣ ଆନ୍ତରିକ ଏଥିରେ ଅଲେଖଙ୍କର ସନ୍ଦେହ ନ ଥିଲା । ସେ ସବୁଦିନେ ଶ୍ରମିକମାନଙ୍କ ପାଇଁ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଖରେ ଲଢ଼େଇ କରିଆସିଛନ୍ତି । ଶ୍ରମିକମାନଙ୍କଠାରୁ ଅଲଗା ରହିବା ମ୍ୟାନେଜରମାନଙ୍କ ପକ୍ଷେ ଉଚିତ ବୋଲି ସବୁଠାରୁ ଶୁଣି ମଧ୍ୟ ସେ ଶ୍ରମିକମାନଙ୍କ ସାଙ୍ଗରେ ସବୁବେଳେ ଥାଆନ୍ତି । ଏହାର ସୁଫଳ ତାଙ୍କୁ ସବୁବେଳେ ମିଳିଥାଏ । ମାଲିକ ତେଣୁ ତାଙ୍କୁ ଏଣିକି ଆଉ ତାଗିଦ୍‌ କରୁନାହାନ୍ତି । ଅଲେଖ ସତେ ଯେପରି ଶ୍ରମିକମାନଙ୍କର ନେତା ।

ତାଙ୍କ କାରଖାନାରେ ଶ୍ରମିକ ୟୁନିଅନ୍‌ ସଭାରେ ସେ ନିମନ୍ତ୍ରିତ ହୋଇ ଯାଇ ବସନ୍ତି । ପ୍ରଥମେ ପ୍ରଥମେ ସେ ମାଲିକମାନଙ୍କ ପକ୍ଷରେ ହୋଇ ୟୁନିଅନ୍‍କୁ ଏକ ଅପର ସଂସ୍ଥା ବୋଲି ମନେକରୁଥିଲେ । ଅନେକ ଶିଳ୍ପ ସଂସ୍ଥାରେ ତାହାହିଁ ହୋଇଥାଏ । କିନ୍ତୁ ଏହା ଫଳରେ ବିବାଦ ବଢ଼ିବ । ଶ୍ରମିକ ୟୁନିଅନ୍‍ ସହିତ ନିଜେ ସମ୍ପୃକ୍ତ ହେବାର ଉପାୟ ଅଲେଖ ହିଁ ବ୍ୟବହାର କରିଛନ୍ତି । ଛୋଟ ଶିଳ୍ପ ସଂସ୍ଥା । ଏଥିରେ ବଡ଼ ଧରଣର ଅଶାନ୍ତି କାହିଁକି ବା ହେବ ? ବର୍ତ୍ତମାନ ଷ୍ଟିଲ୍‌ ଆଲ୍‌ମିରାର ଚାହିଦା ବଜାରରେ କମିଯାଇଛି । ଶ୍ରମିକମାନଙ୍କ ସହିତ ସାମିଲ ହୋଇ ସହିସବୁ ସମସ୍ୟା ପ୍ରଥମେ ଅଲେଖ ଶ୍ରମିକମାନଙ୍କ ସହିତ ଆଲୋଚନା କରି ନିଅନ୍ତି । ତେଣୁ ପରେ ପରେ ଶ୍ରମିକମାନଙ୍କ ସହିତ ୟୁନିଅନରେ କେବଳ ଚାନ୍ଦା ଆଦାୟ କଥା, କାହା ଦେହ ଅସୁସ୍ଥ ହେଲା ସେହିକଥା ଏବଂ ପ୍ରମୋଶନ, ଛୁଟି ଦରମା ବିଷୟ ପଡ଼ିଥାଏ । ବହୁ ଲୋକଙ୍କ ମଧ୍ୟରେ ଆଲୋଚନା ହୋଇ ଏ ସବୁର ସିଦ୍ଧାନ୍ତ ହୁଏ । ଅଲେଖ ସେଠାରେ ଉପସ୍ଥିତ ରହିବା ଫଳରେ ମାଲିକମାନଙ୍କୁ ସୁହାଇଲାଭଳି ଆଲୋଚନାର ଦିଗକୁ ସାମାନ୍ୟ ବଦଳାଇ ଦିଅନ୍ତି । ତେଣୁ ଅଲେଖ ଶ୍ରମିକମାନଙ୍କ ସର୍ଦ୍ଦାର ହୋଇଯାଆନ୍ତି । ସେ ଯେଉଁ ନାମରେ ନାମିତ ହୁଅନ୍ତୁ, ତାଙ୍କର କାର୍ଯ୍ୟ ସେ କରିଚାଲିଲେ ଗଲା । ସେହି ଦୃଷ୍ଟିରୁ ଅଲେଖ କମ୍ପାନୀର କର୍ତ୍ତୁପକ୍ଷଙ୍କ ଆଖିରେ ଜଣେ ସଫଳ ମ୍ୟାନେଜର ହୋଇପାରିଛନ୍ତି ।

ଅଲେଖ କାରଖାନା ପରିଦର୍ଶନ କଲାବେଳେ ସେଭଳି ଅପ୍ରାକୃତିକ କର୍ମପ୍ରବଣତା ଲକ୍ଷ୍ୟ କରାଯାଏ ନାହିଁ । ଅଲେଖ ସେଭଳି ହଠାତ୍‌ ହାଜଡ଼ ହେବା କେଉଁଠି କେବେ ଦେଖିନାହାନ୍ତି । ତାଙ୍କ ପରୋକ୍ଷରେ ମଧ୍ୟ ତାଙ୍କର ଉପସ୍ଥିତି ସମସ୍ତେ ଅନୁଭବ କରି ଠିକ୍‌ ଠିକ୍‌ କାର୍ଯ୍ୟ କରି ଚାଲିଥାନ୍ତି-। ଏହାହିଁ ଏକ ଆଦର୍ଶ ଶ୍ରମସଂସ୍ଥାର ପରିମାପ ବୋଲି ଅଲେଖ ସବୁବେଳେ ମନେକରନ୍ତି-

ତେଣୁ ତାଙ୍ଗ ପରିଦର୍ଶନ ସମୟରେ ମେସିନଗୁଡ଼ିକ ଠିକ୍‌ ଚାଲୁଛି କି ନାହିଁ କେବଳ ସେତିକି ତାଙ୍କୁ ଦେଖିବାକୁ ପଡ଼େ । ମଣିଷମାନେ ଠିକ୍‌ କାମ ସବୁବେଳେ କରିଥାଆନ୍ତି । ତେଣୁ ତାଙ୍କୁ ତାଗିଦ୍‌ କରିବା କିମ୍ବା ଅଧିକ ତତ୍ପର କରେଇବାର ଆବଶ୍ୟକତା ଅଲେଖ କେବେ ଅନୁଭବ କରିନାହାନ୍ତି । ମେସିନଗୁଡ଼ିକ ବହୁ ସମୟ ଚାଲିଲା ପରେ ବେଳେ ବେଳେ ଅସଜ ହୋଇଯାଆନ୍ତି । ସେଇଠି ସେଗୁଡ଼ିକ ସଜାଡ଼ି ଦେବା ବା ସଜାଡ଼ିବା ପାଇଁ ନିର୍ଦ୍ଦେଶ ଦେବା ସେଗୁଡ଼ିକ ଯୋଗାଇ ଦେଇଥିବା କମ୍ପାନୀମାନଙ୍କୁ ମେସିନର ଦୋଷତ୍ରୁଟି ଜଣାଇବା ପାଇଁ ଟିପିନେବା ବା ମନେରଖିବା ଅଲେଖଙ୍କର ଏକମାତ୍ର କାର୍ଯ୍ୟ ହୋଇଥାଏ ।

ଅଲେଖ ଆଜି କିନ୍ତୁ ଖୁବ୍‌ ଗମ୍ଭୀର ଜଣାପଡ଼ୁଥିଲେ ଏବଂ ମେସିନଗୁଡ଼ିକ ପାଖରେ କ୍ରମାନ୍ୱୟ ଠିଆହୋଇ ତାଙ୍କର ଠିକ୍‌ ଠିକ୍‌ କାର୍ଯ୍ୟକାରିତା ଲକ୍ଷ୍ୟ କଲାବେଳେ ସେ ସବୁଦିନେ ଯେଭଳି କଥାଭାଷା, ହସ ପରିହାସ କରୁଥିଲେ, ତାହା ସେଦିନ କରୁନଥିଲେ । ତାଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ଯେପରି ଚିନ୍ତିତ ଅଛନ୍ତି ।

ଅଲେଖ ନିଜେ ମଧ୍ୟ ସେ କଥା ଜାଣିପାରୁଥିଲେ । ତାଙ୍କ ଦେହରେ ଠିକ୍‌ ପାଞ୍ଚ ମିନିଟ୍‌ ଛାଡ଼ି ଯେଭଳି ମୃଦୁ ମୃଦୁ ବିଦ୍ୟୁତ୍‌ଶକ୍ତି ସଞ୍ଚାରିତ ହେଉଥିଲା । ସେ ନିଜେ ମଧ୍ୟ ଜାଣିପାରୁଥିଲେ ଯେ କାରଖାନାର ସମସ୍ତ ଶ୍ରମିକ ତାଙ୍କର ଏହି ହାବଭାବ ଜାଣିପାରୁଛନ୍ତି ଏବଂ କ୍ରମାନ୍ୱୟରେ ଦୁଃଖିତ ହୋଇପଡ଼ୁଛନ୍ତି । ଶେଷ ମେସିନ ପାଖରେ ପରିଦର୍ଶନ ସମାପନ କରିସାରିଲା ପରେ ସେ ଖୁବ୍‌ ତରତରରେ ନିଜ ପ୍ରକୋଷ୍ଠକୁ ଫେରି ଆସିଲେ । ତାଙ୍କର ମନେହେଲା ରକ୍ତକୁ ଝାଳ କରି ତାଙ୍କର ଯେଉଁ ପ୍ରିୟ ଶ୍ରମିକମାନେ ଲୁହା ଚଦରରୁ ଦରକାରୀ ଆଲ୍‍ମିରା ତିଆରି କରୁଛନ୍ତି, ତାଙ୍କ ମେଳରେ ପ୍ରତି ମେସିନ ପାଖରେ ସେ ଯେଭଳି ନିଜର ଗୋଟିଏ ଗୋଟିଏ ପ୍ରତିମୂର୍ତ୍ତି ଛାଡ଼ିଦେଇ ଆସିଲେ, ଯେ ତାଙ୍କର ଅନ୍ତରର ଲୁକ୍‌କାୟିତ ଦୁଃଖକୁ ପ୍ରକାଶ କରିଦେଉଛି ଏବଂ ତାଙ୍କ ପ୍ରିୟ ଶ୍ରମିକମାନଙ୍କୁ ସମଦୁଃଖୀ ହେବାକୁ ବାଧ୍ୟ କରୁଛି ।

ଏ ବ୍ୟାପାରରେ ଅଲେଖ ଅଶ୍ୱସ୍ତି ଅନୁଭବ କଲେ । ତାଙ୍କର ପରିଦର୍ଶନରେ କମ୍ପାନୀର କାଳେ କ୍ଷତି ହୋଇଗଲା ଏହି ଦୋଷୀ ମନୋଭାବ ତାଙ୍କୁ ଆହୁରି ଦୁର୍ବଳ କରିଦେଲା । ଅଲେଖ କମ୍ପାନୀର ଜଣେ ବିଶ୍ୱସ୍ତ ମ୍ୟାନେଜର, ସେ ମଧ୍ୟ ଶ୍ରମିକମାନଙ୍କର ଉତ୍ସାହର ଉତ୍ସ । ଏହି ଦୁଇପଟର ଟାଣ ଭିତରେ ସେ ନିଜର ଚମତ୍କାର ନମନୀୟତା ଫଳରେ ଭାରସାମ୍ୟ ରକ୍ଷା କରିଆସିଛନ୍ତି । ଆଜିର ଏହି ଭାବ ତାଙ୍କୁ ସବୁ ଦିଗରୁ ଅଡ଼ୁଆରେ ପକେଇଲା । ସେ ତେଣୁ ତାଙ୍କର ପରିଦର୍ଶନ ସାରିବା ପରେ ମଧ୍ୟ ପୁଣିଥରେ ଦୋହରା ପରିଦର୍ଶନରେ ଯିବେ ବୋଲି ସିଦ୍ଧାନ୍ତ କଲେ ।

ପ୍ରକୋଷ୍ଠ ଭିତରକୁ ପ୍ରବେଶ କରି ଆପ୍ରନ୍‌ ଖୋଲିବା ପୂର୍ବରୁ ସେ ସିଦ୍ଧାନ୍ତ ବଦଳାଇଲେ । ସାଢ଼େ ବାରଟାବେଳକୁ ସେ ପୁଣି କାରଖାନା ଭିତରେ ପ୍ରବେଶ କରି ପ୍ରତି ମେସିନ ପାଖରେ ହାଲୁକା ହାଲୁକା କଥା କହି ଶ୍ରମିକମାନଙ୍କୁ ହସେଇବାର ଦେଖାଗଲେ, ସେ ଏଥର ତାଙ୍କର ପିନ୍ଧିଥିବା ସବୁଜ ଆପ୍ରନ୍‌ଟି ପରିଷ୍କାର ସବୁଜ । ମ୍ୟାନେଜର ହିସାବରେ କେବେ କୌଣସି ମେସିନ ପାଖରେ ନିଜେ ଯନ୍ତ୍ରପାତି ଧରି କାର୍ଯ୍ୟ କରିବା ଅନ୍ତତଃ ନିକଟ ଅତୀତରେ ଆବଶ୍ୟକ ପଡ଼ିନାହିଁ । ତେଣୁ ଆପ୍ରନ୍‌ ଖୁବ୍‌ ପରିଷ୍କାର ଅଛି । ସେହି ସବୁଜ ଆପ୍ରନ୍‌କୁ ତେଣୁ ପିନ୍ଧିବାରେ ଅଲେଖଙ୍କୁ କିଭଳି ଫୁର୍ତ୍ତି ଲାଗୁଥିଲା ।

ଦ୍ୱିତୀୟରେ ପରିଦର୍ଶନରେ ଆସିବା ଅଲେଖଙ୍କ କାର୍ଯ୍ୟକାଳ ଭିତରେ ଏହା ପ୍ରଥମ । ତେଣୁ ଶ୍ରମିକମାନେ ଏଥର ଖୁସି ହେଲେ । ଅଲେଖଙ୍କୁ ଦେଖିଲେ ସେମାନେ ଖୁସି ହୁଅନ୍ତି । ଏହାହିଁ ମ୍ୟାନେଜର ହିସାବରେ ତାଙ୍କର ସଫଳତା । ଆଜି ସେମାନେ ଅଲେଖଙ୍କୁ ଦୁଇଥର ଦେଖିଲେ । ତେଣୁ ଦ୍ୱିଗୁଣ ଉତ୍ସାହରେ ସେମାନେ କାର୍ଯ୍ୟରେ ମାତିଗଲାଭଳି ଜଣାପଡ଼ୁଥିଲେ । ଅଲେଖ ମଧ୍ୟ ପରବର୍ତ୍ତୀ ଥର ଯେଉଁ ହାଲୁକାଭାବ ନେଇ ଆସିଲେ ତାହା ସେମାନଙ୍କ ମନରେ ଥିବା ପ୍ରଥମ ଥରର ଦୁଃଖକୁ ସମ୍ପୂର୍ଣ୍ଣ ଦୂର କରିଦେଇଥିଲା । ସେ ଦୁଃଖର କାରଣ ଖୋଜି ବାହାର କଲା ପୂର୍ବରୁ ଅଲେଖ ନିଜର ହାଲୁକା ଭାବରେ ତାକୁ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ପ୍ରତିପାଦିତ କରିଦେଇଥିଲେ ।

କାରଖାନା ପରିଦର୍ଶନ ସାରି ଅଲେଖ ନିଜ ଅଫିସକୁ ଫେରିଲାବେଳକୁ ଦିନ ସାଢ଼େ ଗୋଟାଏ । ଏତିକିବେଳେ କାରଖାନାର ଖାଇବା ଛୁଟି ହୁଏ, ଘଣ୍ଟାକ ପାଇଁ । ଏଇ ସମୟରେ ଅଲେକଙ୍କ ପାଇଁ ଖାଇବା ଅଣାଯାଏ ।

ଆଜି ଚପରାସିକୁ ଡାକି ଖୁବ୍‌ ଭଲ ଖାଇବା ବରାଦ ଦେଲେ ଅଲେଖ । କ’ଣ ଗୋଟାଏ ଘଟିଛି, ଏ କଥା କେହି ଅନୁମାନ କରିବା ପୂର୍ବରୁ ଅଲେଖ ସବୁ ବାଏଁ ବାଏଁ ଉଡ଼େଇ ଦେଲେ । ତାଙ୍କର ଶିକ୍ଷା ଓ ବୟସ ଏହି ମନସ୍ତାତ୍ତ୍ୱିକ ପରିବର୍ତ୍ତନକୁ ଲୁଚାଇ ଦେବାରେ ଅନ୍ତତଃ ଆଜିକ ପାଇଁ ସମ୍ପୂର୍ଣ୍ଣ ସମର୍ଥ ହେଲା ବୋଲି ଅଲେଖ ଜାଣିପାରିଲେ ।

ଖାଇବା ପରେ ଅଧଘଣ୍ଟାଏ ବିଶ୍ରାମ । ଅଫିସ ସାଙ୍ଗକୁ ଲାଗି ବିଶ୍ରାମ ନେବାପାଇଁ ଏକ ପ୍ରକୋଷ୍ଠ ତିଆରି ହୋଇଛି । ସେଇଠି ନିଜ ଶରୀରକୁ ଅଧ ଘଣ୍ଟାକ ପାଇଁ ପ୍ରସାରିତ କରିଦେଇ ଅଲେଖ ନିଦେଇ ଯିବାପାଇଁ ଚେଷ୍ଟା କଲେ । ଏତିକିବେଳେ ନିଦ ମଧ୍ୟ କାହୁଁ ମାଡ଼ି ଆସିଲା ଭଳି ଜଣାଗଲା ଏବଂ ଅଲେଖଙ୍କର ଆଶଙ୍କା ହେଲା ସେ ଠିକ୍‌ ସମୟରେ ଉଠିପାରିବେ କି ନା । ଶୋଇବା ପୂର୍ବରୁ ଦୃଢ଼ ମନୋଭାବ ପୋଷଣ କରିଥିବାରୁ ଠିକ୍‌ ଦୁଇଟାବେଳକୁ ତାଙ୍କର ନିଦ ଭାଙ୍ଗି ଯାଇଥିଲା ।

ସକାଳ ଅଫିସ କାର୍ଯ୍ୟ ପରେ ପୁଣି ଦୁଇଟାବେଳେ ଘଣ୍ଟାକଲାଗି ଅଫିସ କାର୍ଯ୍ୟର କାର୍ଯ୍ୟକ୍ରମ ଥାଏ । ତେଣୁ କିରାନୀମାନେ ଚିଠିପତ୍ର ଦସ୍ତଖତ୍‌ କରାଇବାକୁ ଆଣିଲେ ପରେ ପରେ ଦଶ ପନ୍ଦରଟି ଚିଠି ଲେଖିବାପାଇଁ ଷ୍ଟେନୋଙ୍କୁ ଡାକିବାକୁ ପଡ଼ିଲା । ସମୟ ଏହିଭଳି କଟି ଯାଇ ଦିନ ଚାରିଟାରେ ପହଞ୍ଚିଲା ଏବଂ ଇତି ମଧ୍ୟରେ ସନ୍ଧ୍ୟା ପୂର୍ବର କାର୍ଯ୍ୟ ଅଲେଖଙ୍କର ସରି ଆସିଲା । ପାଞ୍ଚଟାବେଳେ ଅଫିସର କିରାନୀମାନେ ଛୁଟି ହୋଇ ଚାଲିଯିବେ । ସାଢ଼େ ଛଅଟାରେ ଦ୍ୱିତୀୟ ସିଫିଟ୍‌ ଆରମ୍ଭ ହେବ । ଅଲେଖ ସନ୍ଧ୍ୟା ସାଢ଼େସାତଟାରେ ପୁଣିଥରେ କାରଖାନା ପରିଦର୍ଶନ କରି ରାତି ସାଢ଼େ ଆଠଟାରେ ଅଫିସ ବନ୍ଦ କରିବେ ।

ଅଲେଖ ଝରକା ଦେଇ ବାହାରକୁ ଚାହିଁଲେ । ଷ୍ଟେନୋ ଚିଠିଗୁଡ଼ିକ ଟାଇପ୍‌ କରି ଆଣିବା ପର୍ଯ୍ୟନ୍ତ ସେ ମୁକ୍ତ ଅଛନ୍ତି । ଏହା ଅନ୍ତତଃ ଘଣ୍ଟାଏ ସମୟ । ସେତେବେଳକୁ ମଧ୍ୟାହ୍ନ ଯାଇ ଯାଇନାହିଁ ଏବଂ ଅପରାହ୍ନ ଆସି ଆସିନାହିଁ । ଶୀତଦିନ ତେଣୁ ମଧ୍ୟାହ୍ନ ଓ ଅପରାହ୍ନ ଏକାଠି ଫେଣ୍ଟି ହୋଇଯାଆନ୍ତି । ଏହି ବାତାବରଣ ଭିତରେ ସେ ନିଜେ ବାଆଁ ଓ ଡାହାଣ ପଟର ବଗିଚାଗୁଡ଼ିକୁ ପୁଣିଥରେ ଲକ୍ଷ୍ୟକଲେ । ତାଙ୍କର ଯେତେବେଳେ କାର୍ଯ୍ୟନଥାଏ, ଏହି ବଗିଚାଗୁଡ଼ିକୁ ନଜରରେ ଆଣି ସେ ମନକୁ ଫାଙ୍କା, ଅଳ୍ପ ବିଚଳିତ ବା ଭାରାକ୍ରାନ୍ତ କରିବା ବ୍ୟତୀତ ତାଙ୍କ ପାଇଁ ସେଭଳି କିଛି ସୁବିଧାଜନକ ବିକଳ୍ପ ଉପାୟ ଏଠି ନାହିଁ । କାରଖାନା ଅଫିସରେ ବସି ଖବରକାଗଜ, ବହି ବା ପତ୍ରପତ୍ରିକା ପଢ଼ିବା ସମ୍ଭବ ହୋଇପାରେ; କିନ୍ତୁ ତାଙ୍କର କାର୍ଯ୍ୟ ସହିତ ଏ କ୍ରିୟାସବୁ ଏଭଳି ଅମେଳ ଜଣାପଡ଼ିବ ଯେ ତାହା ବ୍ୟବସାୟ ପକ୍ଷେ କ୍ଷତିକାରକ ହେବା ନିଶ୍ଚିତ ।

ଅଲେଖଙ୍କର ଇଞ୍ଜିନିୟରିଂ ଡିଗ୍ରୀ ସହିତ ଏହା ଭିତରେ ବ୍ୟବସାୟ ପରିଚାଳନା ବୃଦ୍ଧି ବଢ଼ିଛି ଏବଂ ପ୍ରୋକ୍ତ ମତ ତାଙ୍କ ନିଜର । ଏହା ଯେକୌଣସି ବ୍ୟବସାୟ ପରିଚାଳକଙ୍କ ଚିନ୍ତାରେ ନିଶ୍ଚିତ ଠିକ୍‌ ହେବ ବୋଲି ଅଲେଖଙ୍କର ଦୃଢ଼ଧାରଣା ।

ଅଲେଖ ତେଣୁ ବାଁ ଏବଂ ଡାହାଣ ପଟ ଝରକା ସବୁ ଦେଇ ବାହାରକୁ ଚାହିଁଲେ । ଏପଟ ସେପଟ ହୋଇ ବଗିଚାଗୁଡ଼ିକ ସକାଳର ବଗିଚାମାନଙ୍କ ପରି ସ୍ୱଚ୍ଛ ଏବଂ ସଦ୍ୟ ଜଣାପଡ଼ୁଥିଲେ...ବରଂ ଆହୁରି ସ୍ୱଚ୍ଛ, ଆହୁରି ସଦ୍ୟ ଜଣାପଡ଼ିଲେ । ସକାଳରେ ସେମାନେ ଶିଶିରରେ ଭିଜିଥିଲେ । ତେଣୁ ସାମାନ୍ୟ ଅପ୍ରାକୃତିକ ଢଙ୍ଗ ଥିଲା । ଏବେ ଶିଶିର ନାହିଁ । ଗଡ଼ାଣି ସୂର୍ଯ୍ୟଙ୍କର ଲଘୁ ରଶ୍ମିପାତରେ ସେମାନେ ଫୁର୍ତ୍ତି ଫୁର୍ତ୍ତି ଜଣାପଡ଼ୁଥିଲେ ।

ସେମାନଙ୍କର ପ୍ରଧାନ ରଙ୍ଗ ଥିଲା ସବୁଜ ଏବଂ ବିଭିନ୍ନ ପ୍ରକାର ବିଭିନ୍ନ ଫୁଲମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ସବୁଜ ପୃଷ୍ଠଭୂମିରେ ଛିଞ୍ଚା ହୋଇଥିଲା ଯେପରି । ଅଧିକ ଭିତରେ ବଗିଚାର ମାଳୀଟି ଟୁଂ ଟାଂ ହୋଇ କାର୍ଯ୍ୟ କରିବାର ଦେଖାଯାଉଥିଲା ।

ବୁଢ଼ା ମାଳୀଟିଏ । ମୁଣ୍ଡରେ ଶକ୍ତ ପଗଡ଼ି ବାନ୍ଧି ଅଧା କମିଜ ଏବଂ ଖୋସା ହୋଇଥିବା ଧୋତି ପିନ୍ଧି ଏକ ପରିଷ୍କାର ବାଲ୍‌ତିରେ ସେ କ୍ରମାନ୍ୱୟରେ ସବୁ ଫୁଲଗଛମାନଙ୍କରେ ପାଣି ଦେବାରେ ତତ୍ପର ଥିଲା ।

ଅଲେଖ ମଇଳା ପୋଷାକ ଉପରେ ବିରକ୍ତ ହୁଅନ୍ତି । ତେଣୁ ଏହି ଶ୍ରେଣୀର କର୍ମଚାରୀମାନେ ଖୁବ୍‌ ପରିଷ୍କାର ଲୁଗାପଟା ପିନ୍ଧନ୍ତି । କିଛି ସମୟ ପରେ ମାଳୀଟି ପାଣି ଦେଇସାରି ଏକ ସ୍ପେୟାର ସାହାଯ୍ୟରେ ଘାସଗୁଡ଼ିକ ଉପରେ ପାଣି ଛିଞ୍ଚିବ । ଏହା ତା’ର ଶେଷ କାର୍ଯ୍ୟ । ଏ ଏ କାର୍ଯ୍ୟ ସରିଲାବେଳକୁ ପାଞ୍ଚଟା ବାଜି ଯାଇଥିବ ଏବଂ ସେ ଛୁଟି ହୋଇ ଘରକୁ ଫେରିବ ।

ସେ ସକାଳୁ ଆସି ଗଛଗୁଡ଼ିକ ମୂଳରୁ ଅନାବନା ଘାସସବୁ ବାଛି ସାରିଛି–ସେଇଟା ତା’ର ପ୍ରଧାନ କାର୍ଯ୍ୟ । ସୂର୍ଯ୍ୟ ଢଳିଲେ ଗଛମାନଙ୍କରେ ପାଣି ଦିଆଯିବାର କଥା । ଅଲେଖଙ୍କ ପାଇଁ ବଗିଚା ନିରୋଳା ହୋଇଥିଲେ ଭଲ ହୋଇଥାନ୍ତା, କିନ୍ତୁ ଏତିକିବେଳେ ହିଁ ସେହି ମାଳୀର ପାଣି ଦେବା ବେଳ । ଯାହାହେଉ, ପାଞ୍ଚଟା ପରେ ଆଉ ଏକ ସିଫ୍‍ଟ । ତେଣୁ ପାଞ୍ଚଟା ବାଜିବାକୁ ପନ୍ଦର ମିନିଟରେ ପୁଙ୍ଗା ବାଜିଲା । ପୁଙ୍ଗା ବାଜିଲା ପରବର୍ତ୍ତୀ ସିଫ୍‌ଟ ପାଇଁ କର୍ମର ଆହ୍ୱାନ ପାଇଁ । ମହା ଫୁର୍ତ୍ତିରେ ପୁଙ୍ଗା ବାଜୁଛି । ଅଲେଖ ଅନୁଭବ କଲେ ଗତ ସିଫ୍‍ଟର ସମସ୍ତ ଭାବ ତାଙ୍କ ଦେହରୁ ଓହ୍ଲାଇ ଯାଉଛି, ଯେମିତି ଗତ ସିଫ୍‍ଟର ଦେଢ଼ଶହ ସରିକି ଲୋକେ ବାହାରି ଯାଉଛନ୍ତି ପରିଶ୍ରମ ବାହାରକୁ ।

 

ଅଲେଖ ଏକ ହାଲୁକା ଭାବ ଭିତରେ ଉବୁଟୁବୁ ହେଲାଭଳି ଅନୁଭବ କଲେ । ଏତେବେଳେ ଖାକି ପୋଷାକ ପିନ୍ଧା ଦିନର ଚପରାସିଟି ସଲାମ ଜଣାଇ ବିଦାୟ ନେବ ଏବଂ ରାତିର ଚପରାସିଟି ସଲାମ ଜଣାଇ ରହିବ । ସେଇ ରାତିର ଚପରାସି କପେ କଫି ଆଣିଦେବ ।

 

ଅଲେଖ କ୍ଳାନ୍ତି ମଧ୍ୟ ଅନୁଭବ କଲେ । ଦିନର ଚପରାସି ଗଲା, ରାତିର ଚପରାସି ଆସିଲା । କିଛି ସମୟରେ କଫି ଆସିଲା ।

 

ଅଲେଖ କଫି ପିଇଲାବେଳେ ଉଭୟ ପାଖ ଝରକା ଦେଇ ପୁଣି ବଗିଚାମାନଙ୍କ ଭିତରକୁ ଚାହିଁଲେ । ଏହି ବଗିଚାମାନଙ୍କୁ ତାଙ୍କୁ ଚାହିଁବାକୁ ପଡ଼େ–ଦିନ ଭିତରେ ଅନେକଥର । ଏହାହିଁ ତାଙ୍କର ନିଷ୍କୃତି । ତାଙ୍କର ଅଫିସ ଘରର ସ୍ଥିତି ତାଙ୍କ ପାଇଁ ଏତିକିମାତ୍ର ନିଷ୍କୃତି ଦେଇଛି । ଚାରିବର୍ଷ ଏଇଥିରେ ସେ ଚଳି ଆସିଲେଣି । ବର୍ତ୍ତମାନ କିଛି ସେଭଳି ପରିସ୍ଥିତି ନାହିଁ । ସେ ତେଣୁ ନିରାଶ ବା ବିରକ୍ତ ନୁହନ୍ତି । କଫି ସେ ପିଉଛନ୍ତି ଏବଂ ସେ ଶୀତ ଦିନରେ ବଗିଚାମାନଙ୍କୁ ଚାହିଁ ଦେଖୁଛନ୍ତି ଯେ କାଦୁଅ ମେଞ୍ଚାପରି ପୁଳା ପୁଳା ଅନ୍ଧାର ଆସି ଗୋଲାପ ଗଛମୂଳେ ବା ସର୍ବଜୟା ଗଛମୂଳେ ଆଶ୍ରାକରି ରହିଯାଉଛନ୍ତି । ପରେ ପରେ ସେଇ ଅନ୍ଧାର ସବୁ ଖୁନ୍ଦିଖାନ୍ଦି ହେଲେ ଏବଂ କିଛି ସମୟ ପରେ ଅନ୍ଧାର ସବୁ ବଗିଚାର ଘାସ ପଡ଼ିଆ ଉପରେ ଜମିଲେ ଏବଂ ପୁରୁଷେ ଦି ପୁରୁଷ ଉଚ୍ଚର ନିରୋଳା ଅନ୍ଧାର ଯେତେବେଳେ ଡାହାଣ ଓ ବାଁ’ ପଟର ଝରକା ବାହାରେ ଜମା ହୋଇଗଲେ ସେତେବେଳେ ଛଅଟା, କିନ୍ତୁ ଶୀତଦିନ ହିସାବରେ ବିଶୁଦ୍ଧ ରାତି ।

 

ଇତ୍ୟବସରରେ କଫି ଅଲେଖଙ୍କୁ ଚାଙ୍ଗା କରିଛି । ଅଲେଖ ଭାବିଲେ ସକାଳର ଘଟଣାଟା ବୋଧହୁଏ ତାଙ୍କୁ ବେଖାପ କରିଦେଇଛି । ସକାଳର ଘଟଣାର ପରବର୍ତ୍ତୀ ଦାୟିତ୍ୱସ୍ୱରୂପ ସେ ବାପାଙ୍କ ପାଖକୁ ଚିଠି ଦେବାକଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।

 

ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଲେଖ ନିଜର ଏକାନ୍ତ ବ୍ୟକ୍ତିଗତ କାର୍ଯ୍ୟ କରନ୍ତି । ସେହି ନିୟମକୁ ଚିଠି ଲେଖା ସକାଳୁ ସ୍ଥଗିତ ରହିଛି । ଆଜି ସକାଳଟାରୁହିଁ ଅନିଷ୍ଟ ଦର୍ଶନ ଜାତ ହୋଇଛି ।

 

ଅନିଷ୍ଟ ନୁହେଁ ତ ଆଉ କ’ଣ ? ଅଲେଖ ଅନୁଭବ କଲେ, ତାଙ୍କର ସାରାଦିନଟା ହୁଏତ ଏହି ସକାଳଟା ଖାପଛଡ଼ା କରିଦେଲା ।

 

ଅଲେଖଙ୍କର ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ଫଳରେ ତାଙ୍କର ଏ ସହରରେ ବନ୍ଧୁ ନ ଥିଲେ । ସେଭଳି କେହି ଆଗନ୍ତୁକ ମଧ୍ୟ ଆସୁନଥିଲେ । ଆଜି ତାହାର ବ୍ୟତିକ୍ରମ ହୋଇଛି । ଅଲେଖ ସେଇ ଘଟଣା ପରେ ସାମାନ୍ୟ ଦୋହଲିବା ଆରମ୍ଭ କରିଛନ୍ତି । ଏହା ନିତାନ୍ତ ଜୈବିକ ନୁହେଁ, ନିତାନ୍ତ ହାର୍ଦ୍ଦିକ ମଧ୍ୟ ନୁହେଁ କେତେକ ପରିମାଣରେ ମାନସିକ ହୋଇପାରେ । ଯେକୌଣସି ମାନସିକ ବୃତ୍ତିକୁ ଏକ ଦୃଢ଼ ପ୍ରତିକାରଦ୍ୱାରା ବିତାଡ଼ିତ କରିହେବ, ସେହି ମାନସିକ ପ୍ରତିକ୍ରିୟା ଜରିଆରେ । ଅଲେଖ ତାହା ଅନେକଥର କରିଛନ୍ତି, ଏଥର କରିଦେବା ସେଭଳି ବିଚିତ୍ର ନୁହେଁ ।

 

ଅଲେଖ ଏହି ପ୍ରକ୍ରିୟା ଆରମ୍ଭ କରିବେ ବାପାଙ୍କ ପାଖକୁ ଚିଠି ଲେଖି । ମାତ୍ର ଗତକାଲି ସେ ଚିଠି ଲେଖିଛନ୍ତି । ଆଜି ପୁଣି ଏକ ଚିଠି ଦେବା ଅସ୍ୱାଭାବିକ ହୋଇପାରେ । କିନ୍ତୁ ସେ ଲେଖିବେ, କାରଣ, ତାହାହିଁ ଏକ ମାନସିକ ପ୍ରତିକାରର ଶୁଭାରମ୍ଭ ହେବ । ଆରମ୍ଭ ହୋଇପାରେ, ଆରମ୍ଭରୁ ଶେଷ ମଧ୍ୟ ହୋଇପାରେ ।

 

ଅଲେଖ ଝରକାଗୁଡ଼ିକ ଦେଇ ବଗିଚାକୁ ଚାହିଁଲେ । ଇତ୍ୟବସରରେ ଖୁନ୍ଦି ହୋଇ ରହିଥିବ ଏବଂ ପୁରୁଷ ପୁରୁଷ ପ୍ରମାଣେ ଜମି ରହିଥିବା ଅନ୍ଧାରକୁ ବିତାଡ଼ିତ କରାଯାଇପାରିଛି । କାରଖାନାର ସମ୍ମୁଖରେ ଥିବା ବଡ଼ ନିଅନ୍‌ ବତୀ ଆଲୋକିତ କରୁଛି ବଗିଚାମାନଙ୍କୁ । ଏହା କିନ୍ତୁ ଏକ ବିଚିତ୍ର ରଙ୍ଗ ଦେଇଛି ବଗିଚାକୁ । ଏ ରଙ୍ଗରେ ଗୋଲାପମାନଙ୍କର ବର୍ଣ୍ଣ ବିବର୍ଣ୍ଣ ହୋଇଛି । ସ୍ୱାଭାବିକ ରଙ୍ଗ ବିଚିତ୍ର ହୋଇଛି । ଯାହାହେଉ ।

 

ଅଲେଖ କାଗଜ ବାହାର କରି ଚିଠି ଲେଖିବା ଆରମ୍ଭ କଲେ ଏବଂ ସମ୍ପୂର୍ଣ୍ଣ ଅଭିନିବେଶ ସହକାରେ ଏକା ନିଃଶ୍ୱାସରେ ଯେପରି ସକାଳର ସମସ୍ତ ଆବଶ୍ୟକୀୟ ଅଭିଜ୍ଞତା ବର୍ଣ୍ଣନାକରି ବାପାଙ୍କ ପାଖକୁ ଚିଠିଟିଏ ଲେଖିଦେଲେ । ଚିଠି ଲେଖାପରେ ଗମ୍ଭୀର ହୋଇ ସେ ଅନୁଭବ କଲେ, ଏକ ସାମ୍ବାଦିକଙ୍କର ଅସମ୍ପୃକ୍ତ ଭାବ ନେଇ ଯେ ଯାହା ଦେଖିଲେ, ଯାହା ଶୁଣିଲେ ତାହା ବିଶ୍ୱସ୍ତଭାବେ ବାପାଙ୍କୁ ଲେଖି ଜଣାଇ ଦେଇଛନ୍ତି । ଯାହାହେବ ।

 

ଏହି ପ୍ରକ୍ରିୟା ଅଲେଖଙ୍କୁ ନିଶ୍ଚିତ ହାଲୁକା କରିଦେଲା । ଇତି ମଧ୍ୟରେ ଦ୍ୱିତୀୟ ସିଫ୍‍ଟ ପାଇଁ ପରିଦର୍ଶନ କରି ଯିବାର ସମୟ ଆସି ଯାଇଥିଲା । ଚିଠିଟି ଲଫାପାରେ ଭର୍ତ୍ତି କରି ଠିକଣା ଲେଖିସାରିବା ପରେ ଦ୍ୱିତୀୟ ସିଫ୍‍ଟ ପାଇଁ ଅଲେଖ ଆପ୍ରନ୍‌ ପିନ୍ଧିଲେ ଏବଂ କାରଖାନା ଭିତରେ ଜଳୁଥିବା ଉଜ୍ଜ୍ୱଳ ଆଲୋକରେ ତାଙ୍କର ସବୁଜ ଆପ୍ରନ୍‌ ମଧ୍ୟ ସବୁଜ ଦେଖା ଯାଉନଥିଲା–ଏହା ସ୍ୱାଭାବିକ ।

 

ଅଲେଖ ଏ ସିଫ୍‍ଟ ସ୍ୱାଭାବିକଭାବେ ପରିଦର୍ଶନ କଲେ । ପରିଦର୍ଶନ ପରେ ଆପ୍ରନ୍‌ ବାହାର କରି ଯଥା ସ୍ଥାନରେ ରଖିଦେଇ ଅଲେଖ ବାପାଙ୍କ ପାଖକୁ ଲେଖିଥିବା ଚିଠିଟି ହସ୍ତଗତ କଲେ ନିଜେ ଡାକ ବାକ୍‌ସରେ ପକେଇବାକୁ । ଚାରିବର୍ଷ ହେବ କୌଣସି ଚିଠି ସେ ନିଜେ ପକେଇ ନାହାନ୍ତି । କିନ୍ତୁ ଆଜି ରାତି ମେଲ କିମ୍ବା ଆସନ୍ତାକାଲି ସକାଳର ପ୍ରଥମ ମେଲରେ ଏ ଚିଠି ଚାଲିଯିବ ଭାବି ଅଲେଖ ଚିଠିଟି ନିଜେ ପକାଇବା ସ୍ଥିରକଲେ ।

 

ସାଇକେଲରେ ଉଠି ଅଲେଖ ନିଜ ରହିବା ସ୍ଥାନ ଉଦ୍ଦେଶ୍ୟରେ ବାହାରି ପଡ଼ିଲେ ।

 

‘ଆରେ ଆପଣ ଯେ !’ ନୃସିଂହବାବୁ ମାଲ ଗୋଦାମରୁ ଫେରି ଅଲେଖଙ୍କୁ ଆବିଷ୍କାର କଲେ ତାଙ୍କ ବାହାର ଘରେ । ସେତେବେଳକୁ ଅଲେଖ ଘରୁ ଆସିଥିବା ଚା’ ଖାଇସାରି ଟେବୁଲ ଉପରେ କପ୍‌ ପ୍ଲେଟ୍‌ ରଖି ଦେଇଥିଲେ ।

 

‘ଆପଣଙ୍କ ଘରେ ମୁଁ ରହିଛି । ମାସକେ ଥରେ କେବଳ ଘରଭଡ଼ା ପାଇଁ ଆମର ଦେଖା ସାକ୍ଷାତ୍‍ । ପରସ୍ପରର ଭାବ ବିନିମୟ ପାଇଁ କେତେବେଳେ ଦଶ ପନ୍ଦର ମିନିଟ ଆମେ ବସି ନ ଥାଇଁ । ସେଇଥିପାଇଁ ମୁଁ ଅପେକ୍ଷା କରିଛି ।’ ‘ମୁଁ ମଧ୍ୟ ଆପଣଙ୍କୁ ମନେ ମନେ ଖୋଜୁଥିଲି ଆଜି ଖରାବେଳେ । ଆପଣ ବୋଧହୁଏ କାରଖାନାରେ ଖାଇବା ଅଣେଇ ଖାଇ ନିଅନ୍ତି । ତେଣୁ ଖରାବେଳେ ଆପଣ ଆସିପାରନ୍ତି ନାହିଁ ବୋଲି ମୁଁ ପରେ ଜାଣିଲି ।’ ‘ମୋତେ ଆପଣ ଖୋଜୁଥିଲେ-!!’ ଅଲେଖ ଚମକି ପଡ଼ିଲେ । ‘ହଁ’ ଆଜି ଜରୁରୀ ଆବଶ୍ୟକ ପଡ଼ିଲା । ଆପଣ କିନ୍ତୁ ଚମକିଲେଣି-। ମୁଁ ଜାଣେ, ଏମିତି ସୁବିଧାରେ କୌଣସି ଘର କାରଖାନାର ଏତେ ନିକଟରେ ଆପଣ ପାଇବେ ନାହିଁ । କାଳେ ଘର ଛାଡ଼ିବାପାଇଁ ମୁଁ ପ୍ରସ୍ତାବ ଦେବି, ସେଇଥିପାଇଁ ଆପଣ ଆଗରୁ ଆତଙ୍କିତ ହୋଇପଡ଼ିଲେ । କିନ୍ତୁ ସେ ପ୍ରସ୍ତାବ ମୋର ଆଗାମୀ ପାଞ୍ଚବର୍ଷ ପାଇଁ ନାହିଁ । ମୋର ମନେହୁଏ, ମୁଁ ପ୍ରସ୍ତାବ ଦେବା ପୂର୍ବରୁ ଆପଣ କେଉଁଠି ନିଜ ଘର ତିଆରି କରି ଏଇଠୁ ଚାଲି ଯାଇଥିବେ ।’

 

ନୃସିଂହବାବୁ ଚୌକି ପଛ ଉପରକୁ ଆଉଜିପଡ଼ି ଟିକିଏ ବିଶ୍ରାମ ନେଲାଭଳି ବସୁ ବସୁ ଏତକ କହିଲେ ।

 

ଇତ୍ୟବସରରେ ନୃସିଂହବାବୁ ଘରେ ପିଲାମାନେ ଶୋଇଲେଣି । ଚୁଡ଼ି କେତେବେଳେ ରୁଣୁଝୁଣୁ ହେଉଛି ଏବଂ କଂସା ବାସନ ଧୁଆ ଧୋଇ ହେବାର ଶବ୍ଦ ଘର ଭିତରୁ ଶୁଭୁଛି । କେବଳ ନୃସିଂହଙ୍କ ସ୍ତ୍ରୀ ରେଣୁଦେବୀ ଏବଂ ଚାକରବାକରମାନେ ଚେଇଁଛନ୍ତି ।

 

‘ଆପଣଙ୍କର ତ ସିଗ୍ରେଟ ଜଳେଇବାଭଳି ବଦଭ୍ୟାସ ନାହିଁ,’ ଏହାକହି ନୃସିଂହ ଏକ ସିଗ୍ରେଟ ଧରେଇଲେ ଏବଂ କହିଲେ, ‘ସେ ଘରଟି ଠାକୁରଘର ହେବା ଉଦ୍ଦେଶ୍ୟରେ ତିଆରି ହୋଇଥିଲା । ଆପଣ ଜାଣନ୍ତି, ମୁଁ ଜଣେ ଧର୍ମଭୀରୁ ବ୍ୟକ୍ତି । ଠାକୁରଘରେ ମୋର ସକାଳୁ ଦୁଇଘଣ୍ଟା କଟେ । ବାଥ୍‌ରୁମ୍‌ ମଧ୍ୟ ସେହି ଉଦ୍ଦେଶ୍ୟରେ ତିଆରି ହୋଇଥିଲା । ଜଣେ ଯଦି ଦୁଇଘଣ୍ଟା ସେଠି କଟେଇବ, ତା’ର କଦବା କିଭଳି ବାଥ୍‌ରୁମ୍‌ର ଆବଶ୍ୟକତା ପଡ଼ିପାରେ, ସେଥିପାଇଁ ।’ ନୃସିଂହ ସିଗାରେଟ ଦୁଇଥର ଟାଣିଲେ ଏବଂ ପୁଣି କହିଲେ, ‘ମୋ କଥା ଆଗ କହି ଦିଏଁ, ତା’ପରେ କଥାଭାଷା ହେବା ।’

 

ନୃସିଂହ କିଛି ସମୟ ନେଲେ । ରାତି ଏଗାରଟାରୁ ଟପିଗଲାଣି । ନୃସିଂହ ସାମାନ୍ୟ କ୍ଳାନ୍ତ ଦେଖାଯାଉଛନ୍ତି ସତ, କିନ୍ତୁ ଧର୍ମମାର୍ଗରେ ଥିବାରୁ ତାଙ୍କ ଦେହରୁ ଜ୍ୟୋତି ବାହାରୁଛି ଯେପରି-। ‘ଦେଖନ୍ତୁ, ଆପଣ ସେ ଘରେ ପ୍ରଥମେ ରହିଲେ । ତତ୍‌ପୂର୍ବରୁ ଆପଣଙ୍କ ଘର ବିଷୟରେ ମୁଁ ପ୍ରଥମେ ଖବର ଦେଲି । ଆପଣଙ୍କର ବାପା ଧର୍ମପ୍ରାଣ । ଆପଣ ମଧ୍ୟ ବାପାଙ୍କର ଧର୍ମଭାବ ଠିକ୍‌ଭାବେ ରକ୍ଷା କରିପାରିଛନ୍ତି । ତେଣୁ ମୁଁ ଆଗ୍ରହର ସହିତ ଆପଣଙ୍କୁ ରହିବାକୁ ସମ୍ମତ ହୋଇଥିଲି । ଆପଣ ଧର୍ମପ୍ରାଣ ବ୍ୟକ୍ତି । ଠାକୁରଙ୍କ ପାଇଁ ତିଆରି ହୋଇଥିବା ଘରେ ତାଙ୍କର ଜଣେ ବଡ଼ ଭକ୍ତ ରହନ୍ତି । ମୁଁ ବେଶୀକଥା ବୁଝେନାହିଁ । ଆପଣଙ୍କ କାରଖାନାର ୪।୫ ଜଣ ଶ୍ରମିକଙ୍କୁ ପଚାରିନେଲି । ସେମାନେ କହନ୍ତି ଯେ ଆପଣ ସମସ୍ତଙ୍କ ମନକଥା ବୁଝିପାରନ୍ତି । ଯେ ଅନ୍ୟମାନଙ୍କ ମନକଥା ବୁଝିପାରନ୍ତି ସେ ଅନ୍ତର୍ଯ୍ୟାମୀଙ୍କ ନିକଟ ବ୍ୟକ୍ତି ଏହି ହେଲା ଆମ ବ୍ୟବସାୟୀଙ୍କ ହୁଣ୍ଡାବୁଦ୍ଧି-। ଏତକ କହି ନୃସିଂହ ଖୁବ୍‌ ଉଚ୍ଚସ୍ୱରରେ ହସି ଉଠିଲେ । ଏହି ହସ ପରେ ଅଲେଖ ଏବଂ ନୃସିଂହ ବସିଥିବା ବାହାର ଘରର ଭିତରପଟରେ ଚୁଡ଼ି ରୁଣୁଝୁଣୁ ହେବା ଶୁଣାଗଲା । ନିଶ୍ଚିତିଭାବେ ରେଣୁଦେବୀଙ୍କ ଉପସ୍ଥିତି ସେଠାରେ ଅନୁମାନ କରାଯାଇପାରେ । ସେ ଯାହାହେଉ ।

 

ଆଜି ନୃସିଂହ ତାଙ୍କର ସ୍ୱଭାବସୁଲଭ ଗମ୍ଭୀରତା ଦେଖାଉ ନାହାନ୍ତି । ସେ ଖୁବ୍‌ ଖୁସି ଥିବାର ଜଣାପଡ଼ୁଛନ୍ତି । ଏହା ରେଣୁଦେବୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର । ତେଣୁ ସେ ଘଟଣା କ’ଣ ଶୁଣିବା ପାଇଁ ଆଗ୍ରହାନ୍ୱିତା ହେବା ସ୍ୱାଭାବିକ ।

 

‘‘ଆଜି ପ୍ରାୟ ଚାରିଟାବେଳେ ଯୋଗାଣ ବିଭାଗର ଡେପୁଟି ସେକ୍ରେଟେରୀ ଅଚାନକ ମୋ ଘରେ ଆସି ପହଞ୍ଚିଲେ । ମୁଁ ତ ପ୍ରାୟ ଚମକି ପଡ଼ିଲି । କାରଣ ହୁଏତ ଯୋଗାଣ ବିଭାଗର କୌଣସି ନିୟମ ମୁଁ ବ୍ୟତିକ୍ରମ କରିଥିବି, ଏହି ଭୟ ମୋର ରହିବା ସାଧାରଣ ଘଟଣା ।’’ ନୃସିଂହ ଏତକ କହିଦେଇ ସିଗାରେଟ ଟାଣିଲେ ।

 

ଅଲେଖ ପକ୍ଷେ ଚୁପ୍‌ ହୋଇ ବସି ଶୁଣିବା ଅଧିକ ବିଜ୍ଞତାର କାର୍ଯ୍ୟ ବୋଲି ସେ ଚୁପ୍‍ ହୋଇ ବସି ଶୁଣୁଥିଲେ ।

 

ଚା’ ଜଳଖିଆ ଖାଇଲାପରେ ସେ ଆପଣଙ୍କ କଥାହିଁ ଆରମ୍ଭ କଲେ । ଆଶ୍ଚର୍ଯ୍ୟ କଥା !’’

 

ଅଲେଖ ସାମାନ୍ୟ ବିଚଳିତ ହୋଇପଡ଼ିଲେ । ଯୋଗାଣ ବିଭାଗର ଡେପୁଟି ସେକ୍ରେଟେରୀ କିଏ ସେ ଚିହ୍ନି ନାହାନ୍ତି । ଅଲେଖ ନିଜେ ଜଣେ ଏଭଳି ଅଜଣା ଅଶୁଣା ବ୍ୟକ୍ତି ଯେ ତାଙ୍କ ସମ୍ପର୍କରେ କେହି ଆସି ପଚାରିବ, ଏକଥା ନିଶ୍ଚିତ ଆଶ୍ଚର୍ଯ୍ୟଜନକ, ‘‘ସେ ଆସି କହିଲେ ଯେ ଆଜି ତାଙ୍କର ଜିଲାପାଳଙ୍କ ସହିତ କ’ଣ ଆଲୋଚନା ଥିଲା ଏବଂ ସେ ଆସୁଥିଲେ । ଆସିଲାବେଳକୁ ତାଙ୍କର ଜଣେ ବନ୍ଧୁ ଡେପୁଟି ସେକ୍ରେଟୋରୀ ମିଶ୍ର ତାଙ୍କୁ କହିଲେ କି ମୋତେ ଏଇଠି ଭେଟିବାକୁ । ପ୍ରସଙ୍ଗ ହେଉଛି ଯେ ମୁଁ ଛାତ ଉପରେ ଆଉ ଗୋଟିଏ ସାନ କୋଠରୀ ତିଆରି କରିଦେବି, ଯେଉଁଠି ଆପଣ ସୋଫାସେଟ୍‌ ପକେଇପାରିବେ ବାହାର ଲୋକଙ୍କ ଅପେକ୍ଷା ପାଇଁ ।’’ ‘‘ଓହୋ...ବୁଝିଲି । ମିଶ୍ର ମହାଶୟ ଆଜି ସକାଳ ଆଠଟାରେ ମୋ ସଙ୍ଗେ ସାକ୍ଷାତ୍‍ କରିଯାଇଥିଲେ ।’’

 

‘‘ଏଣିକି କେତେ ଆସିବେ, ଯିବେ ।’’ ଏହା କହି ନୃସିଂହ ହୋ ହୋ ହସି ଉଠିଲେ । ଏତେବେଳକୁ ସେ ଟାଣୁଥିବା ସିଗାରେଟଟି ସରିଥିବାରୁ ତାକୁ ସେ ଫୋପାଡ଼ି ଦେଇସାରିଥିଲେ ।

 

‘‘ସେ ଯାହାହେଉ, ମୁଁ ତ ନିଜେ ସେ ବିଷୟରେ ଆଗ୍ରହୀ ନୁହେଁ । ମୁଁ ଆପଣଙ୍କ ପାଖକୁ ଆସି ଅପେକ୍ଷା କରିବାର କାରଣ ମୋ ପାଇଁ ଗୋଟିଏ ଉତ୍ତମ ସ୍ୱଭାବର ସାନ ଚାକର ପିଲାଟିଏ ଆପଣ କେଉଁଠୁ ବୁଝି ଦେବେ ।’’

 

‘‘ବୁଝିଲ ଅଲେଖବାବୁ, ଆପଣ ପ୍ରକୃତରେ ଅନ୍ୟାୟ କରୁଛନ୍ତି । ଆପଣ ଯେଉଁ କାରଖାନାର ମ୍ୟାନେଜର, ତାକୁ ଚାହିଁଲେ ଆପଣଙ୍କର କାର୍‍ ରହିବା କଥା । ବଙ୍ଗଳା ଟାଇପ୍‌ର ଘର କେଉଁଠୁ କାରଖାନା ପକ୍ଷରୁ ଭଡ଼ା ନିଅନ୍ତୁ । ଆପଣ ଯେଉଁ ଦେଢ଼ହଜାର ଟଙ୍କା ବେତନ ପାଉଛନ୍ତି, ସେଥିରୁ କିଛି ଖର୍ଚ୍ଚ କରନ୍ତୁ । ଅବଶ୍ୟ ଆପଣ କୃପଣ ବା ଖର୍ଚ୍ଚୀ, ସେ ବିଷୟରେ ମୁଁ କିଛି ଜାଣେନା ।’’

 

ଏତକ କହି ନୃସିଂହ ଚୌକିରୁ ଉଠିପଡ଼ିଲେ ଏବଂ ଅଲେଖ ମଧ୍ୟ ।

 

‘‘ଆପଣଙ୍କ ଚାକର କଥା ମୁଁ ବୁଝିଦେବି । ସପ୍ତାହେ ସମୟ ଲାଗିବ । ଘର ମଧ୍ୟ ଏହି ଦଶପନ୍ଦର ଦିନ ମଧ୍ୟରେ ମୁଁ ତିଆରି କରେଇ ଦେବି । ଅବଶ୍ୟ ଭଡ଼ା ବଢ଼ିବ ନାହିଁ । ଡେପୁଟି ସେକ୍ରେଟେରୀ କହିଛନ୍ତି ଯେତେବେଳେ ଏଇଟା ତାଙ୍କ ମୁହଁକୁ କରାଯିବ । ଆମର ପ୍ରାୟ ସବୁବେଳେ ତାଙ୍କ ପାଖରେ କାର୍ଯ୍ୟ ।’’

 

ନୃସିଂହବାବୁ ଏତକ କହିଦେଇ ଉଠିଲେ । ତାଙ୍କର ମଧ୍ୟ ଆଉ କିଛି କହିବାର ନ ଥିଲା । ଅଲେଖ ନୃସିଂହବାବୁଙ୍କୁ ନମସ୍କାର ଜଣାଇ ସିଡ଼ିରେ ଉଠି ନିଜ ଶୋଇବା ଘରେ ପହଞ୍ଚିଲେ । ଅଲେଖ ହୋଟେଲରେ ଖାଆନ୍ତି । ତେଣୁ ଲୁଗାପଟା ବଦଳେଇ ବାଥ୍‌ରୁମରେ ମୁହଁହାତ ଧୋଇସାରି ବିଶ୍ରାମ କରିବାକୁ ବିଛଣାରେ ଗଡ଼ିପଡ଼ିଲେ । ଶୀତ ବେଶ୍‌ ଜମିଛି । କିଛି ସମୟ ଦରଜାକୁ ଖୋଲିରଖି ଘରେ ମୁକ୍ତବାୟୁ ପ୍ରବେଶ କରିବାପାଇଁ ଛାଡ଼ିଦେଲେ ଅଲେଖ ।

 

ଶୀତଦିନ । ରାତି ବାରଟା । ସହରର ଏହି ଅଂଶ ସମ୍ପୂର୍ଣ୍ଣ ନିରୋଳା । କାଁ ଭାଁ ଗାଡ଼ି ମଟର ହର୍ଣ୍ଣ ଶୁଭୁଛି । ଅଲେଖ ରେଜେଇ ଭିତରେ ପଶି ଆସ୍ତେ ଆସ୍ତେ ଉଷୁମ ଜମିବା ଅନୁଭବ କଲେ । କିଛି ସମୟ ପରେ ସେ ଉଠିଲେ, ଦରଜା ବନ୍ଦ କଲେ ଏବଂ ଆଲୋକ ଲିଭାଇ ଦେଇ ରେଜେଇ ଭିତରେ ପ୍ରବେଶ କରିଗଲେ ।

 

ଅଳ୍ପ କିଛି ସମୟ ପରେ ନିଦ ଆସିଗଲା ।

 

ଠିକ୍‌ ପନ୍ଦର ଦିନ ପରେ ଅଲେଖଙ୍କ ଶୋଇଲା ଘରକୁ ଲାଗି ଏକ ଛୋଟ କୋଠରୀ ତିଆରି ହୋଇ ସରିଥିବାର ଦେଖାଗଲା । ଅଲେଖ ଅନ୍ୟମାନଙ୍କ ମତକୁ ସମ୍ମାନ ଦେବାପାଇଁ ସୋଫାସେଟ୍‌ଟିଏ କିଣି ସେ ଘରେ ପକାଇଲେ । ତାଙ୍କର ବୋଲହାକ କରିବାପାଇଁ ନିତ୍ୟାନନ୍ଦ ବୋଲି ବାରବର୍ଷର ସାନ ପିଲାଟିଏ ମଧ୍ୟ ପ୍ରାୟ ଏହି ସମୟବେଳକୁ ନିଯୁକ୍ତ ହୋଇଗଲା । କିନ୍ତୁ ଗୋଟିଏ ବିଷୟ ଅଲେଖଙ୍କ ମନକୁ ଟିକିଏ ବିବ୍ରତ କରୁଥାଏ ଯେ ବାପାଙ୍କ ପାଖକୁ ଯେଉଁ ଚିଠି ସେ ଘର ଠିକଣାରେ ଲେଖିଲେ, ତା’ର ଉତ୍ତର ତାଙ୍କୁ ମାସକ ପର୍ଯ୍ୟନ୍ତ ମିଳିଲା ନାହିଁ ।

 

ଅଲେଖ ପ୍ରତି ସପ୍ତାହରେ ଘରକୁ ଯାଆନ୍ତି । ଶନିବାର ସନ୍ଧ୍ୟାରେ ଯାଇ ରବିବାର ଦିନଟି ସାରା ଗାଆଁରେ କଟାନ୍ତି । ସୋମବାର ବଡ଼ି ସକାଳୁ ସେ ଗାଆଁରୁ ଫେରି ଆସନ୍ତି । ଏହା ଭିତରେ ସେ ତିନିଥର ଗାଆଁକୁ ଗଲେଣି । ସେ ଲେଖିଥିବା ଚିଠି ସମ୍ପର୍କରେ ବାପାଙ୍କଠାରୁ କିଛିହେଲେ ସୂଚନା ସେ ପାଇନାହାନ୍ତି । ଚିଠିର ଉତ୍ତର କାଳେ ବାପା ଲେଖିକରି ଦେବେ, ସେଥିପାଇଁ ସେ ଡାକକୁ ଅପେକ୍ଷା କରି ରହିଛନ୍ତି । ଏକ ଅଶ୍ୱସ୍ତିକର ଅବସ୍ଥାରେ ଅଲେଖ ଛଟପଟ ହେଉଛନ୍ତି । ତା’ହେଲେ ବାପା କ’ଣ ସେ ଚିଠି ପାଇଲେ ନାହିଁ ?

 

ଅଲେଖ ଆଉ ଗୋଟିଏ ଘଟଣା ଲକ୍ଷ୍ୟ କରିଛନ୍ତି । ତାହା ହେଉଛି, ତାଙ୍କ ମାଆଙ୍କର ଅସ୍ୱାଭାବିକ ଆନନ୍ଦ ଉତ୍ସାହ । ଅଲେଖ ଯେଉଁ ସପ୍ତାହରେ ଚିଠି ଲେଖିଲେ, ସେହି ସପ୍ତାହର ଶନିବାରଠାରୁ ତାଙ୍କ ମାଆଙ୍କର ଉତ୍ସାହ ଅଧିକ ହୋଇଥିବା ସେ ଲକ୍ଷ୍ୟକଲେ କିମ୍ବା ଉତ୍ସାହ ଅଧିକ ହୋଇନଥିବ, ସେ ଲକ୍ଷ୍ୟ କରିବାରେ କିଛି ଦୋଷତ୍ରୁଟି ଥାଇପାରେ ।

 

ଅଲେଖ ନିଜେ ନିଜକୁ ବିଶ୍ଳେଷଣ କଲେ । ପ୍ରତି ଶନିବାର ଗାଆଁକୁ ଯିବାର ଥିଲେ ସୁଦ୍ଧା ଅଲେଖ କାହିଁକି ଯେ ଚିଠି ଲେଖିଲେ, ଯେ କଥା ଭାବି ସେ ମନେମନେ ଏକାବେଳକେ ଲଜ୍ଜିତ ଓ ଦୋଷୀ ହେଉଥିଲେ । ଏହା ତାଙ୍କ ମନର ଏକ ଅକୁହା ଏବଂ ଗୋପନୀୟ ଉତ୍ସାହକୁ ନିଶ୍ଚିତ ପଦାରେ ପକାଇ ଦେଲା । ଅଲେଖ ସେ ଚିଠି ସମ୍ପର୍କରେ ଯେତିକି ଭାବିଲେ, ସେତିକି ଅଧିକ ଆଶ୍ୱସ୍ତି ଅନୁଭବ କଲେ ।

 

ଅଲେଖଙ୍କର ବସିବା ଘର ଏବଂ ସେଥିରେ ସୋଫାସେଟ୍‌ ସବୁ ପଡ଼ିଲାପରେ ନୃସିଂହ ବେଳେବେଳେ ସକାଳେ ଆସି ସେ ଘରେ ବସୁଛନ୍ତି, ବସିବାଘର ତିଆରି ହେବାର ମାସେ ଏ ଭିତରେ ହୋଇ ଯାଇଥିଲେ ସୁଦ୍ଧା ଜଣେହେଲେ ଆଗନ୍ତୁକ ସେ ସୋଫାରେ ବସିବାକୁ ଆସି ନାହାନ୍ତି । ଏହା ଅଲେଖଙ୍କର ନିରୋଳାରେ ରହିବା ତତ୍ତ୍ୱକୁ ଆହୁରି ସମର୍ଥନ କଲାଭଳି ଜଣାପଡ଼ୁଛି-

 

ଅଲେଖ ନିଜ ବ୍ୟକ୍ତିଗତ ଜୀବନରେ ସାଙ୍ଗସୁଖ ଓ ବନ୍ଧୁବାନ୍ଧବଙ୍କଠାରୁ ଏଭଳି ଖାପଛଡ଼ା ହୋଇ ଚଳନ୍ତି ଯେ ସେ ସମ୍ପର୍କରେ ଖବର ଯେ ଚାରିଆଡ଼େ ପ୍ରଚାରିତ ହୋଇନଥିବ, ଏହା ଅଲେଖ ଭାବି ପାରୁନାହାନ୍ତି । ଏବଂ ଠିକ୍ ସେଇ କାରଣରୁ ଅଲେଖଙ୍କର ସେଭଳି କେହି ବନ୍ଧୁ ନାହାନ୍ତି । କାରଖାନାର କାର୍ଯ୍ୟ କାରଖାନାରେ ସେ ଏଭଳି ତୁଟାଇ ଦେଇ ଥାଆନ୍ତି, ସେ ସମ୍ପର୍କରେ କେହି ଘରକୁ ଆସିବାର ଆବଶ୍ୟକତା ଅନୁଭବ କରିନାହାନ୍ତି । କାରଖାନାରେ ସେ ଚାରିବର୍ଷ ହେବ ରହିଲେଣି । ଏପର୍ଯ୍ୟନ୍ତ କୌଣସି ଶ୍ରମିକ ଅଶାନ୍ତି ହୋଇନାହିଁ । ଅଲେଖ ନିଜେ ଏକ ଶ୍ରମିକ ଭଳି ଜୀବନଯାପନ କରନ୍ତି । ତାଙ୍କ ଅପେକ୍ଷା କାରଖାନାର ଆଠଜଣ ଇଞ୍ଜିନିୟର ପ୍ରତ୍ୟେକେ ଅଧିକ ଦରମା ପାଆନ୍ତି ।

 

ମ୍ୟାନେଜର ହେଲେ ଯେ ସର୍ବାଧିକ ଦରମା ପାଇବାକୁ ହେବ ଏ ପରମ୍ପରା ଅଲେଖ ପ୍ରଥମେ ଭଙ୍ଗ କରିଛନ୍ତି । ବସ୍ତୁତଃ ଦେଢ଼ହଜାର ଟଙ୍କା ଦରମା ଅଲେଖଙ୍କ ଭଳି ଅବିବାହିତ ଯୁବକଙ୍କ ପକ୍ଷେ ଖୁବ୍‌ ଅଧିକ ବୋଲି ସେ ମନେକରି ଆସିଛନ୍ତି । ତାଙ୍କର ହୋଟେଲ ଖର୍ଚ୍ଚ, ଜଳଖିଆ, ଘରଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଚାରିଶହ ଟଙ୍କାରୁ ଅଧିକ କେବେ ହୁଏନାହିଁ । ପ୍ରତିମାସରେ ଏଗାରଶହ ଟଙ୍କା ସେ ବାପାଙ୍କୁ ଦେଇ ଆସନ୍ତି । ଯେଉଁ ମାସରେ ଜୀବନବୀମା କିସ୍ତି ଥାଏ, ସେ ମାସରେ ଆଠଶହ ଟଙ୍କା ବାପାଙ୍କୁ ଦିଅନ୍ତି, ଏହା ବର୍ଷରେ ଚାରିଥର ପଡ଼ିଥାଏ ।

 

ଅଲେଖଙ୍କର ବାପା ପ୍ରଥମମାସର ଦରମା ସାନସାନ ପିଲାମାନଙ୍କୁ ଡାକି ଖାଇବାକୁ ଦେବାରେ ବ୍ୟୟ କରିଦେଇଥିଲେ । ଆଉ ସବୁଟଙ୍କା ଗାଆଁରେ ନୂଆହୋଇ ଖୋଲିଥିବା ବ୍ୟାଙ୍କରେ ଜମା ଦେଇଦିଅନ୍ତି । ସେହି ହିସାବରେ ତେଣୁ ଚାଳିଶହଜାରରୁ ଅଧିକ ଟଙ୍କା ଜମା ହୋଇଗଲାଣି । ଏବର୍ଷ ଗାଆଁରେ ଗୋଟିଏ ପରିବାରର ଚଳିଲାଭଳି ଚାରି କୋଠରୀ ଥିବା ଏକ ପକ୍‌କାଘର କରାଯିବାପାଇଁ ବାପା ସିଦ୍ଧାନ୍ତ କରିଛନ୍ତି ଏବଂ ସେଥିପାଇଁ ଫସଲ ଉତୁରିଗଲା ପରେ ବିଲରେ ଇଟା ପକାଯିବାର ଯୋଜନା ରହିଛି ।

 

ଅଲେଖ ମନେକଲେ ଯେ ବାପା ବୋଧହୁଏ ସେ ଚିଠି ପାଇନାହାନ୍ତି । କାରଣ, ବାପାଙ୍କର ତାଙ୍କପ୍ରତି ବ୍ୟବହାରରେ କୌଣସି ତ୍ରୁଟି ବା ପରିବର୍ତ୍ତନ ସେ ଲକ୍ଷ୍ୟ କଲେ ନାହିଁ । ଦ୍ୱିତୀୟତଃ ତାଙ୍କ ମାଆଙ୍କର ଯେଉଁ ଅଧିକ ଉତ୍ସାହ ଥିବାକଥା ଅଲେଖ ଲକ୍ଷ୍ୟ କରୁଥିଲେ, ପରବର୍ତ୍ତୀ ସପ୍ତାହମାନଙ୍କରେ ତାହା ଆଉ ସେ ଦେଖିପାରିଲେ ନାହିଁ ।

 

ସେଇ ଶୀତଦିନର ଆଉ ଏକ ସକାଳ । ଅଲେଖ ଏବେ ଖୁବ୍‌ ଭୋରରୁ ଉଠୁଛନ୍ତି ଏବଂ ତାଙ୍କ ଇଞ୍ଜିନିୟରିଂ ସହିତ ସମ୍ପର୍କିତ ବହି ସବୁ ପଢ଼ୁଛନ୍ତି । ତାଙ୍କ କାରଖାନା ଯେଭଳି ମାନ୍ଦା ଚାଲୁଥିଲା ଏବେ ତା’ର ଉନ୍ନତି ଘଟିଛି ଏବଂ ପ୍ରଦେଶ ବାହାରେ ମଧ୍ୟ ତାଙ୍କ କମ୍ପାନୀର ନାଆଁ ହୋଇଗଲାଣି । ଏହି ଦୃଷ୍ଟିରୁ ଅଧିକ ଉନ୍ନତ ଧରଣର ମେସିନ ଆଣି ଅଧିକ ଉନ୍ନତ ଧରଣର ଆଲ୍‍ମିରା କିଭଳି ତିଆରି କରାଯାଇପାରିବ ସେ ସମ୍ବନ୍ଧରେ ବହିପତ୍ର ଅଣେଇ ଅଲେଖ ପଢ଼ାପଢ଼ି କରୁଛନ୍ତି । ଇତି ମଧ୍ୟରେ କାରଖାନର ଏକ ଲାଇବ୍ରେରୀ ମଧ୍ୟ ସେ କରେଇଛନ୍ତି । କାରଖାନାର ମ୍ୟାନେଜିଂ ଡିରେକ୍ଟର ଓଡ଼ିଆ ହେଲେ ମଧ୍ୟ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ ମାନ୍ଦ୍ରାଜରେ । ତେଣୁ ସେ ପ୍ରାୟତଃ ଅଲେଖଙ୍କ ପ୍ରସ୍ତାବ ଉପରେ ସବୁବେଳେ ରାଜି ହୋଇଯାଆନ୍ତି ।

 

ବଡ଼ିଭୋରରୁ ଉଠି ଅଲେଖ ଶାଲ୍‌ ଦେହରେ ପକେଇ ପଢ଼ାପଢ଼ିରେ ବ୍ୟସ୍ତ ଅଛନ୍ତି । ରାତିରେ ଜଳୁଥିବା ଆଲୁଅ ସେ ପନ୍ଦରମିନିଟ୍‌ ହେବ ମାତ୍ରେ ଲିଭେଇ ଦେଲେ । ଏହି ସମୟରେ ହଠାତ୍‌ ନୃସିଂହ ଆସି ପହଞ୍ଚିଲେ ।

 

ଅଲେଖ ହଠାତ୍‌ ପଢ଼ାପଢ଼ି ବନ୍ଦ କରି ନୃସିଂହଙ୍କୁ ନମସ୍କାର ଜଣେଇଲେ ଏବଂ ଉଭୟେ ବସିବା ଘରକୁ ଆସିଗଲେ । ଅଲେଖଙ୍କ ଦେହରେ ସେହିଭଳି ଶାଲ୍‌ ପଡ଼ିଥାଏ । ନୃସିଂହ ଏକ ପୂରାହାତର ଦାମୀ ସ୍ୱେଟର ପିନ୍ଧିଥାଆନ୍ତି । ଦୁହେଁ ସୋଫାସେଟ୍‌ର ଗୋଟିକିଆ ଚୌକିମାନଙ୍କରେ ମୁହାଁମୁହିଁ ବସିଲେ ।

 

‘‘ଆପଣ କ’ଣ ଆଉ କିଛି ପରୀକ୍ଷା ଦେବେକି ? ଏତେ ସକାଳୁ ଉଠି ପଢ଼ାପଢ଼ି କରୁଛନ୍ତି ଯେ ?’’

 

‘‘ଏ.ଏମ୍‌.ଆଇ.ଇ. ପରୀକ୍ଷା ଦେବି ।’’ ଅଲେଖ କିଛି ଚିନ୍ତା ନ କରି କହିଲେ ।

 

‘‘ହଁ, ହଁ, ଦିଅନ୍ତୁ, ଦିଅନ୍ତୁ । ଆପଣଙ୍କ କାରଖାନା ତ ଖୁବ୍‌ ଭଲ ଚାଲିଥିବ ।’’

 

‘‘ଭଲ ଚାଲିଛି ।’’

 

‘‘ମୁଁ କାହିଁକି କହିଲି କି, କାଲି ପୁଣି ଆମର ଡେପୁଟି ସେକ୍ରେଟେରୀ ସାହେବ ଆସିଥିଲେ-। ସେ ଇତି ମଧ୍ୟରେ କେତେଥର ଆସିଲେଣି । ଆପଣଙ୍କ ବାପାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ, ତାଙ୍କର ମଧ୍ୟ ଅନ୍ତରଙ୍ଗ ବନ୍ଧୁ । ତେଣୁ ସରକାରୀ ମହଲରେ ଯେଭଳି ଆପଣଙ୍କ କମ୍ପାନୀର ସୁବିଧା ହୁଏ, ସେ ବ୍ୟବସ୍ଥା ସେ କରିଦେଇଥିଲା ଭଳି ମନେହେଉଛି । ଅବଶ୍ୟ ଆପଣଙ୍କ କମ୍ପାନୀ ଯେକୌଣସି ଦେଶୀ କମ୍ପାନୀ ସହିତ ଗୁଣରେ ତାଳ ଦେଇପାରିଛି ବୋଲି ସାଧାରଣରେ ମତାମତ ପ୍ରକାଶ ପାଉଛି । ତେଣୁ ଏ ସାହାଯ୍ୟ କେବଳ ଯେ ଆପଣଙ୍କ କମ୍ପାନୀର ଉପକାର କରିବ ତା’ ନୁହେଁ, ଏହା ସରକାରଙ୍କର ମଧ୍ୟ କର୍ତ୍ତବ୍ୟ ।’’

 

ଅଲେଖ ନୀରବରେ ସବୁ ଶୁଣି ଯାଉଥିଲେ । ନିଜ କମ୍ପାନୀର ଉତ୍ପାଦନର ମାନ ବୃଦ୍ଧି କରିବା ବ୍ୟତୀତ କୌଣସି ଉଦ୍ୟମ କରି କମ୍ପାନୀର ଉତ୍ପାଦନକୁ ବିକ୍ରି କରିବାରେ ଅଲେଖଙ୍କର ବିଶ୍ୱାସ ନ ଥାଏ । ତେଣୁ ସେ ବିଶେଷ ପ୍ରଭାବିତ ନ ହୋଇ ଭଦ୍ରତା ଦୃଷ୍ଟିରୁ ସବୁ ଶୁଣି ଯାଉଥିଲେ । ‘‘ଏହା ଭିତରେ କମ୍ପାନୀର ଉତ୍ପାଦନ ବହୁତ ବଢ଼ିଛି ଏବଂ ତାହାର ଚାହିଦା ମଧ୍ୟ ବଢ଼ିଛି ।’’ ଅଲେଖ ଆତ୍ମବିଶ୍ୱାସର ସହିତ କହିଲେ ।

 

‘‘ଡେପୁଟି ସେକ୍ରେଟେରୀ ସେଇଆ କହିଥିଲେ । ସେ ମଧ୍ୟ ଏ କଥା କହୁଥିଲେ ଯେ ଭାରତୀୟ ବଜାରରେ ଆପଣଙ୍କ କମ୍ପାନୀର ନାମ ହୋଇଆସିଛି ।

 

‘‘ଆମେ ଆମର ଶ୍ରମିକ ସଂଖ୍ୟା ପ୍ରାୟ ଦେଢ଼ଗୁଣ ବଢ଼େଇ ଦେଇସାରିଛୁ । ଏହି ମାସେ ଦେଢ଼ମାସ ହେବ ଉତ୍ପାଦନକୁ ସେହି ଅନୁପାତରେ ଦେଢ଼ଗୁଣ ବଢ଼େଇ ଦେଇଛୁ ।’’

 

‘‘ହଁ, ଶ୍ରମିକ ସଂଖ୍ୟା ବଢ଼ିବା ଖବର ମଧ୍ୟ ଡେପୁଟି ସେକ୍ରେଟେରୀ କହୁଥିଲେ । ଆପଣଙ୍କ କମ୍ପାନୀର ମେନେଜିଂ ଡିରେକ୍ଟର ମାନ୍ଦ୍ରାଜରେ ରହନ୍ତି ଏବଂ ତାଙ୍କର ବହୁ ପ୍ରକାରର କାରଖାନା ରହିଛି । ସେ ଆପଣଙ୍କ ଉପରେ ଏ କାରଖାନାର ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି କୁଆଡ଼େ-।’’

 

‘‘ମ୍ୟାନେଜରମାନଙ୍କୁ ତ ଦାୟିତ୍ୱ ଦେବାକୁ ହିଁ ହେବ ।’’ ଅଲେଖ ମୋଟେ ଅପ୍ରତିଭ ନ ହୋଇ ସାହସର ସହିତ ନିଜର ବକ୍ତବ୍ୟ ପ୍ରକାଶ କଲେ ।

 

‘‘ମୁଁ ସେ ଦୃଷ୍ଟିରୁ କହୁ ନାହିଁ । ମ୍ୟାନେଜରଙ୍କ ଦାୟିତ୍ୱ ବାହାରେ ମଧ୍ୟ ନୀତି ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଦାୟିତ୍ୱ ଦିଆଯାଇଛି ।

 

‘‘ହଁ, ତାହା ସତ ଯେ...ଏତେ ବିଷୟ କ’ଣ ଆପଣଙ୍କ ଡେପୁଟି ସେକ୍ରେଟେରୀ କହୁଥିଲେ-?’’

 

‘‘ହଁ, ସେମାନେ ଶାସନ ବିଭାଗର ଉଚ୍ଚ ଅଫିସର କି ନା, ଯେକୌଣସି ଖବର ଟିକିନିଖି ଜାଣିନେବାରେ ତାଙ୍କର ଅଭ୍ୟାସ ରହିଛି ଏବଂ ସୁବିଧା ମଧ୍ୟ ଅଛି ।’’ ଯେଭଳି ଆପଣ ମୋ ଖବର ସବୁ ରଖିଛନ୍ତି...ଅଲେଖ ଏଥର ଟିକିଏ ପରିହାସ କଲେ ଏବଂ ଏହା ନୃସିଂହଙ୍କୁ ଉଲୁସେଇ ଦେଲା ଯେପରି, ସେ ହୋ ହୋ ହୋଇ ହସି ଉଠିଲେ । ଅଲେଖ ମଧ୍ୟ ସେଇ ହସରେ ତାଳ ଦେଲେ ।

 

ଦୁଇବନ୍ଧୁ ବେଶୀ ହସିବା ପୂର୍ବରୁ ବାଳକ ନିତ୍ୟାନନ୍ଦ କଫି ତିଆରି କରି ଆଣି ପରିବେଷଣ କରିଦେଲା । ନିତ୍ୟାନନ୍ଦ ଦୂରକୁ ଗଲାପରେ ନୃସିଂହ କହିଲେ, ମୁଁ ଶୁଣୁଛି, ଏ ଘର ତିଆରି ହେବା କିମ୍ବା ଏଇ ନିତ୍ୟାନନ୍ଦର ନିଯୁକ୍ତି ବିଶେଷ କିଛି କାର୍ଯ୍ୟରେ ଆସୁନାହିଁ । ଏହା ଭିତରେ ଅନ୍ୟ କୌଣସି ଭଦ୍ରବ୍ୟକ୍ତି ଏଠାକୁ ପ୍ରାୟ ଆସିନାହାନ୍ତି ।

 

‘‘ମୁଁ ତ ଆପଣଙ୍କୁ ସମାଲୋଚନା କରିପାରିବି ନାହିଁ, କିନ୍ତୁ କେଜାଣି କାହିଁକି ଏହିଭଳି ଏକ ପରସ୍ଥିତି ଆଗରୁ ହେବବୋଲି ଜାଣି ମୁଁ ଏହି ଗୋଟିକିଆ କୋଠରୀ ନେଇଥିଲି । ସେ ଯାହାହେଉ, ନିତ୍ୟାନନ୍ଦର ନିଯୁକ୍ତି କିନ୍ତୁ ମୋର ଖୁବ୍‌ କାମରେ ଆସୁଛି । ଏଣିକି ଗତ ତିନିମାସ ହେବ ନିତ୍ୟାନନ୍ଦର ନିଯୁକ୍ତି ହେଲା ଦିନଠାରୁ ମୁଁ ଖୁବ୍‌ ଭୋରୁ ଉଠିଲାବେଳକୁ ସେ କଫି ତିଆରି କରି ଦେଉଛି । ସକାଳର ଜଳଖିଆ ଏବଂ ରାତ୍ରିଭୋଜନ ମଧ୍ୟ ଏଇଠି ତିଆରି କରୁଛି । ତେଣୁ ରାତିରେ ଖାଇ ଧାଇଁଲେ ବଢ଼ଇ ବାୟୁ ଆଉ ହେଉନାହିଁ ।

 

ଆପଣଙ୍କ ଭଳି ବିଚିତ୍ର ବ୍ୟକ୍ତି ମୁଁ ଖୁବ୍‌ କମ୍‌ ଦେଖିଛି । କ୍ଷମା କରିବେ ମୋର ଏ ମନ୍ତବ୍ୟ ପାଇଁ । ବୟସ ଦୃଷ୍ଟିରୁ ଆପଣଙ୍କୁ ମୋର ସାନଭାଇ ଭଳି ମୁଁ ଦେଖି ଆସିଛି । ଆପଣ କେବଳ କାରଖାନା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ଚିନ୍ତା କରୁନାହାନ୍ତି ଦେଖି ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଯାଉଛି ।’’

 

‘‘ଆଉ କେଉଁ ପ୍ରସଙ୍ଗ ଆପଣ ଭାବୁଛନ୍ତି ? ମୁଁ ତ କାରଖାନାରୁ ଦରମା ପାଉଛି । କାରଖାନା ପ୍ରସଙ୍ଗ ଚିନ୍ତା କରିବି ବୋଲି ମୋର ଯୋଗ୍ୟତା ମଧ୍ୟ ସେଇଆ ।’’

 

ନୃସିଂହ ଏହି କଥାରେ ହୋ ହୋ ହସି ଉଠିଲେ । ଏଥର ହସରେ ଅଲେଖ ଆଉ ତାଳଦେଇ ପାରିଲେ ନାହିଁ । ତେଣୁ ନୃସିଂହଙ୍କର ହସ ଅଳ୍ପ ସମୟ ଭିତରେ କମି ଆସିଲା ।

 

ଆପଣ ଯାହା କହିଲେ, ତାହା ସତ । ମୋ ନିଜ ଘଟଣାରୁ ମୁଁ ଜାଣୁନାହିଁ କି...ମାଲଗୋଦାମରେ ମୁଁ ଭର୍ତ୍ତିହେଲି ବାପାଙ୍କ କାଳ ହୋଇଗଲା ପରେ । ତା’ ପୂର୍ବରୁ ମୋର ଅନେକ ସାଙ୍ଗସାଥୀ ଥିଲେ । ଆମେ କେତେବେଳେ ବଣଭୋଜୀ କରୁଥିଲୁ ତ କେଉଁଦିନ ମାଛ ଧରିବାକୁ ଦଶମାଇଲ ଦୂରକୁ ଚାଲି ଯାଉଥିଲୁ । କିନ୍ତୁ ମାଲଗୋଦାମରେ ରହିବା ପରଠାରୁ ଦିନ ଗୋଟାକବେଳେ ଯାଇ ରାତି ଏଗାରଟାରେ ମୁଁ ଫେରୁଛି । ଏହି ସମୟ ଭିତରେ ନାକ ପୋଛିବା ପାଇଁ ମୋର ତରନାହିଁ ।’’

 

‘‘ନିଜର ଧନ୍ଦା ଧରିବା ପର୍ଯ୍ୟନ୍ତ ଯେତିକି ସାଙ୍ଗସୁଖ । ଧନ୍ଦା ଧରିବାପରେ କେବଳ ଏକମୁହାଁ ପରିଶ୍ରମ କରିବାକୁ ପଡ଼େ । ଏହା କେବଳ ଆପଣଙ୍କ କ୍ଷେତ୍ର ବା ମୋ କ୍ଷେତ୍ରରେ ସତ ନୁହେଁ । ଯେଉଁମାନେ ଆନ୍ତରିକତା ସହିତ କାର୍ଯ୍ୟ କରୁଛନ୍ତି, ତାଙ୍କ କ୍ଷେତ୍ରରେ ସେଇଆ ସବୁବେଳେ ଘଟୁଛି ।’’

 

ଇତ୍ୟବସରରେ କଫି ପିଇବା କାର୍ଯ୍ୟ ସରିଥିଲା । ଅଲେଖ ତେଣୁ ଉଠିଯାଇ ବସିବା ଘରର ଝରକା ସବୁ ଖୋଲିଦେଲେ । ଛୋଟ ଘରଟିଏ । ଝରକା ଖୋଲିଦେଲା ପରେ ଘର ଭିତରେ କଅଁଳିଆ ଖରା ଟର୍ଚ୍ଚ ଆଲୁଅ ପଡ଼ିବାଭଳି ଆସୁଥିବାରୁ ସେଇ ଖରାରେ ଘର ଭିତରର ବାୟୁମଣ୍ଡଳରେ ଥିବା ଭାସମାନ ଚୂନାଚୂନା ଅଳିଆ ବର୍ତ୍ତମାନ ଦେଖାଗଲା ।

 

ପୂର୍ବଦିଗରୁ ଆସୁଥିବା ଖରା ନୃସିଂହଙ୍କର ଡାହାଣ ପାଖରେ ପଡ଼ିଲା । ଅଲେଖ ପଶ୍ଚିମପଟର ଝରକାକୁ ଚାହିଁ ବସି ରହିଥିଲେ । ପଶ୍ଚିମ ପଟରେ କେବଳ ପାଚେରୀଭଳି ତିଆରି ହୋଇଥିବା ବାଲକୋନୀ । ବାଲକୋନୀର ଉପର ଅଂଶରେ ସକାଳର ଖରା ପଡ଼ିଛି । ସୁନେଲି ରଙ୍ଗର ଖରା । ଆକାଶ ପାରଦ ରଙ୍ଗର । ସୂର୍ଯ୍ୟୋଦୟ ପରେ ଆକାଶରେ ଭାସୁଥିବା ଧୂସର ବଉଦଖଣ୍ଡ ସବୁରେ ସୁନେଲି ରଙ୍ଗର ଧଡ଼ି । ଝରକା ସବୁ ଖୋଲା ହେବାରୁ ଯେତିକି ଶୀତ ଘର ଭିତରକୁ ଆସିଲା, ସେତିକି ଉଷୁମ ମଧ୍ୟ ଖରା ସହିତ ଆସୁଥିଲା ଭଳି ଜଣାପଡ଼ୁଥିଲା । ଏହା ମନର ଏକ ଅନୁଭବ । ବୋଧହୁଏ ଶୀତ ଅଧିକ ଥିଲା । କଅଁଳିଆ ଖରାରେ ବା କେତେ ଉତ୍ତାପ ଥିବ ?

 

ନୃସିଂହଙ୍କୁ ଥଣ୍ଡା ଲାଗିଲା କି କ’ଣ, ସେ ସୋଫା ଉପରେ ଚକାମାଡ଼ି ବସିଲେ । ଅଲେଖ କିନ୍ତୁ ଥଣ୍ଡା ଅନୁଭବ କରିପାରିଲେ ନାହିଁ । ତାଙ୍କୁ ମନେହେଉଥିଲା ଯେପରି ଗୋଡ଼ପଟ ତାଙ୍କର ଉଷୁମ ରହିଛି । ସେ ଉଷୁମ ଆସ୍ତେ ଆସ୍ତେ କମି କମି ମୁଣ୍ଡଟା ତାଙ୍କର ଅସ୍ୱାଭାବିକରୂପେ ଥଣ୍ଡା ହୋଇଯାଉଛି । ସେ ତେଣୁ ଦୁଇହାତକୁ ମୁଣ୍ଡ ଉପରେ ରଖି କଥାଭାଷା ଆରମ୍ଭ କଲେ ।

 

‘‘ଆପଣଙ୍କ ଡେପୁଟି ସେକ୍ରେଟେରୀ ଏତେଥର ତ ଆଗରୁ ଦେଖା ହେଉନଥିଲେ ।’’

 

‘‘ବାସ୍ତବିକ, ମୁଁ ସେଇଆ ଭାବୁଛି । ବିଦେଶକୁ କତା ଦଉଡ଼ି ରପ୍ତାନୀ କରିବାକୁ କିଭଳି ପରମିଟ୍‌ ଆସିବ, ସେଇ ସମ୍ପର୍କରେ ମୁଁ ପ୍ରାୟ ଛଅମାସ ତଳେ ତାଙ୍କ ସହିତ ଦେଖାକରି ପରିଚିତ ହୋଇ ଆସିଥିଲି । ଏହି ତିନିମାସ ମଧ୍ୟରେ ସେ ପ୍ରାୟ ସାତଆଠଥର ଆସିଲେଣି ।’’

 

‘‘ଆପଣଙ୍କର ପରମିଟ୍‌ ମିଳିଗଲା କି ? ଅବଶ୍ୟ ମୋର ଏକଥା ପଚାରିବାର ନୁହେଁ କି ଜାଣିବାରେ ଏଭଳି କିଛି ଆବଶ୍ୟକତା ନାହିଁ ।’’

 

‘‘ମିଳି ଯାଇଛି । ଏ ପରମିଟ୍‌ ତ କେନ୍ଦ୍ର ସରକାର ଦିଅନ୍ତି । କିନ୍ତୁ ପ୍ରାଦେଶିକ ସରକାରଙ୍କ ସୁପାରିସ୍‍ ଉପରେ ତ ସବୁ ହୁଏ ।’’

 

‘‘ତା’ହେଲେ ଆପଣ ରପ୍ତାନୀ ଆରମ୍ଭ କରିଦେଲେଣି ?’’

 

‘‘ହଁ, ମାସେ ହେବ ।’’

 

‘‘ଯାହାହେଉ, ଏହା ମୋ ପକ୍ଷରେ ଏକ ଖୁସି ଖବର ।’’ ଅଲେଖ ବାସ୍ତବିକ ଖୁସି ହେଲେ । ବ୍ୟବସାୟରେ ଓଡ଼ିଆ କେହି ଅଗ୍ରଗତି କଲେ ଅଲେଖ ତାହା ନିଜର ବ୍ୟକ୍ତିଗତ ବିଜୟ ବୋଲି ମନେକରନ୍ତି । ବାସ୍ତବିକ ଯେ କେହି ମଧ୍ୟ ଏଥିରେ ବିଜୟ ଗୌରବ ପାଇବ । ଓଡ଼ିଶା ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପଛରେ ପଡ଼ି ରହିଛି ବୋଲି ସବୁକ୍ଷେତ୍ରରେ ସବୁବେଳେ ଅଭିଯୋଗ ହୁଏ । ଅଲେଖ କିନ୍ତୁ ଜାଣନ୍ତି, ଓଡ଼ିଆମାନେ ଚାହିଁଲେ ଏ କ୍ଷେତ୍ରରେ ସମସ୍ତଙ୍କୁ ଟପି ଗଲାଭଳି ଈର୍ଷା ସୃଷ୍ଟି ନ କରି ମଧ୍ୟ ରପ୍ତାନୀର ଘୋଡ଼ାଦୌଡ଼ରେ ଅନ୍ତତଃ ସମସ୍ତଙ୍କର ସମକକ୍ଷ ହେବାରେ ବିଶେଷ କିଛି ଅସୁବିଧା ନାହିଁ । ସେ ଯାହାହେଉ, ସକାଳ ଏତେବେଳକୁ ସାଢ଼େସାତଟା ପ୍ରାୟ ହେବ । ଅଲେଖ ମନେମନେ ଚାହୁଁଥିଲେ ଆଉ ଅଧଘଣ୍ଟା ସମୟ ନୃସିଂହ ବସି ରହନ୍ତୁ, ଯା ଫଳରେ ସେ ଆଠଟାବେଳକୁ ନିତ୍ୟକର୍ମ କରିବାକୁ ବାହାରିବେ ଏବଂ ନ’ଟା ପନ୍ଦର ସୁଦ୍ଧା ଘର ଛାଡ଼ିବାରେ ତାଙ୍କର କିଛି ଅସୁବିଧା ହେବନାହିଁ ।

 

ନୃସିଂହ ମଧ୍ୟ ବସିବାପାଇଁ ଆସିଥିଲା ଭଳି ଜଣାପଡ଼ୁଥିଲେ । ସାତଟା ସୁଦ୍ଧା ତାଙ୍କ ପିଲାମାନଙ୍କର କାର୍ଯ୍ୟ ସରିବ । ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ପିଲାଏ ଗାଧୋଇ ଖାଇ ସ୍କୁଲକୁ ଚାଲିଯିବେ । ହାଇସ୍କୁଲରେ ପଢ଼ୁଥିବା ପିଲାଏ ଗାଧୋଇ ଖାଇ ସାଢ଼େ ସାତଟାରେ ଆସୁଥିବା ଘରୋଇ ଶିକ୍ଷକଙ୍କ ପାଖରେ ବସି ପଢ଼ିବେ । କୋଳର ପିଲାଟିର କାର୍ଯ୍ୟ ମଧ୍ୟ ଆଠଟା ସୁଦ୍ଧା ସରିବ ଏବଂ ସେ ଗାଧୋଇ ଖାଇସାରି ଖେଳନା ଧରି ଖେଳିବ ।

 

‘‘ବର୍ଷକୁ କେତେଟଙ୍କାର କତାଦଉଡ଼ି ଆପଣ ରପ୍ତାନୀ କରିବେ ? କେଉଁଠିକି ରପ୍ତାନୀ କରୁଛନ୍ତି ?’’

 

‘‘ଆଫ୍ରିକା ରପ୍ତାନୀ କରୁଛୁ । ବର୍ଷକୁ ଅନୁମାନ ତିନିଚାରିଲକ୍ଷ ଟଙ୍କାର ହୋଇପାରେ ।’’

 

‘‘ତା’ହେଲେ ତ ଏହା ଏକ ବଡ଼ ଧରଣର ବ୍ୟବସାୟ ।’’ ବ୍ୟବସାୟୀ ପକ୍ଷେ ବ୍ୟବସାୟ ହିଁ ବ୍ୟବସାୟ । ବଡ଼ ସାନ ବିଚାର ଅନ୍ୟମାନେ କରନ୍ତି ।’’ ନୃସିଂହ ପୁଣିଥରେ ହୋ ହୋ ହୋଇ ହସି ଉଠିଲେ । ଅଲେଖ ତାଙ୍କ ସାଙ୍ଗରେ ତାଳ ଦେଇ ହସିଲେ ।

 

ନିତ୍ୟାନନ୍ଦ ପୁଣି କପେ କପେ କଫି ଆଣି ପରିବେଷଣ କରିଦେଇ ଗଲା ।

 

‘‘କିଭଳି କାର୍ଯ୍ୟ କରୁଛି ଏ ପିଲାଟି ?’’ ଅଲେଖ କଫି କପ୍‌ ମୁହଁ ପାଖକୁ ନେଉ ନେଉ କହିଲେ ।’’

 

‘‘ମନ୍ଦ କାର୍ଯ୍ୟ ଏପର୍ଯ୍ୟନ୍ତ ସେ କରିନାହିଁ । ଆପଣ ଯେତେବେଳେ ତାକୁ ଖୋଜି ଆଣିଛନ୍ତି, ତା’ର ସେଭଳି କିଛି ତ୍ରୁଟି ରହିନପାରେ ।’’ ଅଲେଖ ଖୁବ୍‌ ଜୋରରେ ଏକଥା କହିଲାବେଳେ ନୃସିଂହଙ୍କୁ ଲକ୍ଷ୍ୟ କରୁଥିଲେ ।

 

ନୃସିଂହ କଥା କହିଲାବେଳେ ତାଙ୍କ ମୁହଁରୁ ଧୂଆଁ ବାହାରୁଥିବା ଦେଖା ପଡ଼ୁଥିଲା, ଯେଭଳି ତାଙ୍କ ପେଟରେ କେଉଁଠି ନିଆଁ ଲାଗିଛି । ଶୀତଦିନ ସକାଳେ ଏହିପରି ଦେଖାଯାଇଥାଏ । ଏହା ମାମୁଲି ହେଲେ ମଧ୍ୟ କୌତୁକପ୍ରଦ । ନୃସିହଙ୍କର କଫିକପ୍‌ରୁ ମଧ୍ୟ ଜଳୀୟବାଷ୍ପ ଧୂଆଁଭଳି ଉପରକୁ ଉଠୁଥିଲା । ନୃସିଂହଙ୍କ ସାମନାପଟରୁ ଆସୁଥିବା ଶୀତଦିନର ଆରାମଦାୟକ ଖରା ଅଲେଖଙ୍କ ପିଠିରେ ପଡ଼ୁଥିଲା ସିନା, ନୃସିଂହଙ୍କ ଡାହାଣ ପଟରୁ ଏ ଯାବତ୍‌ ତାଙ୍କ ଉପରକୁ ଆସିପାରି ନଥିଲା । ସେ ଯାହାହେଉ ।

 

‘‘ହଁ ଆପଣଙ୍କର ମଧ୍ୟ ବିଦେଶକୁ ରପ୍ତାନୀ ଆରମ୍ଭ ହୋଇଛି ବୋଲି ମୁଁ ଡେପୁଟି ସେକ୍ରେଟେରୀଙ୍କଠାରୁ ଶୁଣିଲି । ଏହା ବୋଧହୁଏ ସତ ।’’

 

‘‘ବୋଧହୁଏ ନୁହେଁ, ନିଶ୍ଚିତଭାବେ ସତ । ଆମେ ବିଦେଶକୁ ରପ୍ତାନୀ ଆରମ୍ଭ କରିଥିବାରୁ କାରଖାନାର ଶ୍ରମିକ ସଂଖ୍ୟା ପ୍ରାୟ ଦୁଇଗଣ ବୃଦ୍ଧି କରିସାରିଛୁ । ଇଞ୍ଜିନିୟର କିନ୍ତୁ ସେଇ ଆଠଜଣ ଅଛନ୍ତି । ସେମାନେ ଏହି ଅଧିକ ଦାୟିତ୍ୱ ଖୁସିରେ ତୁଲେଇ ଦେଉଛନ୍ତି । ବାସ୍ତବିକ ଆମ କାରଖାନାର ପ୍ରତ୍ୟେକ କର୍ମଚାରୀ ଅତି ଆନ୍ତରିକତାର ସହିତ କାର୍ଯ୍ୟ କରନ୍ତି ।’’

 

ଆପଣଙ୍କ ଭଳି ମ୍ୟାନେଜର ପାଇଲେ ସେମାନେ ବିଶ୍ୱସ୍ତ ଓ ଆନ୍ତରିକ ହେବେ ହିଁ ହେବେ । ମୁଁ ଆପଣଙ୍କ ମୁହଁ ଦେଖି କହୁନାହିଁ । ଏହା ମୁଁ ବହୁ ଦାୟିତ୍ୱ ସମ୍ପନ୍ନ ମହଲରୁ ବୁଝି କହୁଛି-।’’

 

ଦାୟିତ୍ୱସମ୍ପନ୍ନ ମହଲ କହିଲେ ସେହି ଆପଣଙ୍କ ଡେପୁଟି ସେକ୍ରେଟେରୀ ନୁହନ୍ତି ତ !’’

 

ଅଲେଖ ହୋ ହୋ ହୋଇ ହସି ଉଠିଲେ । ନୃସିଂହ ମଧ୍ୟ ଅଲେଖଙ୍କ ସହିତ ତାଳ ଦେଇ ବସିଲେ । ଏତେବେଳକୁ ତାଙ୍କ ମୁହଁରୁ ଏତେ ପରିମାଣରେ ଧୂଆଁଭଳି ଜଳୀୟବାଷ୍ପ ବାହାରୁଥିଲା ଯେ ଅଲେଖଙ୍କର ମନେହେଉଥିଲା, ନୃସିଂହ ଯେଭଳି ଏକ ବାଷ୍ପୀୟ ରେଳ ଇଞ୍ଜିନ । ସେ ଯାହାହେଉ ।

 

ଅବଶ୍ୟ ମୁଁ ତାଙ୍କଠାରୁ ପ୍ରଥମେ ଶୁଣିଲି । ମୁଁ ତ କାହାକୁ ପଚାରେ ନାହିଁ । ଆପେ ଆପେ ଯେ ଯାହା କହନ୍ତି, ସେଇଥିରୁ ମୁଁ କହୁଛି ।’’

 

‘‘ଆମ ମ୍ୟାନେଜିଂ ଡାଇରେକ୍ଟର ମାନ୍ଦ୍ରାଜରୁ ଏବେ ଆସିଥିଲେ । କାରଖାନାର ସମ୍ପ୍ରସାରଣ ପାଇଁ ସେ ଇଞ୍ଜିନିୟର ଓ ଶ୍ରମିକଙ୍କର ଏକ ସଭା ଡାକିଥିଲେ । ତାଙ୍କର କହିବାର କଥା ଥିଲା, ବର୍ଷେ ପର୍ଯ୍ୟନ୍ତ ସମସ୍ତେ ଆନ୍ତରିକତାର ସହିତ ପରିଶ୍ରମ କରନ୍ତୁ । ବର୍ଷ ଶେଷରେ ଯାହା ନିଟ୍‌ ଲାଭ ହେବ ତାହାର ଅର୍ଦ୍ଧାଂଶ ସେ ଅଫିସର ଓ ଶ୍ରମିକମାନଙ୍କ ମଧ୍ୟରେ ଆନୁପାତିକଭାବେ ବାଣ୍ଟିଦେବେ । ଏଥିରେ ଶ୍ରମିକମାନେ ରାଜି ହୋଇଯାଇଛନ୍ତି । ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଇବାକୁ ମୁଁ ଅଛି । ଏ ସମ୍ପର୍କରେ ଏକ ଚୁକ୍ତିନାମା ମଧ୍ୟ ହୋଇଯାଇଛି ।’’

 

‘‘ସେଇ କଥା କହନ୍ତୁ । ମାଲିକଙ୍କୁ ତ ଶ୍ରମିକମାନଙ୍କର ବିଶ୍ୱାସ ବିଶେଷ ନ ଥାଏ । ପୁଣି ଏ ସମୟରେ, ଯେତେବେଳେ ଶ୍ରମିକମାନେ ଦେଖୁଛନ୍ତି ଯେ ମାଲିକମାନେ ତାଙ୍କୁ ଶୋଷଣ କରିବାପାଇଁ ସବୁବେଳେ ପ୍ରସ୍ତୁତ ହୋଇ ବସିଛନ୍ତି ।’’

 

‘‘ଆମ ମାଲିକମାନେ କିନ୍ତୁ ସେପରି ନୁହନ୍ତି । ସେମାନେ ମାନ୍ଦ୍ରାଜରେ ଥାଆନ୍ତି । ସେମାନଙ୍କର ଏକ ଗୋପନୀୟ ନିର୍ଦ୍ଦେଶ ଅଛି । ଅବଶ୍ୟ ଆପଣଙ୍କ ପାଖରେ କମ୍ପାନୀର କୌଣସି ପ୍ରସଙ୍ଗ ଗୋପନୀୟ ନୁହେଁ । ନିର୍ଦ୍ଦେଶ ହେଉଛି ଏହି ଯେ କମ୍ପାନୀର ଯାହା ନିଟ୍‌ ଲାଭ ହେବ ସେଥିରୁ ଯେତିକି ଟଙ୍କା ଏଠି ଖଟାଯାଇଛି ତା’ରି ସୁଧ ଏବଂ ଯନ୍ତ୍ରପାତିର ଯେତିକି ମୂଲ୍ୟ କମିଲା ତାହା ବାଦ୍‍ ଯାଇ ବଳକା ଅର୍ଥ ସବୁ କମ୍ପାନୀର ତଳିଆ କର୍ମଚାରୀଙ୍କ ପାଇଁ ବ୍ୟୟ କରାଯିବ ।’’

 

‘‘ଏହା ତ ଏକ ଆଦର୍ଶ ବ୍ୟବସ୍ଥା । ବୋଧହୁଏ ପୃଥିବୀର ଅନ୍ୟକୌଣସି କମ୍ପାନୀର ଏ ବ୍ୟବସ୍ଥା ଥିବ ବୋଲି ମୁଁ ଜାଣେନା ।’’

 

‘‘ଅନ୍ୟ କେଉଁଠି ଅଛି କି ନା ଜାଣିବା ଆମର ବା କ’ଣ ଦରକାର ? ଆମ କମ୍ପାନୀର ଏହାହିଁ ନିର୍ଦ୍ଦେଶ । ସେଇ ମାଲିକମାନଙ୍କର ମାନ୍ଦ୍ରାଜରେ ଅନେକ କାରଖାନା ଅଛି । ସେଠି ଏହା ଅନୁସୃତ ହୁଏ କି ନା ତା’ ମଧ୍ୟ ମୁଁ କହିପାରିବି ନାହିଁ । ମୁଁ କେବେ ଜାଣିବାକୁ ଚେଷ୍ଟା କରିନାହିଁ, ଚେଷ୍ଟା କରିବାର ଆବଶ୍ୟକତା ମଧ୍ୟ ପଡ଼ିନାହିଁ, ସେଇଥିପାଇଁ ।’’

 

‘‘ଆପଣମାନେ ଏହି ଯେଉଁ ଆଦର୍ଶ ସୃଷ୍ଟି କଲେଣି ତାହା କ୍ରମଶଃ ସଂକ୍ରମିତ ହୋଇଯାଇପାରେ । ଯେଣୁ ଆମକୁ ଆଗହୁଁ ସାବଧାନ ହେବାକୁ ପଡ଼ିବ । ନାଁ କ’ଣ ?’’ ଏହା କହି ନୃସିଂହ ପୁଣିଥରେ ହସିଲେ । ତାଙ୍କ ମୁହଁରୁ ପୁଣି ଭସ୍‌ ଭସ୍‌ ହୋଇ ଜଳୀୟବାଷ୍ପ ବାହାରିବାରେ ଲାଗିଲା ଏବଂ ଏହା ଏ ଥରକ ଅଲେଖଙ୍କୁ ସେତେ ଭଲ ଲାଗିଲା ନାହିଁ । ସେ ଯାହାହେଉ ।

 

ଅଲେଖ ଇତିମଧ୍ୟରେ ତାଙ୍କ ଘଡ଼ିକୁ ଚାହିଁଲେ । ସମୟ ଆଠଟା ପ୍ରାୟ । ତେଣୁ ତାଙ୍କୁ ବାଥ୍‌ରୁମ୍‌କୁ ଯିବାକୁ ପଡ଼ିବ । ନୃସିଂହ ମଧ୍ୟ ଜାଣିଲାଭଳି ଉଠିପଡ଼ିଲେ । ଅଲେଖ ଉଠିଲେ ଏବଂ ଦିଗ ବଦଳାଇ ଠିଆ ହୋଇ ଅନ୍ୟ ଏକ ଝରକା ଦେଇ ବାହାରକୁ ଚାହିଁଲେ । ସେଇ ଝରକା ଦେଇ ଦେଖାଯାଉଥିବା ସହରର ଅଂଶଟି ଶୀତସକାଳର ପରିପକ୍ୱତା ସତ୍ତ୍ୱେ କୁହୁଡ଼ିଆ ଦେଖାଯାଉଥିଲେ-। ନଡ଼ିଆ ଗଛ, ଅନ୍ୟକେତେ କିସମର ଗଛ, ବିଭିନ୍ନ ପ୍ରକାରର ବିଭିନ୍ନ ଆକାରର ଘର ସବୁ–ଶୂନ୍‌ ଛାତର ପକ୍‌କା, ଟାଇଲ ବା ଚାଳଘର ସବୁ । କେତେକ ଦୋମହଲ ଘର ମଧ୍ୟ ଅଛି-। ସହରର ଯେଉଁ ରାସ୍ତାର କିୟଦଂଶ ଦେଖାଯାଉଥାଏ ଏବଂ ତା’ର ଖାଲିଥିବା ଅଂଶ ମଧ୍ୟ । ସେହି ଅଂଶରେ ଅଧିକ ଗାଡ଼ି, ମଟର, ରିକ୍‌ସା ଓ ପଦଯାତ୍ରୀମାନେ ଯିବା ଆସିବା କଲେଣି ।

 

ଖରାର ତେଜ ସହିତ ଦିନର କାର୍ଯ୍ୟକଳାପ ସବୁ ଅଧିକରୁ ଅଧିକ ବଢ଼ିବାରେ ଲାଗିଗଲାଣି । ଅଲେଖ ନିଜ ଭିତରେ ସେହି କର୍ମପ୍ରବଣତାର ସୁରାକ ପାଇଲେ । ‘‘ମୁଁ ତା’ହେଲେ ଆସୁଛି ।’’ ଏତିକି କହି ନୃସିଂହ ପାହାଚ ଦେଇ ଓହ୍ଲାଇ ଗଲେ । ସେ ଓହ୍ଲାଇ ଯାଉଥିଲାବେଳେ ତାଙ୍କ ଯୋତାର ପଦଶବ୍ଦ ଶୁଭୁଥିଲା ଏବଂ ତାହା କ୍ରମଶଃ କ୍ଷୀଣରୁ କ୍ଷୀଣତର ହୋଇ ଯାଉଥିଲା ।

 

ଅଲେଖ ଦେହରେ ପକେଇଥିବା ଶାଲ୍‍ କାଢ଼ିଦେଲେ ଏବଂ ଗାଧୁଆ ଘରକୁ ଯିବା ଲୁଗାପଟା ପିନ୍ଧି ଗାଧୁଆ ଘର ଭିତରକୁ ପଶିଗଲେ । ସେଇ ଘରଟି ଯେଭଳି ତାଙ୍କର ଏକାନ୍ତ ନିଜର ସେହିଭଳି କ୍ଷିପ୍ରଗତିରେ ଅଲେଖ ସେ ଘର ଭିତରକୁ ପଶିଗଲେ । ସେ ଘରଟିର ଦରଜା ଝରକା ସବୁ ତାଙ୍କର ବାଳକ ନିତ୍ୟାନନ୍ଦ ଦିନ ଥାଉଁ ଥାଉଁ ବନ୍ଦ କରିଦେଇଥାଏ । ତେଣୁ ତା’ ଭିତରେ ଏକ ଆରାମଦାୟକ ବାୟୁମଣ୍ଡଳ ଅଲେଖଙ୍କୁ ମିଳିଗଲା ।

 

କାରଖାନା । ଏହା ଭିତରେ ତିନିମାସ ହୋଇଗଲାଣି । ସକାଳ ଦଶଟା ସମୟ । ଶୀତ ଚାଲିଯାଉଛି, ବସନ୍ତ ଆସୁଛି । ବାଁ ଓ ଡାହାଣ ପାଖରେ ଝରକା ସବୁ ଖୋଲା ରଖିବାକୁ ଅଲେଖଙ୍କର ନିର୍ଦ୍ଦେଶ ଥାଏ । ପର୍ଦ୍ଦାଗୁଡ଼ିକ ଅପରିଷ୍କୃତ ହୋଇଥାଆନ୍ତି । ସେଇ ଝରକାମାନଙ୍କ ଦେଇ ଅଲେଖ ବଗିଚାମାନଙ୍କୁ ଦେଖିଲେ । ସେ ପଗଡ଼ି ଭିଡ଼ିଥିବା ମାଳୀ ମଧ୍ୟ ଦୁଇ ଚାରିଥର ଏପାଖ ସେପାଖ ହେବା ଲକ୍ଷ୍ୟ କଲେ ଅଲେଖ । ମଇଳା ଗାମୁଛାର ପଗଡ଼ି । କିନ୍ତୁ ବଡ଼ ଯତ୍ନର ସହିତ ତାହା ବନ୍ଧା ହୋଇଛି । ମାଳୀଟିର ବୟସ ଚାଳିଶ ନିଶ୍ଚିତ ଟପିଲାଣି । କିନ୍ତୁ ତା’ ଦେହରୁ ଜ୍ୟୋତି ବାହାରୁଛି ଯେପରି । ହୋଇପାରେ, ସେ ସବୁବେଳେ ଜୀବନ୍ତ ସବୁଜିମା ସହିତ ସମ୍ପୃକ୍ତ ଥିବାରୁ ତା’ର ଏଭଳି ସ୍ଫୂର୍ତ୍ତି ।

 

ସେହି ଜୀବନ୍ତ ସବୁଜିମା ଏବଂ ବସନ୍ତ ଆଗମନରେ ଉତ୍‌ଫୁଲ୍ଲି ଉଠୁଥିବା ବଗିଚା ଅଲେଖଙ୍କୁ କେତେ ମିନିଟ ହେବ ଆବିଷ୍ଟ କରି ରଖିଛି । ଜୀବନ ରହିଲେହିଁ ସବୁ ଜୀବନ୍ତ ଏବଂ ଋତୁର ସ୍ପର୍ଶରେ ଯାହା ପରିବର୍ତ୍ତିତ ହୁଏ ତାହାହିଁ ଜୀବନ ।

 

ଅଲେଖ ଏହି ମୌଳିକ ଦର୍ଶନର ଦଂଶନ ଅନୁଭବ କରୁଥିଲେ । ଇତ୍ୟବସରରେ ସେ ଏ.ଏମ୍‌.ଆଇ.ଇ ପାସ୍‍ କରିଛନ୍ତି । କାରଖାନାର ପ୍ରଭୂତ ଉନ୍ନତି ହୋଇଛି । ଗତବର୍ଷ ଏହି ସମୟରେ ଯାହା କମ୍ପାନୀର ବ୍ୟବସାୟ ଥିଲା ଏବର୍ଷ ତାହା ଦ୍ୱିଗୁଣିତ ହୋଇଛି । ବିଦେଶରେ କମ୍ପାନୀ ପ୍ରସ୍ତୁତ ଜିନିଷର ବଜାର ସୃଷ୍ଟି କରିବା ପାଇଁ ବିଦେଶ ଭ୍ରମଣରେ ଯିବାକୁ ଅଲେଖଙ୍କ ପାଖକୁ ମାନ୍ଦ୍ରାଜରୁ ଏକ ଗୋପନୀୟ ଚିଠି ଆସିଛି । ଶ୍ରମିକମାନଙ୍କର ମଜୁରୀ ଦେଢ଼ଗୁଣ ହୋଇଛି । ଏହାଭିତରେ କାରଖାନାର ଇଞ୍ଜିନିଅରମାନଙ୍କୁ ଶହେଟଙ୍କା କରି ଅଧିକ ଦରମା ଦିଆ ଯାଇଛି । ଅଲେଖ କିନ୍ତୁ ନିଜପାଇଁ ପିଅନଟିଏ ରଖିବାର ପ୍ରସ୍ତାବ ଦେଇନାହାନ୍ତି, କିମ୍ବା ନିଜ ଦରମା ବଢ଼ିବାର କୌଣସି ସୂଚନା ଦେଇନାହାନ୍ତି । କାରଖାନା କର୍ତ୍ତୃପକ୍ଷ ଇତି ମଧ୍ୟରେ ତାଙ୍କୁ ବିଦେଶ ଯାଇ କାରଖାନାର ପ୍ରସ୍ତୁତ ଦ୍ରବ୍ୟପାଇଁ ବଜାର ଠିକ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇସାରିଲେଣି ।

 

ଅଲେଖ କିନ୍ତୁ ଭାବୁଛନ୍ତି, ଯଦି ସେ କାରଖାନାରେ ପ୍ରସ୍ତୁତ ଦ୍ରବ୍ୟର ଗୁଣ ବୃଦ୍ଧି କରିଦେବେ ବିଦେଶ ଯାଇ ଯୋଗାଡ଼ ଯନ୍ତ୍ର କରିବାର ଆବଶ୍ୟକତା ପଡ଼ିବ ନାହିଁ । ସେଥିପାଇଁ ବିଦେଶରେ ଏଜେଣ୍ଟ ନିଯୁକ୍ତ କରିଦେଲେ ଚଳିଯିବ ।

 

ଅଲେଖ ସେଇଥି ପାଇଁ ନିଜେ ତାଙ୍କ ବିଦ୍ୟାରେ ସାରାପୃଥିବୀରେ ପ୍ରକାଶ ପାଉଥିବା ଇଞ୍ଜିନିୟରିଂ ବହିସବୁ ଅଣେଇ ପଢ଼ୁଛନ୍ତି ଏବଂ ପଢ଼ିସାରି କାରଖାନାରେ ଅଳ୍ପଦିନ ହେବ ଖୋଲାଯାଇଥିବା ଏକ ପୁସ୍ତକାଳୟରେ ତାକୁ ଦେଇ ଦେଉଛନ୍ତି । କାରଖାନାର ସବୁ ଇଞ୍ଜିନିୟରମାନଙ୍କୁ ଦୈନିକ ଅପରାହ୍ନ ୫ଟାବେଳେ ଏକ ବୈଠକରେ ସମ୍ମିଳିତ କରାଯାଉଛି । ଅପରାହ୍ନ ଚା’ପାନ କମ୍ପାନୀ ତରଫରୁ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଆଲୋଚନା କରିବାପାଇଁ ବିଶେଷ କିଛି ନ ଥିଲେ ସୁଦ୍ଧା କମ୍ପାନୀର ଉଚ୍ଚ କର୍ମକର୍ତ୍ତାମାନେ ଏକତ୍ର ହେଲେ ପରସ୍ପର ଭିତରେ ସୌହାର୍ଦ୍ଦ ଏବଂ ପାରିବାରିକ ଭାବ ବୃଦ୍ଧିପାଏ, ସେଇଥିପାଇଁ ଅଲେଖ ଏ ବ୍ୟବସ୍ଥା କରିଛନ୍ତି ।

 

ଏହି ବ୍ୟବସ୍ଥା କରି ଅଲେଖ ଅତି ସତର୍କତାର ସହିତ ଲକ୍ଷ୍ୟ କରୁଛନ୍ତି ଯେ ତାଙ୍କ କମ୍ପାନୀରେ ଥିବା ୮ଜଣ ଇଞ୍ଜିନିୟରଙ୍କ ମଧ୍ୟରୁ କାହାକୁ ଆସିଷ୍ଟାଣ୍ଡ ମେନେଜର କରାଯାଇପାରିବ ।

 

ଅଶୋକ ସାହୁ ସେଥିପାଇଁ ଉପଯୁକ୍ତ ବ୍ୟକ୍ତିବୋଲି ଅଲେଖ ମନେ ମନେ ଭାବି ସାରିଛନ୍ତି । ସେ ମଧ୍ୟ ସମସ୍ତଙ୍କଠାରୁ ଆକସ୍ମିକଭାବେ ସିନିଅର । ଅଶୋକ ମଧ୍ୟ ବାପମାଙ୍କର ଗୋଟିଏ ସନ୍ତାନ ।

 

ତାଙ୍କର ବାପା ବ୍ୟବସାୟ କରନ୍ତି, କିନ୍ତୁ ନୃସିଂହଙ୍କ ଭଳି ଧାର୍ମିକ ବ୍ୟବସାୟୀ–ଧନ ଅର୍ଜିଣ ଧର୍ମ କରି, ଧର୍ମେ ପ୍ରାପତ ନରହରି । ଅଶୋକ ସାହୁ ମଧ୍ୟ କାରଖାନାର ଅନ୍ୟ ଇଞ୍ଜିନିୟରଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି । ନିଜେ କୌଣସି ମାଦକ ଦ୍ରବ୍ୟ ସେବନ କରନ୍ତି ନାହିଁ । ଅତ୍ୟନ୍ତ ଧର୍ମପ୍ରାଣ ବ୍ୟକ୍ତି ।

 

ଅଲେଖ ଏଭଳି ଅନୁସନ୍ଧାନ ଚଳାଇବାର ଉଦ୍ଦେଶ୍ୟ ଏହା ନୁହେଁ ଯେ ମ୍ୟାନେଜର କାର୍ଯ୍ୟ ତାଙ୍କୁ ଭଲ ଲାଗୁନାହିଁ ବା ତାଙ୍କୁ ବଳେଇ ପଡ଼ୁଛି । ସେ ଇଚ୍ଛା କରୁଛନ୍ତି ଯେ ମ୍ୟାନେଜରଙ୍କର ଯେଭଳି ଅଧିକାଂଶ କାର୍ଯ୍ୟ ଖାଲି ଦସ୍ତଖତ କରିବା, ସେ କାର୍ଯ୍ୟ ଯଦି ଆସିଷ୍ଟାଣ୍ଡ ମ୍ୟାନେଜର କରି ଦିଅନ୍ତେ, ତା’ହେଲେ ଅଲେଖ ଯାଇ ମେସିନଗୁଡ଼ିକ ସାଙ୍ଗରେ ଲାଗନ୍ତେ । ଆପ୍ରନ୍‌ ପିନ୍ଧି ହାତ କଳା କରନ୍ତେ, ଏବଂ ଅସାବଧାନତା ଯୋଗୁଁ ମୁହଁରେ ମଧ୍ୟ କଳା ଲାଗନ୍ତା । ଏହାହିଁ ଜଣେ ଇଞ୍ଜିନିୟରର ସ୍ୱପ୍ନ । ଅଲେଖଙ୍କ ଆଖିଆଗରେ ତାଙ୍କ କାରଖାନାର ଇଞ୍ଜିନ ଓ ଲେଦ୍‌ସବୁ ଜୀବନ୍ତ ହୋଇ ଠିଆ ହୋଇଯାଆନ୍ତି, କଥା କୁହନ୍ତି, ପରିହାସ କରନ୍ତି ।

 

ଅଲେଖ ମନେମନେ ସେମାନଙ୍କ ସହିତ ହାତ ମିଳାନ୍ତି, ପିଠି ଥାପୁଡ଼ାନ୍ତି । ସେଇ ଛାତ୍ରଜୀବନ, ସେଇ ଟ୍ରେନିଂ ଜୀବନକୁ ଫେରିଯିବାକୁ ଅଲେଖଙ୍କ ଆଗ୍ରହ ପ୍ରବଳ । ସେ ତାଙ୍କର ଏହି ଅବଦମିତ ଇଚ୍ଛା ସମ୍ପର୍କରେ ନିଜଠାରୁ ଅଲଗା ହୋଇ ଭାବନ୍ତି । ଏହା ଏକ ପିଲାଳିଆ ଇଚ୍ଛା । କିନ୍ତୁ ପରିଚାଳନା ମହଲରେ ଅଲେଖ ନାଁ କରିଛନ୍ତି । ଶ୍ରମିକମାନେ ତାଙ୍କ ଉପରେ ଖୁସି । ଇଞ୍ଜିନିୟରିଂ ବିଦ୍ୟାରେ ସେ ଉଚ୍ଚ ଡିଗ୍ରୀ ହାସଲ କରିଛନ୍ତି । ସରକାରୀ ମହଲରେ ବ୍ୟକ୍ତିଗତ ଭାବରେ ନହେଲେ ସୁଦ୍ଧା ଟେଲିଫୋନରେ ସେ ଖୁବ୍‌ ପରିଚିତ । ଶିଳ୍ପ କ୍ଷେତ୍ରରେ ଜଣେ ଭଲ ପରିଚାଳକ ହିସାବରେ ତାଙ୍କର ଖ୍ୟାତି ଅଛି । ଏ ସବୁ ଏକ ବାସ୍ତବବାଦୀ ବିଶ୍ଳେଷଣ ।

 

କିନ୍ତୁ ମନସ୍ତାତ୍ତ୍ୱିକ ସ୍ତରରେ ସେ ଯେଭଳି ସାନ ପିଲାଟିଏ । ସେ ଚାହୁଁଛନ୍ତି ଫେରିଯିବାକୁ ପୁଣି ସେହି ମେସିନମାନଙ୍କ ପାଖକୁ, ଯେଉଁମାନେ ତାଙ୍କ ସହିତ କଥା କହିବେ ଏବଂ ଏକ କାଳ୍ପନିକ ହାତରେ ତାଙ୍କ ଗାଲରେ, ଦେହରେ କୌତୁକରେ କଳା ବୋଳିବେ । ଅଲେଖ ତାଙ୍କ ସାଙ୍ଗରେ ମନେ ମନେ ଥଟ୍ଟା କରିବେ, ପରିହାସ କରିବେ । ଦିନର କର୍ମମୟ ଜୀବନରେ ଅଲେଖ ପାଇବେ ଖୁବ୍‌ ଶାନ୍ତି ।

 

ଘଟଣା କ’ଣ ହୋଇଛି ଅଲେଖଙ୍କୁ କିଛି ଅଜଣା ନ ଥିଲା । ସେ ଦିନଯାକ ପ୍ରାୟ ସମସ୍ତେ ସମୟ କାରଖାନାରେ କଟାଉଛନ୍ତି । ପୃଷ୍ଠଭୂମିରେ କାରଖାନାରେ ମେସିନ ଚାଲିବା ଶବ୍ଦ, ଟିଣ ଚଦର ପିଟା ହେବା ଶବ୍ଦ ଶୁଣିଶୁଣି ସେ କ୍ଳାନ୍ତ ଏବଂ ବିରକ୍ତ ହୋଇ ପଡ଼ିବା ସ୍ୱାଭାବିକ । କେବଳ ଅଲେଖଙ୍କର ସେଭଳି ଶୃଙ୍ଖଳାଜ୍ଞାନ ଥିବାରୁ ସେଥିରେ ସେ ବିବ୍ରତ ବା ବିରକ୍ତ ହେଉନାହାନ୍ତି ।

 

ଅଲେଖ ଭାବିଲେ, ତାଙ୍କର ଧନ୍ଦା ବ୍ୟତୀତ ଅନ୍ୟକିଛି କାର୍ଯ୍ୟ ନାହିଁ, ଯେଉଁଥିରେ ତାଙ୍କ ବଳକା ସମୟ ଦେଇ ସେ ନିଜର ଗ୍ଳାନି ମେଣ୍ଟେଇବେ । ସେ ଧନ୍ଦା ବାହାରେ କୌଣସି ଏକ ଆକର୍ଷଣ ପାଇଁ ଅନେକ ସମୟରେ ଚିନ୍ତା କରିଛନ୍ତି । କ୍ଲବ୍‌ମାନଙ୍କରେ ସଭ୍ୟ ହେଲେ ବାପାଙ୍କ କାନକୁ କଥା ଯିବ । ବାପାଙ୍କ ରକ୍ଷଣଶୀଳତାକୁ ସେ ଅସ୍ୱୀକାର କରିବେ ନାହିଁ ବୋଲି ମନସ୍ଥ କରିଛନ୍ତି । ସେଇଥିପାଇଁ ସେ କମ୍ପାନୀ ଗାଡ଼ି ବା ଦାମୀ କ୍ୱାଟରର ବ୍ୟବସ୍ଥା କରିନାହାନ୍ତି । ତାଙ୍କ କମ୍ପାନୀ ସହିତ ଯେଉଁ କମ୍ପାନୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେହି କମ୍ପାନୀର କର୍ମକର୍ତ୍ତାମାନେ ତାଙ୍କ ପଛରେ ଏଇଥି ପାଇଁ ଅସହିଷ୍ଣୁଭାବେ ସମାଲୋଚନା କରନ୍ତି । ସେ କୁଆଡ଼େ ମଫସଲି । ଗାଡ଼ିରେ ବସିଲେ ତାଙ୍କର କୁଆଡ଼େ ମୁଣ୍ଡ ବୁଲାଏ । ଭଲ କ୍ୱାଟରରେ ରହିଲେ କୁଆଡ଼େ ତାଙ୍କୁ ଅସଜ ଲାଗିବ, ଇତ୍ୟାଦି । ସେକଥା ଲୋକେ ଶୁଣିଆସି ଅଲେଖଙ୍କୁ କହନ୍ତି । ଅଲେଖ ସେଥିରେ ସାମାନ୍ୟ ହସନ୍ତି ମାତ୍ର । ସେ କେବଳ କମ୍ପାନୀର କର୍ମକର୍ତ୍ତାମାନଙ୍କ ପାଖରେ ଦାୟୀ । ସେମାନେ ପ୍ରତିଦିନ ଅଧିକରୁ ଅଧିକ ଖୁସି ହେଉଛନ୍ତି । ତେଣୁ ଅଲେଖ ସବୁକଥା ଭୁଲି ଯାଆନ୍ତି ।

Unknown

 

ଅଲେଖଙ୍କର କ୍ରମଶଃ ମନେହେଉଥାଏ । ସେ ଯଦି କାରଖାନା ଭିତରକୁ ଯାଇ କ୍ଷେତ୍ରଉପରେ କାର୍ଯ୍ୟ କରନ୍ତେ, ତା’ହେଲେ ତାଙ୍କର ମନ ଅଧିକ ପ୍ରଫୁଲ୍ଲ ରହନ୍ତା ।

 

ମନଭଳି ବସ୍ତୁଟିକୁ ଅଲେଖ ଆଉ ଟିକିଏ ଉପରସ୍ତରରୁ ବିଶ୍ଳେଷଣ କରନ୍ତି । ଏହା ଏକ ଆରାମଦାୟକ ପ୍ରକ୍ରିୟା । ‘‘ଡାକ୍ତର, ନିଜକୁ ଆଗ ନିରାମୟ କର ।’’ ଏହାହିଁ ଏକ ଇଂରାଜୀ ପ୍ରବଚନ-

 

ନିଜ ଭିତରୁ ବାହାରି ଯାଇ ନିଜକୁ ବିଶ୍ଳେଷଣ କରିବା ଏକ ବିଚିତ୍ର ପ୍ରକ୍ରିୟା । ଅଲେଖ ଏହି ପ୍ରକ୍ରିୟାରେ ନିଜକୁ ସଂଶୋଧନ କରିଛନ୍ତି...ନିଜକୁ ଗଢ଼ିଛନ୍ତି । ତାଙ୍କ ହେତୁ ପାଇଲା ଦିନଠାରୁ କୌଣସି ପ୍ରକାରେ ସେ ଏ ପ୍ରକ୍ରିୟାର ଜାଲଭିତରକୁ ଆସି ଯାଇଛନ୍ତି । ସେ ସବୁବେଳେ ମନେ କରି ଆସିଛନ୍ତି ଯେ ଏହା ତାଙ୍କ ପିତୃମାତୃ ପ୍ରଦତ୍ତ ମନର ଏକ ସ୍ୱତଃସ୍ପୃର୍ତ୍ତ ବିକାଶ । ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ମଧ୍ୟ ଏହା ପାଖାପାଖି ସତ । ପିତୃମାତୃ ପ୍ରଦତ୍ତ ମନ, ଦେହର ପ୍ରକ୍ରିୟା ଏବଂ ପାରିପାର୍ଶ୍ୱିକ ଅବସ୍ଥାର ସଂଘାତରେ ଭବିଷ୍ୟତ ମନ ପ୍ରଭାବିତ ହୁଏ, ବାଟ ଧରେ ଏବଂ ଗଢ଼ି ମଧ୍ୟ ହୁଏ । ଏହାହିଁ ସତ୍ୟର ନିକଟତର । ସେ ଯାହାହେଉ ।

 

ବସିବାଘର ତିଆରି ହେବାଦିନଠାରୁ କେବଳ ନୃସିଂହ ହିଁ ସେ ଘରର ବ୍ୟବହାର କରୁଛନ୍ତି ଯେପରି । ସେଇ କଥା ନୃସିଂହବାବୁ କହିଲେ, ‘‘ଆପଣଙ୍କଠାରୁ ମୁଁ ଯାହା ଶୁଣିଛି, କେବଳ ମୁଁ ଏଇଠି ଆସି ଏପର୍ଯ୍ୟନ୍ତ ବସୁଛି । ବର୍ଷଟିଏ ଏହା ଭିତରେ ହୋଇଗଲାଣି । ମୁଁ ଆଶା କରୁଥିଲି ଏହା ଭିତରେ କେତେବେଳେ ବଡ଼ଲୋକ ଆସିବେ । କିନ୍ତୁ....

 

‘‘ଆପଣ କ’ଣ ବଡ଼ଲୋକ ନୁହନ୍ତି କି ? ପ୍ରବଚନ ଅଛି, କସ୍ତୁରୀ ମୃଗ ଜାଣିପାରେନାହିଁ ଯେ ତା’ ନାଭିରେ କସ୍ତୁରୀ ଅଛି ବୋଲି ।’’

 

‘‘ଆପଣ ତା’ହେଲେ ମୃଗ ସହିତ ମୋତେ ତୁଳନା କଲେ । ମୃଗ ତ ଏକ ଶୀକାରର ଜୀବ । ଜାଲ ଖଞ୍ଜାଯାଇ ମୃଗ ଧରାଯାଆନ୍ତି । ତା’ହେଲେ ତ ଏ ବସିବା ଘରକୁ ଆମେ ଜାଲ କହିପାରିବା !’’ ଏଇ କଥା କେଇପଦ ନୃସିଂହଙ୍କୁ ତ ହସେଇଲା, ଯୁଗପତ୍‌ ଅଲେଖ ମଧ୍ୟ ହସି ଉଠିଲେ । ନୃସିଂହ ଟିକିଏ ସମ୍ଭଳା ପଡ଼ି କହିଲେ, ‘‘ମୃଗ ସମ୍ପର୍କରେ ଏକ କବିତା ଶୁଣନ୍ତୁ, ପିଲାଦିନେ ଆମର ଜଣେ ପୂଜ୍ୟ ଶିକ୍ଷକ ଲେଖିଥିଲେ’’–

 

‘‘ନପାତି ବ୍ୟଗୁର ଶୋଇଲେ ନିଷାଦ

ଆପେ ଜାଲ ପାତି ପଡ଼େକି ମିରିଗ ।’’

 

କେଡ଼େ ଚମତ୍କାର କବିତା ! ‘‘ମାଲଗୋଦାମରେ ରହିଲା ଦିନଠାରୁ ମୁଁ ପଢ଼ାପଢ଼ି ଛାଡ଼ି ଦେଇଛି, ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମୁଁ ପ୍ରଥମ ଶ୍ରେଣୀରେ ମାଟ୍ରିକୁଲେଶନ୍‌ ଓ ଆଇ.ଏ. ପାସ୍‍ କରି ଇଂରାଜୀ ଅନର୍ସ ନେଇ ବି.ଏ. ପଢ଼ୁଥିଲି । ବାପାଙ୍କର ଦେହ ହଠାତ୍‌ ଖରାପ ହେଲା । ସେ ରକ୍ତଚାପରେ ଶଯ୍ୟାଶାୟୀ ହେଲେ । ମା’ ତ ଆଗରୁ ଚାଲିଯାଇଥିଲେ । ରକ୍ତଚାପ ଓ ମା’ଙ୍କୁ ବାରମ୍ୱାର ମନେପକେଇବାର ଯନ୍ତ୍ରଣା ଫଳରେ ବାପା ଖୁବ୍‌ କଷ୍ଟ ଭୋଗିଲେ । ସେତିକିବେଳେ ସେ ପାଠପଢ଼ା ଛାଡ଼ିଦେବାର ନିର୍ଦ୍ଦେଶ ଦେଲେ । ବାପାଙ୍କର ଗଦିକୁ ବୁଝାସୁଝା କରିବାପାଇଁ ମୋର କେହି ଭାଇ ନ ଥିଲେ । ଅଗତ୍ୟା ମୋତେ ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପକେଇବାକୁ ପଡ଼ିଲା ।’’

 

ନୃସିଂହ ତାଙ୍କ ପୂର୍ବନିର୍ଦ୍ଧାରିତ ଆସନରେ ପୂର୍ବକୁ ମୁହଁକରି ବସିଥିଲେ ଏବଂ ଶାଲ ଦେହରେ ପକେଇ ଅଲେଖ ତାଙ୍କ ସାମ୍ନାରେ ବସିଥିଲେ । ନିତ୍ୟାନନ୍ଦ କଫି ଆଣିଦେଲା । ଏ ଶୀତ ବର୍ଷକ ପରର ଶୀତ । ଏହାଭିତରେ ଅଲେଖଙ୍କର କମ୍ପାନୀ ବହୁତ ଅଗ୍ରଗତି କରିଛି ଏବଂ ଅଲେଖ କାରଖାନା ଭିତରେ କାର୍ଯ୍ୟ କରୁଛନ୍ତି । ନୃସିଂହଙ୍କ କାନରେ ଏଇକଥା ପଡ଼ିଥିଲା ଭଳି ସେ କହିଲେ, ‘‘ଆପଣଙ୍କର ପଦବୀ ଯାହା, ଆପଣ ବୋଧହୁଏ ଦିନକୁ କେତେଥର କାରଖାନା ପରିଦର୍ଶନ କରୁଥିବେ ।’’ ‘‘ନା ନା ମୁଁ ନିଜେ କାରଖାନାରେ ଏବେ କାର୍ଯ୍ୟ କରୁଛି । ଇଞ୍ଜିନିୟରିଂ ବିଦ୍ୟା ଧରି ଖାଲି ଅଫିସରେ ଦସ୍ତଖତ କରିବା ବଡ଼ ଯନ୍ତ୍ରଣା-ଦାୟକ । ଆପଣ ଯେମିତି ଇଂରାଜୀ ଅନର୍ସ ପାଠପଢ଼ି ମଧ୍ୟ ଗୋଦାମରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଯାଇଥିବାରୁ, ଆଜି କବିତା ଶୁଣେଇଲାବେଳେ ଆପଣଙ୍କର ସ୍ୱର ଭାରୀ ହୋଇ ଆସିଲା ।’’ ‘‘ତାହା ସତ, ତାହା ସତ ।’’ ନୃସିଂହ କଫି କପ୍‌ରୁ ଏଭଳି ବାରମ୍ୱାର କଫି ପିଇଲେ ଯେଉଁଥିରୁ ମନେହେଲା ତାଙ୍କ ମନରେ କିଛି ଗୋଟିଏ ଗ୍ଳାନି ରହିଯାଇଛି ।

 

‘‘ବର୍ତ୍ତମାନ ଚେଷ୍ଟାକଲେ ବି ମୁଁ ସେଇ ରାସ୍ତାକୁ ଫେରି ଆସିପାରୁନାହିଁ ଅଲେଖବାବୁ ! କାରଣ ମୋର ଯେତେଗୁଡ଼ିଏ ପିଲାଛୁଆ; ତାଙ୍କୁ ଯୋଗ୍ୟ କରିବାକୁ ମୁଁ ନୀତିଗତଭାବେ ଦାୟୀ । ସେହି ଦୃଷ୍ଟିରୁ ଅଧିକ ଅର୍ଥ ମୋର ଆବଶ୍ୟକ । ମୁଁ ସାହିତ୍ୟରେ ରହିଲେ ସେତେକ ମୋତେ ଯଦି ଯୁଟି ଯାଆନ୍ତା, ତା’ହେଲେ ମୁଁ ଗୋଦାମ ବନ୍ଦ କରିଦିଅନ୍ତି । କିନ୍ତୁ ତାହା ସମ୍ଭବ ନୁହେଁ, ତେଣୁ ମୋର ମତ ବିରୁଦ୍ଧରେ ମୁଁ ସ୍ୱାର୍ଥକୁ ଆଗରେ ରଖିବାକୁ ବାଧ୍ୟ ହେଉଛି ।’’–ନୃସିଂହ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଲେ । ‘‘ଏହାହିଁ ଏ ଦୁନିଆର ଚମତ୍କାରିତା । କିନ୍ତୁ ତା’ ସତ୍ତ୍ୱେ ମନଭିତରର ଏହି ଗ୍ଳାନିକୁ ସମ୍ଭାଳିନେବା ଉଚିତ । କାରଣ, ଏ ଦୁନିଆରେ ଚଳିବାପାଇଁ ଏକ ନିୟମ ଅଛି, ଏକ ରାସ୍ତା ଅଛି ଏବଂ ସେ ରାସ୍ତାରେ ଯେଭଳି ରେଳ ଧାରଣାଭଳି ସ୍ଥିରୀକୃତ ପଥ ନିର୍ଦ୍ଦିଷ୍ଟ ହୋଇଛି । ସେ ଯାହାହେଉ ।’’

 

ଶୀତଦିନ ସକାଳ ସାତଟାରେ ପ୍ରଚୁର କୁହୁଡ଼ି । ସକାଳର ସୂର୍ଯ୍ୟ ସେ କୁହୁଡ଼ିକୁ ଦୁର କରିବା ପାଇଁ ଉଦ୍ୟମ କରୁଛନ୍ତି । ଏବେ ଟିକିଏ ଅଧିକ ଶୀତ । ନୃସିଂହଙ୍କର ପୂରାହାତ ସ୍ୱେଟର ଉପରେ ସେ ଆଜି ଗୋଟାଏ ଶାଲ ମଧ୍ୟ ଘୋଡ଼େଇ ହୋଇଛନ୍ତି ।

 

ଅଲେଖ ପଶ୍ଚିମକୁ ମୁହଁକରି ବସିଛନ୍ତି ଏବଂ ଆଗ୍ରହର ସହିତ କଫି ପିଉଛନ୍ତି । ସେ ପଢ଼ାପଢ଼ି ସବୁଦିନେ ବଜାୟ ରଖିଛନ୍ତି । ଆଜି ମଧ୍ୟ ନୃସିଂହ ଆସିଲାବେଳକୁ ସେ ପଢ଼ାପଢ଼ିରେ ବ୍ୟସ୍ତଥିଲେ ।

 

ଅଲେଖଙ୍କର ମନେହେଲା ସେ ଯେପରି ନୃସିଂହଙ୍କର ଜଣେ ଦରଦୀ ସାଙ୍ଗ ହୋଇଯାଇଛନ୍ତି । ଏତେ ଧନୀ ଜଣେ ବ୍ୟବସାୟୀ କାହିଁକି ଯେ ଖାପଛଡ଼ା ଅନୁଭବ କରୁଛନ୍ତି, ସେ ବୁଝିପାରୁନଥିଲେ ।

 

ସେ ଯେତେବେଳେ ଡ୍ରଇଂରୁମ୍‌ ତିଆରି କରିବାର ପ୍ରସ୍ତାବ ଦେଇଥିଲେ ଏବଂ ପ୍ରସ୍ତାବ ଦେବାର ପନ୍ଦର ଦିନ ମଧ୍ୟରେ ଡ୍ରଇଂରୁମ୍‌ ମଧ୍ୟ ତିଆରି କରି ଦେଇଥିଲେ, ସେତେବେଳେ ମନେହେଉଥିଲା, କୌଣସି ଏକ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ନୃସିଂହ ଏ ବ୍ୟବସ୍ଥା କରୁଛନ୍ତି । ସେତେବେଳେ ଅନେକ ପ୍ରସଙ୍ଗ ଅଲେଖଙ୍କ ମନ ଭିତରକୁ ଆସିଯାଉଥିଲା । ଆଜି ମନେହେଉଛି ନୃସିଂହଙ୍କର ଏ ଅବଶୋଷ ପ୍ରକାଶ କରିବା ପାଇଁ ସେ ଯେପରି ଜଣେ ବନ୍ଧୁ ଖୋଜୁଥିଲେ । ଜୀବନ ସଂଗ୍ରାମର ଋକ୍ଷ ବାସ୍ତବତା ଆଗରେ ତାଙ୍କ ମନର ସରସତା ଯେ ଭାଙ୍ଗି ଯାଇଥିଲା, ତା’ରି ଇତିବୃତ୍ତ ପ୍ରକାଶ କରିବା ପାଇଁ ନୃସିଂହ ଯେଭଳି ଏକ ଦରଦୀ ବନ୍ଧୁ ଅନ୍ୱେଷଣରେ ବହୁଦିନରୁ ଥିଲେ । ସେ ଯାହାହେଉ ।

 

ଅନ୍ୟଦୃଷ୍ଟିରୁ ଦେଖିଲେ ନୃସିଂହଙ୍କ ପରିବାର ଏକ ସୁଖୀ ପରିବାର ଥିଲା । ତାଙ୍କର ଧର୍ମପତ୍ନୀ ମଧ୍ୟ ଜଣେ ସୁଗୃହିଣୀ । ସେ ମଧ୍ୟ ଖୁବ୍‌ ବୁଦ୍ଧିମତୀ ମହିଳା । ପାଠପଢ଼ିଲାବେଳେ ମେଟ୍ରିକୁଲେଶନରେ ସାରା ପ୍ରଦେଶରେ ସ୍ଥାନ ରଖି ସେ ପାସ୍‍ କରିଥିଲେ । ନୃସିଂହଙ୍କ ବାପା ବଞ୍ଚିଥିଲାବେଳେ ରେଣୁଦେବୀଙ୍କର ବିବାହ ହୋଇଥିଲା । ସେତେବେଳେ ରେଣୁଦେବୀ ଚିନ୍ତା କରିଥିଲେ ଜଣେ ମେଧାବୀ ଛାତ୍ରଙ୍କୁ ବିବାହ କରୁଛନ୍ତି ଯେତେବେଳେ, ବିବାହ ପରେ ନିଶ୍ଚିତଭାବେ ତାଙ୍କୁ ପାଠ ପଢ଼ିବାର ସୁଯୋଗ ମିଳିବ । ସେତେବେଳକୁ ନୃସିଂହବାବୁ ପାଠପଢ଼ା ଛାଡ଼ି ନ ଥିଲେ, ତାଙ୍କର ବାପା ସେତେବେଳକୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ଥିଲେ । ନୃସିଂହ ଆଶା କରିଥିଲେ ଜଣେ ଇଂରାଜୀ ଅଧ୍ୟାପକ ହେବେ । ସେତେବେଳେ ବିଭିନ୍ନ ପତ୍ରପତ୍ରିକାରେ ନୃସିଂହଙ୍କର ଲେଖାସବୁ ପ୍ରକାଶ ପାଉଥାଏ ।

 

ରେଣୁଦେବୀଙ୍କର ବାପା ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିଲେ । ସେ ମଧ୍ୟ ଛାତ୍ରଜୀବନରେ ଜଣେ ମେଧାବୀ ଛାତ୍ରଥିଲେ । ରେଣୁଦେବୀଙ୍କୁ ଅଧିକ ପାଠ ପଢ଼େଇବାର ଯୋଜନା ତାଙ୍କର ଥିଲା । କିନ୍ତୁ ନୃସିଂହଙ୍କ ଭଳି ଜଣେ ସୌମ୍ୟଦର୍ଶନ, ଧନୀ ଏବଂ ସତ୍‌ସ୍ୱଭାବର ଜାମାତା ଯେତେବେଳେ ତାଙ୍କୁ ମିଳିଗଲେ, ସେ ଆଉ ରେଣୁଦେବୀଙ୍କ ପାଠପଢ଼ାରେ ଅଧିକ ଗୁରୁତ୍ୱ ନ ଦେଇ ଝିଅର ବିବାହରେ ମନ ଦେଇଦେଲେ । ରେଣୁଦେବୀ ମଧ୍ୟ ନୃସିଂହଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ବ୍ୟବହାରରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତା କରିଦେଲେ ।

 

ରେଣୁଦେବୀଙ୍କର ପ୍ରଥମ କେତେବର୍ଷର ବୈବାହିକ ଜୀବନ ଆଦ୍ୟ ବିବହାର ସାବଲୀଳତା ଏବଂ ସରସତା ଭିତରେ କଟି ଯାଇଥିଲା ଏବଂ ସେ ସେତେବେଳେ ଦାମ୍ପତ୍ୟ ଜୀବନକୁ ହିଁ ଜୀବନର ସବୁଠାରୁ ବଳି ଶ୍ରେଷ୍ଠ ଅଧ୍ୟାୟ ବୋଲି ମନେକରିଥିଲେ । ପରବର୍ତ୍ତୀ ସମୟରେ, ଯେତେବେଳକୁ ରେଣୁଦେବୀ ଗୋଟିଏ ପୁଅ ଏବଂ ଦୁଇଟି ଝିଅଙ୍କର ଜନନୀ ହୋଇସାରିଥିଲେ, ତାଙ୍କ ଶ୍ୱଶୁରଙ୍କର ଦେହାନ୍ତ ହୋଇଗଲା ଏବଂ ସଂସାର ଜଞ୍ଜାଳରେ ସେ ଡୁବିଗଲେ ।

 

ତଥାପି ରେଣୁଦେବୀ ତାଙ୍କର ମନର ସରସତା ଭାଙ୍ଗି ନ ଥିଲେ । ସ୍ୱାମୀ ବ୍ୟବସାୟରେ ବାହାରି ଗଲାପରେ ଏବଂ ପିଲାମାନେ ସ୍କୁଲକୁ ଚାଲିଗଲାପରେ ସେ ଅନେକ ଧର୍ମଶାସ୍ତ୍ର ଅଧ୍ୟୟନ କରନ୍ତି । ଏ ସବୁ ନୃସିଂହ ନିୟମିତ ଯୋଗାଇ ଦେଇଥାଆନ୍ତି । ରେଣୁଦେବୀ କୌଣସି ପତ୍ର ପତ୍ରିକାରେ ଲେଖାଲେଖି ମଧ୍ୟ କରନ୍ତି ।

 

ନୃସିଂହ ତାଙ୍କ କଲେଜ ଜୀବନରେ ଜଣେ ପ୍ରତିଷ୍ଠିତ ଯୁବକବି ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବ୍ୟବସାୟରେ ଏଭଳି ଛନ୍ଦି ହୋଇଗଲେ ଯେ ତାଙ୍କୁ କବିତା ଲେଖିବା ପାଇଁ ସମୟ ଆଦୌ ମିଳିଲା ନାହିଁ ।

 

ସକାଳର ଏହି ସମୟ ସେ କବିତା ଲେଖିବାରେ ସେ ବ୍ୟୟ କରିପାରନ୍ତେ । କିନ୍ତୁ ତାଙ୍କ ବ୍ୟବସାୟ ସହିତ କବିତା ବେଖାପ ଧରିବବୋଲି କିଭଳି ଏକ ଧାରଣା ତାଙ୍କ ମନକୁ ଗ୍ରାସ କରିଥିବାରୁ ସେ କବିତା ଲେଖିବାର ଧାରଣା କରିପାରୁନାହାନ୍ତି । ତାଙ୍କର ଅବଦମିତ ମନରେ ଏକ ବିକଳ୍ପ ପ୍ରସ୍ତାବ ମଧ୍ୟ ରହିଛି ।

 

ତାଙ୍କର ବଡ଼ପୁଅ ସେଭଳି ଭଲ ପଢ଼ୁନାହିଁ । ଅବଶ୍ୟ ଦ୍ୱିତୀୟ ଶ୍ରେଣୀରେ ସେ ପାସ୍‍ କରିଯିବ । ପୁଅକୁ କୌଣସି ଏକ ସମୟରେ ବ୍ୟବସାୟର ଦାୟିତ୍ୱ ଦେଇ ନୃସିଂହ ପୁଣି ସେହି ବୌଦ୍ଧିକ ରାଜ୍ୟକୁ ଫେରିଯିବେ ବୋଲି ତାଙ୍କ ମନରେ ଏକ ଅଭିଳାଷ ମଧ୍ୟ ରହିଛି ।

 

ନୃସିଂହ ତାଙ୍କ ବଡ଼ପୁଅ ମାନସ ପାଇଁ ବହୁତ ଉଦ୍ୟମ କରିଛନ୍ତି ଯେଭଳି ସେ ତା’ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବ । ନିଜେ ରେଣୁଦେବୀ ମଧ୍ୟ ତା’ ପାଇଁ ଖୁବ୍‌ ବ୍ୟସ୍ତ ହୋଇଛନ୍ତି ।

 

ମାନସର ଆଚାର ବ୍ୟବହାର ଖୁବ୍‌ ଉନ୍ନତ ଏବଂ ସେ ସୁସ୍ଥ ମନର ପିଲା । କିନ୍ତୁ ସେ ଯେଭଳି ରେଣୁଦେବୀ ଏବଂ ନୃସିଂହଙ୍କର ବ୍ୟବସାୟୀ ମନର ପ୍ରତିଫଳନ ନେଇ ଜନ୍ମ ହୋଇଛି । ତା’ର ବ୍ୟବସାୟୀ ବୁଦ୍ଧି ଖୁବ୍‌ । ଏଭଳିକି ତାକୁ ମାତ୍ର ଷୋହଳ ବର୍ଷ ହୋଇଥିଲେ ମଧ୍ୟ ସେ ମାଲଗୋଦାମର ଗଦିରେ ବସି ବ୍ୟବସାୟ କୌଣସି ପ୍ରକାରେ ଚଳେଇ ଦେବେ ବୋଲି ନୃସିଂହଙ୍କର ବିଶ୍ୱାସ ହୋଇଗଲାଣି ସେ ଯାହାହେଉ ମାସେ ପାଇଁ ଆଉ ସାତଆଠ ବର୍ଷ ଅପେକ୍ଷା କରିବାକୁ ହେବ ।

 

ନୃସିଂହଙ୍କର ଅନ୍ୟ ତିନିପୁଅ ଏବଂ ତିନିଝିଅ ଅତ୍ୟନ୍ତ ମେଧାବୀ । ସେମାନେ ତାଙ୍କ ନିଜ ନିଜ ଶ୍ରେଣୀରେ ଖାଲି ପ୍ରଥମ ସ୍ଥାନ ଅଧିକାର କରୁନାହାନ୍ତି, ଅଧିକ ବୁଦ୍ଧିର ପରିଚୟ ମଧ୍ୟ ଦେଉଛନ୍ତି-। ନୃସିଂହ ତେଣୁ ସୁଖୀ ଏବଂ ରେଣୁଦେବୀ ତେଣୁ ଅତ୍ୟନ୍ତ ସୁଖୀ । ଆଉ ସାତଆଠ ବର୍ଷର ସଂଗ୍ରାମ ପରେ ନୃସିଂହ ପୁଣି ନିଜ ବିଦ୍ୟାରାଜ୍ୟକୁ ଫେରିଯିବେ, ଏଇ ଚିନ୍ତାରେ ନୃସିଂହ ପୁଲକିତ ହେଉଥିଲେ-। ରେଣୁଦେବୀଙ୍କୁ ସେ ବହୁବାର ଏ କଥା ଶୁଣେଇବେ ବୋଲି ମନେ ମନେ ଚିନ୍ତା କରିଥିଲେ ସୁଦ୍ଧା ନୃସିଂହ ବହୁ କଷ୍ଟରେ ଏ ଚିନ୍ତାକୁ ମନରେ ଚାପି ରଖିଛନ୍ତି । ତାଙ୍କର ମନରେ ଅଛି ରେଣୁଦେବୀଙ୍କର ଯେଭଳି ମେଧା ଅଛି ଘରୋଇ ଭାବରେ ପଢ଼ାପଢ଼ି କଲେ ସେ ଜଣେ ଗ୍ରାଜୁଏଟ୍‌ ଅକ୍ଳେଶରେ ହୋଇପାରିବେ । ମନଥିଲେ ଉପାୟ ବଳେବଳେ ଆସେ । ସେ ଯାହାହେଉ-

 

ନୃସିଂହ ଏବଂ ଅଲେଖ ସାମ୍ନା ସାମ୍ନି ବସିଛନ୍ତି । ଘନକୁହୁଡ଼ି ଯୋଗୁଁ ବାହାରେ ଧୂଆଁଳିଆ ପରିବେଶ । ଘନ କୁହୁଡ଼ି ଉପରେ ଖସିପଡ଼ି ତାହା ପ୍ରଜ୍ଜ୍ୱଳିତ ହେଲାଭଳି ଦେଖାଯାଉଛି । ଆଉ ଘଣ୍ଟାକପରେ ଖରାର ତେଜ କୁହୁଡ଼ିକୁ ଅପସାରଣ କରିଦେବ । ନୃସିଂହ କଫି ଆଗ ପିଇ ସାରିଲେ-। ଅଲେଖ କଫି ପିଇସାରି ନାହାନ୍ତି ।

 

ଏହି ଅବସ୍ଥାରେ ନୃସିଂହ କହିବାକୁ ଆରମ୍ଭ କଲେ, ‘‘ପ୍ରଶାନ୍ତବାବୁ ଆସିଥିଲେ କି ? ପୂର୍ତ୍ତବିଭାଗର ଡେପୁଟି ସେକ୍ରେଟେରୀ ପ୍ରଶାନ୍ତ ତ୍ରିପାଠୀଙ୍କ ବିଷୟ ମୁଁ କହୁଛି ।’’

 

‘‘ତାଙ୍କ ସହିତ ଆପଣଙ୍କର ତ ପରିଚୟ ନାହିଁ ବୋଧହୁଏ ।’’

 

‘‘ପରିଚୟ କିଛିଦିନ ତଳେ ହୋଇଥିଲା । ମୁଁ କହୁନଥିଲି କି ଏହି ବସିବାଘର ତିଆରିର ଇତିବୃତ୍ତ । ମୁଁ ଏହାଭିତରେ ମୋର ରପ୍ତାନୀ ବ୍ୟପାର ନେଇ ଆମ ଡେପୁଟି ସେକ୍ରେଟେରୀ ରମାବାବୁଙ୍କ ପାଖକୁ ବାରମ୍ୱାର ଯାଏ । ହଠାତ୍‌ ଦିନେ ସେ ପ୍ରଶ୍ନକଲେ ଯେ ପ୍ରଶାନ୍ତବାବୁ ଏ ଆଡ଼େ ଆସୁଛନ୍ତି କି ନା ବୋଲି । ମୁଁ ସେ ଆଡ଼େ ଆସୁଛନ୍ତି କି ନା ବୋଲି । ମୁଁ ସେ ପ୍ରସଙ୍ଗରେ କିଛି କହିପାରିଲି ନାହିଁ । ତେଣୁ ସେହିଦିନ ରମାବାବୁଙ୍କ ପାଖରୁ ଫୋନ୍‌ କରାଇ ମୁଁ ତାଙ୍କ ପାଖରେ ପହଞ୍ଚିଥିଲି । ଅନେକ ସମୟ କଥାଭାଷା ହେଲା । ସେ ଆପଣଙ୍କ କମ୍ପାନୀ ବିଷୟ ତନ୍ନତନ୍ନ କରି ବୁଝିଲେ ଏବଂ ସେଉଠୁ ମୁଁ ଜାଣିଲି ଯେ ଆପଣଙ୍କ ବାପାଙ୍କ ସହିତ ସେ ପିଲାଦିନେ ଏକାଠି ପାଠପଢ଼ୁଥିଲେ । ଆପଣଙ୍କ ବାପାଙ୍କୁ ସେ ଖୁବ୍‌ ଶ୍ରଦ୍ଧା କରନ୍ତି ବୋଲି ତାଙ୍କ କଥାଭାଷାରୁ ମୁଁ ଜାଣିଲି-।’’

 

‘‘ପ୍ରଶାନ୍ତବାବୁ କାର୍ଯ୍ୟବ୍ୟସ୍ତରେ ଥିବେ । ପ୍ରମୋଶନ ପାଇ ଡେପୁଟି ସେକ୍ରେଟେରୀ ହୋଇଥିବାରୁ ତାଙ୍କ ବିଭାଗର ସମସ୍ତ ସମସ୍ୟାକୁ ସେ ତନ୍ନ ତନ୍ନ କରି ବିଚାର କରୁଥିବେ । ସେହି ହେତୁରୁ ତାଙ୍କ ଉପରେ ଖୁବ୍‌ ଦାୟିତ୍ୱ ଥିବ ବୋଲି ମୋର ମନେହେଉଛି । ଥରେ ଏମିତି ତାଙ୍କ ବନ୍ଧୁଙ୍କର ପୁଅକୁ ଦେଖିବାକୁ ସେ ଚାଲି ଆସିଲେ । ମୋତେ ସେଇ ସାକ୍ଷାତ୍‍ରୁ ଯାହା ମନେହେଲା, ସେ ଜଣେ ଅତ୍ୟନ୍ତ ଶୃଙ୍ଖଳାପ୍ରିୟ ବ୍ୟକ୍ତି । ସେହି ଦୃଷ୍ଟିରୁ ବନ୍ଧୁଙ୍କର ପୁଅଙ୍କୁ ଥରେ ଦେଖିଗଲେ ଯଥେଷ୍ଟ । ଏହିଭଳି ଭାବି ସେ ହୁଏତ ଆଉ ଆସୁ ନାହାନ୍ତି ।’’

 

ନୃସିଂହ ଏହି କଥାରେ ହୋ ହୋ ହୋଇ ହସି ଉଠିଲେ ।

 

ନୃସିଂହଙ୍କର ଏହି ହସ ଅଲେଖଙ୍କର ମନଭିତରେ ଥିବା ଟାଣ ହୋଇ ବନ୍ଧା ହୋଇଥିବା କେତେକ ତନ୍ତ୍ରୀକୁ ବେଦନାଦୟକଭାବେ ଝଙ୍କୃତ କରିଦେଲା ଯେପରି । ପ୍ରଥମ ଥର ପାଇଁ ଅଲେଖ ଏକ ଯନ୍ତ୍ରଣା ଅନୁଭବ କଲେ । କେଉଁଠି ? ମନରେ ? ହୃଦୟରେ ? ଚାରିଆଡ଼େ ଯନ୍ତ୍ରଣାର ସ୍ଥାନ ନିରୂପଣ କରିବା ପାଇଁ ଅଲେଖ ତାଙ୍କର ନୀରବତା ଭିତରେ ସମୟ ନେଲେ କିନ୍ତୁ ସେ ଯନ୍ତ୍ରଣାର ସ୍ଥାନ ସେ ନିରୂପଣ କରିପାରିଲେ ନାହିଁ ।

 

ସାମନା ଝରକା ବାଟଦେଇ ଦେଖା ଯାଉଥିବା ଆଲୋକିତ କୁହୁଡ଼ି ଏତେବେଳକୁ ବହୁ ଅଂଶରେ ଦୂରୀଭୁତ ହୋଇ ଗଲାଣି । ଘର ଭିତରେ ମଧ୍ୟ ସକାଳ ଆଠଟାର ଉଷୁମ ଆସ୍ତେ ଆସ୍ତେ ପ୍ରବେଶ କରିଗଲାଣି ।

 

ଅଲେଖଙ୍କର ଅବ୍ୟକ୍ତ ଯନ୍ତ୍ରଣା କେଉଁଠି କେଜାଣି ସେହିଭଳି ରହିଲା । ସେ ଅସ୍ୱାଭାବିକରୂପେ ଚୁପ୍‌ ପଡ଼ିଯାଇ ଯନ୍ତ୍ରଣାକୁ ନୀରବରେ ସହି ଯିବାକୁ ଲାଗିଲେ ଯେପରି ।

 

‘‘ମୋର ମନେହୁଏ ମୁଁ ଏକଥା କହି ଆପଣଙ୍କୁ ଆଘାତ ଦେଲି । ଯଦି ତାହା ହୋଇଥିବ ତା’ହେଲେ ମୋତେ କ୍ଷମା ଦେବେ ।’’

 

‘‘ଏଭଳି କାହିଁକି କହୁଛନ୍ତି । ମୁଁ ଆପଣଙ୍କଠାରୁ ବୟସରେ କେତେ ସାନ । ମୋ ପ୍ରତି ଆପଣ ଏହାଦ୍ୱାରା ନିର୍ଦ୍ଦୟ ହେଉଛନ୍ତି । କିଏ ଆସିଲା, କିଏ ନ ଆସିଲା, ସେଥିରେ ମୁଁ ବିବ୍ରତ ହେବା ଆପଣ କେବେ ଜାଣିଛନ୍ତି କି ?’’

 

‘‘ନାଇଁ ମ, ଆପଣଙ୍କ ସହିତ ରସିକତା କରିବା ପାଇଁ ଏ ପ୍ରସଙ୍ଗ ଉଠେଇଥିଲି । ହଉ ମୁଁ ଆସେ ।’’ ଏତକ କହିଦେଇ ନୃସିଂହ ବିଜୁଳି କରେଣ୍ଟ ଲାଗିଲାଭଳି ଚମକି ପଡ଼ି ଉଠିଲେ ।

 

ଅଲେଖ ମଧ୍ୟ ଉଠି ଠିଆ ହୋଇ ମୁହଁ ଟିକିଏ ପୂର୍ବକୁ କରି ଦେଖିନେଲେ ସକାଳ ସାଢ଼େ ଆଠଟାର ଅପସୃୟମାନ କୁହୁଡ଼ିକୁ । ନୃସିଂହ ଯେତେବେଳେ ନମସ୍କାର କଲେ (ଏବଂ ଅଲେଖ ଅଭ୍ୟାସବସତଃ ପ୍ରତି ନମସ୍କାର ଜଣେଇଲେ) ସେତେବେଳକୁ ଅଲେଖ ନୃସିଂହଙ୍କୁ ସିଧା ନ ଚାହିଁ ପୂର୍ବକୁ ଚାହିଁ ସକାଳର ସୂର୍ଯ୍ୟ ଏବଂ କୁହୁଡ଼ି ମଧ୍ୟରେ ଲାଗିଥିବା ପ୍ରତିଦ୍ୱନ୍ଦ୍ୱିତାକୁ ଦେଖୁଥିଲେ ।

 

ନୃସିଂହ ପାହାଚରେ ଭାରୀ ପଦକ୍ଷେପ ନେଇ ତଳକୁ ଓହ୍ଲାଇ ଗଲେ । ବସ୍ତୁତଃ ତାଙ୍କର ଗାଧୁଆ ପାଧୁଆ କରିବାର ବେଳ ହୋଇ ଆସିଥିଲା । ତେଣୁ ସେ ବିଦାୟ ନେଇଗଲେ କିନ୍ତୁ ଅଲେଖଙ୍କର ମନେହେଲା ଯେଭଳି ସେ ଏତଦ୍ଦ୍ୱାରା ତାଙ୍କର ଆଉ ପାଞ୍ଚମିନିଟ୍‌ ରହିବାକୁ ବାତିଲ କରିଦେଇ ଚାଲିଗଲେ ।

 

ନୃସିଂହ ଏବେ ସମ୍ପୂର୍ଣ୍ଣ ପୂର୍ବକୁ ମୁହଁକରି ସହରର ସେଇ ନିତି ପରିଚିତ ଅଂଶରେ ଲାଗି ରହିଥିବା କୁହୁଡ଼ିର ଆଭାସକୁ ଦେଖୁଥିଲେ । ସେଇ ବିଭିନ୍ନ ପ୍ରକାରର ଘର, ଗଛ ବୃକ୍ଷ ଏବଂ ରାସ୍ତାର କିୟଦଂଶ । ସହରଟା ଅତ୍ୟନ୍ତ ପୁରୁଣା । କିନ୍ତୁ ସକାଳେ ତାକୁ ଦେଖିଲେ ଅଲେଖଙ୍କୁ ନୂଆ ନୂଆ ଲାଗେ । ନିଜର କୌଣସି ମାନସିକ ଗ୍ଳାନିରୁ ବଞ୍ଚିବାପାଇଁ ସହରର ସେହି ଅଂଶକୁ ଆଶ୍ରା କରିବା ବ୍ୟତୀତ ଅଲେଖଙ୍କର ଅନ୍ୟ ଉପାୟ ନାହିଁ । ଅନ୍ୟ ଚାରିଆଡ଼େ ସାତଫୁଟ ଉଚ୍ଚର ବାଲକନୀ ଠିଆ ହୋଇଛି । ଅଲେଖ ତେଣୁ ପୂର୍ବକୁ ମୁହଁକରି ଠିଆ ହୋଇରହିଲେ । ଏ ଭିତରେ ତାଙ୍କର ଯନ୍ତ୍ରଣା ଖୁବ୍‌ ଧୀରେ ମାଡ଼ୁଛି । କେଉଁଠି ମାଡ଼ୁଛି । କେଉଁଆଡ଼େ ମାଡ଼ୁଛି ଅଲେଖ ତାହା ଜାଣିବାର ଅନ୍ୟଉପାୟ ନାହିଁ । ସେହି ଯନ୍ତ୍ରଣା ଭିତରେ ଅଲେଖ ହତାଶ ହୋଇ ପୂର୍ବ ଆକାଶକୁ ଚାହିଁଲେ ।

 

ଆକାଶରେ କାଁ ଭାଁ ସାନ ସାନ ବଉଦ ଭାସୁଛନ୍ତି । ସେମାନଙ୍କର ରୁପାଜରିର ଧଡ଼ି । ସୂର୍ଯ୍ୟ ଆହୁରି ବଳବତ୍ତର ହେଉଛନ୍ତି; ଯେତିକି ସେ ଉପରକୁ ଉଠୁଛନ୍ତି ତାଙ୍କର ବିକ୍ରମ ସେତିକି ସେତିକି ବଢ଼ୁଛି ।

 

ରାସ୍ତାକଡ଼ର ଯେଉଁ ଅଂଶରେ ଘର କିମ୍ୱା ଗଛବୃକ୍ଷ ନ ଥିବାରୁ ଏଉଠୁ ରାସ୍ତାଟା ପରିଷ୍କାର ଦେଖାଯାଉଛି, ସେହି ଅଂଶରେ ବେଳେବେଳେ ମଟର, ବଳଦଗାଡ଼ି, ରିକ୍‍ସା ଏବଂ ପଦଚାରୀ ମଣିଷମାନେ ଯିବା ଆସିବା କରୁଛନ୍ତି ।

 

ଅଲେଖ ପ୍ରକୃତରେ ଅତ୍ୟନ୍ତ ନିଃସହାୟ ଭାବରେ ଠିଆ ହୋଇଛନ୍ତି : ବଡ଼ ମାୟାବୀ ଜୀବ ନୁହେଁ କାହାରି । ସେ କେବଳ ନିଜ ଯନ୍ତ୍ରଣାର ସବୁତକ ଭୋଗ କରୁଛନ୍ତି । କାହାକୁ ଭାଗ ଦେବାକୁ ସେ ଚାହିଁଲେ କେହି ଭାଗ ନେବାକୁ ସମର୍ଥ ନୁହନ୍ତି । ଅଲେଖଙ୍କର ଯନ୍ତ୍ରଣା ଧୀରେ ଧୀରେ ବଢ଼ିଛି ।

 

ପୂର୍ବଦିଗର ସେଇ ରାସ୍ତାରେ ଗୋଟାଏ ଘୋଡ଼ାଗାଡ଼ି ଗଲା । ଘୋଡ଼ାଗାଡ଼ି ସହିତ ଏ ସହର ବିଶେଷ ପରିଚିତ ନୁହେଁ । ତେଣୁ ଘୋଡ଼ାଗାଡ଼ି ଦେଖିଲାମାତ୍ରେ ଅଲେଖ ଟିକିଏ ଖୁସି ହେଲେ । କିନ୍ତୁ ସେଇ ଅବ୍ୟକ୍ତ ଯନ୍ତ୍ରଣା ଏତେଟିକେ ମଧ୍ୟ କମ୍‌ ହେବାର ସୂଚନା ସେ ପାଇଲେ ନାହିଁ-

 

ଅଲେଖ ବିରକ୍ତ ହୋଇ ପୂର୍ବଦିଗର ଝରକା ବନ୍ଦ କରିଦେଲେ ଏବଂ ‘‘କାହିଁକି ଏହା ଖୋଲା ରହିବ ?’’ ଏହି ମତରେ ପଶ୍ଚିମଦିଗର ଝରକା ବନ୍ଦ କରିଦେଇ ପୁଣି ଖଟ ଉପରେ ରେଜେଇ ତଳେ ପହଞ୍ଚିଯାଇ ଗୋଡ଼ହାତ ମେଲାଇ ଚିତ୍‌ ହୋଇ ଶୋଇଗଲେ ।

 

ନିତ୍ୟାନନ୍ଦ ତୃତୀୟ ଥରପାଇଁ କଫି ତିଆରି କରି ଆଣିଲା । ରୋଷେଇଘର ତ ଉପରେ ନ ଥିଲା । ତେଣୁ ଗାଧୁଆ ଘରୁ ଏକ ଆଜବେଷ୍ଟସ୍‌ ଚଦର ପକେଇ ଏକ ଛୋଟ ରୋଷେଇଘର ତିଆରି କରାଯାଇଥିଲା ।

 

ସେହି ସ୍ଥାନଟି ହେଲା ନିତ୍ୟାନନ୍ଦଙ୍କର କର୍ମକ୍ଷେତ୍ର । ସେଇଠି ନିତ୍ୟାନନ୍ଦ ରହି ସକାଳୁ ନଅଟା ପର ପର୍ଯ୍ୟନ୍ତ ଟୁଣ୍‌ଟାଣ୍‌ ଶବ୍ଦ କରେ । ତିନିଥର ତିନିକପ୍‌ କଫି ତିଆରି କରି ଆଣେ । ଏ ହେଲା ତା’ର ତୃତୀୟ କପ୍‌ । ଏ କଫି ପିଇ ଅଲେଖଙ୍କୁ ଗାଧୁଆଘରେ ପ୍ରବେଶ କରିବାକୁ ହେବ । ଏହା ଯେଭଳି ତୃତୀୟ ଘଣ୍ଟି । ଅଲେଖ ଲକ୍ଷ୍ୟକଲେ ଟେବୁଲ୍‌ ଉପରେ ତୃତୀୟ କପ୍‌ କଫି ରଖା ହୋଇଗଲା ଏବଂ ନିତ୍ୟାନନ୍ଦ ତରତରରେ ଘରୁ ନିଷ୍କ୍ରାନ୍ତ ହୋଇଗଲା । ସକାଳ ଜଳଖିଆ ପାଇଁ ତା’ର ଅଧା ହୋଇଥିବା ପ୍ରସ୍ତୁତିକୁ ପୂର୍ଣ୍ଣ କରିବାପାଇଁ ।

 

ଅଲେଖ ନିଜ ଶୋଇବାଘର କୋଠରୀର ଚାରି କାନ୍ଥକୁ ଚାହିଁଲେ । ପରିଷ୍କାର ଧଳା । କେଉଁଠି କ୍ୟାଲେଣ୍ଡରଟିଏ ମଧ୍ୟ ଝୁଲୁନାହିଁ । ଟେବୁଲ୍‌ ଉପରେ ପରିଷ୍କାର ଧଳା ଟେବୁଲ୍‌ କ୍ଲଥ୍‌ । ତା’ ଉପରେ ଗୋଟିଏ କୋଣକୁ ତାଙ୍କର ରେଡ଼ିଓ, ଯାହା କ୍ୱଚିତ୍‌ ବାଜେ । ରେଡ଼ିଓ ପାଖରେ ଥାକ ଥାକ ବହି । ସେ ସବୁ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ । ଅଲେଖ ଦେଖିଲେ ଘରେ ହାତ ନ ଥିବା ବାକି ଗୋଟିଏ ଚୌକି ବ୍ୟତୀତ ଆଉ ଅଧିକ ଆସବାବ ନାହିଁ । ତାଙ୍କ ଲୁଗାପଟା ସବୁ ମୁଣ୍ଡ ଉପରେ ଥିବା ଓ୍ୱାର୍ଡ଼ରୋବରେ ରହିଛି । ଓ୍ୱାର୍ଡ଼ରୋବ ମଧ୍ୟରେ ଗୋଟିଏ ଚମଡ଼ା ସୁଟକେଶ ତାଙ୍କର ବହୁଦିନୁ କାମରେ ନ ଲାଗିଥିବା ଏବଂ ଚାରିଚଉତ ହୋଇ ରଖା ହୋଇଥିବା ବେଡହୋଲ୍‌ଡର ଉପରେ ରହିଛି ।

 

ଏହା ସେ କଳ୍ପନାନେତ୍ରରେ ଦେଖୁଥିଲେ । ଏହି କଳ୍ପନାଭିତରେ ତାଙ୍କର ଯନ୍ତ୍ରଣା ସାମାନ୍ୟତମ ଉପଶମ ହେଉଥିଲା ବୋଲି ସେ ଜାଣିପାରୁନଥିଲେ । ସେ ଚିତ୍‌ ହୋଇ ସିଧା ସାମ୍ନାରେ ଟେବୁଲ ଉପରେ ଥିବା କଫି କପ୍‌ଟିକୁ ଚାହିଁ ରହିଥିଲେ ।

 

କଫି କପ୍‌ ଉପରୁ ବାଷ୍ପର କୁଣ୍ଡଳୀସବୁ ଉଠି ବାୟୁମଣ୍ଡଳରେ ଆସ୍ତେ ଆସ୍ତେ ମିଶି ଯାଉଥିଲା । ଶୀତଦିନର ସକାଳ ହୋଇଥିବାରୁ ଅଲେଖ ଏହାକୁ ଲକ୍ଷ୍ୟ କରିପାରୁଥିଲେ । କିନ୍ତୁ ତାଙ୍କର ଯନ୍ତ୍ରଣା ଧୀରେ ଧୀରେ ଅଧିକ ହେବା ସେ ଜାଣି ପାରୁଥିଲେ ।

 

କ’ଣ ଏକ ଅସ୍ୱାଭାବିକ ଘଟଣା ଘଟିବାକୁ ଯାଉଛି, ଏହା ଅଲେଖ ଜାଣିପାରୁଥିଲେ । ଏହା ନିଶ୍ଚିତଭାବେ ସ୍ୱାସ୍ଥ୍ୟଗତ । ତେଣୁ କ’ଣ କିଛି ଅଧିକ ଘଟିବା ଆଗରୁ ବୈଜ୍ଞାନିକ ଦୃଷ୍ଟିରେ ବେଳହୁଁ ତା’ର ସମାଧାନ କରିବାକୁ ହୋଇପାରେ ବୋଲି ଅଲେଖ ମନେ ମନେ ଚିନ୍ତା କରିଗଲେ ।

 

କଫି କପ୍‌ ଟେବୁଲ ଉପରେ ସେହିଭଳି ରଖାଯାଇଛି । ଆଗ ତାକୁ ଗଳାଧଃକରଣ କରି ଅଲେଖ ଚୌକି ଉପରେ ସିଧା ହୋଇ ବସିଲେ । ସେହି ଅବ୍ୟକ୍ତ ଯନ୍ତ୍ରଣା ଆହୁରି ଅଧିକ ହେଉଛି ।

 

ଅଲେଖ ଚିନ୍ତାକଲେ କାହାକୁ ସେ ଖବର ଦେବେ ।

 

କିଛି ସମୟ ପରେ ଦେଖାଯିବ । ଗାଧୋଇ ପଡ଼ିଲେ ହୁଏତ ଏ ଯନ୍ତ୍ରଣା ଚାଲିଯାଇପାରେ । ତେଣୁ ସେ ଗାଧୁଆଘର ଭିତରେ ପ୍ରବେଶ କଲେ ।

 

ଗାଧୋଇସାରି ବାହାରିଲାବେଳକୁ ତାଙ୍କର ଦେହରେ ଯନ୍ତ୍ରଣା ଯେଭଳି ଦ୍ୱିଗୁଣିତ ହେଲା ଭଳି ସେ ଜାଣିପାରିଲେ ।

 

ନିତ୍ୟାନନ୍ଦ ଜଳଖିଆ ପରିବେଷଣ କରିଦେଇ ଗଲା । ଜଳଖିଆ ଖାଇବାପାଇଁ ଆଜି ଅଲେଖଙ୍କର ମୋଟେ ଆଗ୍ରହ ହେଲାନାହିଁ । ତଥାପି ନିଜକୁ ଖୁବ୍‌ ସ୍ୱାଭାବିକ ଦେଖାଇବା ପାଇଁ ଅଲେଖ ଜଳଖିଆତକ ଖାଇଗଲେ । ନିତ୍ୟାନନ୍ଦ ଯେତେବେଳେ ପ୍ଲେଟ୍‌ସବୁ ନେବାପାଇଁ ଆସିଲା, ସେତେବେଳେ ଅଲେଖ କହିଲେ, ‘‘ନିତ୍ୟାନନ୍ଦ, ମୁଁ ଟିକିଏ ଅସୁସ୍ଥ ଅନୁଭବ କରୁଛି । ତେଣୁ ଆଜି କାରଖାନା ଯିବିନାହିଁ । ମୋ ପାଇଁ ଖାଇବା ଏଇଠି ତିଆରି କରିଦେବ । ଜର ତ ନାହିଁ । ତେଣୁ ଯାହା ଖାଇବା ସବୁଦିନେ ହୁଏ, ସେଇଆ କରି ଦେଇଥିବ ।’’

 

ଅଲେଖ ରେଜେଇ ଭିତରେ ଶୋଇଯିବାକୁ ଉଦ୍ୟମ କଲେ । କିନ୍ତୁ ସେଇ ଯନ୍ତ୍ରଣା ଆହୁରି ବଢ଼ିବାରେ ଲାଗିଲା । ସେ ପ୍ରଥମେ କାରଖାନାକୁ ଫୋନ୍‌ କରି ଜଣେଇ ଦେବାକୁ ସିଦ୍ଧାନ୍ତ କଲେ ଓ ରେଡ଼ିଓ ପଛପଟରେ ଥିବା ଫୋନ୍‌ ଡାଏଲିଂ କରି ଆଶୋକ ସାହୁଙ୍କୁ ଆଜି ଦିନକ ପାଇଁ ନିର୍ଦ୍ଦେଶ ଦେଇଦେଲେ । ଏହାଭିତରେ କାଳେ ଅଧିକ ଦିନ ପାଇଁ ସେ ଅନୁପସ୍ଥିତ ରହିବେ, ତେଣୁ କାରଖାନାର ମେନେଜିଂ ଡିରେକ୍ଟରଙ୍କ ଆହ୍ୱାନକ୍ରମେ ତାକୁ ମାନ୍ଦ୍ରାଜ ଯିବାକୁ ପଡ଼ିବ ଏବଂ ହୁଏତ ସେ ପନ୍ଦର ଦିନପାଇଁ ଅନୁପସ୍ଥିତ ରହିପାରନ୍ତି; ସେହି ଅନୁଯାୟୀ ଟିକିନିଖି ସବୁ ନିର୍ଦ୍ଦେଶ ଅଶୋକ ସାହୁଙ୍କୁ ଦେଇଦେଲେ ଅଲେଖ ।

 

ଅଲେଖ ଭାବିଲେ, ଯଦି ତାଙ୍କୁ ସ୍ୱାଭାବିକ ଲାଗେ ତା’ହେଲେ ବରଂ ସେ କେଉଁ ଅଜ୍ଞାତ ସ୍ଥାନରେ ବିଶ୍ରାମ ନେଇନେବେ । ଅଲେଖ ଏହା ମଧ୍ୟ ଭାବିଲେ ଯେ କ୍ରମାଗତ ପାଞ୍ଚବର୍ଷ ଛୁଟି ବାଦ ନ ଦେଇ ସେ ପରିଶ୍ରମ କରି ଆସିଛନ୍ତି । କେଉଁଦିନ କେବେ ବିଶ୍ରାମ ନେଇ ନାହାନ୍ତି । ତେଣୁ ବିଶ୍ରାମ ନେବା ତାଙ୍କର ହୁଏତ ଆବଶ୍ୟକ ହୋଇ ଉଠିଲାଣି ।

 

ଅଲେଖ ଅନୁଭବ କଲେ ପନ୍ଦର ଦିନର ବିଶ୍ରାମ ଚିନ୍ତା କରିବାମାତ୍ରେ ତାଙ୍କର ଯନ୍ତ୍ରଣା କିଛି ପରିମାଣରେ କମିଲା । ସେ ତେଣୁ ରେଜେଇ ଭିତରକୁ ପଶିଯାଇ ଶୋଇଯିବାକୁ ଉଦ୍ୟମ କଲେ । ତାଙ୍କର ମନେପଡ଼ିଲା ଗତକାଲି ରାତିରେ ତାଙ୍କୁ ଭଲ ନିଦ ହୋଇନଥିଲା । ଏହା ଭଲ ନିଦ ନ ହେବାର ପ୍ରତିକ୍ରିୟା ହୋଇପାରେ । ତେଣୁ ସେ ଆଖି ବନ୍ଦକରି ନିଦେଇ ଯିବାକୁ ଉଦ୍ୟମ କଲେ ।

 

ତାଙ୍କର ଦେହରେ ତଥାପି ଯନ୍ତ୍ରଣା ସେହିଭଳି ରହିଥିବା ସେ ଅନୁଭବ କଲେ । ଯେତିକି କମିଥିଲା ତାହା ଅଧିକରୁ ଅଧିକତର ହେବା ସେ କ୍ରମଶଃ ଅନୁଭବ କଲେ ।

 

ଅଲେଖଙ୍କ ମନରେ ଧାରଣା ହେଲା, ସେ ଯେଭଳି ଅଧିକ ଅସୁସ୍ଥ ହେବାକୁ ଯାଉଛନ୍ତି । ଟେବୁଲ ଡ୍ରୟାରରେ ତାଙ୍କର ଥର୍ମୋମିଟର୍‌ ଥିଲା । ସେ ଉଠିପଡ଼ି ନିଜର ଉତ୍ତାପ ଦେଖିଲେ । ସ୍ୱାଭାବିକ ଉତ୍ତାପଠାରୁ ତାଙ୍କର ଉତ୍ତାପ କମ୍‌ ଥିଲା ।

 

ଅଲେଖ କିଭଳି ଜାଣିପାରିଲେ ଯେ ସେ ଏକ ଗୁରୁତର ଅସୁସ୍ଥତା ଭିତରକୁ ଟାଣି ହୋଇଯାଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ସ୍ଥାନୀୟ କୌଣସି ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ତାଙ୍କର ଇଚ୍ଛା ହେଲାନାହିଁ । ଏହା ଯଦି ମାନସିକ କାରଣ ଯୋଗୁଁ ହୋଇଥାଏ, ତା’ହେଲେ ଏ ପ୍ରଚାରର ଅଲେଖଙ୍କ ଅବିବାହିତ ଜୀବନ ଓ ତାଙ୍କର ଧନ୍ଦା ଉପରେ ପ୍ରଭାବ ପକେଇବ ନିଶ୍ଚିତ । ତେଣୁ ଅଲେଖ ସିଦ୍ଧାନ୍ତ କଲେ ତଳୁ ନୃସିଂହଙ୍କୁ ଖବର ଦେଇ ଡକେଇ ତାଙ୍କ ସହିତ ପ୍ରଥମେ ପରାମର୍ଶ କରି ତା’ପରେ ଯେଉଁଆଡ଼େ ସିଦ୍ଧାନ୍ତ ହେବ ସେ ଯିବେ ।

 

କିନ୍ତୁ ଅଲେଖଙ୍କର ଦେହ ଯେ ପ୍ରକୃତରେ ଖରାପ ହୋଇଛି, ସେ ବିଷୟରେ ତାଙ୍କର ଏ ପର୍ଯ୍ୟନ୍ତ କୌଣସି ଧାରଣା ହୋଇପାରିନାହିଁ ।

 

ଅଲେଖ ରେଜେଇ ଭିତରେ ଶୋଇ ଅନୁଭବ କଲେ ତାଙ୍କର ଦେହର ସମୁଦାୟ ଏକ କ୍ରମଶଃ ଅସହ୍ୟ ଯନ୍ତ୍ରଣାରେ ବ୍ୟଥିତ ହେଉଛି । ତାଙ୍କର ଯେତିକି ସାଧାରଣ ଜ୍ଞାନ, ସେଥିରେ ସେ ଏ ରୋଗର କାରଣ ସମ୍ପର୍କରେ କୌଣସି ସିଦ୍ଧାନ୍ତ କରିପାରିଲେ ନାହିଁ । ଜର ତ ନାହିଁ । ଯଦି ଖାଦ୍ୟ ବିଷାକ୍ତ ହେବା ରୋଗରେ ସେ ଆକ୍ରାନ୍ତ ହୋଇଥାଆନ୍ତେ ତାହାହେଲେ ତାଙ୍କର ବାନ୍ତି, ଝାଡ଼ା ଆରମ୍ଭ ହୋଇସାରନ୍ତାଣି । ଉତ୍ତାପ ମଧ୍ୟ ବଢ଼ିଥାଆନ୍ତା । ଅଧିକ ରକ୍ତଚାପ ହୋଇଥିଲେ ମସ୍ତିଷ୍କରେ ସେ ଯନ୍ତ୍ରଣା ଅନୁଭବ କରନ୍ତେ ଏବଂ ଗୋଡ଼ହାତ ବିନ୍ଧା ହୁଅନ୍ତା ।

 

ତାଙ୍କ ଯନ୍ତ୍ରଣା କ୍ରମଶଃ ବଢ଼ୁଥାଏ ଏବଂ ତାହା ଯେତିକି ଯେତିକି ବଢ଼ୁଥାଏ–ଅଲେଖ ସେତିକି ସେତିକି ଅନୁଭବ କରୁଥାନ୍ତି ଯେ ଏହାର କାରଣ ମାନସିକ ହୋଇପାରେ ।

 

ତେଣୁ ଅଲେଖ ଆଉ କିଛି ସମୟ ଅପେକ୍ଷା କରିବାକୁ ସିଦ୍ଧାନ୍ତ କଲେ । ସେତେବେଳକୁ ଦିନ ଏଗାରଟା ହୋଇଗଲାଣି । ସେ ଶକ୍ତି ସଞ୍ଚୟ କରି ଉଠିଲେ ଏବଂ ଗାଆଁକୁ ଏଠି ଚିଠି ଲେଖିଲେ । ସେଥିରେ ସେ ବାପାଙ୍କୁ ଜଣେଇ ଦେଲେ ଯେ କମ୍ପାନୀର ଏକ ଜରୁରୀ କାର୍ଯ୍ୟରେ ସେ ବାହାରକୁ ଯାଉଛନ୍ତି । କମ୍ପାନୀର ମ୍ୟାନେଜିଂ ଡିରେକ୍ଟର୍‌ଙ୍କୁ ମଧ୍ୟ ସେ ଏକ ଚିଠି ଲେଖିଲେ ଯେ ସ୍ୱାସ୍ଥ୍ୟଗତ କାରଣରୁ ସେ ମାସେ ଛୁଟି ନେଉଛନ୍ତି । କାରଖାନାର ସହକାରୀ ମ୍ୟାନେଜର ଶ୍ରୀ ଅଶୋକ ସାହୁଙ୍କୁ ସେ ସବୁ ଦାୟିତ୍ୱ ବୁଝେଇ ଦେଇଛନ୍ତି । କିନ୍ତୁ ସହକାରୀ ମ୍ୟାନେଜରଙ୍କୁ ତାଙ୍କ ଅସୁସ୍ଥତା ଖବର ନ ଜଣେଇ ସେ କମ୍ପାନୀ କାର୍ଯ୍ୟରେ ମାନ୍ଦ୍ରାଜ ଯାଉଛନ୍ତି ବୋଲି ଜଣାଇଛନ୍ତି, କେତେକ କାରଣରୁ । ତେଣୁ ତଦନୁଯାୟୀ ମ୍ୟାନେଜିଂ ଡାଇରେକ୍ଟର ବ୍ୟବସ୍ଥା କାରିବେ ।

 

ଅଲେଖ ତାଙ୍କ ଚିକିତ୍ସାପାଇଁ ସହର ବାହାରକୁ ଯାଉଛନ୍ତି ବୋଲି ମଧ୍ୟ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଚିଠିରେ ବୁଝାଇଦେଲେ ।

 

ଏହି ଚିଠିତକ ଲେଖି ଦେଇ ଅଲେଖ ପୁଣି ଆସି ବିଛଣାରେ ପଡ଼ିଗଲେ । ତାଙ୍କ ଦେହର ଯନ୍ତ୍ରଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଲା ।

 

ଅଲେଖ ରେଜଇ ଭିତରେ ରହି ଛଟପଟ ହେଲେ । ଦିନର କୋଳାହଳ କ୍ରମଶଃ ବଢ଼ିବା ଅଲେଖ ଲକ୍ଷ୍ୟ କରିବାରେ ଲାଗିଥିଲେ । କିନ୍ତୁ ସେ କୋଳାହଳ ଯେପରି ଅଲେଖଙ୍କର ପ୍ରତ୍ୟେକ ତନ୍ତ୍ରୀକୁ ଆଘାତ ଦେଉଥିଲା ।

 

ପୂର୍ବାହ୍ନ ଏଗାରଟା । ଅଲେଖ ଅନୁଭବ କଲେ ତାଙ୍କ ଦେହର ଯନ୍ତ୍ରଣା ପୂର୍ବ ଯନ୍ତ୍ରଣା ଅପେକ୍ଷା କ୍ରମଶଃ ଅଧିକରୁ ଅଧିକ ହୋଇ ଚାଲିଛି ।

 

ସେ ଆଉ ଶୋଇପାରିଲେ ନାହିଁ । ଏଗାରଟା ସମୟରେ ରେଜେଇ ଭିତରେ ପଶି ରହିଲେ ଗରମ ଲାଗିଲା ଏବଂ ଦେହର କେତେକାଂଶରେ ଝାଳ ମଧ୍ୟ ଦେଖାଦେଲା । ତେଣୁ ଅଲେଖ ଦେହରୁ ରେଜେଇ କାଢ଼ି ଫୋପାଡ଼ି ଦେଲେ । ଏଣିକି ଯନ୍ତ୍ରଣା ମାନସିକ ସ୍ତରରେ ସାମାନ୍ୟ ଲଘୁ ହେଲାଭଳି ଜଣାପଡ଼ିଲା । ନୃସିଂହ ଏହି ଅବସରରେ ଉଠିପଡ଼ିଲେ ଏବଂ ପୂର୍ବକୁ ମୁହଁ କରି ସୋଫା ଉପରେ ବସିଲେ ।

 

ଏଗାରଟା ପରର ଖରା ଉପରକୁ ଚିକ୍‌ ଚିକ୍‌ ମାରୁଛି । ଘରେ ସୋଫାସେଟ୍‌, ଟି’ପୟ ଉପରେ ଖରା । ସିଧା ଚାହିଁଲେ ସୂର୍ଯ୍ୟ ।

 

ଅଲେଖ ସେଇଠି ବସିରହି ଆକାଶକୁ ଚାହିଁଲେ । ଆକାଶର ନୀଳରଙ୍ଗ ଅପସରି ଯାଇଛି ଏବଂ ସାରା ଆକାଶଟା ପାରଦର ରଙ୍ଗ ହାସଲ କରିଛି । ନୃସିଂହ ଅଧିକ ଭଲ ଲାଗିବ ବୋଲି ଠିଆ ହେଲେ ଏବଂ ସାମ୍‍ନାରେ ପଡ଼ୁଥିବା ସହରର ଅଂଶକୁ ତନ୍ନତନ୍ନ କରି ନିରୀକ୍ଷଣ କଲେ । ସହରରେ ଫୁର୍ତ୍ତି । ଅଫିସବେଳ ଚାଲି ଯାଇଛି । ବର୍ତ୍ତମାନ କୋର୍ଟ କଚେରୀ ପାଇଁ ମହକିଲମାନେ ଏବଂ ସଉଦା ପତ୍ରପାଇଁ ମଫସଲରୁ ଆସିଥିବା ଲୋକମାନେ ନୃସିଂହଙ୍କର ଡାହାଣପଟ ଅର୍ଥାତ୍‌ ଦକ୍ଷିଣରୁ ତାଙ୍କର ବାଁପଟ ଅର୍ଥାତ୍‌ ଉତ୍ତରକୁ ଚାଲିଛନ୍ତି । ସେମାନେ ପଦଯାତ୍ରୀ ହିସାବରେ ଯାଉଛନ୍ତି ଏବଂ ଅନେକେ ରିକ୍‌ସାରେ ମଧ୍ୟ ଯାଉଛନ୍ତି । ରାସ୍ତାରେ ଯେଉଁ ଅଂଶ ତାଙ୍କୁ ଦେଖାଯାଉଛି ତାହାର ବାଁ ପଟେ ଯେଉଁ ଘର ସବୁ ଅଛି ସେମାନଙ୍କ ଭିତରେ ଅଧିକ ଗଛ । ଡାହାଣ ପଟେ ଏତେ ଗଛ ନାହିଁ । ଗଛ ଭିତରେ ଆମ୍ୱ ଓ ନଡ଼ିଆଗଛମାନଙ୍କର ସଂଖ୍ୟା ବେଶୀ । ସେ ଯାହାହେଉ । ଅଲେଖ ଲକ୍ଷ୍ୟକଲେ ଘର ଏବଂ ଗଛଗୁଡ଼ିକ ଆହୁରି ଅଧିକ ଉଜ୍ଜ୍ୱଳ ଦେଖାଯାଉଛନ୍ତି-। ତାଙ୍କର ସବୁଜରଙ୍ଗ ଶ୍ୱେତସବୁଜର ଏକ ମିଶ୍ରଣ ହୋଇ ବାହାରୁଛି । ଗଛମାନଙ୍କରୁ କାଁ ଭାଁ ଚଢ଼େଇମାନେ ବାହାରି ଉଡ଼ିଯାଉଛନ୍ତି, କିନ୍ତୁ କୌଣସି ଚଢ଼େଇ ଆସି ଗଛରେ ବସିବା ଦେଖା ଯାଉନାହାନ୍ତି । ସେମାନେ ବହୁ ସଂଖ୍ୟାରେ ଅପରାହ୍ନରେ ଆସି ବସିବେ । ସେମାନେ ଖାଦ୍ୟ ଅନୁସନ୍ଧାନରେ ବାହାରି ଚାଲି ଯାଉଛନ୍ତି । ଘୋର ଶୀତ ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅନେକେ ଖୁବ୍‌ ଭୋରୁ ଉଡ଼ି ଯାଉଛନ୍ତି । ଆଉ କେତେକ ସମୟ ଓ ଆବଶ୍ୟକତା ଅନୁଯାୟୀ ଆସ୍ତେ ଆସ୍ତେ ବାହାରି ଉଡ଼ି ଯାଉଛନ୍ତି । ସେମାନେ ବିଭିନ୍ନ ରଙ୍ଗର ଚଢ଼େଇ–ଧଳା, ମାଟିଆ, ସବୁଜ, ନୀଳ ଏବଂ ମିଶ୍ରବର୍ଣ୍ଣର ।

 

ଅଲେଖ ଅନୁଭବ କଲେ ତାଙ୍କ ଦେହରୁ କମିଯାଇଥିବା ଯନ୍ତ୍ରଣା ପୁଣି ଆସ୍ତେ ଆସ୍ତେ ବୃଦ୍ଧି ପାଇବାରେ ଲାଗିଛି । ସେ ନିତ୍ୟାନନ୍ଦକୁ ଡାକିଲେ ।

 

ନିତ୍ୟାନନ୍ଦ ରୋଷେଇ କାର୍ଯ୍ୟରେ ବ୍ୟସ୍ତଥିଲା । ବର୍ଷେ ହେବ ଯେଉଁ ବାବୁ ଦ୍ୱିପ୍ରହରେ କେବେ ଘରେ ଖାଆନ୍ତି ନାହିଁ, ସେ ଆଜି ଖାଇବେ । ସେଥିପାଇଁ ନିତ୍ୟାନନ୍ଦ ଖୁବ୍‌ ଖୁସି ଅଛି । ଅଲେଖ ନିତ୍ୟାନନ୍ଦଙ୍କୁ ଡାକି ଖବର ଦେଲେ ଯେ ସେ ତଳୁ ନୃସିଂହଙ୍କୁ ଡାକି ଆଣିବ । ଯେତେ ଜରୁରୀ କାର୍ଯ୍ୟ ଥାଉ ବରଂ ନୃସିଂହ ଯେଭଳି ଆସିବେ ।

 

କିଛି ସମୟ ପରେ ନୃସିଂହ ଦାଶେ ଆସି ପହଞ୍ଚିଲେ । ସେତେବେଳକୁ ବାରଟା ବାଜିବାକୁ ଯାଉଛି । ଅଲେଖ ପୂର୍ବପଟର ଝରକା ବନ୍ଦ କରି ଦେଇଛନ୍ତି । କାରଣ, ସେହି ପଟରୁ ଅତି ବିରକ୍ତିରେ ଖରା ଆସି ଘର ଭିତରେ ପଡ଼ିଥିଲା ।

 

ନୃସିଂହବାବୁ ଆଶ୍ଚର୍ଯ୍ୟ ହେଲେ । କାରଣ, କେବେହେଲେ ଅଲେଖ ଅଫିସ ଯିବା ବନ୍ଦ କରିନାହାନ୍ତି, ନୃସିଂହ ତାଙ୍କର ପୂର୍ବ ନିର୍ଦ୍ଧାରିତ ଆସନରେ ବସିଲେ । ସେ କିଛି ପ୍ରଶ୍ନ କରିବା ପୂର୍ବରୁ ଅଲେଖ କହିଲେ, ‘‘ଆପଣ ମୋତେ ଖବର ଦେବାର ଦଶମିନିଟ୍‌ ପୂର୍ବରୁ ମୁଁ ସରସ୍ୱତୀର ପାସ୍‍ ଖବର ପାଇଲି । ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍‍ କରିଛି ।’’

 

‘‘ସେ ପରା ଆଇ.ଏ. ପରୀକ୍ଷା ଦେଇଥିଲା’’ ‘‘ହଁ, ନୃସିଂହ ଖୁବ୍‌ ଜଣାପଡ଼ୁଥିଲେ । ‘‘ସେ ତ ମୋର ସବା ବଡ଼ । ଝିଅଟିଏ ଯଦି ସବା ବଡ଼ ସନ୍ତାନ ହୁଏ, ତା’ହେଲେ ମଣିଷ ଚଞ୍ଚଳ ବୁଢ଼ା ହୋଇଯାଏ । କାରଣ, ଆମର ବ୍ରାହ୍ମଣ ପରିବାରରେ ଝିଅମାନେ ଅଳ୍ପ ବୟସରେ ବାହା ହୋଇଯାଆନ୍ତି ଏବଂ ଜୋଇଁ ଆସିଲେ ଆମକୁ ବୁଢ଼ା ବୋଲି ସମ୍ୱୋଧନ କରନ୍ତି–ବୁଢ଼ା ଆସିଥିଲେ, ବୁଢ଼ା ଖାଇଲେ, ବୁଢ଼ାଗଲେ ।’’ ନୃସିଂହ ହୋ ହୋ ହୋଇ ହସି ଉଠିଲେ । ଅଲେଖ ମଧ୍ୟ ତାଙ୍କ ସହିତ ହସି ଉଠିଲେ । ସ୍ୱତଃ ହସ ଲାଗିଲା ସିନା, ତାଙ୍କର ଦେହ ହାତରେ ଏଭଳି ଯନ୍ତ୍ରଣା ସେ ଅନୁଭବ କଲେ, ତାଙ୍କର ମନେହେଲା, ତାଙ୍କର ଜୀବନ ଯେଭଳି ଛଟ୍‌କରି ଚାଲିଯିବ ।

 

ଅଲେଖ ଦେଖିଲେ ସେ ଯଦି ତାଙ୍କ ସମସ୍ୟାଟି ଶୀଘ୍ର ଉପସ୍ଥାପିତ ନ କରନ୍ତି, ତା’ହେଲେ ଝିଅ ଭଲରେ ପାସ୍‍ କରିଥିବାରୁ ନୃସିଂହ ବର୍ତ୍ତମାନ ବହୁ ସମୟ ପର୍ଯ୍ୟନ୍ତ ସେହି ବିଷୟରେ ଆଲୋଚନା କରିବେ ।

 

‘‘ମୁଁ ଆପଣଙ୍କୁ ଡକେଇ ପଠେଇବାର ଉଦ୍ଦେଶ୍ୟ ହେଲା ଯେ ଆଜି ସକାଳଠାରୁ ମୁଁ ମୋ ଦେହରେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଛି । ଯନ୍ତ୍ରଣାର ପ୍ରକାର ମୁଁ ପ୍ରକାଶ କରିପାରୁନାହିଁ । ଆଣ୍ଠୁଗଣ୍ଠି ବିନ୍ଧୁ ନାହିଁ କି ମାଂସପେଶୀ ବିନ୍ଧୁ ନାହିଁ । ସେ ବିନ୍ଧା ଯେଭଳି ଦେହର ପ୍ରତ୍ୟେକ ତନ୍ତୁକୁ ଗ୍ରାସ କରିଯାଉଛି । ଥର୍ମୋମିଟରରେ ଉତ୍ତାପ ଦେଖିଲି, ଜର ନାହିଁ । ମୋର ଯେତିକି ସାଧାରଣ ଜ୍ଞାନ ମୋର ମନେହେଉଛି, ଏ ଯନ୍ତ୍ରଣା ଯେଭଳି ଏକ ବିଚିତ୍ର ଯନ୍ତ୍ରଣା ।’’

 

‘‘ଆପଣ ଖୁବ୍‌ ଗୁଡ଼ାଏ ଚିନ୍ତା କରୁଛନ୍ତି । ଏହି ଯନ୍ତ୍ରଣା ତା’ର ପ୍ରତିଫଳନ ମାତ୍ର । ଛାଡ଼ନ୍ତୁ ସେ କଥା । ସେ ଛାଏଁ ଭଲ ହୋଇଯିବ । ଭୟରୁ ସେ ଯନ୍ତ୍ରଣା କରୁଛି । କହିଲେ ଆପଣ; ସରସ୍ୱତୀ ବି.ଏ.ରେ କ’ଣ ବିଷୟ ସବୁ ନେବ ?

 

‘‘ସେଇଟା ଆପଣ, ମୁଁ ବସି ଆଲୋଚନା କଲେ କିଛି ହେବନାହିଁ । ତାକୁହିଁ ସେ ଦାୟିତ୍ୱ ବୁଝିବାକୁ ଦିଅନ୍ତୁ । ତାକୁ ଯେଉଁ ବିଷୟ ଭଲ ଲାଗିବ, ସେ ସେହି ବିଷୟ ନେଇ ପଢ଼ିବ ।

 

‘‘ତଥାପି ଆମେ ତ କିଛି ହେଲେ ପରାମର୍ଶ ଦେବା ! ‘‘ସେତ ନିଶ୍ଚିତ ରାଜନୀତି ବିଜ୍ଞାନ ନେବ । ତା’ ସହିତ ଅର୍ଥନୀତି ମଧ୍ୟ ନେବ । ରାଜନୀତି ବିଜ୍ଞାନରେ ଅନର୍ସ ନେଇ ସେ ପଢ଼ିବ !’’

 

‘‘ଆପଣ ସବୁ ଜାଣିଲା ପରି କହିଯାଉଛନ୍ତି ଯେ...ସେ ତ ସେଇ ବିଷୟ ସବୁ ନେବ ବୋଲି ମୋତେ କହୁଥିଲା । ଆପଣ ତା’ ସହିତ ପରିଚିତ ହେଲେଣି ? ତାକୁ ଦେଖିଛନ୍ତି ନା ?’’

 

‘‘ମୁଁ ତାକୁ ଚିହ୍ନିବାର ସମୟ କାହିଁ ? ମୁଁ ତ ଯେତେବେଳେ ଏଠି ଥାଏ, ସେତେବେଳେ ସମସ୍ତେ ଶୋଇଥାଆନ୍ତି, ନ ହେଲେ ସ୍କୁଲ ଯାଇଥାଆନ୍ତି ।’’

 

‘‘ମୁଁ ତାକୁ ଖବର ଦିଏଁ...ସେ ଆସିବ । ସେ ଆପଣଙ୍କ ବିଷୟରେ ଖୁବ୍‌ ଭଲକରି ଜାଣେ ଯେ...ନିତ୍ୟାନନ୍ଦ...’’ ନୃସିଂହ ନିତ୍ୟାନନ୍ଦଙ୍କୁ ଡାକିଲେ ।

 

‘‘ନାଁ, ନାଁ, ଖୁବ୍‌ ଜୋରରେ ହାତ ହଲେଇ ଅଲେଖ କହିଲେ–‘‘ଆପଣ ମୋ କଥାକୁ ହାଲୁକା କରି ଭାବୁଛନ୍ତି । ମୁଁ କିନ୍ତୁ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି ।’’

 

ଇତି ମଧ୍ୟରେ ନିତ୍ୟାନନ୍ଦ ଆସି ଠିଆହେଲା ଏବଂ କେହି କିଛି ନ କହିବାରୁ ଉଭୟେ ନୃସିଂହ ଓ ଅଲେଖଙ୍କୁ ଦେଖି କଫି ତିଆରି କରିବାକୁ ଚାଲିଗଲା ।

 

‘‘ଆପଣ ଯେଉଁ ଯନ୍ତ୍ରଣା ଭୋଗ କରୁଛନ୍ତି, ମୁଁ ସେହିଭଳି ଯନ୍ତ୍ରଣା ଭୋଗ କରୁଥିବା ଜଣେ ବନ୍ଧୁଙ୍କୁ ବହୁ ଦୂର ପଠେଇଥିଲି ଚିକିତ୍ସା ନିମିତ୍ତ । ଏ ସହରରେ ବଡ଼ ବଡ଼ ଡାକ୍ତର ଅନେକ ଥିଲେ ସୁଦ୍ଧା ସେମାନେ ଏ ରୋଗର ଚିକିତ୍ସା କରିପାରିଲେ ନାହିଁ । ମୁଁ ହାଲୁକାଭାବେ ଏ କଥା କହୁଛି ବୋଲି ଭାବିବେ ନାହିଁ । ଏମିତି ହାଲୁକାଭାବେ ଆମେ କଥାଭାଷା କରୁଥିବୁ, କିନ୍ତୁ ମାଲଗୋଦାମରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବ ।’’ ଅଲେଖଙ୍କୁ ଖୁବ୍‌ ହସ ଲାଗିଲା । ସେ ତାଙ୍କର ଅସହ୍ୟ ଯନ୍ତ୍ରଣା ମଧ୍ୟରେ ବି ହସି ପକେଇଲେ । ନୃସିଂହ ସବୁ କଥାରେ ମାଲଗୋଦାମ ପ୍ରସଙ୍ଗ ଆଣି ପକେଇବା ତାଙ୍କର ଏକ ଅଭ୍ୟାସ । ସେଇଥିପାଇଁ ଅଲେଖ ହସିଲେ । ସେ ଯାହାହେଉ ।

 

‘‘କ’ଣ ସେ ରୋଗ ? କିଏ ସେ ବନ୍ଧୁ ? କେତେଦୂର ପଠେଇଲେ ?’’ ନୃସିଂହଙ୍କୁ ଏଇକଥା ପଚାରିଲା ଭିତରେ ଅଲେଖଙ୍କର ଦେହରେ ଯନ୍ତ୍ରଣା ଅଧିକରୁ ଅଧିକ ବୃଦ୍ଧି ପାଉଥିଲା ।

 

‘‘ରୋଗ ତ ନୁହେଁ–ଆପଣ ଏକ ମାନସିକ ଚାପ ଭୋଗ କରୁଛନ୍ତି । ଏକ ଶୈଳନିବାସରେ ଆପଣ ଅନ୍ତତଃ ମାସକ ପାଇଁ ବିଶ୍ରାମ ନିଅନ୍ତୁ । ମୁଁ ସେ ବନ୍ଧୁଙ୍କୁ ରାଞ୍ଚି ପଠାଇଥିଲି-। ଅବଶ୍ୟ ସେତେବେଳେ ଖରାଦିନ ଥିଲା । ଏବେ ଶୀତଦିନ । ଯାହା ହେଉନା କାହିଁକି ଶୈଳନିବାସହିଁ ଶୈଳନିବାସ । ଶୀତଦିନେ ମଧ୍ୟ ରାଞ୍ଚି ବେଶ୍‌ ଆରାମପ୍ରଦ ।’’

 

‘‘ସେ ବନ୍ଧୁ କିଏ ?’’

 

‘‘ସେ କଥା ଜାଣି ଆପଣଙ୍କର ଲାଭ କ’ଣ ? ମୁଁ ଆଜି ଆପଣଙ୍କ ପାଇଁ ଟିକେଟ୍‌ କରେଇ ଦେଉଛି । ଆଜି ରାତିରେ ଆପଣ ବାହାରି ଯାଆନ୍ତୁ । ସେଭଳି କିଛି ଗୁରୁତର ଅସୁସ୍ଥତା ଆପଣଙ୍କର ନାହିଁ । ଆପଣ ନିଜେ ଦେଖୁନାହାନ୍ତି, ମୁଁ କିଭଳି ଆପଣଙ୍କ ପ୍ରସଙ୍ଗକୁ ହାଲୁକା ଭାବୁଛି-।’’

 

ଇତ୍ୟବସରରେ ନିତ୍ୟାନନ୍ଦ କଫି ଆଣି ରଖି ଦେଇଥିଲା । ଅଲେଖ ଏବଂ ନୃସିଂହ କଫି ପିଇଲେ । ଦିନ ସେତେବେଳକୁ ବାରଟା ଟପିଗଲାଣି । ନୃସିଂହ ସାଢ଼େ ଗୋଟାକବେଳେ ମାଲଗୋଦାମ ଯାଆନ୍ତି । ତେଣୁ ସେ ତରତରରେ କଫିତକ ପିଇ ଦେଇ ଉଠିପଡ଼ିଲେ ଏବଂ ‘‘ମୁଁ ଆସୁଛି’’ କହି ତରତରରେ ପାହାଚରେ ଖସ୍‌ ଖସ୍‌ ହୋଇ ଓହ୍ଲେଇ ଗଲେ ।

 

ଅଲେଖଙ୍କ ଆଗରେ ବର୍ତ୍ତମାନ ଅନେକ ସମସ୍ୟା ଆସି ଠିଆ ହୋଇଗଲା । ସେ ମାସକ ପାଇଁ ଅନୁପସ୍ଥିତ ରହିବେ । କାରଖାନାରେ ବନ୍ଦୋବସ୍ତ ହୋଇଛି । ମ୍ୟାନେଜିଂ ଡାଇରେକ୍ଟର୍‌ଙ୍କୁ ମଧ୍ୟ ସେ ଚିଠି ଲେଖି ଦେଇଛନ୍ତି । ଘରକୁ ଜଣେଇ ଦେଇଛନ୍ତି । କେବଳ ନିତ୍ୟାନନ୍ଦ କଥା । ତାକୁ ଦୁଇତିନିଶହ ଟଙ୍କା ଦେଇ ତା’ ଗାଆଁକୁ ପଠେଇ ଦେଲେ ହେବ । ସେଥିରେ ସେ ଖୁସି ହେବ । ଏହା ପୂର୍ବରୁ ସେ ଗାଆଁକୁ ଯିବବୋଲି କେତେଥର କହିଛି । କିନ୍ତୁ ଅଲେଖ ତାଙ୍କୁ ମନା କରିଆସିଛନ୍ତି । ସେ ଗାଆଁକୁ ରବିବାର ଯାଇ ସେହିଦିନ ଫେରି ଆସୁ ବୋଲି ଅଲେଖ ସବୁବେଳେ ପ୍ରସ୍ତାବ ଦେଇ ଆସିଛନ୍ତି । କିନ୍ତୁ ନିତ୍ୟାନନ୍ଦ ମାସକ ପାଇଁ ଛୁଟି ଚାହିଁଛି । ଏଇ ସୁଯୋଗରେ ସେ ମାସକ ପାଇଁ ଘରକୁ ଚାଲିଯିବ । ଅଲେଖ ରେଳଗାଡ଼ିରେ ବସିବା ପୂର୍ବରୁ ନିତ୍ୟାନନ୍ଦକୁ ଘରକୁ ପଠାଇଦେଲେ ସେ କିଛି ଜାଣିପାରିବ ନାହିଁ ।

ନିତ୍ୟାନନ୍ଦ ଅଲେଖଙ୍କୁ ଏତେ ଶ୍ରଦ୍ଧା କରେ ଯେ ତାଙ୍କ ଦେହ ଅସୁସ୍ଥ ଅଛି ବୋଲି ତା’ ମନରେ ଧାରଣା ହେଲେ ସେ ଦୁଃଖରେ ଭାଙ୍ଗିପଡ଼ିବ । ତେଣୁ ତାକୁ ଆଗରୁ ଗାଆଁକୁ ପଠେଇଦେବା ବ୍ୟବସ୍ଥା କରିଦେଲେ ସେ କିଛି ଜାଣିପାରିବ ନାହିଁ, ଏହି କଥା ଅଲେଖଙ୍କୁ ଖୁବ୍‌ ଆନନ୍ଦ ଦେଲା ।

ସେହି ଆନନ୍ଦ, ନୃସିଂହଙ୍କ ଆଶ୍ୱାସନା ଏବଂ ଶୀଘ୍ର ଏହି ଯନ୍ତ୍ରଣାରୁ ମୁକ୍ତି ହେବା ଏହି ସବୁ ମିଶି ଅଲେଖଙ୍କ ଯନ୍ତ୍ରଣାକୁ ଖୁବ୍‌ ହାଲୁକା କରିଦେଲେ । ଅଲେଖ ବସିବା ଘରୁ ଉଠିଯାଇ ଶୋଇବା ଘରେ ଚିତ୍‌ ହୋଇ ଶୋଇପଡ଼ିଲେ ।

କିଛିସମୟ ପରେ ନିତ୍ୟାନନ୍ଦ ଯାଇ ଅଲେଖଙ୍କ ପାଖରେ ଚୁପ୍‌ ହୋଇ ଠିଆ ହୋଇଥିବାର ଅଲେଖ ଲକ୍ଷ୍ୟ କଲେ ।

‘‘କ’ଣ କିରେ ?’’

‘‘ଆପଣଙ୍କ ଦେହ ଭଲ ନାହିଁ କି ?’’

ଅଲେଖ ସେତେବେଳକୁ କମିଯାଇଥିବା ଯନ୍ତ୍ରଣା ଅଧିକରୁ ଅଧିକତର ହେବ ! ଜାଣିପାରୁଥିଲେ । ନିତ୍ୟାନନ୍ଦର ଏଇ ପ୍ରଶ୍ନରେ ନ ଭାବି ନ ଚିନ୍ତି ଅଲେଖ ହଠାତ୍‌ ଉତ୍ତର ଦେଲେ, ‘‘ନାହିଁ ଯେ, ଆଜି ଉପରବେଳା କାରଖାନା କାମରେ ମୁଁ କଛିଦିନ ପାଇଁ ବାହାରକୁ ଯିବି । ସେଠୁ ମାନ୍ଦ୍ରାଜ ଆସିବି । ଏହିଭଳି କିଛିଦିନ ବାହାରେ ରହିବି । ମୁଁ ଭାବିଥିଲି ତୁ ଏଇ ସମୟରେ ଗାଆଁକୁ ଯାଇ କିଛିଦିନ ରହି ଆ । ମୁଁ ଯେବେ ଫେରିବି ନୃସିଂହବାବୁଙ୍କୁ କହିଲେ ସେ ଲୋକ ପଠାଇ ତୋତେ ନେଇ ଆସିବେ ।’’

ନିତ୍ୟାନନ୍ଦର ମୁହଁ ଖୁବ୍‍ ଉଜ୍ଜ୍ୱଳ ହୋଇ ଉଠିଲା । ସେ ଖାକି ହାପ୍‌ପ୍ୟାଣ୍ଟ ଓ ପୂରା ଗଞ୍ଜି ପିନ୍ଧିଥିଲା । ତା’ର କେଶ ଅଡ଼ୁଆ ମଡ଼ୁଆ ହୋଇ ରହିଥିଲା । ତା’ର ଚେହେରାରୁ ଜଣାପଡ଼ୁଥିଲା ଯେ ସେ ଅତ୍ୟନ୍ତ ନିରୀହ । ପ୍ରକୃତରେ ସେ ଅତ୍ୟନ୍ତ ନିରୀହଭାବେ ବର୍ଷେ ହେବ ଅଲେଖଙ୍କ ସେବା କରି ଆସିଛି ।

ପ୍ରାୟ ପ୍ରତ୍ୟେକ ଦିନ ରାତିରେ ଅଲେଖ ଫେରିଲା ପରେ ନିତ୍ୟାନନ୍ଦ ଅଲେଖଙ୍କ ଗୋଡ଼ହାତ ମୋଡ଼ିଦିଏ । ଆଜି ଅଲେଖ ନିତ୍ୟାନନ୍ଦକୁ ଡକେଇ ମୋଡ଼ା ଖାଇବେ ବୋଲି ଚିନ୍ତା କରୁଥିଲେ । କିନ୍ତୁ ଏହା ଅସ୍ୱାଭାବିକ ହେବ ଏବଂ ନିତ୍ୟାନନ୍ଦ ଅଲେଖଙ୍କ ଅସୁସ୍ଥତା ବିଷୟ ଜାଣିଲେ ବିବ୍ରତ ହୋଇପଡ଼ିବ, ଏହି ଚିନ୍ତାରେ ଅଲେଖ କଷ୍ଟ ବରଂ ସହିଗଲେ, କିନ୍ତୁ ତାଙ୍କର ନିଜଠାରୁ ଅଧିକ ପ୍ରିୟ ସରଳ ଗ୍ରାମୀଣ ବାଳକ ନିତ୍ୟାନନ୍ଦକୁ ଦୁଃଖିତ କରିବାକୁ ଦେଲେନାହିଁ । ଏ ପର୍ଯ୍ୟନ୍ତ ନିତ୍ୟାନନ୍ଦ ଠିଆ ହୋଇ ରହିଛି ।

‘‘ତୁ ଗାଆଁକୁ ଗଲାବେଳେ ମୁଁ ତୋତେ ଗଲା ମାସର ଦରମା ଦେଇଦେବି ଏବଂ ଆଉ ମାସକର ଦରମା ଏକାଠି ଦେବି ।’’

ଅଲେଖ ନିତ୍ୟାନନ୍ଦର ମୁହଁକୁ ଚାହିଁଲେ, ତାହା ବେଦନାଗ୍ରସ୍ତ ହୋଇଉଠିଛି । ନିତ୍ୟାନନ୍ଦ ଆଖିରେ ଲୁହ ଛଳଛଳ ହୋଇ ଆସୁଛି । ନିତ୍ୟାନନ୍ଦର ଏହି ଭାବପ୍ରବଣତାକୁ ଅନୁଧ୍ୟାନ କରି ଅଲେଖ ଭାବୁଥିଲେ ଗାଆଁକୁ ଯିବାର ଆନନ୍ଦ ଅପେକ୍ଷା ଏତେଦିନ ଅଲେଖଙ୍କୁ ଛାଡ଼ି ସେ ରହିବ, ଏଇଥିପାଇଁ ତା’ର ମନରେ ଏତେ ଦୁଃଖ ।

ଅଲେଖ ଏକପ୍ରକାର ମାୟାଜାଲରେ ଛନ୍ଦି ହୋଇଯିବା ଭଳି ଅନୁଭବ କଲେ । ସରଳପ୍ରାଣ ନିତ୍ୟାନନ୍ଦ, ଦରଦୀ ନୃସିଂହ ଏବଂ ଏକାନ୍ତ ବିଶ୍ୱସ୍ତ ତାଙ୍କ କାରଖାନାର ଶ୍ରମିକମାନେ ତାଙ୍କ ମନର ଆଖି ଆଗରେ ଗୋଟାକ ପରେ ଗୋଟାଏ ଚାଲିଗଲେ । ଏ ପୃଥିବୀରେ ଏତେ ସ୍ନେହ-! ଏତେ ଦରଦ ! ଏତେ ମାୟା !!

ଅଲେଖଙ୍କ ଦେହରେ ଯନ୍ତ୍ରଣା ବଢ଼ୁଛି । କ୍ରମଶଃ ଅଧିକ ବ୍ୟସ୍ତ ହୋଇ ଉଠୁଥିବା ସହର ମଧ୍ୟାହ୍ନ ଭୋଜନ ପୂର୍ବରୁ ପୁଣି ଧିମେଇ ଗଲାଣି ତଳେ କେବଳ ଗଣ୍ଡଗୋଳ ଅଧିକ ବଢ଼ିଛି ଏବଂ କଂସାବାସନର ଝଣ୍‌ଝାଣ୍‌ ଶବ୍ଦ ଆହୁରି ଅଧିକ ହୋଇଛି ।

‘‘ଖାଇବାକୁ ନେଇଆ । ମୋତେ ଖାଇବାକୁ ଦେଇ ତୁ ଆଜି ବସରେ ଗାଆଁକୁ ଚାଲିଯିବୁ-। ମୋ ବିଛଣାପତ୍ର ବାନ୍ଧିଦେଇ ଯାଇଥିବୁ, ମୁଁ ଆଜି ସନ୍ଧ୍ୟା ଗାଡ଼ିରେ ଯିବି ।’’

ନିତ୍ୟାନନ୍ଦ ଖାଇବାକୁ ଆଣିବ ବୋଲି ଟେବୁଲ ଉପର ବହି ସବୁ ସଜେଇ ରଖିହେଲା ଏବଂ ଟେବୁଲ ଉପରେ ଏକ ପ୍ଲାଷ୍ଟିକ ଟେବୁଲ କ୍ଲଥ୍‌ ପକେଇଦେଲା ।

ଖାଇବା ପଦାର୍ଥ ସବୁ ସଜେଇ ରଖି ନିତ୍ୟାନନ୍ଦ ଅଲେଖଙ୍କୁ ଖାଇବାକୁ ଡାକିଲା । ଦେହରୁ ଯନ୍ତ୍ରଣା ଅଧିକରୁ ଅଧିକତର ହେଉଥିବା ସତ୍ତ୍ୱେ ସେ ଉଠିଲେ ଓ ଖାଇବା ସାରିଲେ । ଖାଇବା ପ୍ରକ୍ରିୟା ଭିତରେ ତାହାରେ ଯନ୍ତ୍ରଣା କ୍ରମଶଃ ବଢ଼ୁଥାଏ । ଥରେ ଭାତ ଖାଇଲେ ଯେଭଳି ଯନ୍ତ୍ରଣା ଆଉ ଟିକିଏ ବଢ଼ୁଛି । ଅଲେଖ ମୋଟ ଜାଣିଲେ ଯେ ଖାଇବା ପଦାର୍ଥ ସବୁ ସୁସ୍ୱାଦୁ ହୋଇଛି । କିନ୍ତୁ କ’ଣ କ’ଣ ସେ ଖାଇଲେ ଏବଂ କାହାର କ’ଣ ସ୍ୱାଦ ସେ ଠିକ୍‌ ମନେ ରଖିପାରିଲେ ନାହିଁ । ଖାଇସାରି ଅଲେଖ ପୁଣି ବିଛଣାରେ ଗଡ଼ି ପଡ଼ିଲେ ।

ନିତ୍ୟାନନ୍ଦ ଅଇଁଠା ବାସନ ଉଠେଇ ନେଲା ଏବଂ କିଛି ସମୟ ରୋଷେଇ ଘରେ କ’ଣ ସବୁ ସଫାସଫି କଲା । ତା’ପରେ ସେ ନିଜେ ମଧ୍ୟ ଖାଇନେଲା । କାରଣ ଏହା ଭିତରେ ଦେଢ଼ଘଣ୍ଟା ସମୟ ଅତିକ୍ରମ କରିଗଲା । ଅଲେଖଙ୍କର ଇଚ୍ଛା ହେଲା, ନିତ୍ୟାନନ୍ଦ ଆସି ତାଙ୍କ ଗୋଡ଼ହାତ ମୋଡ଼ିଦେଲେ ତାଙ୍କୁ ଟିକିଏ ଭଲ ହୁଏତ ଲାଗନ୍ତା ।

ଅଲେଖ ବିଛଣାରେ ଚିତ୍‌ ହୋଇ ପଡ଼ି ରହିଥିଲେ । ମଧ୍ୟାହ୍ନରେ ଏତେ ଶୀତ ନ ଥିବାରୁ ତାଙ୍କର ଘୋଡ଼ିହେବା ରେଜେଇକୁ ନିତ୍ୟାନନ୍ଦ ଯେଭଳି ଭଙ୍ଗାଭଙ୍ଗି କରି ରଖି ଦେଇଥିଲା, ତାହା ସେହିଭଳି ବିଛଣାର ଏକ ପାଖରେ ପଡ଼ି ରହିଥିଲା । ଏହି ସମୟରେ ନିତ୍ୟାନନ୍ଦ ଆସି ଅଲେଖଙ୍କ ଗୋଡ଼ ମୋଡ଼ିବାକୁ ଆରମ୍ଭ କଲା । ଅଲେଖ ଅନୁଭବ କଲେ ତାଙ୍କୁ ଖୁବ୍‌ ଆରାମ ଲାଗୁଛି । ‘‘ତୁ ପରା ଗାଆଁକୁ ଯିବୁ ? ଆଗ ବିଛଣା ଇତ୍ୟାଦି ବାନ୍ଧିଦେ । ପରେ ମୋଡ଼ାମୋଡ଼ି କରିବୁ ।’’

ନିତ୍ୟାନନ୍ଦ ଅଲେଖଙ୍କର ଗୋଡ଼ ମୋଡ଼ିବା ତଥାପି ବନ୍ଦ କରିନଥିଲା । ଦୁଇଗୋଡ଼ ମୋଡ଼ିସାରି ସେ ବିଛଣା ବାନ୍ଧିବାକୁ ଗଲା । ସାଧାରଣତଃ ଅଲେଖ ବାହାରକୁ ଗଲେ ଯାହା ଯାହା ନିଅନ୍ତି, ସେଇସବୁ ବିଛଣା, କମ୍ୱଳ ଇତ୍ୟାଦି ନିତ୍ୟାନନ୍ଦ ଯତ୍ନର ସହିତ ବାନ୍ଧି ଦେଲା । ଓ୍ୱାଡ଼ରୋବରେ ଝୁଲୁଥିବା ପୋଷାକ ସବୁ ସେ ଭାଙ୍ଗି ଭୁଙ୍ଗି ସୁଟକେଶରେ ରଖିଦେଲା । ଅଲେଖ ସେ ଆଡ଼କୁ ନ ଚାହିଁଥିଲେ ସୁଦ୍ଧା ନିତ୍ୟାନନ୍ଦ କ’ଣ କ’ଣ କରୁଛି, ସେ ଜାଣିପାରୁଥିଲେ । କିଛି ସମୟ ପରେ ନିତ୍ୟାନନ୍ଦ ଆସନ୍ତେ ଅଲେଖ ବିଛଣାରୁ ଉଠିପଡ଼ି ବସିଲେ ଏବଂ ଡ୍ରୟାରରୁ ଶହେ ଦଶଟଙ୍କା ବାହାର କରି ତାକୁ ଦେଇଦେଲେ ।

 

ନିତ୍ୟାନନ୍ଦ କେଜାଣି କାହିଁକି ଥର ଥର ହାତରେ ଟଙ୍କାତକ ଗ୍ରହଣ କଲା ଏବଂ ଅଲେଖ ଶୋଇଯାଆନ୍ତେ ସେ ପୁଣିଯାଇ ଗୋଡ଼ ମୋଡ଼ିବାକୁ ଆରମ୍ଭ କଲା ।

 

‘‘ମୁଁ ଟିକିଏ ଶୋଇଯିବି । ତେଣୁ ତୁ ଦରଜା ବାହାରପଟୁ ଆଉଜେଇ ଦେଇ ଚାଲିଯିବୁ । ମୁଁ ଗସ୍ତରେ ରହିବି ପନ୍ଦରଦିନ ପର୍ଯ୍ୟନ୍ତ । ଫେରିଲାମାତ୍ରେ ଖବର ଦେଲେ ତୁ ସଙ୍ଗେ ସଙ୍ଗେ ବସିଲାଠାରୁ ଉଠି ଆସିବୁ ।’’

 

ନିତ୍ୟାନନ୍ଦ ଗୋଡ଼ ମୋଡ଼ୁଥିବା ଅବସ୍ଥାରେ ତା’ର ହାତ ଥରିବାକୁ ଲାଗିଲା । ଅଲେଖ ଅନୁଭବ କଲେ ନିତ୍ୟାନନ୍ଦ ଭାବପ୍ରବଣ ହୋଇଯାଇଛି । ସେ ପୁଣି ପ୍ରକୃତିସ୍ଥ ହୋଇ ଗୋଡ଼ ଏବଂ ହାତ ଭଲଭାବେ ମୋଡ଼ିବାକୁ ଲାଗିଲା । ନିତ୍ୟାନନ୍ଦର ମୋଡ଼ା ଫଳରେ ଅଲେଖ ଅନୁଭବ କଲେ ତାଙ୍କୁ ହାଲୁକା ଲାଗୁଛି । ସେ ଆସ୍ତେ ଆସ୍ତେ ନିଦେଇ ଯିବାକୁ ଉପକ୍ରମ କଲେ ।

 

ନିତ୍ୟାନନ୍ଦ ତଳେ ମୁଣ୍ଡ ଲଗେଇ ପ୍ରଣାମ କଲା ଏବଂ କହିଲା, ‘‘ଆପଣ ବୋଧହୁଏ ଶୋଇଯିବେ । ଅନେକ ସମୟ ପରେ ଉଠିପାରନ୍ତି । ଆମ ଗାଆଁ ବସ୍‌ ସମୟ ଦିନ ତିନିଟାରେ ।’’

 

‘‘ହେଉ, ହେଉ । ହଁ, ତୁ ବସ୍‌କୁ ଗଲାବେଳେ ବାଟରୁ କିଛି ମିଠା ଓ ଫଳ ନେଇଯିବୁ ତୋର ବାପା ମା’ ସାନଭାଇ ଭଉଣୀଙ୍କ ପାଇଁ ।’’

 

ଅଲେଖ ଏତିକି କହି ସାରି ନାହାନ୍ତି ତାଙ୍କୁ ନିଦ ଆସିଗଲା । ସେ ସକାଳ ବେଳାଟାଯାକ ଯନ୍ତ୍ରଣା ଭୋଗ କରୁଥିବାରୁ ଏହି ନିଦ ତାଙ୍କୁ ଗଭୀରଭାବେ ଗ୍ରାସ କରିଗଲା ।

 

ଦରଜା ଖଡ଼୍‌ ଖଡ଼୍‌ ଶବ୍ଦରେ ଅଲେଖଙ୍କର ନିଦ ଭାଜିଗଲା । ସେ ଉଠିପଡ଼ି ବିଛଣାରେ ବସିଲେ ଏବଂ କାହୁଁ ପାଣି ମାଡ଼ି ଆସିଲା ଭଳି ଯନ୍ତ୍ରଣା ତାଙ୍କ ଦେହରେ ଆସି ପହୁଞ୍ଚିଗଲା ।

 

‘‘ଦରଜା ଖୋଲା ଅଛି, ଆସନ୍ତୁ ।’’ ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ ଅଲେଖ କହିଲେ ଏବଂ ତକିଆ ତଳୁ ହାତଘଡ଼ି ବାହାର କରି ଅଲେଖ ଦେଖିଲେ ସମୟ ପ୍ରାୟ ସାଢ଼େ ପାଞ୍ଚଟା ।

 

ଦରଜା ମେଲାକରି ଘର ଭିତରକୁ ଯେ ପ୍ରବେଶ କଲେ ସେ ନୃସିଂହ ।

 

‘‘କ’ଣ ଶୋଇ ଯାଇଥିଲେ କି ?’’

 

‘‘ହଁ ।’’

 

‘‘ନିଦରେ ?’’

 

‘‘ହଁ ।’’

 

‘‘ମୁଁ ତ ସେଇଆ ଶୁଣିବାକୁ ଚାହୁଁଥିଲି ।’’ ନୃସିଂହ ଏତେ ଖୁସି ହୋଇ ଯାଇଥିଲେ ଯେ ସେ ଉଠି ଖୁସିରେ ନାଚି ଯାଉଥିଲା ଭଳି ଜଣାପଡ଼ିଲେ ।

 

‘‘ନିତ୍ୟାନନ୍ଦ ଗୋଡ଼ହାତ ମୋଡ଼ିଦେଲା, ମୁଁ କୁଆଡ଼େ ଯେ ଶୋଇଯାଇଛି...ପ୍ରାୟ ଚାରିଘଣ୍ଟା ହେବ ମୁଁ କିଛି ଜାଣିନାହିଁ । ନିଦରୁ ଉଠେତ ଯନ୍ତ୍ରଣା ପୁଣି ଆରମ୍ଭ ହୋଇଯାଇଛି ।’’

 

‘‘ହଁ, ସେଇଆ । ମୋର ବନ୍ଧୁଙ୍କ କଥା କହୁଥିଲି ପରା । ଏହିଭଳି ଠିକ୍‌ ତାଙ୍କର ମଧ୍ୟ ହେଉଥିଲା । ଆପଣଙ୍କ ପାଇଁ ରାଞ୍ଚି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଟିକେଟ୍‌ ଆଣିଛି । ଆପଣ କିନ୍ତୁ ରାଞ୍ଚିରେ ଓହ୍ଲେଇ ସିଧା ବସ୍‌ ଧରିବେ କାଙ୍କେ । କାଙ୍କେରେ ଡକ୍ଟର ସିହ୍ନା ଅଛନ୍ତି । ତାଙ୍କୁ ହିଁ ପ୍ରଥମେ ଆପଣ ଦେଖେଇବେ ।’’

 

‘‘ଗାଡ଼ି ସମୟ ବୋଧହୁଏ ସାତଟା । ମୁଁ ତା’ହେଲେ ଧୋଇଧାଇ ହୋଇ ଆସେ ।’’ ଅଲେଖ ଯନ୍ତ୍ରଣା ଭୋଗୁଥିବା ଭିତରେ ଗାଧୁଆ ଘରକୁ ଗଲେ ଏବଂ ସେଠି ନିତ୍ୟକର୍ମ ସାରି ଗାଧୁଆଘର ତାଲା ଦେଲେ । ଏତିକିବେଳେ ତାଙ୍କ ଆଖି ମଧ୍ୟ ଛଳଛଳ ହୋଇ ଉଠିଲା । ସେ ଯାଉଛନ୍ତି କାଙ୍କେ । କାହିଁ କେତେ ଦୂର । ଗାଧୁଆ ଘରେ ଆଉ ତାଙ୍କର ନିତ୍ୟକର୍ମ ହେବନାହିଁ–କେତେଦିନ କେଜାଣି ସେ ନିଜ ବାଁ ହାତ ଚକିରେ ଦୁଇ ଆଖିର ବଳକା ପାଣି ପୋଛିଦେଲେ ଏବଂ ଖୁବ୍‌ ଫୁର୍ତ୍ତିରେ ଶୋଇବା ଘର ଭିତରକୁ ପ୍ରବେଶ କରି ଆଲୋକର ସୁଇଚ୍‌ ଟିପିଦେଲେ ।

 

ନିତ୍ୟାନନ୍ଦ ସବୁ ଝରକା ଠିକ୍‌ ଠିକ୍‌ ଲଗାଇ ଦେଇଛି । ଘରଗୁଡ଼ିକ ମଧ୍ୟ ଖୁବ୍‌ ଯତ୍ନର ସହିତ ସଫା କରି ଦେଇଛି । ସୋଫାସେଟରେ ଏକ ପୁରୁଣା ଲୁଗା ଘୋଡ଼େଇ ଦେଇଛି । ବାସନକୁସନ ଶୋଇବା ଘରେ ସଜେଇ ରଖିଦେଇଛି ।

 

ଅଲେଖ ଗାଡ଼ିକୁ ଯିବାପାଇଁ ପ୍ରସ୍ତୁତ ହେବାକୁ ଲୁଗାପଟା ପିନ୍ଧିଲେ । କେଶ ପ୍ରସାଧନ ପରେ ସେ ବିଛଣାରେ ବସିଲେ ।

 

ନୃସିଂହ ପକେଟରୁ ଟିକେଟ୍‌ ବାହାର କରିଦେଲେ । ଟିକେଟ୍‌ର ମୂଲ୍ୟ ଅଲେଖ ତାଙ୍କୁ ଦେଇଦେଲେ । ଡ୍ରୟାରରେ ଥିବା ସବୁ ଟଙ୍କା ପଇସା ସେ ପକେଟରେ ରଖିଲେ ।

 

‘‘ମୋ ସାଙ୍ଗରେ କେହି ଯିବା ତା’ହେଲେ ଆବଶ୍ୟକ ନାହିଁ ?’’ ଅଲେଖ ନୃସିଂହଙ୍କୁ ପ୍ରଶ୍ନ କଲେ ।

 

‘‘ନାଁ ।’’ ନୃସିଂହ ଟିକିଏ ନୀରବ ରହି ପୁଣି କହିଲେ ‘‘ଆପଣ ମୋଟେ ଧୈର୍ଯ୍ୟ ହରେଇବେ ନାହିଁ । ଯେଉଁ ଯନ୍ତ୍ରଣା ଆପଣଙ୍କୁ ଏତେ କଷ୍ଟଦାୟକ ମନେହେଉଛି, ତାହା କେବେ ଆପଣଙ୍କୁ ଅଚଳ କରିଦେବ ନାହିଁ । ଆପଣ ରାତିରେ ଶୋଇବାକୁ ଚେଷ୍ଟା କରିବେ । ନିଦ ହୋଇଯାଇପାରେ ।’’

 

‘‘ଦୁଇହଜାର ଟଙ୍କା ପର୍ଯ୍ୟନ୍ତ ମୋ ପାଖରେ ଅଛି । ଭାବୁଛି, ଏଇତକ ଯଥେଷ୍ଟ ହୋଇଯିବ ।’’ ଅଲେଖ କହିଲେ ।

 

‘‘ନ ହେଲେ ମୋ ପାଖକୁ ଟେଲିଗ୍ରାମ କରିଦେବ । ମୁଁ ଆଉ ଯାହା ଆବଶ୍ୟକ ହେବ ଟି.ଏମ୍‌.ଓ. କରି ପଠାଇଦେବି ।’’

 

ଅଲେଖ ଘରେ ସଜଡ଼ା ହୋଇ ରଖାଯାଇଥିବା ସୁଟକେଶ ଓ ବିଛଣା ପଦାରେ ରଖିଲେ-। ନୃସିଂହ ଆଗ ଉଠିଯାଇ ପଦାରେ ଠିଆ ହେଲେ । ଅଲେଖ ଘରଦ୍ୱାର ସବୁ ବନ୍ଦ କରି ତାଲା ପକେଇ ଚାବି ନୃସିଂହଙ୍କୁ ଦେଇଦେଲେ । ଏତେ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣା ସାମାନ୍ୟ କମ୍‌ ଜଣାପଡ଼ୁଥିଲା । ବର୍ତ୍ତମାନ ଯନ୍ତ୍ରଣା ଖୁବ୍‌ ବଢ଼ିବାରେ ଲାଗିଲା ।

 

ଅଲେଖ ତାହା ପ୍ରକାଶ କଲେ ନାହିଁ । କିନ୍ତୁ ‘‘ମୁଁ ରିକ୍‌ସା ଡାକି ଆଣେ କହି ତଳକୁ ଯିବାକୁ ଉଦ୍ୟତ ହେଲେ ।’’

 

‘‘ମୁଁ ଯେଉଁ ରିକ୍‌ସାରେ ଆସିଛି, ତାକୁ ଅଟକେଇଛି । ଆପଣ ସେଇଥିରେ ଚାଲିଯିବେ-।’’ ଏହା କହି ନୃସିଂହ ‘‘ଏ ରିକ୍‌ସା, ଉପରକୁ ଆ....’’ ବୋଲି ଚିତ୍କାର କରନ୍ତେ ସେ ଉପରକୁ ଆସିଲା ଏବଂ କେହି ନ କହୁଣୁ ବିଛଣା ଏବଂ ସୁଟକେଶ ଧରି ତଳକୁ ଚାଲିଗଲା ।

 

ନୃସିଂହ କହିଲେ, ‘‘ମୁଁ ପଛେ ପଛେ ଯାଉଛି । ଆପଣ ତ କଲିକତା ବଗିରେ ଖଡ଼ଗପୁର ପର୍ଯ୍ୟନ୍ତ ଯିବେ । ମୁଁ ସେଇ ବଗିରେ ଆପଣଙ୍କୁ ଦେଖା କରିବି ।’’

 

ଅଲେଖ ରିକ୍‌ସା ଉପରେ ବସି ରିକ୍‌ସାକୁ ଯେତେବେଳେ ‘‘ଷ୍ଟେସନ ଚାଲ୍‌’’ ବୋଲି ଆଦେଶ ଦେଉଥିଲେ ସେତେବେଳେ ଶରୀରର ଯନ୍ତ୍ରଣା ସହିତ ଏହି ପରିଚିତ ସ୍ଥାନଟିକୁ ଛାଡ଼ିଯିବାର ମାନସିକ ଯନ୍ତ୍ରଣା ତାଙ୍କୁ ଅତି ନିବିଡ଼ଭାବେ ଜଣାପଡ଼ୁଥିଲା । ଘରେ ପଡ଼ିଥିବା ତାଙ୍କ ନିତ୍ୟବ୍ୟବହାର୍ଯ୍ୟ ବିଛଣା; ରେଜେଇ, ସୋଫାସେଟ୍‌ ଏବଂ କୋଠରୀଗୁଡ଼ିକ....ତଳେ ପାହାଚ ତଳେ ରଖାହୋଇଥିବା ସାଇକେଲ...ସବୁ ଅଲେଖଙ୍କର ମନେପଡ଼ିଲା ।

 

ରିକ୍‌ସା ଚାଲିଥିଲା ସହରର ପ୍ରଧାନ ପ୍ରଧାନ ରାସ୍ତା ଦେଇ । ଅଲେଖ ଆଜି ଦୂରକୁ ଯାଉଛନ୍ତି । ସେ ପିଲା ନୁହନ୍ତି । ଏକ ପ୍ରତିଷ୍ଠିତ କମ୍ପାନୀର ସେ ମ୍ୟାନେଜର । ସହରର ରାସ୍ତାମାନଙ୍କରେ ଲୋକଗହଳି । ସିନେମା ସବୁ ଭାଙ୍ଗୁଛି । ପୁଣି ସନ୍ଧ୍ୟାବେଳର ସିନେମା ପାଇଁ ଅଧିକ ଭିଡ଼ । ସେଇ ଭିଡ଼ ଭିତରେ ସାଇକେଲ ରିକ୍‌ସା ଚାଲିଛି । ରିକ୍‌ସା ଟାଣୁଥିବା ଲୋକଟି ଯୁବକ । ଖାକି ହାଫ୍‌ପ୍ୟାଣ୍ଟ ଓ ପୂରା ଗଞ୍ଜି ପିନ୍ଧିଛି ରିକ୍‌ସାବାଲା । ରିକ୍‌ସା ଟାଣୁଥିବାରୁ ତା’ର ବାହୁ ଏବଂ ଗୋଡ଼ର ମାଂସପେଶୀ ସବୁ ସୁସ୍ଥସବଳ ହୋଇ ବାହାରକୁ ଦେଖାପଡ଼ୁଛି । ଅଲେଖ କେଜାଣି କାହିଁକି ରିକ୍‌ସାବାଲାକୁ ଦେଖି ଖୁବ୍‌ ଖୁସି ହୋଇଗଲେ । ଶାରୀରିକ ପରିଶ୍ରମ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ପ୍ରତି ଅଲେଖଙ୍କର ଖୁବ୍‌ ଦରଦ । ଏଇ ମେହେନତୀ ଲୋକେ କୋଣାର୍କ ଗଢ଼ିଛନ୍ତି, ପୃଥିବୀର ଯେତେ ବଡ଼ ବଡ଼ ଇଞ୍ଜିନିୟରିଂ କାର୍ଯ୍ୟ ସେଥିରେ ସେମାନଙ୍କର ଶ୍ରମର ସ୍ୱାକ୍ଷର ରହିଛି । ଶ୍ରମ ମଣିଷକୁ ମୁକ୍ତ କରେ । ଶ୍ରମରେ ଘୃଣା ନାହିଁ, ବିଦ୍ୱେଷ ନାହିଁ, ଅସୂୟା ନାହିଁ । ରିକ୍‌ସାବାଲାର ଦେହରୁ ମାଛି ଖସି ପଡ଼ୁଛି । ସହରର ଜନବହୁଳ ଅଂଶରେ ଘଣ୍ଟି ବଜେଇ ବଜେଇ ସେ ରିକ୍‌ସା ଟାଣିନେଉଛି । ଅଲେଖ ରାସ୍ତାର ଦୁଇପାଖକୁ ଚାହିଁ ଚାହିଁ ଯାଉଥିଲେ । ସମସ୍ତେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟସ୍ତ । ଏ ପୃଥିବୀ ସେଇଥିପାଇଁ ଅତି ବ୍ୟସ୍ତ । ବାଁ ପାଖରେ ଲୁଗା ବଜାର । ପ୍ରତି ଦୋକାନରେ ଗ୍ରାହକମାନଙ୍କର ଭିଡ଼ । ବିଭିନ୍ନ ବର୍ଣ୍ଣର ଜାମାପଟା ପୁରୁଷମାନେ ପିନ୍ଧି, ବିଭିନ୍ନ ରଙ୍ଗର ଶାଢ଼ିପିନ୍ଧି ସ୍ତ୍ରୀମାନେ, ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ପିଲାମାନେ ଦୋକାନମାନଙ୍କରେ ଭିଡ଼ ଜମେଇଛନ୍ତି ଡାହାଣ ପାଖରେ ଫଳ ଦୋକାନମାନଙ୍କରେ ଭିଡ଼ ଜମେଇଛନ୍ତି । ଡାହାଣପାଖରେ ଫଳ ଦୋକାନସବୁ । ସେଠି ମଧ୍ୟ ବିଭିନ୍ନ ପ୍ରକାରର ଗ୍ରାହକମାନଙ୍କର ଭିଡ଼ । ବଞ୍ଚିବାଲାଗି ସବୁଠି ପ୍ରବଳ ସଂଗ୍ରାମ–ବଞ୍ଚିବା ବିକିବାରେ, ବଞ୍ଚିବା କିଣିବାରେ । ଏ ସଂଗ୍ରାମ ଅତ୍ୟନ୍ତ ନିରୀହ, ଏହାଭିତରେ ଅନ୍ତସଲିଳା ଫଲ୍‌ଗୁପରି ବଞ୍ଚିବାର ଅଭିଳାଷ ବହି ଚାଲିଛି ପ୍ରଶାନ୍ତ ଛନ୍ଦରେ ।

 

ଅଲେଖ ଆଜି କାଙ୍କେ ଯାଉଛନ୍ତି । ଏକ ମାନସିକ ବିକାରର ଶିକାର ହୋଇ ସେ କାଙ୍କେ ଯିବେ । ଏହା ସେ ଅତ୍ୟନ୍ତ ଗୋପନୀୟ ରଖିଛନ୍ତି । କାରଣ, ଏ ସମାଜ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଘୃଣା କରେ । ସେମାନେ କାହାକୁ କ’ଣ କହନ୍ତି, ତା’ର କିଛି ଠିକଣା ନ ଥାଏ-। ସେମାନେ ତେଣୁ ଏକ ସାବଲୀଳ ଛନ୍ଦରେ ବିଭ୍ରାନ୍ତି ସୃଷ୍ଟି କରନ୍ତି । ସେ ଯାହାହେଉ ।

 

ଅଲେଖ କଲିକତା ବଗିରେ ନିଜର ବିଛଣାପତ୍ର ସଜାଡ଼ି ଦେଇ ଦରଜା ପାଖରେ ଠିଆ ହୋଇ ରହିଲେ । ଅପେକ୍ଷା ନୃସିଂହଙ୍କୁ । ନୃସିଂହ ନିଶ୍ଚିତ ଆସିବେ ।

 

ପୁଣି କ’ଣ ସେ ମନରେ ଭାବିଲେ, ରେଳବାଇ ଡାକ ସଂସ୍ଥାରୁ ଗୋଟିଏ ଲଫାପା କିଣି ଆଣିଲେ । ପକେଟରେ ଥିବା ସାଦା କାଗଜରେ ସେ କେତେ ଧାଡ଼ି ଚିଠି ସେ ଲେଖିଲେ ‘‘ମୁଁ କେତେକ ଅସୁସ୍ଥତା ସମସ୍ୟା ନେଇ ମାସକ ପାଇଁ କାଙ୍କେ ଯାଉଛି । ଏ ବିଷୟ ଆପଣଙ୍କୁ ଜଣେଇଦେବା ମୋର ପବିତ୍ର କର୍ତ୍ତବ୍ୟ ବୋଲି ମନେକରୁଛି । ଆପଣ ଅତୀତରେ ମୋ ପ୍ରତି ଖୁବ୍‌ ସ୍ନେହ ଓ ସହାନୁଭୂତି ଦେଖାଇଛନ୍ତି । ବାପା ମା’ଙ୍କୁ ମଧ୍ୟ ମୁଁ ଏ ଖୁବ୍‌ କଥା ଜଣେଇ ନାହିଁ । ଆପଣ ବିଶେଷ ବ୍ୟସ୍ତ ହେବେ ନାହିଁ । ଏ ଖବର ଗୋପନୀୟ ରଖିବେ । ମୋ ପାଖକୁ ପ୍ରତିଦିନ ଚିଠିଦେଲେ ମୋତେ ଟିକିଏ ଭଲ ଲାଗିବ । ଇତି । ଅଲେଖ ।’’

 

ଅଲେଖ ଏତିକି ଲେଖିସାରି ଚିଠିଟି ବନ୍ଦ କଲେ ଏବଂ ଉପରେ ଠିକଣା ଲେଖିଲେ, ପ୍ରଶାନ୍ତ ମିଶ୍ର, ଡେପୁଟି ସେକ୍ରେଟେରୀ, ଓ୍ୱାର୍କସ୍‌ ଡିପାଟମେଣ୍ଟ । ଚିଠିଟି ଲେଖିସାରି ଅଲେଖ ଷ୍ଟେସନରେ ଥିବା ଚିଠି ବାକ୍‌ସରେ ତାହା ପକେଇ ଦେଇ ଆସିଲେ । ତାଙ୍କର ଦେହର ଯନ୍ତ୍ରଣା ଏହା ଭିତରେ ଅନେକ କମିଯାଇଥିଲା । ସେ ନିଜ ସିଟରେ ଦେହକୁ ଲମ୍ୱାଇ ଦେଇ ଅପେକ୍ଷା କଲେ । କଲିକତା ବଗି ଏକ୍‌ସପ୍ରେସ ଗାଡ଼ିରେ ଯୋଡ଼ା ହେବାପାଇଁ ଚାଲିଲା କି କଅଣ, ବଗିଟା ଘୁଞ୍ଚିବାରେ ଲାଗିଲା । ଏ ଭିତରେ କେତେବେଳେ ଏକ୍‌ସପ୍ରେସ ଗାଡ଼ି ଆସି ଷ୍ଟେସନରେ ଠିଆ ହୋଇଛି ।

 

କଲିକତା ବଗି ଏକ୍‌ସପ୍ରେସ ଗାଡ଼ିରେ ଯୋଡ଼ା ହୋଇଗଲା । ବର୍ତ୍ତମାନ ହାତରେ ଆଉ ଦଶ ମିନିଟ୍‌ ସମୟ । ନୃସିଂହ ଏ ଯାଏଁ ଆସିଲେ ନାହିଁ । ବିଭିନ୍ନ କମ୍ପାଟମେଣ୍ଟରେ ଲୋକେ ଉଠୁଛନ୍ତି ଚଢ଼ୁଛନ୍ତି ରାତି ହୋଇଗଲାଣି । ଷ୍ଟେସନରେ ଖୁବ୍‌ ଆଲୋକ । ଫେରିବାଲାମାନେ ପାଟିତୁଣ୍ଡ କରୁଛନ୍ତି ।

 

ଅଲେଖ ବିଛଣାରୁ ଉଠି କମ୍ପାଟମେଣ୍ଟ ଦ୍ୱାରରେ ଠିଆ ହୋଇଗଲେ । ସେଠି ମଧ୍ୟ ବହୁଲୋକଙ୍କ ଭିଡ଼ । ସମସ୍ତେ ତାଙ୍କ ନିକଟ ସମ୍ପର୍କଙ୍କଠାରୁ ବିଦାୟ ନେଉଛନ୍ତି । ଅଲେଖ ଏହି ସମୟରେ ଲକ୍ଷ୍ୟକଲେ ଭିଡ଼ ଠେଲି ଠେଲି ନୃସିଂହ ଆସୁଛନ୍ତି । ନୃସିଂହ ପାଖରେ ପହଞ୍ଚି ଯାଆନ୍ତେ ଅଲେଖ ତଳକୁ ଓହ୍ଲାଇପଡ଼ି ତାଙ୍କୁ କୁଣ୍ଢାଇ ପକେଇଲେ ।

 

‘‘ଆପଣ ତୁରନ୍ତ ଗାଡ଼ି ଉପରକୁ ଯାଆନ୍ତୁ । ଦ୍ୱିତୀୟ ଘଣ୍ଟି ପଡ଼ିଗଲାଣି । ରିକ୍‌ସା ମିଳିବାରେ ବିଳମ୍ୱ ହେଲା ବୋଲି ମୁଁ ଆସିବାରେ ଡେରି ହେଲା ।’’

 

ଅଲେଖ ଗାଡ଼ି ଉପରକୁ ଉଠିଲେ । ତୃତୀୟ ଘଣ୍ଟି ପଡ଼ିଲା । ଗାଡ଼ି ଛାଡ଼ିବାର ହୁଇସିଲ ହେଲା । ନୃସିଂହ ଅଲେଖଙ୍କୁ ଏକା ଲୟରେ ଚାହିଁ ରହିଥିବା ଅଲେଖ ଦେଖିପାରିଲେ ।

 

ଯେତେବେଳେ ଗାଡ଼ି ଆସ୍ତେ ଆସ୍ତେ ଷ୍ଟେସନ ଛାଡ଼ିଲା, ସେତେବେଳେ–ଅଲେଖ ଦେଖିଲେ ନୃସିଂହଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ିଆସିଲା । ପାଷାଣ ଭଳି ବାହାରକୁ ଦେଖାଯାଉଥିବା ମଣିଷଟିର ଆଖିରୁ ଏଇ ଦୁଇଧାର ଲୁହ ଗଡ଼ୁଥିବାବେଳେ ଅଲେଖଙ୍କ ଆଖିରୁ ମଧ୍ୟ ଦୁଇଧାର ଲୁହ ଗଡ଼ିଆସିଲା । ସେ ମନେକଲେ ତାଙ୍କର ମସ୍ତିଷ୍କ ତରଳି ଯାଉଛି ଏବଂ ଦୁଇ ଆଖି ବାଟରେ ଥିବା ରନ୍ଧ୍ରି ଦେଇ ସେଇ ତରଳା ମସ୍ତିଷ୍କ ଯେପରି ଲୁହ ଆକାରରେ ବାହାରକୁ ବହି ଆସୁଛି । ଅଲେଖ କମ୍ପାଟମେଣ୍ଟର ଦରଜା ପାଖରେ ଠିଆହୋଇ ରହିଲେ ସେତିକି ସମୟ ଯେତିକି ସମୟ ନୃସିଂହ ତାଙ୍କ ଦୃଷ୍ଟିପଥରେ ଆସିଲେ । ନୃସିଂହ କ୍ରମଶଃ ଅସ୍ପଷ୍ଟ ହୋଇ ଦୃଷ୍ଟିପଥରୁ ଅପସରିଗଲେ, ସେତିକିବେଳେ ଅଲେଖଙ୍କର ଯନ୍ତ୍ରଣା ହଠାତ୍‌ ଅଧିକ ହେଲା ।

 

ସେ ଫେରି ଆସିଲେ ନିଜ ସିଟ୍‌କୁ । ରାତି ହେଲାଣି । ଅଲେଖଙ୍କର ଦେହର ଯନ୍ତ୍ରଣା ଆହୁରି ବଢ଼ୁଛି । ଗାଡ଼ି ଛାଡ଼ିବା ଶେଷ ମୁହୂର୍ତ୍ତରେ ନୃସିଂହଙ୍କର ବେଦନା ବ୍ୟଥିତ ମୁହଁ ଅଲେଖଙ୍କ ପାଇଁ ଏକ ନୂତନ ପରିସ୍ଥିତି ସୃଷ୍ଟି କରିଦେଇଗଲା । ସେ ଏ ପର୍ଯ୍ୟନ୍ତ ସବୁକିଛିକୁ ମାମୁଲି ବୋଲି ଗ୍ରହଣ କରି ନେଇଥିଲେ । ସେ ଜାଣନ୍ତି ନାହିଁ, ଏହାର ପରିଣାମ କ’ଣ ହେବ । ଡାକ୍ତର ସିହ୍ନା ହୁଏତ ବହୁଦିନ ପାଇଁ ତାଙ୍କର ଚିକିତ୍ସା ଲାଗିବ ବୋଲି ମତ ଦେଇପାରନ୍ତି ।

 

ନୃସିଂହ ଯେତେବେଳେ କହିଲେ ଯେ ସେ ଟେଲିଗ୍ରାମ ମନିଅର୍ଡ଼ର କରି ଟଙ୍କା ପଠାଇବେ, ସେତେବେଳେ ଅଲେଖ କିଛି ଭାବି ନ ଥିଲେ । ବର୍ତ୍ତମାନ ସେ ଭାବୁଛନ୍ତି, ବୋଧହୁଏ ଅଧିକ ଦିନ ଚିକିତ୍ସା ଲାଗିପାରେ । ରେଳଗାଡ଼ିରେ ପ୍ରଥମ ଶ୍ରେଣୀ ବଗି ଉପରେ ଦୁଇଜଣ ଶୋଇଗଲେଣି । ତଳେ ଅଲେଖଙ୍କ ସାମନା ସାମନି ଯେଉଁ ଭଦ୍ରବ୍ୟକ୍ତି ଦେଖା ପଡ଼ୁଛନ୍ତି, ସେ ଟିକିଏ ସ୍ଥୂଳକାୟ । ନିଶଦାଢ଼ି କିଛି ରଖିନାହାନ୍ତି କିନ୍ତୁ ଅଳ୍ପ ଚନ୍ଦା ଏବଂ ବୟସ୍କ ହୋଇଥିବାରୁ କେଶଗୁଚ୍ଛ ଅଧା ପାଚିଲା । ବ୍ୟବସାୟୀ ବୋଲି ଅନୁମାନ କରାଯାଏ । ସେ ଭଦ୍ରବ୍ୟକ୍ତି ନିଜର ବିଛଣାପତ୍ର କିଛି ଆଣି ନାହାନ୍ତି । ଏକ ବଡ଼ ବ୍ରିଫକେଶରୁ ଏକ ପବନ ଦିଆ ତକିଆ ବାହାର କରି ତାକୁ ବସି ସେ ଫୁଙ୍କୁ ଥିବାର ଦେଖାଯାଉଥିଲା ।

 

କିଛି ସମୟ ପରେ ପ୍ରୋକ୍ତ ଭଦ୍ରବ୍ୟକ୍ତି ତାଙ୍କ ନିଜ ସିଟରେ ଚିତ୍‌ ହୋଇ ଶୋଇଗଲେ । ଶୋଇବା ପୂର୍ବରୁ ସେ ତାଙ୍କର ବଡ଼ ବ୍ରିଫକେଶଟିକୁ ମୁଣ୍ଡ ପାଖରେ ଛିଡ଼ା କରେଇ ରଖିଲେ । ସେ ଧୋତି ଓ ଧଳା ପଞ୍ଜାବି ପିନ୍ଧିଥାନ୍ତି । ବର୍ଣ୍ଣ ତାଙ୍କର ଗୌର, ଅତି ଗୌର ନୁହେଁ ।

 

କାହିଁକି କେଜାଣି ସେ ଅଲେଖଙ୍କ ସହିତ କିଛି କଥାଭାଷା ହେଲେ ନାହିଁ । ଅଲେଖ ତେଣୁ ବିଛଣା ଏବଂ ସୁଟକେଶ ସୁବିଧାଜନକ ସ୍ଥାନରେ ରଖି ଦେଇ ବିନା ତକିଆରେ ଗଡ଼ିପଡ଼ିଲେ-

 

ଖଡ଼୍‌ଗପୁର ପାଖରେ ତାଙ୍କୁ ଗାଡ଼ି ବଦଳେଇବାକୁ ପଡ଼ିବ । ତେଣୁ ଅଳ୍ପ ସମୟ ମାତ୍ର ସେ ଶୋଇବେ । ଏ ଦୃଷ୍ଟିରୁ ବିଛଣା ବାହାର କରିବା ପାଇଁ ସେ ଚାହିଁଲେ ନାହିଁ । କିନ୍ତୁ ସେ ନିଜ ଦେହକୁ ପ୍ରସାରିତ କଲାବେଳକୁ ଚିନ୍ତା କରୁଥିଲେ ଯେ ତାଙ୍କୁ କମ୍ୱଳ ବାହାର କରିବାକୁ ପଡ଼ିବ; କାରଣ, ଶୀତରାତି ଜୋରରେ ମାଡ଼ି ଆସୁଛି ।

 

କାଙ୍କେ, ରାଞ୍ଚି ।

 

ଅଲେଖ ନିଜ ବିଛଣାରେ ଶୋଇରହି ଭାବୁଥିଲେ ନିଜ ଗାଆଁ କଥା, ପିଲାଦିନ କଥା । ଜୀବନକୁ ଯେତେ ସରଳ ବୋଲି ତାଙ୍କ ବାପା ଗ୍ରହଣ କରି ନେଇଥିଲେ, ସେତେ ସରଳ ଅଲେଖଙ୍କ ଜୀବନ ହୋଇପାରିଲା ନାହିଁ । ଗାଆଁରେ ପିଲାଦିନ କେତେ ଫୁର୍ତ୍ତିରେ କଟିଥିଲା । ଖେଳ ପଡ଼ିଆରେ ସନ୍ଧ୍ୟାବେଳର ଅନୁଭୂତି, ରାତିରେ ପାଠ ପଢ଼ିବାର ନିମଜ୍ଜନ, ଦିନର ସ୍କୁଲ......ସବୁଗୁଡ଼ିକ ଅନ୍ତତଃ ଅଲେଖଙ୍କ ପକ୍ଷେ ଆକର୍ଷଣର ବିଷୟ ଥିଲା । ଗାଆଁ ବରଗଛ, ଗାଆଁ କେନାଲ, ଗାଆଁ ବଜାର ସବୁ ଅଲେଖଙ୍କ ମନରେ ସ୍ପଷ୍ଟ ହୋଇଉଠିଲେ । ବାପା ମା’ଙ୍କର ସାଧନା ସବୁ ଗୋଟାକ ପରେ ଗୋଟାଏ ଅଲେଖଙ୍କର ମନେପଡ଼ିଗଲେ, ତାଙ୍କର ମନେହେଲା ସେ ପୁଣିଥରେ ଗାଆଁକୁ ଫେରିଯାଇ ଶୈଶବ ଅବସ୍ଥାରୁ ଜୀବନ ଆରମ୍ଭ କରନ୍ତେ କି !

 

ଅଲେଖ ନିଜ ବିଛଣାରୁ ସାମାନ୍ୟ ଉଙ୍କି ଝରକା ବାଟଦେଇ କାଙ୍କେର ପରିବେଶ ଦେଖିବା ପାଇଁ ଚେଷ୍ଟା କଲେ । କାଙ୍କେ ହାସ୍ପାତାଳର ଏଇ ଓ୍ୱାର୍ଡ଼ ଅଳ୍ପ ମାନସିକ ଚାପ ଭୋଗୁଥିବା ରୋଗୀମାନଙ୍କ ପାଇଁ, ତେଣୁ ହାସ୍ପାତାଳର ଗୋଟିଏ କୋଣକୁ ଏହା ତିଆରି ହୋଇଛି । ଏଇ ଓ୍ୟାର୍ଡ଼ର ଝରକା ଦେଇ ଚାହିଁଲେ ଦୂରରେ ଥିବା ସମତଳ ଅଞ୍ଚଳର ଘଞ୍ଚ ସବୁଜଫସଲ ଦେଖାଯାଏ-। ସେଉଠୁ ଆସ୍ତେ ଆସ୍ତେ ଉଚ୍ଚତାର ଆରମ୍ଭ ହୋଇ କାଙ୍କେ ମାନସିକ ରୋଗ ହାସ୍ପାତାଳ ଏକ ପାହାଡ଼ ଉପରେ ତିଆରି ହୋଇଥିବା ଜଣାପଡ଼ୁଛି । ବହୁ ଦୂରରେ....ନିଘଞ୍ଚ ବନାନୀ । ଯେଉଁ ସମତଳ ନିକଟରେ ଦେଖାଯାଉଛି, ତାହା ବିଭିନ୍ନ ପରିବା ଫସଲରେ ସମୃଦ୍ଧି । କାଙ୍କେରେ ପରିବା ବହୁତ ଶସ୍ତା । ଓଡ଼ିଶାରେ ଯାହା ଦର, ତା’ର ଏକ ପଞ୍ଚମାଂଶ ଦର ଏଠି । ଅଣ୍ଡା ଏବଂ କୁକୁଡ଼ା ମଧ୍ୟ ଏଠି ଖୁବ୍‌ ଶସ୍ତା । ତେଣୁ ଅଲେଖ ପ୍ରଚୁର ଖାଉଛନ୍ତି । ଦୁଇ ସପ୍ତାହ ଭିତରେ ଅଲେଖଙ୍କର ଓଜନ ସାତ କିଲୋଗ୍ରାମ ବଢ଼ିଛି ।

 

ଏହା ଭିତରେ ଅଲେଖ ଅନେକ ସୁସ୍ଥ ହୋଇ ଗଲେଣି । ତାଙ୍କ ଦେହରେ ଯନ୍ତ୍ରଣା ଆଉ ମୋଟେ ରହୁନାହିଁ । ତାଙ୍କୁ ଇଲେକ୍‌ଟ୍ରିକ୍‌ ସକ୍‍ ଦୁଇଥର ଦିଆଗଲାଣି । ଓଃ ସେ କି ଯନ୍ତ୍ରଣା ଦାୟକ । ଇଲେକ୍‌ଟ୍ରିକ୍‌ ସକ୍‌ ଦିଆଗଲାବେଳେ ଅଲେଖ ମରଣ ଯନ୍ତ୍ରଣା ଅନୁଭବ କରିଛନ୍ତି । ଆଉ ତିନିଦିନ ପରେ ଶେଷଥର ପାଇଁ ତାଙ୍କୁ ଇଲେକ୍‌ଟ୍ରିକ୍‌ ସକ୍‌ ଦିଆଯିବ । ଆଉ ଦୁଇସପ୍ତାହ ରହିବେ ଅଲେଖ । ତେଣୁ ତାଙ୍କ ମନ ମଧ୍ୟ ବେଶ୍‌ ଫୁର୍ତ୍ତି ରହିଛି । ସେ ନିଜକୁ ସବୁବେଳେ ଧନ୍ୟବାଦ ଦେଉଥିଲେ ଯେ ଏଭଳି ଆୟୋଜନ ସେ କରିଦେଇ ଆସିଲେ ଯେ ନୃସିଂହବାବୁ ଏବଂ ପ୍ରଶାନ୍ତବାବୁଙ୍କ ବ୍ୟତୀତ କେହି ଜାଣିପାରିବେ ନାହିଁ ସେ କୁଆଡ଼େ ଆସିଛନ୍ତି ।

 

ପ୍ରଶାନ୍ତବାବୁଙ୍କ ପାଖକୁ ସେ ଚିଠି ଦେଇ ଆସିଥିଲେ । କାଙ୍କେରୁ ମଧ୍ୟ ସେ ଚିଠି ଦେଇଛନ୍ତି । ସୁକାନ୍ତିଙ୍କ ପାଖକୁ ମଧ୍ୟ ଏକ ଭାବପ୍ରବଣ ମୁହୂର୍ତ୍ତରେ ଚିଠି ଦେଇଛନ୍ତି । କିନ୍ତୁ କେବଳ ଦୈନିକ ନୃସିଂହଙ୍କର ଏକ ଭାବପ୍ରବଣ ଚିଠି ବ୍ୟତୀତ ଆଉକିଛି ଚିଠି ଏଯାଏଁ ଆସିନାହିଁ ।

 

ନୃସିଂହ ପୁଣି ଏତେ ଭାବପ୍ରବଣ ହୋଇପାରନ୍ତି । ଅଲେଖ ରବିବାର ବ୍ୟତୀତ ସବୁଦିନେ ତାଙ୍କଠାରୁ ଅନ୍ତତଃ ଚାରିପୃଷ୍ଠାର ଚିଠି ପାଆନ୍ତି । ଚିଠି ତ ନୁହେଁ ଜୀବନ ଦର୍ଶନ । ମାଲଗୋଦାମର ରୁକ୍ଷ ରୁଟିନରେ ରହି ସେ ପଥର ପାଲଟି ଯାଇଥିଲେ । ନୃସିଂହଙ୍କର ସେହି ରୁକ୍ଷତା ଅଲେଖଙ୍କର ଅସୁସ୍ଥତାରେ ଯେଭଳି ତରଳି ଯାଇଛି । ଏଡ଼େ ସୁନ୍ଦର ଭାଷା ! ଏଡ଼େ ସୁନ୍ଦର ଭାବ ! ଏଡ଼େ ସୁନ୍ଦର ଭାଷା ଓ ଭାବର ସମନ୍ୱୟ !! ମଣିଷ ଯେ ମଣିଷକୁ ଏତେ ସ୍ନେହ ଶ୍ରଦ୍ଧା କରିପାରେ, ନୃସିଂହ ତା’ର ଦୃଷ୍ଟାନ୍ତ ଦେଇ ଦେଇଗଲେ । ଏହାହିଁ ମଣିଷ ଜୀବନର ଚମତ୍କାରିତା ।

 

ଅପରାହ୍ନ । ଶୀତ ଅପରାହ୍ନ ଯୋଗୁ ଥଣ୍ଡା ଲାଗୁଛି । ଅଲେଖ ଏକ କମ୍ୱଳ ଘୋଡ଼େଇ ହୋଇ ଶୋଇଛନ୍ତି । କାଙ୍କେ ଆସି ସେ ପ୍ରଥମେ ଡକ୍ଟର ସିହ୍ନାଙ୍କ ସହିତ ସାକ୍ଷାତ୍‍ କରିଛନ୍ତି । ଡକ୍ଟର ସିହ୍ନା ଅଲେଖଙ୍କୁ ତାଙ୍କ ଜୀବନର ସମସ୍ତ ଘଟଣା ଯାହା ମନେପଡ଼ୁଛି ସବୁ କହିବାକୁ ନିର୍ଦ୍ଦେଶ ଦେଲେ । ଅଲେଖଙ୍କର ଯେତେ ମନେପଡ଼ିଲା, ସେ ସବୁ କଥା କହିଦେଲେ । ଦେଢ଼ଘଣ୍ଟା ସମୟ ଲାଗିଲା ଅଲେଖଙ୍କର ବର୍ଣ୍ଣନା । ଡକ୍ଟର ସିହ୍ନା କିନ୍ତୁ ଗୋଟିଏ କଥା ଉପରେ ପ୍ରଶ୍ନ କଲେ । ସେ ହେଲା ଅଲେଖଙ୍କର ବିବାହ କରିବାରେ ବିଳମ୍ୱ ହେବାର କାରଣ ।

 

ଅଲେଖ ଉତ୍ତର ଦେଇଥିଲେ ଯେ ବିବାହ ସମ୍ପର୍କରେ ସିଦ୍ଧାନ୍ତ କରିବା ମୁଖ୍ୟତଃ ବାପା ମା’ଙ୍କର । ତେଣୁ ସେ ଘରୁ ଏ ସମସ୍ୟାର ସମାଧାନ ଆଶା କରନ୍ତି । ଡକ୍ଟର ସିହ୍ନା ପଚାରିଥିଲେ ଯେ ଓ୍ୱାର୍କସ୍‌ ଡେପୁଟି ସେକ୍ରେଟେରୀ ଶ୍ରୀ ପ୍ରଶାନ୍ତ ମିଶ୍ର ଓ ତାଙ୍କ ଝିଅ ସୁକାନ୍ତି ମିଶ୍ର ଯେବେ ଅଲେଖଙ୍କ ଘରକୁ ଆସିଥିଲେ ତା’ ପରେ ପରେ ଅଲେଖ ବାପାଙ୍କ ପାଖକୁ ଚିଠି ଦେଇଥିବା ବିଷୟ ଅଲେଖ ଆଗରୁ ଯାହା ଉଲ୍ଲେଖ କରିଛନ୍ତି, ତା’ର କାରଣ କ’ଣ ହୋଇପାରେ । ଅଲେଖ ତ ପ୍ରତି ଶନିବାର ଗାଆଁକୁ ଯାଆନ୍ତି, ବାପାଙ୍କ ପାଖକୁ ଚିଠି ଲେଖିବାର ଆବଶ୍ୟକତା କାହିଁକି ପଡ଼ିଲା ?

 

ଅଲେଖ ସେହି ପ୍ରଶ୍ନରେ ନୀରବ ହୋଇଯାଇଥିଲେ । ସେ ଡକ୍ଟର ସିହ୍ନାଙ୍କ ପାଖରେ ନୀରବ ହୋଇଗଲେ ସିନା ତାଙ୍କ ଅବଦମିତ ମନ ଭିତରେ ଏକ କମ୍ପନ ସୃଷ୍ଟି ହେଲା । ସୁକାନ୍ତି ହିଁ ପ୍ରଥମ ମହିଳା ଯେ ଅଲେଖଙ୍କ ଘରକୁ ଆସିଥିଲେ । ସୁକାନ୍ତିଙ୍କ ସୁନ୍ଦର ଗଠନ, କୁଳୀନତା ଓ ବ୍ୟବହାର ଅଲେଖଙ୍କ ମନରେ ନିଶ୍ଚିତ ରେଖାପାତ କରିଥିଲା । ସେ ଅବଚେତନ ମନରେ ଗ୍ରହଣ କରିନେଇଥିଲେ ଯେ ସବୁ ଯଦି ଠିକ୍‌ ଚାଲେ, ସୁକାନ୍ତିଙ୍କ ସହିତ ତାଙ୍କର ବିବାହ ହୁଏତ ସମ୍ଭବ ହୋଇପାରେ ।

 

କାଙ୍କେରେ ଏକ ହାଲୁକା ପରିବେଶ ମଧ୍ୟରେ ଅଲେଖ ଏହି କଥା ଚିନ୍ତା କରୁଥିଲେ । କେଜାଣି କାହିଁକି ଏତିକି କଥା ନିଜ ସହରରେ ଅଲେଖଙ୍କ ମନରେ ଆସି ପାରୁନଥିଲା ।

 

ଅବଦମିତ ଅବସ୍ଥାରେ ଏହି ଚିନ୍ତା ଅଲେଖଙ୍କ ମସ୍ତିଷ୍କ ଭିତରେ ରହି ଯାଉଥିଲା, ଯାହା ବହୁ ସମୟ ରହିଲା ପରେ ହୁଏତ ଏକ ମାନସିକ ଝଡ଼ରେ ରୂପାନ୍ତରିତ ହୋଇଛି । ଏହି ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ହାଲୁକା ମନରେ ଏହି ଚିନ୍ତା ଆସୁଛି, ଯାହା ଏକ ମାମୁଲି ଚିନ୍ତା, କିନ୍ତୁ ଅଲେଖ ତାହା ନିଜର ଶିକ୍ଷା, ଶୃଙ୍ଖଳା ଓ ଶାଳିନତା ଯୋଗୁ ମନ ଭିତରେ ଅବଦମିତ କରି ରଖିଥିଲେ । ବର୍ତ୍ତମାନ ସୁକାନ୍ତିଙ୍କର ସେ ଦିନର ସ୍ୱଚ୍ଛ ରୂପ ଅଲେଖଙ୍କ ମନରେ ସ୍ପଷ୍ଟ ଦେଖା ପଡ଼ିଲା । ସେ ମନେ ମନେ ଅତି ଆତୁର ହୋଇ ଇଚ୍ଛାକଲେ ପୁଣି ଥରେ ସୁକାନ୍ତିଙ୍କୁ ଦେଖନ୍ତେ କି ।

 

କାହିଁ କେତେଦୂରରେ ଅଲେଖ ଅଛନ୍ତି, ତାଙ୍କୁ ଏକ ସ୍ପେଶାଲ ଓ୍ୱାର୍ଡ଼ରେ ରଖାଯାଇଛି, ଯେଉଁଠି କେବଳ ଅତି ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ଅଛନ୍ତି । ପ୍ରତି ଖଟିଆ ଅନ୍ୟଠାରୁ ଅନୁଚ୍ଚ କାନ୍ଥ ଦ୍ୱାର ବିଚ୍ଛିନ୍ନ । ଏ ଓ୍ୱାର୍ଡ଼ରେ ଯେଉଁ ଶ୍ରେଣୀର ରୋଗୀ ଚିକିତ୍ସିତ ହେଉଛନ୍ତି, ସେମାନେ ଦ୍ୱୈତ ବ୍ୟକ୍ତିତ୍ୱ ରୋଗଗ୍ରସ୍ତ ।

 

ଅଲେଖ ଆଉ ଦୁଇ ସପ୍ତାହ ରହିବେ ବୋଲି ଡକ୍ଟର ସିହ୍ନା ତାଙ୍କୁ କହିଛନ୍ତି । ତାଙ୍କୁ ଏହା ଭିତରେ ଚାରିଥର ବୈଦ୍ୟୁତିକ ଶକ୍‌ ଦିଆଯାଇଛି । ତାଙ୍କ ଦେହରେ ଯେଉଁ ଯନ୍ତ୍ରଣା ଥିଲା ତାହା ସମୁଦାୟ ଚାଲିଯାଇଛି । ସେହି ସବୁ ଖବର ଅଲେଖ ଚିଠିଦ୍ୱାରା ନୃସିଂହଙ୍କୁ ଜଣେଇ ଦେଇଛନ୍ତି ।

 

ଡେପୁଟି ସେକ୍ରେଟେରୀ ପ୍ରଶାନ୍ତ ମିଶ୍ରଙ୍କଠାରୁ ଚିଠି ଆସିଛି । ମାମୁଲି ଚିଠି । ଅଲେଖ ତାଙ୍କୁ ଅନୁରୋଧ କରିଥିଲେ କେଉଁଠି ଏ ଖବର ପ୍ରକାଶ ନ କରିବାକୁ । ପ୍ରଶାନ୍ତବାବୁ ଲେଖିଛନ୍ତି ଯେ ସୁକାନ୍ତି ବ୍ୟତୀତ କେହି ଏ ଖବର ଜାଣିନାହାନ୍ତି । ଏପରିକି ସୁକାନ୍ତିଙ୍କର ମାଆଙ୍କୁ ମଧ୍ୟ ଏ ଖବର ଜଣେଇ ଦିଆଯାଇନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ସୁକାନ୍ତିଙ୍କଠାରୁ ଚିଠି ଖଣ୍ଡେ ଆସିପାରିନାହିଁ । କଅଣ କରୁଥିବେ ସୁକାନ୍ତି ? ଇତ୍ୟବସରରେ ସେ ଅଧ୍ୟାପିକା ହୋଇଯିବେଣି । କ୍ଲାସରେ ପିଲାମାନଙ୍କୁ ବକ୍ତୃତା ଶୁଣାଉଥିବେ । ଅଲେଖଙ୍କ ଚିଠି ପାଇଲା ପରେ ତାଙ୍କୁ କିଭଳି ଲାଗୁଥିବ ?

 

କାଙ୍କେରେ ଅପରାହ୍ନ ଗଡ଼ି ଚାଲିଛି । ଆସ୍ତେ ଆସ୍ତେ ସଂଧ୍ୟା ଆସୁଛି । ଶୀତ ପଡ଼ି ମଧ୍ୟ ଆସୁଛି । ଅଲେଖଙ୍କ ଦେହ କମ୍ୱଳରେ ଆବୃତ ଥିଲେ ମଧ୍ୟ ତାଙ୍କ ମୁହଁ ଥଣ୍ଡା ହୋଇଯାଉଛି । ଅଲେଖଙ୍କ ମୁଣ୍ଡ ଉପରେ ଏକ ପାର୍ଟିସନ୍‍ କାନ୍ଥ । ଗୋଡ଼ ତଳେ ମଧ୍ୟ ସେହିଭଳି ଏକ କାନ୍ଥ । ଡାହାଣ ପାଖରେ ଓ୍ୱାର୍ଡ଼ର ମଝିରେ ଥିବା ଏକ ପ୍ରଶସ୍ତ ରାସ୍ତା । ସେ ରାସ୍ତା ଅତିକ୍ରମ କଲେ ଅନ୍ୟ ରୋଗୀମାନଙ୍କ ପାଇଁ ସେହିଭଳି ପାର୍ଟିସନ୍‌ କାନ୍ଥ ମଝିରେ କୋଠରୀ ସଦୃଶ ବ୍ୟବସ୍ଥା ଏବଂ ତିନ୍ନିବିଷ୍ଟ ରୋଗୀମାନେ । ବାଆଁ ପାଖରେ ମେଲା ଝରକା, ଯେଉଁବାଟ ଦେଇ କାଙ୍କେର ଉଚ୍ଚସ୍ଥିତି ଅତିକ୍ରମ କରି ସବୁଜ ଉପତ୍ୟକା ଦେଖାଯାଉଛି । ସେହି ସବୁଜ ଉପତ୍ୟକାରେ ସନ୍ଧ୍ୟା ଆସୁଛି ଅନ୍ଧକାର ସହିତ ଶୀତର ମିଶ୍ରଣ ଓ୍ୱାର୍ଡ଼ରେ ଆଲୋକ ଏ ପର୍ଯ୍ୟନ୍ତ ଜଳା ଯାଇନାହିଁ ।

 

ପାଖ ଖଟିଆରେ ଥିବା ନୀରେନ୍‌ବାବୁ ଆସି ଅଲେଖଙ୍କ ଖଟିଆ ଉପରେ ବସିଲେ । ସେ ୩ମାସ ହେବ ଅଛନ୍ତି । ଏବେ ତାଙ୍କର ଅବସ୍ଥାର ଉନ୍ନତି ଘଟିଛି । ସେ ଜଣେ ଡାକ୍ତର । ଡାକ୍ତରୀ ବିଦ୍ୟାରେ ଗ୍ରାଜୁଏଟ । ତାଙ୍କର ମଧ୍ୟ ଦ୍ୱୈତ ବ୍ୟକ୍ତିତ୍ୱ ରୋଗ । ବାରଟା ଶକ୍‌ ନେଇ ସାରିଛନ୍ତି । ଏ ପର୍ଯ୍ୟନ୍ତ ଏତେ ମଧ୍ୟ ଭଲ ହୋଇନାହାନ୍ତି । ସେ ଅଲେଖଙ୍କ ପାଖରେ ବସି କହିଲେ ତାଙ୍କ ମୁଦିଟି ଚୋରୀ ହୋଇଯାଇଛି ।

 

ମୁଦିଟିକୁ କେନ୍ଦ୍ରକରି ତାଙ୍କର ଅସୁସ୍ଥତା । ସେ କୌଣସି ଏକ ସାହିତ୍ୟିକ ସମାରୋହରେ ମୁଦିଟି ଉପହାର ପାଇଥିଲେ । ପରବର୍ତ୍ତୀ ସମୟରେ ସେ ସାହିତ୍ୟଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ସାହିତ୍ୟିକ ହେବାର ଯେଉଁ ଦୁରନ୍ତ ଇଚ୍ଛା ତାହା ତାଙ୍କୁ ସବୁବେଳେ ବ୍ୟସ୍ତ କରୁଛି । ଜଣେ ପ୍ରତିଷ୍ଠିତ ଡାକ୍ତର ହିସାବରେ ନୀରେନ୍‌ବାବୁଙ୍କର ତାଙ୍କ ଅଞ୍ଚଳରେ ଖ୍ୟାତି ରହିଛି । ଶୁଣାଯାଏ, ତାଙ୍କୁ ନିଃଶ୍ୱାସ ମାରିବାକୁ ମଧ୍ୟ ତର ଦିଅନ୍ତି ନାହିଁ ତାଙ୍କ ରୋଗୀମାନେ । ଦିନକୁ ଶତାଧିକ ରୋଗୀ ।

 

ନୀରେନ୍‌ବାବୁ ମୁଦିଟିକୁ ସବୁବେଳେ ପିନ୍ଧିଥାଆନ୍ତି । ସେ ମୁଦିଟିକୁ ପିନ୍ଧିବାର ଅଲେଖ ଅନେକ ସମୟରେ ଦେଖିଛନ୍ତି । ତାଙ୍କର ସେଇ ପ୍ରସ୍ତାବ ଯେ ସେ ମୁଦିଟିକୁ ବିକିଦେବେ ଏବଂ ସେଥିରୁ ଯାହା ପଇସା ହେବ, ଏଇ ଓ୍ୱାର୍ଡ଼ର ରୋଗୀମାନଙ୍କ ପାଇଁ ସେଥିରେ ଏକ ଭୋଜିର ବରାଦ କରାଯିବ ।

 

ନୀରେନ୍‌ବାବୁ କହନ୍ତି ଯେ ସେ ଏ ମୁଦିଟିକୁ ବହୁ ଦିନରୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଯେ ଶୁଣୁଛି, ସେ ମୁଦି ବିକିବା କଥାରେ ହସୁଛି । ଅଲେଖ ସେହିକଥା ସବୁବେଳେ ଶୁଣୁଛନ୍ତି । ବାସ୍ତବିକ ନୀରେନ୍‌ବାବୁ ଏତେ ଧନୀ ଯେ, ସେ ମୁଦି ବିକିବା ପାଇଁ କାହିଁକି ଆଗ୍ରହାନ୍ୱିତ ତାହା ଜଣାପଡ଼ୁନାହିଁ । ଶକ୍‌ ଦିଆଗଲା ପରେ ଏକ ବ୍ୟକ୍ତିଗତ ଆଲୋଚନା ହୁଏ ଡାକ୍ତରଖାନାର ସୁପରିନଟେଣ୍ଡେଣ୍ଟ ଡାକ୍ତର ସିହ୍ନାଙ୍କ ସହିତ । ଏହି ଶକ୍‌ ପରେ ମଣିଷର ମନ କିଛି ସମୟ ପାଇଁ ଠିକ୍‌ ରହେ ଏବଂ ତା’ର ସମସ୍ତ ଘଟଣା ଡାକ୍ତର ଜାଣିପାରନ୍ତି । ଏହି ଅବସ୍ଥାରେ ଡାକ୍ତର ସିହ୍ନା ସିନା ନୀରେନ୍‌ବାବୁଙ୍କର ମନର ଅବସ୍ଥା ଜାଣିଥିବେ, ଅନ୍ୟମାନେ ଜାଣିବା ବଡ଼ କଷ୍ଟକର ବ୍ୟାପାର । ସେ ଯାହାହେଉ ।

 

ନୀରେନ୍‌ବାବୁଙ୍କ ହାତରେ ମୁଦିଟି ସବୁଦିନେ ଥାଏ । ଆଜି କିନ୍ତୁ ତାଙ୍କ ହାତରେ ମୁଦିଟି ନାହିଁ । କିଏ ଚୋରୀ କରିନେଲା ସତରେ ? ଅଲେଖ କମ୍ୱଳ ଭିତରୁ ଉଠିଯାଇ ନୀରେନ୍‌ବାବୁଙ୍କ ବିଛଣା ଓ ତାଙ୍କ ଲକର ସବୁ ତନ୍ନ ତନ୍ନ କରି ଖୋଜିଲେ । ମୁଦିଟି ମିଳିଲା ନାହିଁ । ଏହାର ପରିଣାମ ରୋଗର ଚିକିତ୍ସା ଉପରେ କ’ଣ ହେବ ଜଣାନାହିଁ । ହୁଏତ ନୀରେନ୍‌ବାବୁଙ୍କର ଖରାପ ହୋଇପାରେ । ଏହି ପ୍ରସଙ୍ଗ ଚିନ୍ତାକରି ଅଲେଖଙ୍କ ମନ ଭାରାକ୍ରାନ୍ତ ହୋଇପଡ଼ିଲା । ମୁଦି ବିଷୟ ଆଲୋଚନା କରି କରି ନୀରେନ୍‌ବାବୁ ଓ୍ୱାର୍ଡ଼ର ସବୁ ଖଟିଆ ପାଖକୁ ଗଲେ । ସୁନା ମୁଦି । ହଜିଲେ ଅନିଷ୍ଟ ହୁଏ ବୋଲି ପୁରାତନ ଧାରଣା ଅଛି । ସେ ଯାହାହେଉ ।

 

ଅଲେଖ ନିଜ କମ୍ୱଳ ଭିତରେ ପଶିଗଲେ ଏବଂ ନିଦେଇ ଯିବାକୁ ଚେଷ୍ଟା କଲେ । ସେଇଦିନ ସନ୍ଧ୍ୟାରେ ଡାକ୍ତର ସିହ୍ନା ଆସିଲେ ନୀରେନ୍‌ବାବୁଙ୍କୁ ସେ ଓ୍ୱାର୍ଡ଼ରୁ ସ୍ଥାନାନ୍ତରିତ କରିନେଲେ ଏବଂ ଓ୍ୱାର୍ଡ଼ର ପ୍ରତ୍ୟେକ ରୋଗୀଙ୍କୁ ପରଦିନ ଆଉ ଗୋଟିଏ ଅଧିକ ଶକ୍‌ ଦିଆଯିବ ବୋଲି ଘୋଷଣା କରିଦେଇ ଗଲେ ।

 

ରାତିରେ ଅଲେଖଙ୍କୁ ସେଭଳି ନିଦ ହେଲା ନାହିଁ । ପରଦିନ ରବିବାର । କୌଣସିଠାରୁ ଚିଠି ଆସିବାର ନାହିଁ । ସେଥିପାଇଁ ଅଲେଖ ରାତିରେ ଭଲ ଶୋଇପାରିଲେ ନାହିଁ ।

 

ଅଲେଖ ପ୍ରାୟ ଭଲ ହୋଇ ଆସିଥିବାରୁ ଅନେକ ସମୟରେ କାଙ୍କେ ହସ୍‌ପାତାଳରେ ବୁଲି ଦେଖନ୍ତି । ଅପରାହ୍ନ ୩ଟାଠାରୁ ୫ଟା ପର୍ଯ୍ୟନ୍ତ ବୁଲାବୁଲି କରିବାର ସମୟ । ବିଭିନ୍ନ ମାନସିକ ବିକାରଗ୍ରସ୍ତ ରୋଗୀମାନେ ଦେଶର ବିଭିନ୍ନ ଅଞ୍ଚଳରୁ ଆସି ଚିକିତ୍ସିତ ହେଉଛନ୍ତି । କେତେକ ରୋଗୀ ଅଣାୟତ୍ତ ହୋଇପଡ଼ିଥିବାରୁ ସେମାନଙ୍କ ହାତ ଓ ଗୋଡ଼ରେ କଡ଼ା ପିନ୍ଧା ଯାଇଛି । ଆଉ କେତେକ ରୋଗୀ ବଗିଚାରେ ବୁଲାବୁଲି କରୁଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଖୁବ୍‌ ଉଚ୍ଚଶିକ୍ଷିତ ବ୍ୟକ୍ତି ମଧ୍ୟ ଅଛନ୍ତି । ଅଲେଖ ଅନ୍ତତଃ ଦୁଇଜଣଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି । ଜଣେ ଇଞ୍ଜିନିୟରିଂ ବିଦ୍ୟାରେ ବିଦେଶରୁ ଡିଗ୍ରୀ ହାସଲ କରିଛନ୍ତି । ସେ ହାତରେ ଦୁଇଟି ଇଟା ଧରି ସବୁବେଳେ ବଗିଚାରେ ବସି ଥାଆନ୍ତି । ତାଙ୍କର ଏକମାତ୍ର ଘୋଷଣା ହେଉଛି ଯେ ଦୁଇଟି ଇଟା ପ୍ରଦତ୍ତ ଅଛି, ଏଥିରୁ ଏଗାର ମହଲା କୋଠା କିଭଳି ତିଆରି ହୋଇପାରିବ, ଗାଣିତ୍ୟିକ ଉପାୟରେ ତା’ର ସମାଧାନ କରିବାକୁ ହେବ । ଅନ୍ୟଜଣେ ଦର୍ଶନର ଅଧ୍ୟାପକ । ସେ ସବୁବେଳେ ନୀରବରେ ବସି ରହିବାକୁ ଭଲ ପାଆନ୍ତି । ଯେ ତାଙ୍କ ପାଖକୁ ଯିବେ, ତାଙ୍କୁ ସେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ନିରୀକ୍ଷଣ କରନ୍ତି ଏବଂ ଆଖିବୁଜି କ’ଣ କ’ଣ ଚିନ୍ତା କରିସାରିଲା ପରେ, ପକେଟ୍‌ରୁ ଖଣ୍ଡେ ଛୋଟ କାଗଜ ଦେଇ କହନ୍ତି ଯେ ସେଥିରେ ଆଗାମୀ ଫଳାଫଳ କ’ଣ ମିଳିବ ତାହା ଉଲ୍ଲେଖ ଅଛି । ପ୍ରକୃତରେ ତାହା ଏକ ସାଦା ଛୋଟ କାଗଜ ।

 

ମାନସିକ ବିଭ୍ରାନ୍ତିର ଦିଗ ଅନେକ । ଦେହର ସିନା ସୀମା ଅଛି । ମନ କିନ୍ତୁ ଅସୀମ । ତେଣୁ ସେହି ଅନୁପାତରେ ତା’ର ବିଭ୍ରାନ୍ତି ମଧ୍ୟ ଅସୀମ । ଏହାର ସୂତ୍ର ନେଇ ଚିକିତ୍ସା କରାଯିବା ମଧ୍ୟ ସେହିଭଳି ବ୍ୟାପକ ଅଭିଜ୍ଞତା ଆବଶ୍ୟକ କରେ । ସେ ଯାହାହେଉ ।

 

ଅଲେଖଙ୍କର ଯିବା ଦିନ ସ୍ଥିର ହୋଇଗଲା । ଆଉ ମାତ୍ର ତିନିଦିନ ଅଛି ଫେରିବାକୁ । ଏପର୍ଯ୍ୟନ୍ତ ମଧ୍ୟ ଦୈନିକ ନୃସିଂହଙ୍କର ଚିଠି ସେ ପାଉଛନ୍ତି । ପ୍ରଶାନ୍ତବାବୁ ଦୁଇଖଣ୍ଡ ଚିଠି ଦେଇଛନ୍ତି, ଯାହାର ଉତ୍ତର ଅଲେଖ ଦେଇ ଦେଇଛନ୍ତି । ସେ ଆସିବାର ଦୁଇସପ୍ତାହ ପରର ଘଟଣା ବାସ୍ତବିକ୍‌ ଯେତେବେଳେ ପ୍ରଥମ ଅବସ୍ଥାରେ ସେ ଚିକିତ୍ସିତ ହେଉଥିଲେ, ତାଙ୍କର ସବୁବେଳେ ଆପଣାର ଲୋକଙ୍କ କଥା ମନେପଡ଼ୁଥିଲା । ହେତୁବାଦର ସମସ୍ତ ମନା ସତ୍ତ୍ୱେ ସେ ଅନୁଭବ କରୁଥିଲେ ତାଙ୍କର ଦୁରନ୍ତ ଅବିବାହିତ ଅବସ୍ଥା ସବୁବେଳେ କୌଣସି ଏକ ମହିଳାଙ୍କର ଆଶ୍ରା ଖୋଜୁଥିଲା । ସୁକାନ୍ତି ସେଥିପାଇଁ ତାଙ୍କ ମନ ଉପରେ ପ୍ରଥମେ ଖୁବ୍‌ ପ୍ରଭାବ ପକେଇଥିଲେ ।

 

ଡାକ୍ତର ସିହ୍ନାଙ୍କ ବିଶ୍ଳେଷଣ ଏହା ହେଲା ଯେ ତିନିଟି ଶକ୍‌ ନେଲାପରେ ତାଙ୍କର ଦେହର ଯନ୍ତ୍ରଣାକୁ ଉଚିତ ମାନସିକ ପ୍ରକ୍ରିୟାରେ ଅନୁଦିତ କରାଯାଇପାରିବ । ମାନସିକ ପ୍ରକ୍ରିୟାରେ ଏହି ପ୍ରାର୍ଥୀଭାବ ଆସିଥିଲା ଅଲେଖଙ୍କର । ଏକ ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ଭାବରେ ସେ ତାହା ଅନୁଭବ କଲେ ଏବଂ ପ୍ରତ୍ୟାଖ୍ୟାନ କରିବା ପ୍ରଣାଳୀରେ ରହି ନିଜ ଭିତରୁ ବାହାରିଯାଇ ନିଜକୁ ସେ ପରିଚାଳିତ କଲେ ଅତି ଗମ୍ଭୀରଭାବେ ।

 

କିନ୍ତୁ ଜୀବନ ତ ତାହା ନୁହେଁ । ଜୀବନ ଅତି ନିଃସହାୟଭାବେ କେଉଁ ଗୋଟାଏ ଧାରଣା ଉପରେ ଢଳି ଯିବାକୁ ଚାହେଁ । ଏଥିପାଇଁ ବୟସ ଓ ଦାୟିତ୍ୱଜ୍ଞାନ ଭିତରେ ଟଣାଭିଡ଼ା ଚାଲେ । ବ୍ୟକ୍ତିଗତଭାବେ ସୁକାନ୍ତି ମିଶ୍ରଙ୍କୁ ଅଲେଖ ଚିଠି ଲେଖିଗଲେ, ତା’ର କୌଣସି ଉତ୍ତର ଏ ଯାଏଁ ଆସିନାହିଁ । କାଳେ ସୁକାନ୍ତି ମିଶ୍ରଙ୍କୁ ତାଙ୍କ ବାପାଙ୍କ ଠିକଣାରେ ଦେଲେ ସେ ପାଇବେ ନାହିଁ, ତାଙ୍କ କ୍ୱାଟର ଠିକଣାରେ ସେ ଚିଠି ଦେଇଛନ୍ତି । ସେ ଜାଣନ୍ତି ଯେ ସୁକାନ୍ତି ମିଶ୍ରଙ୍କ ବାପା ପ୍ରଶାନ୍ତ ମିଶ୍ର ସକାଳ ଆଠଟାରୁ ଅଫିସ ଚାଲିଯାଆନ୍ତି ଯେ ରାତି ନଅଟାରେ ଫେରନ୍ତି । ତେଣୁ ଘର ଠିକଣାରେ ଚିଠି ଗଲେ ସୁକାନ୍ତି ନିଶ୍ଚୟ ପାଇବେ ।

 

ଅଲେଖ ପ୍ରତି ଡାକକୁ ଅପେକ୍ଷା କରିଛନ୍ତି । ଆଉ ମାତ୍ର ତିନିଦିନ ଭିତରେ ସେ ଫେରିଯିବେ । ତାଙ୍କ ମନ ଭିତରେ ଯେଉଁ ଧାରଣା ଏତେ ଦିନ ଧରି ଆନ୍ଦୋଳିତ ହେଉଥିଲା, ତାହା ଏବେ ସ୍ଥିର ହୋଇଗଲାଣି । ମଣିଷ ମଣିଷ ଭିତରେ ସମ୍ପର୍କ ଏତେ ସୂକ୍ଷ୍ମ ହୋଇପାରେନା ବୋଲି ଅଲେଖ ନିଶ୍ଚିତଭାବେ ଧରି ନେଇଛନ୍ତି । କିନ୍ତୁ ପିଲାଦିନରୁ ସେ ଯେଭଳିଭାବେ ଗଢ଼ି ଉଠିଛନ୍ତି, ଏକ ସୂକ୍ଷ୍ମ ବିଚାର ଉପରେ ସବୁଦିନେ ନ ଚାଲିଲେ ସେ ଅତିଷ୍ଠ ହୋଇପଡ଼ିବେ । ଏ ଥରକ ଏକ ପ୍ରାରମ୍ଭିକ କାର୍ଯ୍ୟ ଏହା ହେଲା ଯେ ତାଙ୍କ ମନର ସୂକ୍ଷ୍ମ ତନ୍ତ୍ରୀ ସବୁକୁ ସ୍ଥୂଳ କରିଦିଆଗଲା । ଏଥିପାଇଁ ବୈଦ୍ୟୁତିକ ଶକ୍ତି ଯେଭଳି ଆବଶ୍ୟକ ପଡ଼ୁଥିଲା ! ସେଥିପାଇଁ ସେ ସାତଟା ଶକ୍‌ ନେଲେ ।

 

ମାନସିକ ବିକାର ଦୃଷ୍ଟିରୁ ଦେଖିଲେ ଅଲେଖ କେବେ କୌଣସି ଅସ୍ୱାଭାବିକ ଚିନ୍ତାକୁ ପ୍ରଶୟ ଦେଇନାହାନ୍ତି । ସେ ଏକ ମୁକ୍ତ, ସମାଜ ସଙ୍ଗତି ମାର୍ଗରେ ଏ ପର୍ଯ୍ୟନ୍ତ ଚାଲି ଆସିଛନ୍ତି । କିନ୍ତୁ ତା’ ସତ୍ତ୍ୱେ ଏ ମାର୍ଗରେ ଚାଲିବା ଏକ ସ୍ଥୂଳ ବ୍ୟାପାର । ସେଥିରେ ସୂକ୍ଷ୍ମତା ରହିପାରେନା । ବଞ୍ଚିବାଟା ଜୀବନର ଏକ ସ୍ଥୂଳ ବ୍ୟାପାର ଏବଂ ବଞ୍ଚିବାଟା ହିଁ ସତ୍ୟ । ଅଲେଖ ଅପରାହ୍ନରେ କମ୍ୱଳ ଭିତରେ ଉଷୁମ ଅନୁଭବ କରୁ କରୁ ଏହା ଚିନ୍ତା କରୁଥିଲେ ।

 

କ୍ରମେ ସନ୍ଧ୍ୟା ନଇଁ ଆସୁଛି । ଏଠି ସନ୍ଧ୍ୟା ବଡ଼ ପ୍ରୀତିକର । ଝରକା ଦେଇ ଦେଖାଯାଉଥିବା ଢାଲୁ ଅଂଶରେ ଯେଉଁ ସବୁଜ ଫସଲର ପ୍ରାଚୁର୍ଯ୍ୟ ଆଖିରେ ପଡ଼େ, ତା’ ଉପରେ ଅସ୍ତଗାମୀ ସୂର୍ଯ୍ୟ କିରଣ ପଡ଼ି ଏକ ହାର୍ଦ୍ଦିକ ରଙ୍ଗ ସୃଷ୍ଟି କରେ । ସେଇ ରଙ୍ଗ ଭିତରେ ଆସ୍ତେ ଆସ୍ତେ ଫେଣ୍ଟି ହୋଇ ଆନ୍ଧାର ଆସେ ।

 

ସନ୍ଧ୍ୟାର ଅନ୍ଧାର । ଶୀତଦିନେ ଗୋଧୂଳ ବେଶୀ ସମୟ ପର୍ଯ୍ୟନ୍ତ ରହେ । ଦିଗ୍‌ବଳୟରେ ଭାସୁଥିବା ସ୍ୱର୍ଣ୍ଣାଭ ସାନସାନ ମେଘ କ୍ରମଶଃ ଅନ୍ଧାରରେ ପ୍ରଥମେ ମିଶନ୍ତି । ପରେ ପରେ ଦିଗ୍‌ବଳୟ ଆସ୍ତେ ଅସ୍ପଷ୍ଟ ହୁଏ । ଦିଗ୍‌ବଳୟ ସେପାରି କୌଣସି କୌଣସି ଅଞ୍ଚଳରୁ ପକ୍ଷୀମାନେ ଉଡ଼ିଉଡ଼ି ପାହାଡ଼ ଢାଲୁରେ ଥିବା ଜଙ୍ଗଲକୁ ଫେରିଆସନ୍ତି । ସେମାନଙ୍କର କାକଳୀ ଅସ୍ପଷ୍ଟଭାବେ ଶୁଭେ । କ୍ରମଶଃ ଅନ୍ଧାର ଆସେ । ଏବଂ ତା’ପରେ ଘନ ଅନ୍ଧାର । ସେତେବେଳେ ଓ୍ୱାର୍ଡ଼ ଭିତରର ବତୀସବୁ ଜ୍ୱଳନ୍ତ ଦେଖାଯାଆନ୍ତି ।

 

ଆଜି ରାତିରେ ଅଲେଖ ଗାଡ଼ି ଧରିବେ । ତେଣୁ ଅପରାହ୍ନ ୩ଟାବେଳକୁ ତାଙ୍କୁ ବସରେ ଏଠୁ ବାହାରି ଯିବାକୁ ହେବ ରାଞ୍ଚି । ଖୁବ୍‌ ଭୋରୁ ଅଲେଖଙ୍କର ନିଦ ଭାଙ୍ଗିଛି । ଅଲେଖ ନୃସିଂହଙ୍କ ପାଖକୁ ଚିଠି ଦେଇ ଦେଇଛନ୍ତି । ଆଉ ଦେଢ଼ଦିନ ପରେ ନୃସିଂହଙ୍କ ସହିତ ଦେଖାହେବ, ଏହି ଚିନ୍ତାରେ ଅଲେଖ ଭାବପ୍ରବଣ ହୋଇ ପଡ଼ିଛନ୍ତି ।

 

ସକାଳର ସୂର୍ଯ୍ୟ ଆସ୍ତେ ଆସ୍ତେ ଉଠୁଛନ୍ତି । ସେଇ ଢାଲୁ ଅଞ୍ଚଳ ଏବଂ ତା’ର ଫସଲ ଉପରେ ସ୍ୱର୍ଣ୍ଣାଭ ସୂର୍ଯ୍ୟକିରଣ ପଡ଼ୁଛି । ଅଲେଖ ଖୁବ୍‌ ଭୋରୁ ଗାଧୁଆ ପାଧୁଆ ସାରି କମ୍ୱଳ ଭିତରେ ଶୋଇ ରହି ପ୍ରକୃତିକୁ ଅନୁଧ୍ୟାନ କରୁଛନ୍ତି । କାଲି ଏଠି ସେ ନ ଥିବେ । ତେଣୁ ଆଜିର ସୂର୍ଯ୍ୟୋଦୟ ତାଙ୍କ ପାଇଁ ସବୁଠୁ ଅଧିକ ସୁନ୍ଦର । ପକ୍ଷୀମାନେ ରାତିରେ ଆଶ୍ରୟ ନେଇଥିବା ଗଛମାନଙ୍କୁ ଛାଡ଼ି କ୍ରମଶଃ ଦଳଦଳ ହୋଇ ଉଡ଼ି ଯାଉଛନ୍ତି ଦିଗନ୍ତ ଆରପଟକୁ । ଅଲେଖ ଭାବପ୍ରବଣ ହୋଇ ପ୍ରକୃତିର ଏହି ପରିବର୍ତ୍ତନକୁ ଲକ୍ଷ୍ୟ କଲାବେଳେ ସମୟ ତାଙ୍କ ଦୃଷ୍ଟିରେ କ୍ଷିପ୍ରଗତିରେ ଆଗକୁ ଆଗକୁ ଚାଲିଥିଲା ଯେପରି ।

 

ସେହି ଢାଲୁଭୂମି ଏବଂ ତା’ପରେ ବ୍ୟାପିଥିବା ଉପତ୍ୟକାରେ ଫସଲ କ୍ଷେତରେ କାର୍ଯ୍ୟ କରିବା ପାଇଁ ଲୋକମାନେ କେଉଁଠୁ ଆସିଗଲେ । ଶୀତଦିନ ହୋଇଥିବାରୁ କି କ’ଣ ସମସ୍ତଙ୍କ ମୁଣ୍ଡରେ ଠେକା ବନ୍ଧା ଯାଉଛି । କ୍ରମଶଃ ସେଇ ଲୋକମାନେ ବିଭିନ୍ନ ଭଙ୍ଗୀରେ କାର୍ଯ୍ୟ କରିବାରେ ଲାଗିଗଲେ । ସମୟ ମଧ୍ୟ ପୂର୍ବବତ୍‌ କ୍ଷିପ୍ର ଗତିରେ ଚାଲିଲା । ଅଲେଖ ସକାଳର ଜଳଯୋଗ ଆସିଲାମାତ୍ରେ କ୍ଷିପ୍ର ଗତିରେ ତାହା ସାରିଦେଲେ । କିଛି ହାଲୁଆ ମାତ୍ର । ଏହା ଭିତରେ ସକାଳର ଡାକ ଆସିଗଲା । ନୃସିଂହ ଚିଠି ଦେଇଛନ୍ତି–ତାହାହିଁ ଏକମାତ୍ର ଚିଠି । ପୁରୀ ଏକ୍‌ସପ୍ରେସକୁ ସେ ଷ୍ଟେସନକୁ ଆସିବେ । ନିତ୍ୟାନନ୍ଦକୁ ମଧ୍ୟ ସେ ଚିଠି ଦେଇଛନ୍ତି । ନିତ୍ୟାନନ୍ଦ ହୁଏତ ସେଦିନ ସକାଳୁ ଆସି ପହଞ୍ଚିବ । ପୁରୀ ଏକ୍‌ସପ୍ରେସ ନୃସିଂହଙ୍କ ସହରରେ ସନ୍ଧ୍ୟାରେ ପହଞ୍ଚେ । ଭଲ ସମୟ । ନୃସିଂହ ଆଉ କେତେ କ’ଣ ଲେଖିଛନ୍ତି । ସେ ସବୁ ଅଲେଖଙ୍କର ଦୃଷ୍ଟିରେ ପଡ଼ିଲା ମାତ୍ର, କିନ୍ତୁ ତାହା ପ୍ରତି ମଧ୍ୟ ପଢ଼ିଲା ଭଳି ଅର୍ଥ କରିବାକୁ ଅଲେଖଙ୍କର ଧୈର୍ଯ୍ୟ ରହିଲା ନାହିଁ–ସେ ଖୁବ୍‌ ତରବରରେ ଥିଲେ ଯେପରି ।

 

ପୁରୀ ଏକ୍‌ସପ୍ରେସ ଅଲେଖଙ୍କର ସହର ଉଦ୍ଦେଶ୍ୟରେ ସିଟି ଦେଲା । ଗାଡ଼ିର ବେଗ ଆସ୍ତେ ଆସ୍ତେ ଧିମେଇ ଆସିଲା । ସନ୍ଧ୍ୟା ଛଅଟା ପାଖାପାଖି ସମୟ । ଏ ପର୍ଯ୍ୟନ୍ତ ଧାନକ୍ଷେତ ଚାଲିଛି । ଧାନକ୍ଷେତ ଉପରେ ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ପଡ଼ି ବେଶ୍‌ ଏକ ବର୍ଣ୍ଣ ସୃଷ୍ଟି ହୋଇଛି । ଧାନକ୍ଷେତ ମଝିରେ ସିଆର କଟା ହୋଇଛି ଏବଂ ପାଣି ବହି ଚାଲିଛି । କାର୍ତ୍ତିକ ମାସ । ଫସଲ ଆମଦାନି ହେବାକୁ ଆହୁରି ଦେଢ଼ମାସ ସମୟ ରହିଛି କ୍ଷେତ ପରେ ପରେ ଗଛ ଏବଂ ଘର ମିଶା ସହର ଉପକଣ୍ଠ । ଆସ୍ତେ ସୂର୍ଯ୍ୟ କିରଣର ତେଜ କମି ଆସୁଛି । ଆସ୍ତେ ଆସ୍ତେ ଅନ୍ଧାର ମାଡ଼ି ଆସୁଛି ।

 

ଅଲେଖ ବିଛଣାପତ୍ର ବାନ୍ଧି ଦେଇସାରିଛନ୍ତି । ନୃସିଂହଙ୍କ ନିମିତ୍ତ ଖଡ଼ଗପୁରରୁ ଆଣିଥିବା ମିଠାର ହାଣ୍ଡିଟି ଅଲେଖ ଏକ ପ୍ଲାଷ୍ଟିକ ହାତ ଝୁଲାରେ ରଖିଛନ୍ତି । ସାନ ହାଣ୍ଡିଟି ନିତ୍ୟାନନ୍ଦ ପାଇଁ ।

 

ଦୂର ସିଗ୍‌ନାଲର ଅନୁମତି ନେଇ ପୁରୀ ଏକ୍‌ସପ୍ରେସ ସହରର ପ୍ଲାଟ୍‌ଫର୍ମରେ ଚାଲିଲା । ଅଲେଖ ଦେଖିଲେ ଦୁଇ ଦ୍ୱାର ମୁହଁରେ ଖୁବ୍‌ ଭିଡ଼ ହୋଇଗଲାଣି । ତେଣୁ ସେ ଅତି ଆଗ୍ରହରେ ସେ ଭିଡ଼ ଭିତରେ ଲଢ଼ିବାକୁ ଚାହିଁଲେ ନାହିଁ । ତେଣୁ ସେ ତାଙ୍କ ସିଟ୍‌ର ଝରକାରେ ବାହାରକୁ ଚାହିଁ ରହିଥିଲେ । ନୃସିଂହଙ୍କ ଉପରେ ତାଙ୍କର ନଜର ପଡ଼ିଲା । ସେ ହାତ ହଲାଇ ନୃସିଂହଙ୍କୁ ଅଭିନନ୍ଦିତ କଲେ । ନୃସିଂହଙ୍କ ପାଖରେ ନିତ୍ୟାନନ୍ଦ ତାଙ୍କ ଉଦ୍ଦେଶ୍ୟରେ ନମସ୍କାର କରୁଥିଲା । ନିତ୍ୟାନନ୍ଦଙ୍କ ପାଖରେ ଜଣେ ମହିଳା ଏବଂ ଜଣେ ଯୁବକ ମଧ୍ୟ ଅଲେଖଙ୍କ ଉଦ୍ଦେଶ୍ୟରେ ନମସ୍କାର କରିବା ଅଲେଖ ଜାଣିପାରିଲେ । ସେମାନଙ୍କ ଗଢ଼ଣ ଅଲେଖ ଜାଣିନେଲେ ଯେ ସେମାନେ ନୃସିଂହଙ୍କର ଝିଅ ପୁଅ ହୋଇଥିବେ ।

 

ଭିଡ଼ କମିଲା ପରେ ଅଲେଖ ଦେଖିଲେ ଯେ ନୃସିଂହ ଓ ନିତ୍ୟାନନ୍ଦ କମ୍ପାଟମେଣ୍ଟ ଭିତରକୁ ପଶି ଆସିଲେ । ନିତ୍ୟାନନ୍ଦ ଆସି ବିଛଣାପତ୍ର ସବୁ ନିଜେ ସମ୍ଭାଳି ନେଇ ଆଗ ଓହ୍ଲେଇଗଲା । ନୃସିଂହ ଅଲେଖଙ୍କୁ କୁଣ୍ଢାଇ ଧରିଲେ କିଛି ସମୟ । ଅଲେଖ ଲକ୍ଷ୍ୟ କଲେ ତାଙ୍କ ଦୁଇ ଆଖିରୁ ଧାର ଧାର ଆନନ୍ଦାଶ୍ରୁ ବହିପଡ଼ିଛି । ଅଲେଖ ମଧ୍ୟ ଆତ୍ମସମ୍ୱରଣ କରିପାରିଲେ ନାହିଁ । ତାଙ୍କ ଆଖିରୁ ମଧ୍ୟ ଦୁଇଧାର ଲୁହ ଖସି ପଡ଼ିଲା । ନୃସିଂହ ଏତେ ଆତ୍ମୀୟତା ପରିଦର୍ଶନ କରିବେ ବୋଲି ଅଲେଖଙ୍କ ଚିନ୍ତାର ବାହାରେ ଥିଲା ।

 

ଦୁଇଜଣ ହାତ ଧରାଧରା ହୋଇ ପ୍ଲାଟ୍‌ଫର୍ମରୁ ବାହାରିଗଲେ । ନୃସିଂହ କହିବାମାତ୍ରେ ପ୍ରୋକ୍ତ ଝିଅ ଏବଂ ପୁଅ ଆଗରେ କ୍ଷିପ୍ରଗତିରେ ଚାଲିଗଲେ । ନୃସିଂହ ନିତ୍ୟାନନ୍ଦକୁ ନିର୍ଦ୍ଦେଶ ଦେଲେ ଯେ ଜିନିଷପତ୍ର ନେଇ ସେ ଏକ ରିକ୍‌ସାରେ ଚାଲିଯାଉ । ଦୁଇଜଣ ଖୁବ୍‌ ଧୀରେ ରେଳବାଇ କର୍ମଚାରୀଙ୍କୁ ଟିକଟ ଫେରାଇ ବାହାରକୁ ଆସିଲେ ।

 

ବାହାରେ ଶୀତ ପଡ଼ିଛି । ବେଶ୍‌ ସ୍ୱଚ୍ଛ ଲାଗୁଛି ଏ ବାତାବରଣ ଅଲେଖଙ୍କୁ । ପରିଚିତ ସହରକୁ ଅଲେଖ ଫେରୁଛନ୍ତି ମାସକ ପରେ । ତଥାପି ସବୁ କିଭଳି ତାଙ୍କୁ ନୂଆ ନୂଆ ଲାଗୁଛି ।

 

ଅଲେଖ ଏବଂ ନୃସିଂହ ଗୋଟିଏ ରିକ୍‌ସାରେ ଘର ଆଡ଼େ ଚାଲିଲେ । ଅଲେଖଙ୍କର ମନେପଡ଼ିଲା; ସେ ଘର ଛାଡ଼ି ଗଲାବେଳେ ନିଜ ସାଇକେଲ କଥା ଚିନ୍ତା କରିନଥିଲେ । କାଙ୍କେରେ ସାଇକେଲଟି କଥା ସେ ଅନେକ ଥର ମନେପକେଇଛନ୍ତି । ସହରରେ ଥିବାତକ ପ୍ରତିଦିନ ସାଇକେଲଟି ତାଙ୍କର ଏକମାତ୍ର ସାଥି ଥିଲା । ସେ ବିଷୟରେ ସହର ଛାଡ଼ିବାବେଳେ ତାଙ୍କର ମନେ ପଡ଼ିନଥିବା ଏକ ବ୍ୟତିକ୍ରମ ହୋଇଯାଇଥିଲା ।

 

ଅଲେଖ ଏବଂ ନୃସିଂହ ସହର ମଧ୍ୟରେ ପ୍ରଧାନ ରାସ୍ତା ଦେଇ ଯାଉଛନ୍ତି । ଆଲୋକ ସବୁ ଅଧିକ ଉଜ୍ଜ୍ୱଳ ଦେଖାଯାଉଛନ୍ତି । ଦୋକାନ ସବୁ ମଧ୍ୟ ଶୀତଦିନେ ଅଧିକ ଚକ୍‌ ଚକ୍‌ ଦେଖାଯାଉଛନ୍ତି । ଗହକିମାନଙ୍କ ଭିଡ଼ କମ୍‌ । ଅଲେଖ ଏବଂ ନୃସିଂହ ରିକ୍‌ସାରେ କଥାବାର୍ତ୍ତା ହୋଇ ଚାଲିଛନ୍ତି ।

 

‘‘ଡକ୍ଟର ସିହ୍ନା ଆସିଲାବେଳେ ଦେଖା ହୋଇଥିବେ ନିଶ୍ଚୟ ।’’

 

‘‘ହଁ, ମୁଁ ତିନିଟା ବସରେ ଆସିଲି । ଡକ୍ଟର ସିହ୍ନା ୨ଟା ପର୍ଯ୍ୟନ୍ତ ଖାଇବାକୁ ନ ଯାଇ ମୋ ସହିତ ଗପରେ ରହିଲେ ।’’

 

‘‘ଆପଣଙ୍କ ଅସୁସ୍ଥତା ସମ୍ପର୍କରେ ତାଙ୍କର ମତ କ’ଣ ଆପଣ ଜାଣିଲେ ?’’

 

‘‘ସେ କହିଲେ ଯେ ଏହା ଠିକ୍‌ ଏକ ମାନସିକ ଅସୁସ୍ଥତା ନୁହେଁ । ଏହା ଏକ ପ୍ରତିକ୍ରିୟା ମାତ୍ର । ତେଣୁ ଏହା ଉପରେ ସେ ମୋଟେ ଗୁରୁତ୍ୱ ଦେଲେ ନାହିଁ ।’’

 

‘‘ମୁଁ କହୁ ନ ଥିଲି ନା । ମୋର ଆଗରୁ ଅଭିଜ୍ଞତା ଅଛି । ମୋର ଜଣେ ବ୍ୟବସାୟୀ ବନ୍ଧୁ ଦୁର୍ଯ୍ୟୋଧନ ଦାସ ଏହିଭଳି ଅବସ୍ଥାରେ ପଡ଼ି କାଙ୍କେ ଯାଇଥିଲେ । ସେ ପ୍ରାୟ ବାରବର୍ଷ ହୋଇଗଲାଣି । ବର୍ତ୍ତମାନ ସୁଦ୍ଧା ସେ ଆଉ କୌଣସି ଅସୁବିଧା ଦେଖିନାହାନ୍ତି ।’’

 

‘‘ସେ ଯାହାହେଉ । ମୁଁ ସେଥିରେ ବିବ୍ରତ ହେଉନାହିଁ । କାଙ୍କେରେ ମାସେ ପର୍ଯ୍ୟନ୍ତ ରହିଲା ଭିତରେ ମାନସିକ ବିକାର ଓ ବିଭ୍ରାନ୍ତି ସମ୍ପର୍କରେ ମୋର କିଛି କିଛି ଧାରଣା ମଧ୍ୟ ହୋଇଯାଇଛି ।’’

 

ଇତି ମଧ୍ୟରେ ରିକ୍‌ସା ଆସି ନୃସିଂହଙ୍କ ଘର ପାଖରେ ରହି ସାରିଥିଲା । ନୃସିଂହ ପ୍ରଥମେ ରିକ୍‌ସାରୁ ଓହ୍ଲାଇପଡ଼ି ରିକ୍‌ସାର ପଇସା ଦେଇଦେଲେ । ସେଇ ଅବସରରେ ଅଲେଖ ମଧ୍ୟ ରୋଡ଼ ତଳକୁ ଯାଇ ତାଙ୍କର ଧୂଳିଧୂସରିତ ସାଇକେଲ ଉପରେ ହାତ ମାରିଦେଇ ଆସିଲେ । ଅନ୍ଧାରରେ ସେ ସାଇକେଲର ସିଟ୍‌ ମଧ୍ୟରୁ କିଛି ଆନ୍ତରିକତାର ସ୍ପର୍ଶ ପାଇଲେ ଯେପରି । ଅଲେଖ ଉପରକୁ ଯିବା ପୂର୍ବରୁ ନୃସିଂହ ତାଙ୍କ ହାତ ଧରିନେଲେ । ‘‘ଆମ ଶ୍ରୀମତୀ ଆପଣଙ୍କୁ ଟିକିଏ ଦେଖା କରିବାକୁ ଚାହାନ୍ତି ।’’ ଏହା କହି ନୃସିଂହ ଘର ଭିତରକୁ ଅଲେଖଙ୍କୁ ଟାଣି ନେଲେ ।

 

ବାହାର ଘରେ ନୃସିଂହଙ୍କ ପତ୍ନୀ ଅପେକ୍ଷା କରିଥିଲେ । ଅଲେଖ ତାଙ୍କୁ ନମସ୍କାର ଜଣେଇଲେ । ନୃସିଂହଙ୍କ ସାନସାନ ପିଲାମାନେ ସେଇ ଘରେ ରୁଣ୍ଡ ହୋଇଥିଲେ । ସେମାନେ ନମସ୍କାର ଜଣେଇଲେ । ଅଳ୍ପ ସମୟ ପରେ ଅଲେଖ ଓ ନୃସିଂହ ଉପର ମହଲାରେ ଯାଇ ପହଞ୍ଚିଲେ ।

 

ଠିକ୍‌ ତାଙ୍କ ପଛେପଛେ ଦୁଇଜଣ ସାନସାନ ଝିଅ ଖାଇବା ଧରି ଉପରେ ପହଞ୍ଚିଲେ । ‘‘ଏମାନେ ମୋ ଝିଅ ସବୁ । ଏଇଟି ନନି ଏବଂ ଏଇଟି ମିନି ।’’ ନୃସିଂହ ଅଙ୍ଗୁଳି ନିର୍ଦ୍ଦେଶ କରି ସେମାନଙ୍କୁ ଚିହ୍ନାଇ ଦେଲେ ।

 

ପିଲାମାନେ ଖାଇବା ରଖିଦେଇ ନମସ୍କାର କଲେ । ସେମାନେ ଗଲା ପରେ ନିତ୍ୟାନନ୍ଦ ଖାଇବା ସଜେଇ ଦେଲା । ଅଲେଖ ଏବଂ ନୃସିଂହ ଖାଇ ବସିଲେ । ବିଭିନ୍ନ ପ୍ରକାରର ପିଠା ଏବଂ ସନ୍ତୁଳା ଦୁଇଜଣ ଅତି ଆମୋଦର ସହିତ ବସି ଖାଇଲେ ସେହି ବସିବା ଘରେ । ନୃସିଂହ ତାଙ୍କ ଚୌକିରେ ପୂର୍ବକୁ ମୁହଁକରି ବସିଥାନ୍ତି ଏବଂ ଅଲେଖ ତାଙ୍କ ଚୌକିରେ ନୃସିଂହଙ୍କର ସାମନାରେ ।

 

ନିତ୍ୟାନନ୍ଦକୁ ଡାକି ଅଲେଖ ଚୁପ୍‌ କରି କ’ଣ କହିଦେଲେ ଯେ ସେ ତରତର ହୋଇ ଶୋଇବା ଘରକୁ ଚାଲିଗଲା ଏବଂ ସେଠୁ ହାଣ୍ଡିଟି ଧରି ତଳକୁ ଓହ୍ଲାଇଗଲା ।

 

‘‘ଗୋଟାଏ କଥା କହିବାକୁ ମୁଁ ଖୁବ୍‌ ଅଧୈର୍ଯ୍ୟ ହୋଇ ପଡ଼ିଛି ଅଲେଖବାବୁ ! ବିଶେଷ ସମୟ ନଷ୍ଟ ନ କରି ବା ବିଶେଷ ଉପକ୍ରମଣିକା ନରଖି ମୁଁ କହି ଦିଏଁ ।’’

 

ଖାଇବା ପ୍ରାୟ ସରି ଆସିଥିଲା । ଅଲେଖ ଆଗ୍ରହର ସହିତ ନୃସିଂହଙ୍କ ମୁହଁକୁ ଚାହିଁଲେ-

 

‘‘ଆପଣଙ୍କ ଅନୁପସ୍ଥିରେ ମୁଁ ଆପଣଙ୍କ ଗାଁ ଘରକୁ ଯାଇଥିଲି । ନିଜେ ଆପଣଙ୍କ ବାପାଙ୍କ ସହିତ ଦେଖା ହୋଇଥିଲା ।’’ ଏତକ କହି ଖୁବ୍‌ କ୍ଷିପ୍ରତାର ସହିତ ନୃସିଂହ କହିଲେ, ଅବଶ୍ୟ ଆପଣ ଗସ୍ତରେ ଯାଇଛନ୍ତି ବୋଲି ମୁଁ ତାଙ୍କୁ ଜଣେଇଥିଲି । ତା’ପରେ ଆପଣଙ୍କ ବାପା ଓ ମା’ ଆମ ଘରକୁ ଆସିଥିଲେ । କଥାଟାର ମୋଟାମୋଟି ମର୍ମ ହେଉଛି ଯେ ମୋର ବଡ଼ଝିଅ ମାମି ସହିତ ଆପଣଙ୍କର ବିବାହ ଠିକ୍‌ ହୋଇ ଇତି ମଧ୍ୟରେ ନିର୍ବନ୍ଧ ହୋଇ ସାରିଛି ।’’

 

ସବୁକିଛି ଏକ ନାଟକ ଭଳି ଲାଗୁଥିଲା ଅଲେଖଙ୍କୁ । ସେତେବେଳକୁ ଅଲେଖ ଗ୍ଲାସେ ପାଣି ପିଇ ସାରିଥିଲେ ।

 

ଗ୍ଲାସଟା ରଖିଦେଇ ଅଲେଖ ନୃସିଂହଙ୍କ ମୁହଁକୁ କିଛି ସମୟ ଚାହିଁ ରହିଲେ । ତା’ପରେ ତାଙ୍କର ଅଣାୟତ୍ତ ହେଲା ଯେଭଳି, ତାଙ୍କ ଆଖିରୁ ଦୁଇଧାର ଲୁହ ଖସିପଡ଼ିଲା ।

 

ଏତିକିବେଳକୁ ନିତ୍ୟାନନ୍ଦ ଘର ଭିତରକୁ ପଶି ଆସୁଥିଲା, ହଠାତ୍‌ ଲେଉଟି ଫେରିଗଲା-

 

ଅଲେଖଙ୍କର ଆଖିର ବହି ଆସୁଥିବା ଦୁଇଧାର ଲୁହକୁ ନୃସିଂହ ନିଜ ଦୁଇହାତ ପାପୁଲିରେ ପୋଛି ଲିଭାଇ ଦେଲେ ।

Image